Unknown

 

 

 

 

 

 

 

 

 

 

 

ମେଘମେଦୁର ଆକାଶ

ଦଶରଥ ସାମଲ

 

ସର୍ବଶ୍ରୀ ଗିରୀଶ ଦାସଗୁପ୍ତ

ଗୋକୁଳାନନ୍ଦ ବିଶ୍ଵାଳ

ଶୁକଦେବ ପାଣିନୀ

ଜଗନ୍ନାଥ ମହାନ୍ତି

ବନ୍ଧୁମାନଙ୍କୁ.....

 

ଏଇ ଲେଖକଙ୍କର ଆଉ କେତୋଟି ଅବିସ୍ମରଣୀୟ

 

ଉପନ୍ୟାସ :

 

ସ୍ଥିର ତରଙ୍ଗ

 

ଯୋଗାଯୋଗ

 

ଝରାପତ୍ରର ମର୍ମର

 

ନୀଳ ସିନ୍ଧୁର ଉପକଣ୍ଠେ

 

ସେ ନାରୀ ବନ୍ଦନୀୟା

 

ବୈଶାଖି ଘୂର୍ଣ୍ଣି

 

ନିରିମାଖି

 

ବଧୂ ବରଣ

 

ସମାନ୍ତର

 

ରାତ୍ରି ହେଲା ଶେଷ

 

ମନର ତଳେ ତଳେ

 

ଆଗାମୀର ପଦଧ୍ଵନି

 

ମଖମଲି ଖରା ଓ ସୁନାର ହରିଣ

 

 

ଗଳ୍ପ :

 

ଶିଖା

 

ଶେଷ ରାତିର ଜହ୍ନ

 

କଳା ପାହାଡ଼ର ଜନ୍ମଦିନ

 

ଆଦିମ ମନ

○○○

 

ବିନୋଦ ଆଜି ନୂଆ କରି ଚାକିରୀରେ ଯୋଗ ଦେଉଛି ।

 

ସେ ବ୍ରହ୍ମପୁର ଆସିଛି । ତା’ର ପ୍ରଥମ ପୋଷ୍ଟିଂ ହୋଇଛି ଏଇ ବ୍ରହ୍ମପୁରରେ । ସହରଠାରୁ ଅନେକ ଦୂରରେ, କୌଣସି ଏକ ମଫସଲରେ ତା’ର ଘର । ଜନ୍ମପୀଠ । ମାର ଏନ୍ତୁଡ଼ିଶାଳ । ମାତ୍ର ଜ୍ଞାନ ଓ ବୟସର ଅଭିବୃଦ୍ଧି ସଙ୍ଗେ ସଙ୍ଗେ, ଅନେକ ଦିନରୁ ସେ ଗାଁ ଛାଡ଼ି ଆସିଥିଲା ସହରକୁ । ବେଶି ପାଠ ପଢ଼ିବାକୁ । ମଣିଷ ହେବାକୁ ।

 

କଟକ ସହରରେ ମାଟ୍ରିକଠାରୁ ବି.ଏ. ପର୍ଯ୍ୟନ୍ତ ସେ ପାଠ ପଢ଼ିଥିଲା । କଟକ ସହରରେ ପ୍ରତି ଗଳି କନ୍ଦି ତା’ ପକ୍ଷେ ହୋଇ ଉଠିଥିଲା ଏକାନ୍ତ ପ୍ରିୟତମ-ନିବିଡ଼ତମ-ପରିଚିତ । ଆପଣାର ।

 

କିନ୍ତୁ କଟକ ସହରକୁ କେତେକାଳ ସେ ଆଉ ଆପଣାର କରିବ ? ତାରି କୋଳରେ କେତେକାଳ ଆଉ ସେ ବଢ଼ିବ? କେତେକାଳ ଛାତ୍ର ଜୀବନ ବରଣ କରି, ବେପରୁଆ ହୋଇ, ପ୍ରଜାପତିର ନୃତ୍ୟନ୍ତ ଡେଣା ମେଲି ସେ ଉଡ଼ି ବୁଲିବ ? ତା’ର ବୟସ ଆସିଛି । ଦାୟିତ୍ଵବୋଧ ଜନ୍ମିଛି । ଜ୍ଞାନ ଉଦୟ ହୋଇଛି । ବାପାଙ୍କ ଧନରେ ପ୍ରତିପାଳିତ ହେବାର ବୟସ ଅତିବାହିତ ହୋଇଯାଇଛି । ଏବେଣିକି ସେ ଆପେ ମଣିଷ ହେବ । ନିଜ ଗୋଡ଼ରେ ନିଜେ ଠିଆ ହେବ । ନିଜ ଶିଙ୍ଗରେ ନିଜେ ମାଟି ତାଡ଼ିବ । ଦୁନିଆଁକୁ ଆପଣାର ଆଖିରେ ଦେଖିବ । ଚିହ୍ନିବ । କିଏ ପ୍ରଶ୍ନ ପଚାରିଲେ ସେ ନିଜେ ଉତ୍ତର ଦେବ ।

 

ସେ କାହାରି ସାହାଯ୍ୟ ନେବ ନାହିଁ । କାହାର ଆଶ୍ରିତ ହେବ ନାହିଁ । କାହାର ଅନୁଗୃହୀତ ହେବ ନାହିଁ । କାହାକୁ କୃପା-ଭିକ୍ଷା କରିବ ନାହିଁ । ‘ଯେଝା ହାତରେ ଯେଝା ଚଉଦ ପା’ ନୀତିରେ ସେ ଦୁନିଆଁରେ ମଣିଷ ହେବ । ସଂଗ୍ରାମ କରିବ । ନିଜକୁ ନିଜେ ପ୍ରତିଷ୍ଠିତ କରିବା ପାଇଁ ଆପଣାର ସାଧ୍ୟମତେ ସକଳ ପ୍ରକାର ଚେଷ୍ଟା କରିବ ।

 

ବ୍ରହ୍ମପୁର ଅଫିସ୍ ।

 

ବିନୋଦ ସାଇନ୍‍ବୋର୍ଡ଼ ପଢ଼ୁଛି । ଅଫିସ୍ ଘରର କୋଠାଭିତରକୁ, ପାହାଚ ପାହାଚ ଅତିକ୍ରମ କରି ଉପରକୁ ଉଠିଚାଲିଛି ।

 

କେମିତି ସେ ଜଏନ୍ କରିବ ? ଅଫିସ‍ର‍୍ କେମିତି ଲୋକ ? ତାଙ୍କ ସହିତ କିପରି ବ୍ୟବହାର କରିବାକୁ ହେବ ? କିପରି ଚଳିବାକୁ ହେବ ? କାମ କିପରି କରିବାକୁ ହେବ ?

 

ଆଉ ଅନ୍ୟମାନେ ? ଅଫିସ୍ ଭିତରେ ଅନେକ କର୍ମଚାରୀ ଥବେ । ହେଡ୍‍କ୍ଲର୍କ, ଏଲ.ଡ଼ି. ଏବଂ ଆହୁରି ଅନେକେ । ତା’ଛଡ଼ା ତା’ପଦବୀର ଅଧିକାରୀ ଆଉ କେତେଜଣ ସହକର୍ମୀ ମଧ୍ୟ ଥିବେ । ସେମାନେ ପୁରୁଣା । ଅଭିଜ୍ଞ । ଏଇ ବିଭାଗରେ ଚାକିରି କରି, କେହି ଦକ୍ଷ ପାଲଟି ଥିବେ । ବିଭାଗୀୟ ଆଇନ୍, କାନୁନ୍ ଓ କାର୍ଯ୍ୟ ସଂପର୍କରେ ପୂର୍ଣ୍ଣ ଧାରଣା କରିଥିବେ ।

 

ସେହିମାନଙ୍କଠାରୁ ସେ ଅନେକ କଥା ଶିଖିବ । ନିଜ କାର୍ଯ୍ୟ ସଂପାଦନରେ କୌଣସି ତୃଟି ରଖିବ ନାହିଁ ବୋଲି ସେ ଚେଷ୍ଟା କରିବା । ସରକାରୀ ଚାକିରୀରେ ସେ ବିଶ୍ଵସ୍ତ ହେବ । ଉଦାର ହେବ । ସମସ୍ତଙ୍କ ପ୍ରତି ସେ ଭଲ ବ୍ୟବହାର କରିବ ।

 

ବିପଦରେ ପଡ଼ିଥିଲେ, ବନ୍ଧୁମାନଙ୍କୁ, ସହକର୍ମୀମାନଙ୍କୁ ସେ ସାହାଯ୍ୟ କରିବ । ସହାନୁଭୂତି ଦେଖାଇବ । ଦୟା ପ୍ରଦର୍ଶନ କରିବ । ଅନୁକମ୍ପା ଦେଖାଇବ । ସ୍ନେହ ଓ ଶ୍ରଦ୍ଧାର ଅଫୁରନ୍ତ ସ୍ରୋତରେ ସେମାନଙ୍କ ଅନ୍ତରକୁ ଆର୍ଦ୍ର କରିବ । ସିକ୍ତ କରିବ ।

 

ଏଇମିତି ଭାବି ଭାବି, ସିମେଣ୍ଟ ପାହାଚଗୁଡ଼ାକ ଗୋଟି ଗୋଟି ଅତିକ୍ରାନ୍ତ ବିଭାଗୀୟ କାର୍ଯ୍ୟାଳୟର ସମ୍ମୁଖ ଘରରେ ବିନୋଦ ପହଞ୍ଚଲା ।

 

କାର୍ଯ୍ୟାଳୟର ସମ୍ମୁଖ ଘରରେ, ଛୋଟ ଛୋଟ ଖୋଲପରି ଚେୟାର ପଡ଼ିଛି । ତା’ ଆଗରେ ଜଣିକିଆ ଟେବୁଲ୍ । ସେଇ ଚେୟାରଗୁଡ଼ିକ ଦେହରେ ଜଣେ ଜଣେ, ମେଢ଼ ଭିତରେ ଠାକୁର ମଣ୍ଡଣୀ ପରି ବସିଯାଇଛନ୍ତି । ତଳକୁ ମୁହଁ ପୋତି, ମତ୍ସ୍ୟଲୋଭୀ ବଳାକା ଜଳାଧାରକୁ ଚାହିଁ ରହିଲାପରି ରହିଛନ୍ତି ।

 

ଘର ଭିତରେ ସୃଷ୍ଟି ହେଉଥିବା ଘଟଣା, କାହାର ଉପସ୍ଥିତି, କାହାର ଆଗମନ ଓ ବିଦାୟ ପ୍ରତି ସେମାନେ ଉଦାସୀନ । ଚେତନହୀନା ସେ ସବୁଥିରେ ତାଙ୍କର ଆଗ୍ରହ ନାହିଁ । କୌତୁହଳ ନାହିଁ । ଆକାଂକ୍ଷା ନାହିଁ । ଔସ୍ତୁକ୍ୟ ନାହିଁ । ଆପଣାର କର୍ତ୍ତବ୍ୟର ବାଲି-ଝଡ଼ରେ ସେମାନେ ଗୋଟିଏ ଗୋଟିଏ ଧୂଳିକଣା । କର୍ତ୍ତବ୍ୟବୋଧର ତୋଫାନରେ ସେମାନେ ଉଡ଼ୁଛନ୍ତି । ଘୁରୁଛନ୍ତି । ବ୍ୟସ୍ତ ରହିଛନ୍ତି ।

 

ସେମାନଙ୍କ ଟେବୁଲ୍ ଉପରେ ଥାକ ଥାକ ଫାଇଲ୍ । କିଏ ବନ୍ଧା ହୋଇଛି । କିଏ ଖୋଲା ଯାଇଛି । କିଏ ଦରଖୋଲା ଅବସ୍ଥାରେ, ବିଜୁଳୀ ପଙ୍ଖାର କୃତ୍ରିମ ହାୱାରେ ବିକ୍ଷିପ୍ତ, ଇତସ୍ତତଃ ହେଉଛି । ଅଥବା ଛିନ୍ନ ଭିନ୍ନ ଫାଇଲରୁ କେଉଁଠୁ କେମିତି ଛୋଟ ଛୋଟ କାଗଜ ଉଡ଼ିଯାଇ ପଦାରେ ପଡ଼ୁଛି ।

 

ସାମ୍‍ନା ଘରରେ ଉପସ୍ଥିତ ଥିବା ପ୍ରାୟ ଦଶଜଣ କର୍ମଚାରୀ ନିଜ କାର୍ଯ୍ୟରେ ବ୍ୟସ୍ତ...

 

ବିନୋଦ ନୀରବରେ ଦୁଆର ମୁହଁରେ ପାଞ୍ଚମିନିଟ୍ ଠିଆ ହେଲା । ତଥାପି କାହାରି ଦୃଷ୍ଟି ତା’ ଉପରେ ପଡ଼ିଲା ନାହିଁ । ନିବିଦ୍ଧ ହେଲା ନାହିଁ । ନିର୍ବାକ, ମୌନ ହୋଇ, କେତେକାଳ ସେ ଠିଆ ରହିବ ?

 

ଚାକିରି କଲେ ମଣିଷ କଣ ଏଇମିତି ହୋଇଉଠେ ? ଏକ ଧ୍ୟାନରେ, ଫାଇଲ୍ ଭିତରେ ଆପଣାର ଅସ୍ତିତ୍ଵକୁ ହଜାଇ ଦିଏ ? ମିଶାଇ ଦିଏ ? କାମ କରୁଥିଲାବେଳେ, ଘର ଭିତର ଦେଇ କେହି କେହି ଯା ଆସ କଲେ, ଏମାନଙ୍କର ନଜର କେମିତି ନ ପଡ଼େ ? ଦୃଷ୍ଟି କେମିତି ଓହରି ନ ଆସେ ?

 

ଡକାୟତ ଆସି, ଅଫିସ୍ ଘର ଭିତରୁ ଚୋରି କରି ଚାଲିଗଲେ, ଡକାୟତି କରି ଚାଲିଗଲେ, ଏମାନେ ବୋଧହୁଏ ଜାଣିପାରିବେ ନାହିଁ । କର୍ତ୍ତବ୍ୟର ନିଗଡ଼ ବନ୍ଧନରେ ଏମାନେ ବାନ୍ଧି ହୋଇଛନ୍ତି । ଛନ୍ଦି ହୋଇଛନ୍ତି । ଅଫିସ୍‍କୁ ଆସିଲେ ଏମାନଙ୍କର କେବଳ କାମ ଆଉ କାମ । ଫାଇଲ୍ ଭିତରେ ଦିସ୍ତା ଦିସ୍ତା କାଗଜ, ଆମ୍ପୁଡ଼ି, ରାମ୍ପୁଡ଼ି, ନିଜର କର୍ତ୍ତବ୍ୟ ପରାୟଣତା ସମ୍ପର୍କରେ ସେମାନେ କେବଳ ସଚେତନ ହୁଅନ୍ତି । ବାହାରୁ ଜଣେ ଭଦ୍ରଲୋକ, ଅଫିସ୍ କାର୍ଯ୍ୟରେ ଆସି ମଧ୍ୟ ସେ ତା’ ଭଳି ନିଶ୍ଚୟ ଠିଆ ହେଉଥିବ ।

 

ବିନୋଦ ଅଫିସ୍ ତାର ଭିତରକୁ ଆଗେଇ ଚାଲିଲା...

 

ତିନିଜଣ କର୍ମଚାରୀଙ୍କୁ ସେ ଟପି ଗଲାଣି । ତଥାପି ସେମାନେ ଜାଣି ପାରୁନାହାନ୍ତି । ତା’ର ଉପସ୍ଥିତି ଲକ୍ଷ୍ୟ କରି ପାରୁନାହାନ୍ତି ।

 

ବିନୋଦ ଜଣକ ଟେବୁଲ୍ ପାଖରେ ଠିଆ ହୋଇ ଜାଣି ଜାଣି ଗଳା ଖଙ୍କାର ମାରିଲା ।

 

ବିନୋଦର ଉଗ୍ର, ଅସ୍ଵାଭାବିକ ଗଳା ଖଙ୍କାରରେ ଚମକି ପଡ଼ି ଜଣେ କର୍ମଚାରୀଙ୍କର ଦୃଷ୍ଟି ଫାଇଲ୍ ଆଡ଼ୁ ଫେରିଆସି ତା’ ଉପରେ ପଡ଼ିଲା ।

 

ବିନୋଦ ତାଙ୍କର ଆଡ଼କୁ ଚାହିଁ ଠିଆ ହୋଇ ରହିଲା ।

 

କର୍ମଚାରୀ ଜଣକ ପଚାରିଲେ—କାହାକୁ ଖୋଜୁଛନ୍ତି ? କ’ଣ ଦରକାର ?

 

ବିନୋଦ କଣ ଉତ୍ତର ଦେବ ? କି ଭଳି ଭାବରେ ତା’ ନବ ନିଯୁକ୍ତି ଚାକିରୀ କଥାର ଅବତରଣା କରିବ ? ତା’ ପଦବୀର ସୂଚନା ଦେବ ?

 

ଆପାତତଃ ଏକ ଅଡ଼ୁଆ ପରିସ୍ଥିତିରେ ପଡ଼ି ବିନୋଦ ପୁଣି ନିଜକୁ ସମ୍ଭାଳି ନେଲା । ଦୃଢ଼ତାର ସହିତ କହିଲା—ଏଇ ମୁଁ ଆସିଥିଲି ଯେ ଇନିସପେକ୍ଟର ରୂପେ ଏଠାରେ ଯୋଗ ଦେବାକୁ । ମାତ୍ର କେଉଁଠି, କାହା ପାଖରେ ଏବଂ କିପରି...

 

କର୍ମଚାରୀ ଜଣକର ମୁଖରେ ଗମ୍ଭୀରତା ଧୀରେ ଧୀରେ ଜମାଟ ବାନ୍ଧି ଆସୁଛି । ବିନୋଦ ସହିତ ପ୍ରଥମ କଥାବାର୍ତ୍ତାରେ ତାଙ୍କର ଯେପରି ସ୍ୱଚ୍ଛନ୍ଦତା, ଅକୃତ୍ରିମତା ଭରି ରହିଥିଲା, ବର୍ତ୍ତମାନ ତାହା ଧୀରେ ଧୀରେ କୃତ୍ରିମ, ଅସ୍ଵାଭାବିକ ହୋଇଉଠୁଛି ।

 

କାହିଁକି ? କାହିଁକି ତାଙ୍କର ଏଭଳି ପରିବର୍ତ୍ତନ ? ଏଇ ବିଭାଗରେ ଚାକିରି କରି କରି ସେମାନେ ଅଭିଜ୍ଞ ହୋଇଛନ୍ତି । ପୁରୁଣା ପାଲଟିଛନ୍ତି । ବିଭାଗୀୟ କାର୍ଯ୍ୟାବଳୀ ତାଙ୍କ ଆଖି ଆଗରେ ଚଳଚ୍ଚିତ୍ର ପରି ହୁଏତ ଭାସି ଉଠୁଛି । ସେଥିପାଇଁ କ’ଣ ତାଙ୍କର ଗର୍ବ ? ଔଦ୍ଧତ୍ୟ ? ନୂତନ କର୍ମଚାରୀଙ୍କ ପ୍ରତି ହେୟ ମନୋଭାବ ? ନ୍ୟୁନ ଧାରଣା ? କିଞ୍ଚିତ ଘୃଣାର ଆଭାସ ?

 

କର୍ମଚାରୀ ଜଣକ ପଚାରିଲେ—ଓଃ, ଆପଣ ତା’ ହେଲେ ନୂଆକରି ଆସିଛନ୍ତି ଏ ସର୍କଲକୁ ? ଆଚ୍ଛା—

 

ଅଫିସ୍ ଭିତରର ସମସ୍ତ କର୍ମଚାରୀ ନିଜ ନିଜର ଦୃଷ୍ଟିରେଖା, ବିନୋଦ ଉପରେ ପକାଇଲେ । ନୂତନ, ଆଗନ୍ତୁକ ଏଇ ବିନୋଦକୁ ଚାହିଁ, ସେମାନଙ୍କ କଥାବାର୍ତ୍ତା ଶୁଣିବାରେ ମନ ଢାଳିଦେଲେ ।

 

ପ୍ରଥମ କର୍ମଚାରୀ ଜଣକ ଆହୁରି ଗମ୍ଭୀର ହେଉଛନ୍ତି । ଏତେ ତରୁଣ ବୟସରେ ଲୋକେ ବିଶେଷ ଗମ୍ଭୀର ହେଲେ ଅସୁନ୍ଦର ଦିଶେ । ସେହି ଅବସ୍ଥା ଏଇ ତରୁଣ କର୍ମଚାରୀଙ୍କର ଘଟିଛି ।

 

ଗମ୍ଭୀର କଣ୍ଠରେ ପ୍ରଥମ କର୍ମଚାରୀ ଜଣକ ପଚାରିଲେ—ୟା ପୂର୍ବରୁ ଆପଣ କ’ଣ କରୁଥିଲେ ?

 

ବିନୋଦ କହିଲା—କିଛି ନାହିଁ । ପାଠ ଛାଡ଼ିବାର ଏଇ ମାତ୍ର ଚାରିମାସ ତ ହୋଇଛି ।

 

—ଓଃ, ଆପଣ ତା’ହେଲେ ଫ୍ରେସ୍ ଫ୍ରମ୍ କଲେଜ ?

 

ବିନୋଦ ମୁଣ୍ଡ ଟୁଙ୍ଗାରି ସମ୍ମତି ଜଣାଇଲା ।

 

ପ୍ରଥମ କର୍ମଚାରୀ ଜଣକ ଏତିକି ପଚାରି, ପୁଣି ନିଜ ଫାଇଲ୍ ଭିତରେ ଆତ୍ମ ବିସ୍ତୃତ ହେଲେ ।

 

ବିନୋଦ ସେଇମିତି ଠିଆ ହୋଇଛି । ଏମାନଙ୍କର କ’ଣ ଟିକିଏ ହେଲେ ଭଦ୍ରାମି ନାହିଁ ? ସାଧାରଣ ସୌଜନ୍ୟ ନାହିଁ ? ଏତେ ସମୟ ଧରି ଠିଆ ହେଲାଣି ଅଥଚ କେହିହେଲେ ବସିବାକୁ କହୁ ନାହାନ୍ତି ।

 

ପ୍ରଥମ କର୍ମଚାରୀଙ୍କ ପାଖକୁ ଲାଗି ବସିଥିବା ଦ୍ଵିତୀୟ କର୍ମଚାରୀ ଜଣକ ପଚାରିଲେ—ଆପଣଙ୍କର କ୍ୱାଲିଫିକେସନ୍ ?

 

ବିନୋଦ କହିଲା—ବି.ଏ. ପରେ ଆଇନ୍ ପଢ଼ୁଥିଲି । ଫାଷ୍ଟ ପାର୍ଟ କମ୍ପଲିଟ୍ ହୋଇଛି । ମାତ୍ର ପାରିବାରିକ ଅସୁବିଧାରୁ ମୋତେ ଚାକିରୀ କରିବାକୁ ହିଁ ପଡ଼ିଲା ।

 

ବିନୋଦର ଏଇ ଉତ୍ତରରେ କେବଳ ସେହି କର୍ମଚାରୀ ଜଣକ ନୁହନ୍ତି, ସମସ୍ତ କର୍ମଚାରୀଙ୍କ ଭିତରେ ଏକ କଳଗୁଞ୍ଜନ ଖେଳିଗଲା । ସମସ୍ତେ ତାରି ଆଡ଼କୁ ନୈରାଶ୍ୟ ଅଥଚ ସଂଭ୍ରମ ଦୃଷ୍ଟି ହାଣି, ନିରେଖି ଚାହିଁଲେ ।

 

ଦୁଇ ମିନିଟ୍ ନୀରବ । ଆଉ କେହି ତାକୁ ପ୍ରଶ୍ନ ପଚାରୁ ନାହାନ୍ତି । କେଉଁଠି ଓ କାହା ପାଖରେ ଜଏନିଂ ରିପୋଟ ଦେବାକୁ ହେବ, ସେକଥା ମଧ୍ୟ କେହି ଆଭାସ ଦେଉ ନାହାନ୍ତି ।

 

ସମସ୍ତଙ୍କ ମୁହଁରେ ନୈରାଶ୍ୟ ହସର ଏକ ଏକ ମଉଳା ପାଖୁଡ଼ା । କାହିଁକି ? କଣ ହେଲା ? କି ଅନ୍ୟାୟ ସେ କଲା ? ଅପରାଧ କଲା ? ତା’ ପାଇଁ ଏଇ ଘର ଭିତରର ପ୍ରାୟ ସମସ୍ତ କର୍ମଚାରୀଙ୍କର କାହିଁକି ଭାଳେଣି ? ଉଦବେଗ ?

 

ସେ କ’ଣ ଏମାନଙ୍କର ପ୍ରତିଦ୍ଵନ୍ଦୀ ହୋଇଆସିଲା ? ଏମାନଙ୍କ ଚାକିରୀ ଗଗନରେ ସେ କଣ ଏକ ଧୂମକେତୁ ସାଜିଲା ? ନାଁ, ତ ? ତେବେ ? ତେବେ କାହିଁକି ଏମାନଙ୍କର ଏଭଳି ନୈରାଶ୍ୟ ?

 

କିଛି ସମୟ ବିନୋଦ ଠିଆ ହେଲାପରେ ସେମାନଙ୍କ ଭିତରୁ ଜଣେ କର୍ମଚାରୀ ପଚାରିଲା—ଆପଣ ଆର ଘରକୁ ଯାଉନ୍ତୁ । ସେଠି ବଡ଼ବାବୁ ଅଛନ୍ତି । ତାଙ୍କରି ପାଖରେ ଆପଣ ଜଏନିଂ ରିପୋଟ ଦେବେ । କିନ୍ତୁ ଏ ଡିପାର୍ଟମେଣ୍ଟକୁ ଆସି ଆପଣ ଭୁଲ୍ କଲେ । ବିରାଟ ଭୁଲ୍ କଲେ ।

 

ବିନୋଦ ଚାହିଁଲା ଅର୍ଥହୀନ ଦୃଷ୍ଟିରେ ସେଇ କର୍ମଚାରୀ ଜଣକୁ ।

 

କର୍ମଚାରୀ ଜଣଙ୍କ ନିଜ କାମରେ ଲାଗି ଗଲେଣି । ଅନ୍ୟମାନେ, ମୁହୂର୍ତ୍ତକ ଆଗର ମନୋଭାବ ପରିବର୍ତ୍ତନ କରି, ନିଜ ନିଜ କାଯ୍ୟରେ ଆତ୍ମ ନିୟୋଗ କଲେଣି ।

 

ବିନୋଦ ସେଇ ଘରବାଟେ ଅନ୍ୟ ଘରଆଡ଼କୁ, ଯେଉଁଠି ହେଡ୍‍କ୍ଲର୍କ ବସିଛନ୍ତି, ସେଇ ଆଡ଼କୁ ମୁହଁ ବୁଲେଇଲା ।

 

ସେ ଭୁଲ୍ କରିଛି ? ଏଇ ବିଭାଗକୁ ଆସି ସେ ଭୁଲ୍ କରିଛି ? କାହିଁକି ? ଅନ୍ୟମାନେ, ତା’ ଆସିବାର, ଯୋଗ ଦେବାର ଢେର ପୂର୍ବରୁ, ଯୋଗ ଦେଇଛନ୍ତି । ସେମାନେ କଣ ଭୁଲ୍ କରି ନାହାନ୍ତି ? ତାରି କିପରି ଭୁଲ୍ ହେଲା ?

 

ଏମାନେ ବୋଧହୁଏ କିରାନୀ ଗୋଷ୍ଠୀ । କିରାନୀମାନେ ଲୋକମାନଙ୍କୁ ହତାଶ କରନ୍ତି-। ନୈରାଶ୍ୟର ଘନାନ୍ଧକାରରେ ମଣିଷକୁ ଉବୁଟୁବୁ କରାଇବାରେ ସେମାନଙ୍କର କୁଆଡ଼େ କାର୍ପଣ୍ୟ ନ ଥାଏ ବୋଲି, ଅନେକଙ୍କ ମୁଖରୁ ସେ ଶୁଣିଛି । ତେଣୁ ତା ଆସିବାଟାକୁ ସେମାନେ ବୋଧେ ପସନ୍ଦ କରୁନାହାନ୍ତି । ଉତ୍ସାହିତ କରୁନାହାନ୍ତି । ହିଂସା ଓ ଅସୂୟାରେ ସେମାନେ ହୁଏତ ଏସବୁ କଥା କହି ପକାଇଥିବେ ।

 

ଛାଡ଼ । କର୍ତ୍ତବ୍ୟ ଆଗେ । କର୍ତ୍ତବ୍ୟ କରିଯିବା ବୁଦ୍ଧିମାନ ଲୋକର କର୍ତ୍ତବ୍ୟ । ସେମାନେ କହନ୍ତୁ । କହିଯାଆନ୍ତୁ । ସେଥିରେ ଦୁଃଖ କରିବାର କିଛି ନାହିଁ । ବିଚଳିତ ହେବାର ଅବକାଶ ନାହିଁ ।

 

ହେଡ୍‍କ୍ଲର୍କଙ୍କ ପ୍ରକୋଷ୍ଠକୁ ବିନୋଦ ଆଗେଇ ଚାଲିଛି….

 

ଗୋଟିଏ ସଂକୀର୍ଣ୍ଣ, ନୀତିଦୀର୍ଘ ପ୍ରକୋଷ୍ଠ ଭିତରେ, ଏକ ବିରାଟ ଟେବୁଲ୍ ଉପରେ ଝୁଙ୍କି ପଡ଼ିଛନ୍ତି ଭୀମ ବାବୁ । ଭୀମ ଚରଣ ଦଳାଇ । ସେଇ ଅଫିସର ହେଡ୍‍କ୍ଳର୍କ । ବୟସ ପଚାଶ ପାଖାପାଖି । ଦେଖିବାକୁ କଳା, ରୁଗ୍‍ଣ । ମନେହୁଏ କ୍ରମାଗତଭାବେ କୌଣସି ଏକ ପେଟଜନିତ ରୋଗରେ ସଢ଼ି ସଢ଼ି ସେ ଅସ୍ଥି କଙ୍କାଳମୟ ହୋଇ ଉଠିଛନ୍ତି । ବେକରେ ବିଛାପରି କଳା କଳା ଶିରାଗୁଡ଼ାକ ଟାଣି ହୋଇଯାଇଛି ।

 

ମୁହଁ ଶୁଖିଯାଇଛି । ରୋଗ ଓ ବ୍ୟାଧି ସହିତ ଲଢ଼ି ଲଢ଼ି, ସଂଗ୍ରାମ କରି କରି, ତାଙ୍କର ମାଂସଳ ଦେହ, କଙ୍କାଳରେ ସତେ ଯେପରି ରୂପାନ୍ତରିତ ହୋଇଛି । ଧଳା ପଞ୍ଜାବୀ ସାଙ୍ଗକୁ ଧଳା ରଙ୍ଗର ଧୋତି । ଗୋଡ଼ରେ ଚପଲ । ପଞ୍ଜାବୀର ଦୁଇଟିଯାକ ହାତ ଅଳ୍ପ ଅଳ୍ପ ଛିଡ଼ି ଯାଇଛି । ସେଇ ଛିଡ଼ା ପଞ୍ଜାବୀକୁ ଦେଖିବାକୁ ତାଙ୍କର ଯେମିତି ସମୟ ନାହିଁ । ଅବକାଶ ନାହିଁ । ଫୁରସତ୍ ନାହିଁ ।

 

ସେଇ ବିରାଟ ଟେବୁଲ୍ ଉପରେ ନଇଁପଡ଼ି, ମୋଟା ଫ୍ରେମର ଚଷମା ତଳୁ, ବଡ଼ ବଡ଼ ଖାତାପତ୍ର ଲେଖି ଚାଲିଛନ୍ତି । ଦେଖି ଚାଲିଛନ୍ତି । ସମଗ୍ର ଏଷ୍ଟାବ୍ଲିସ୍ମେଣ୍ଟର ଜମା ଖର୍ଚ୍ଚ ରଖୁଛନ୍ତି । ତନଖି କରୁଛନ୍ତି । ତଦାରଖ କରୁଛନ୍ତି । ହିସାବରେ କେଉଁଠି ଭୁଲ ରହିଗଲେ, ତୃଟି ରହିଗଲେ, ସେ ଦାୟୀ ହେବେ । ତାଙ୍କର ବଦନାମ ହେବ । ଦୀର୍ଘ ଚାକିରୀ ଜୀବନରେ କଳଙ୍କ ବୋଳି ହୋଇଯିବ । ଚାକିରୀ ଜୀବନର ଶେଷ ଭାଗରେ ,ଭୁଲ୍‍ କିମ୍ବା ତୃଟି କାହିଁକି ସେ ରଖିବେ ?

 

ଚାକିରୀ ଜୀବନର ପ୍ରାରମ୍ଭରୁ, ନିଜ କାର୍ଯ୍ୟକ୍ଷେତ୍ରରେ କର୍ମକୁଶଳତାର ସେ ଯେଉଁ ପରିଚୟ ଦେଇଛନ୍ତି, ସେ କର୍ମକୁଶଳତାରେ ଆଞ୍ଚ ଆଣିବାକୁ ସେ ଚାହାନ୍ତି ନାହିଁ । ତାଙ୍କ ସକସେସ୍‍ଫୁଲ କ୍ୟାରିୟରରେ ବ୍ଳାକ ସ୍ପଟ୍ ସେ ରଖିଦେବାକୁ ଚାହାଁନ୍ତି ନାହିଁ । ତେଣୁ ପଚାଶ ବର୍ଷ ବୟସର ରୁଗ୍‍ଣ; ଦୁର୍ବଳ ଓ ଶକ୍ତିହୀନ ଶରୀରରେ ତାଙ୍କର ଏ ପ୍ରାଣମୂର୍ଚ୍ଛା ପରିଶ୍ରମ । ଥରୋ ସ୍କୃଟିନୀ-!

 

ବିନୋଦ ଟେବୁଲ ପାଖରେ ଯାଇ ଠିଆ ହେଲା ।

 

ଭୀମ ବାବୁ ଗ୍ରୀବା ଟେକି, ପାୱାରଫୁଲ୍ ଲେନ୍‍ସରୁ ଚାହିଁ ରହିଲେ ବିନୋଦକୁ ।

 

ଭୀମ ବାବୁଙ୍କର ଦୟନୀୟ ସ୍ଵାସ୍ଥ୍ୟ ଦେଖି ବିନୋଦର ଚେତନ ମନରେ ଦୟା ଜାଗିଲା । ଆହାଃ ବିଚରା ! କେଇଟା ଟଙ୍କାର ଲୋଭରେ ସେ ଚାକିରୀ ଛାଡ଼ିପାରୁ ନାହିଁ । ପଚାଶ ବର୍ଷ ବୟସରେ ଖଟି ଖଟି ନାକେଦମ ହେଉଛି । ରୁଦ୍ଧଶ୍ଵାସ ହେଉଛି । କପାଳରେ ସ୍ଵେଦ ଉପୁଚି ଉଠୁଛି । ହାତ ଥରୁଛି । ଅଥଚ ଇଚ୍ଛା ବିରୁଦ୍ଧରେ, ଥରିଲା ଥରିଲା ହାତରେ କରୁଣ ପରିସ୍ଥିତି ବିରୁଦ୍ଧରେ ସେ କାମ କରୁଛି । ଲେଖୁଛି । କାଗଜ ପାଖରେ ଶକ୍ତିହୀନ ଆଖି ଦିଟାକୁ ହଜେଇ ଦେଉଛି ।

 

ବିନୋଦ ହାତଯୋଡ଼ି ନମସ୍କାର ଜଣାଇଲା ।

 

ଭୀମ ବାବୁ, ବିନୋଦ ଭଳି ଗୋଟିଏ ସୁନ୍ଦର, ସୁଠାମ, ସ୍ୱାସ୍ଥ୍ୟବାନ ଯୁବକଠାରୁ ସ୍ୱେଚ୍ଛାକୃତ ଭାବେ ନମସ୍କାର ପାଇ କୃତ କୃତ୍ୟ ହୋଇ ଉଠିଲେ । ତାର ଦାମୀ ପୋଷାକର ଚିକ୍କଣତା ଓ ଔଜ୍ଜଲ୍ୟରେ, ବିନୋଦକୁ ଜଣେ ଅପରିଚିତ ଅଫିସର କିମ୍ଵା ବିଭାଗୀୟ କୌଣସି ଏକ ପଦସ୍ଥ କର୍ମଚାରୀ ଭାବି, ଚେୟାର ଉପରୁ ଉଠିପଡ଼ି, ତାକୁ ବସିବାକୁ ସଙ୍କେତ ଦେଲେ ।

 

ବିନୋଦର ମନ, ଭୀମବାବୁଙ୍କ ପ୍ରତି ଗଭୀର ଅନୁରୋକ୍ତିରେ ଭରି ଉଠୁଥିଲା । କିରାଣୀ ଗହଣରେ ଦଶ ପନ୍ଦର ମିନିଟ୍ ଠିଆ ହୋଇ, କଥାବାର୍ତ୍ତା କରି ଓ ଫେରିଥିଲେ ମଧ୍ୟ ସେମାନେ ତାକୁ ବସିବାକୁ କହିଲେ ନାହିଁ ।

 

ହତଭାଗ୍ୟ କିରାଣୀ ଦଳ ! ହିଂସା ଓ ପରଶ୍ରୀକାତରତାରେ ସେମାନଙ୍କର ଜୀବନ ଗଢ଼ା-!! ତାଙ୍କର ସମବୟସ୍କ ବ୍ୟକ୍ତି ଜଣେ, ନିଜର ଜ୍ଞାନ କୃତିତ୍ଵ ଦୃଷ୍ଟିରୁ ଉପର ପାହ୍ୟାକୁ ଉନ୍ନୀତ ହେଲେ, ସେମାନଙ୍କର ଗାତ୍ରଦାହ ହୁଏ । ତାର କୃତିତ୍ଵ ଓ ପଦୋନ୍ନତିକୁ ସେମାନେ ସହ୍ୟ କରିପାରନ୍ତି ନାହିଁ-

 

ମାତ୍ର ହେଡ଼କ୍ଳର୍କ ! କ୍ଳର୍କମାନଙ୍କ ଭିତରେ ସେ ‘ହେଡ୍’ ହୋଇଛନ୍ତି ବୋଲି, ବୋଧହୁଏ ତାଙ୍କର ଏଭଳି ମନୋଭାବ ନାହିଁ । ଘଟଣା ଓ ସମୟର ସୂଅରେ ସେ ପରିମାର୍ଜିତ ହୋଇଛନ୍ତି । ପରବର୍ତ୍ତିତ ହୋଇଛନ୍ତି । ହିଂସା, ଅସୂୟା ଓ ପରଶ୍ରୀକାତରତା ତାଙ୍କ ମନର ଅବଚେତନ ସ୍ତରରେ ଧକ୍କା ଖାଉଥିଲେ ମଧ୍ୟ ସେ କିନ୍ତୁ ସତତ ସଜାଗ ଅଛନ୍ତି । ସତର୍କ ରହିଛନ୍ତି । ସେ ମନୋଭାବକୁ କେହି ଜାଣି ପାରନ୍ତି ନାହିଁ । କେହି ଧରି ପାରନ୍ତି ନାହିଁ ।

 

ଭୀମବାବୁ ଚେୟାର ଉପରେ ବସିଯାଇ ବିନୋଦ ଆଡ଼େ ଆଗ୍ରହାତିଶଯ୍ୟରେ ଚାହିଁ ରହିଲେ ।

 

ବିନୋଦ ଧୀରେ ଧୀରେ କହିଲା—ମୁଁ ଆସିଛି ଆଜ୍ଞା ନୂଆ ହୋଇ ଇନିସପେକ୍ଟର ଚାକିରୀରେ ଏଠାରେ ଜଏନ୍ କରିବାକୁ ।

 

ଭୀମ ବାବୁଙ୍କ ଆଗ୍ରହ ବୋଧହୁଏ ମରିଗଲା । ତାଙ୍କ ମନରେ ଅନେକ ଥିଲା ଆଶା-ଅନେକ ଥିଲା ଆଶଙ୍କା । କିଏ ହୋଇଥିବେ ! କ’ଣ ହୋଇଥିବେ ! କି ସମ୍ବାଦ ବହନ କରି ଆଣିଥିବେ । ସେ ସମ୍ବାଦ ସୁଖର କି ଦୁଃଖର ! ଆନନ୍ଦର କି ବିଷାଦର ! ଗୌରବର କି ରୌରବର-!

 

ମାତ୍ର ହଠାତ୍ ତାଙ୍କ ମୁହଁ ଖଟ୍‍କା ସତେ ଯେପରି ପଡ଼ିଗଲା । ସେ ଶଙ୍କାହୀନ ଚିତ୍ତରେ ବସିପଡ଼ି ଦୀର୍ଘଶ୍ଵାସ ମାରିଲେ । କିଛି ସମୟ ପରେ କହିଲେ—ଓଃ, ଆପଣ ତା’ହେଲେ ନୂଆ ହୋଇ ଆସିଛନ୍ତି ଇନିସପେକ୍ଟର ରୂପେ ଯୋଗ ଦେବାକୁ । ଭଲ କଥା । ଜଏନିଂ ରିପୋର୍ଟ ଲେଖି ଦିଅନ୍ତୁ ।

 

ବିନୋଦ ଭୀମ ବାବୁଙ୍କ ଆଡ଼କୁ ସତୃଷ୍ଣ ନୟନରେ ଚାହିଁ ରହିଲା । ମନ ଭିତରେ ତାର ଉଙ୍କି ମାରୁଥିଲା ସହସ୍ର ପ୍ରଶ୍ନବାଚୀ ।

 

ଜଏନିଂ ରିପୋର୍ଟ କିପରି ଲେଖିବାକୁ ହୁଏ ସେ ଜାଣେନି । ପ୍ରଥମ ଥର ପାଇଁ, କଲେଜ ଜୀବନ ପରିତ୍ୟାଗ କଲାପରେ ଏ ଚାକିରୀ ! କଣ ଲେଖିବାକୁ ହୁଏ ? କିପରି ଭାବରେ ଲେଖି ଯୋଗ ଦେବ ବୋଲି ସେ ଜଣାଇଦେବ ?

 

ଭୀମ ବାବୁ କାଶି କାଶି ପଚାରିଲେ—ଆପଣଙ୍କ ଘର କେଉଁଠି ବାବୁ ?

 

—କଟକ ଜିଲ୍ଲାରେ ।

 

—ୟା’ ପୂର୍ବରୁ କଣ କରୁଥିଲେ ?

 

ବିନୋଦ ମୃଦୁ ହସି କହିଲା, ୟା ପୂର୍ବରୁ ମୁଁ କିଛି କରୁ ନ ଥିଲି ଆଜ୍ଞା । ହଠାତ୍ କଲେଜ ଛାଡ଼ିଲା ପରେ, ସମ୍ବାଦପତ୍ରରୁ ଏଇ ଚାକିରୀର ବିଜ୍ଞାପନ ଦେଖିଲି । ଆବେଦନ କଲି । ଇଣ୍ଟରଭିଉକୁ ଆସିଲି । ପରୀକ୍ଷା ହେଲା । ମନୋନୀତ ହେଲି । ତା’ପରେ ଆଦେଶ । ଆଜି ଆସିଛି ଯୋଗ ଦେବାକୁ ।

 

ୟା ପୂର୍ବରୁ ଅନ୍ୟ କୋଣସି କାର୍ଯ୍ୟ କରିବାକୁ ଫୁରସତ୍ କାହିଁ ? ଅବକାଶ କାହିଁ ? ଜଏନିଂ ରିପୋର୍ଟରେ କ’ଣ ଲେଖିବି ବତାଇ ଦିଅନ୍ତୁ !

 

ଭୀମ ବାବୁଙ୍କର ବିନୋଦ ପ୍ରତି ଦୟା ଆସିଲା । ଏଇ ବିଭାଗରେ ଚାକିରୀ କରି କରି ତାଙ୍କର ବାଇଶି ବର୍ଷ ଅତିବାହିତ ହୋଇଗଲେଣି । ଜୀବନରେ ଅନେକ ଲୋକଙ୍କୁ ଦେଖିଛନ୍ତି । ବିନୋଦ ପରି ଅନେକ ସଦ୍ୟ ଫେରନ୍ତା କଲେଜ ଟୋକାଙ୍କୁ ଏଇ ବିଭାଗରେ ପ୍ରବେଶ କରିବାର ଦେଖିଛନ୍ତି । ସେମାନଙ୍କ ଭିତରୁ କେହି କେହି ଗେଜେଟେଡ୍ ପୋଷ୍ଟକୁ ଉନ୍ନୀତ ହେଲେଣି । ଆଉ କେହି କେହି, ଉପରିସ୍ଥ କର୍ମକର୍ତ୍ତାମାନଙ୍କୁ ସନ୍ତୁଷ୍ଟ କରି ନ ପାରି, ଅଭିଶାପଗ୍ରସ୍ତ ହୋଇ ଏବେ ବି ସେଇ ଚାକିରୀର ମେରିଖୁଣ୍ଟରେ ବନ୍ଧା ହୋଇ ଘାଣ୍ଟି ଚକଟି ହେଉଛନ୍ତି । ଭବିଷ୍ୟତର ଆଶା, ସମ୍ଭାବନା ଓ ସ୍ଵପ୍ନକୁ ସେମାନେ ଅନେକ ଦିନରୁ ବିରକ୍ତ ଓ କ୍ଲାନ୍ତିର ସାଗର ଭିତରେ ହାଜଇ ଦେଇଛନ୍ତି । ଡୁବାଇ ଦେଇଛନ୍ତି ।

 

ତାରୁଣ୍ୟରେ ଢଳ ଢଳ, ଭବିଷ୍ୟତର ସମୃଦ୍ଧିରେ ଆଶାଦୀପ୍ତ, ଆଗାମୀ ଯୁଗର ବଂଶଧର ଏବଂ ଅଗ୍ରଗତିର ପ୍ରତୀକ ବିନୋଦର ଅବସ୍ଥା ଯଦି ସେଇଆ ହୁଏ, ତା’ହେଲେ ଆଜିର ଏ ସଦ୍ୟଫୁଟନ୍ତା ପୁଷ୍ପପରି ବିନୋଦର ଉଜ୍ଵଳ ମୁଖମଣ୍ଡଳ, କାଲିକୁ ନ ଥିବ । ନୈରାଶ୍ୟ, ବ୍ୟର୍ଥତା ଓ ହତୋତ୍ସାହର କେନ୍ଦ୍ରୀଭୂତ ତାଡ଼ନାରେ ଏଇ ମୁଖମଣ୍ଡଳ ତା’ର ହୋଇଉଠିବ ଚିନ୍ତାଗ୍ରସ୍ତ । ବିଷାଦ ।

 

ଭୀମ ବାବୁ ପଚାରିଲେ, ଆପଣଙ୍କ ନାଁ କ’ଣ କହିବେ କି ?

 

—ବିନୋଦ ରାଉତରାୟ ।

 

ଭୀମବାବୁଙ୍କୁ ବିନୋଦର ନାଆଁଟା ଆହୁରି ଆକର୍ଷଣୀୟ, ସ୍ନେହମୟ, ମମତାମୟ ଓ ଶ୍ରଦ୍ଧାସ୍ନିଗ୍ଧ ବୋଧ ହେଲା । ତେଣୁ ବିନୋଦର ମୁହଁକୁ ସେ ବାରମ୍ବାର ଚାହିଁବାରେ ଲାଗିଲେ ।

 

ଆହା ବିଚରା ! ସୁଦୂର ଭବିଷ୍ୟତ ଅଛି । ବିରାଟ ଭବିଷ୍ୟତ ପଡ଼ି ରହିଛି । ଅନ୍ୟ କେଉଁ ବିଭାଗରେ ଖୋଜ୍ ଖବର ନ ନେଇ, ହଠାତ୍ ଏଇ ପିତା ମାତା ଶୂନ୍ୟ ବିଭାଗରେ କାହିଁକି ଆସି ଯୋଗ ଦେଉଛି ! ଘୂରି ଘୂରି ମଫସଲ ଅଞ୍ଚଳର ଅସଂଖ୍ୟ ଅନାମଧେୟ, ଅପରିଚିତ ରାସ୍ତାରେ ଥକିଗଲେ, କ୍ଳାନ୍ତ ହେଲେ, କେହି ହେଲେ ପଚାରିବେ ନାହିଁ ।

 

ବୈଶାଖର ଝାଞ୍ଜି ଖରାରେ, ରୌଦ୍ର ଦଗ୍‍ଧ ଆକାଶ ତଳେ ତାଙ୍କର ପୁତ୍ର ପ୍ରତିମ ବିନୋଦ ଯଦି ଗଞ୍ଜାମ ଜିଲ୍ଲାର ମଫସଲ ଅଞ୍ଚଳରେ, ସରକାରୀ କାର୍ଯ୍ୟୋପଲକ୍ଷେ ଗସ୍ତ କରିବ, ତା’ ହେଲେ ଆଜି ଭଳି ସଦ୍ୟସ୍ମାତ ଏ ମୁଖମଣ୍ଡଳ ଝାଉଁଳି ପଡ଼ିବ । ଖରା ତେଜରେ ଫୁଟନ୍ତା ଫୁଲର ପାଖୁଡ଼ାଗୁଡ଼ିକ ମଉଳି ଗଲାପରି, ଝାଉଁଳିଗଲା ପରି ସେ ଶୁଖିଯିବ ।

 

ଭୀମବାବୁ, ଜୀବନରେ ଅନେକ ନବନିଯୁକ୍ତ ଇନିସପେକ୍ଟରଙ୍କ ଜଏନିଂ ରିପୋଟ ରଖିଛନ୍ତି । ଡିକ୍ଟେସନ ଦେଇ ଜଏନିଂ ରିପୋଟ ଲେଖାଇଛନ୍ତି । କିନ୍ତୁ କାହାରି ପ୍ରତି ତାଙ୍କର ସହାନୁଭୂତି ଉଦୟ ହୋଇ ନଥିଲା । କାହାରି ପ୍ରତି ତାଙ୍କର ଅନ୍ତର ଏଭଳି ମମତାଶୀଳ, କରୁଣାର୍ଦ୍ର ହୋଇ ନ ଥିଲା ।

 

କିନ୍ତୁ ଆଜି କାହିଁକି ଏ ପରିବର୍ତ୍ତନ ? ଆଜି କାହିଁକି ଏ ମନୋଭାବ ? ନିଜ ପୁତ୍ରକୁ ପିତା ଉପଯୁକ୍ତ ମାର୍ଗ ଦେଖାଏ । ଉପଯୁକ୍ତ ଦିଗ୍‍ଦର୍ଶନ ବତାଏ । ସେଇ ମାର୍ଗରେ, ନିର୍ଦ୍ଦେଶିତ ପଥରେ ପୁତ୍ର ନ ଚାଲିଲେ, ପିତାର ହୃଦୟ ଦୁଃଖରେ ଭାରାକ୍ରାନ୍ତ ହୋଇଉଠେ । ଠିକ୍ ବାଟରେ ପରିଚାଳିତ କରିବା ପାଇଁ ପିତା ପୁଣି ଅଣ୍ଟାଭିଡ଼ି, କମରକଷି ଲାଗିଯାଏ ।

 

ଠିକ୍ ସେଇମିତି ବିନୋଦକୁ ଫେରାଇ ଦେବାକୁ ତାଙ୍କର ଇଚ୍ଛା ହେଲା ତାଙ୍କର ଇଚ୍ଛା ହେଲା କିଛି ଦେବାକୁ—ଏ ବିଭାଗରେ ନ୍ୟାୟ ବିଚାର ମିଳେ ନାହିଁ ବାବା, ତୋଷାମଦୀ କରି ନ ଜାଣିଲେ, ଉପରିସ୍ଥ କର୍ମକର୍ତ୍ତାଙ୍କ ଘରକୁ ଯାଇ ସେମାନଙ୍କର ମୂଲ୍ୟହୀନ ପ୍ରଶସ୍ତି ନ ବାଢ଼ିଲେ, ସେମାନଙ୍କ ପୁଅ ଝିଅଙ୍କ ସଙ୍ଗେ ନିର୍ଲ୍ଲଜ ଭାବରେ ମିଳାମିଶା ନ କଲେ ଉନ୍ନତି ଘଟିବ ନାହିଁ । ପଦୋନ୍ନତି ହେବ ନାହିଁ । କେରେକ୍ଟର ରୋଲ ବ୍ରାଇଟ ହେବ ନାହିଁ ।

 

ତମେ ପାଠ ପଢ଼ିଛ । ବିଶ୍ୱବିଦ୍ୟାଳୟରୁ ଡିଗ୍ରୀ ହାସଲ କରିଛ । ଯେଉଁ ବିଭାଗରେ ପ୍ରବେଶ କଲେ, ତମର ପ୍ରତିଭା ବିକଶିତ ହେବ, ତମର ଭବିଷ୍ୟତ ଉଜ୍ଜ୍ୱଳ ହେବ, ଦୁନିଆଁରେ ପ୍ରତିଷ୍ଠିତ ମଣିଷ ରୂପେ ପରିଗଣିତ ହେବ, ସେଇ ବିଭାଗରେ, ସେଇ କାର୍ଯ୍ୟରେ ପ୍ରବେଶ କରିବାକୁ ଚେଷ୍ଟା କର । ଏଇ ବିଭାଗରେ ବ୍ୟବହାର ମିଳେ ନାହିଁ । ସମ୍ମାନ ଆସେ ନାହିଁ । ଜୀବନହୀନ, ପ୍ରାଣହୀନ ମେସିନ୍ ପରି ଏଠି ଖଟିବାକୁ ପଡ଼େ । ଖଟି ଖଟି କୁର୍ମ ହେଲେ, ପୁରସ୍କାର ମିଳିବ ନାହିଁ । ପାରିତୋଷିକ ସମ୍ଭବ ହେବ ନାହିଁ ।

 

ବିନୋଦ ଅନାଇଁ ରହିଛି ଭୀମ ବାବୁଙ୍କୁ । କଣ ସେ ଭାବୁଛନ୍ତି ? ବିଚାର କରୁଛନ୍ତି ? ଜଏନିଂ ରିପୋଟ କେମିତି ଲେଖିବାକୁ ହୁଏ, ବତାଇ ଦେଉ ନାହାନ୍ତି କାହିଁକି ? ବସି ବସି, ଚିନ୍ତାରାଜ୍ୟର ଅସୁମାରୀ କାହାଣୀ ଖଣି ଭିତରେ ମନ ତାଙ୍କର ଲାଗିଯାଇଛି ।

 

ବିନୋଦକୁ ସେତେବେଳକାର ଦୀର୍ଘକାଳ ନୀରବତା ଅସହ୍ୟ ବୋଧ ହେଲା । ସେ ପଚାରିଲା—କ’ଣ ଲେଖିବି କହନ୍ତୁ ?

 

ଭୀମ ବାବୁଙ୍କର ଭାବନା ଫେରି ଆସିଲା । ବିନୋଦକୁ କ’ଣ କହିବେ ? ସତରେ କଣ ଫେରାଇ ଦେବାକୁ ଇଙ୍ଗିତ ଦେବେ ? ସୂଚନା ଦେବେ ? ସେ ଯଦି କିଛି ଭାବିବ ? ତାଙ୍କର କିଛି ଉଦ୍ଦେଶ୍ୟ ଅଛି ବୋଲି ଧାରଣା କରି ବସିବ ?

 

ନବୀନ ଉତ୍ସାହରେ, ଆଶା ଓ କଳ୍ପନାର ପ୍ରଜାପତି, ଡେଣାରେ ଉଡ଼ିବାର ଅସୀମ ସମ୍ଭାବନା ନେଇ ବିନୋଦ ଆସିଛି । ସେ ଚାକିରୀ କରିବ । ତେଣୁ ସେ ତାକୁ ହତୋତ୍ସାହ କରିବ ନାହିଁ । ନିରାଶାର ବାଣୀ ଶୁଣାଇବ ନାହିଁ । ଆପେ ଆପେ, ନିଜ ଅନୁଭୂତିର ଉତ୍ତାପରେ, କର୍ତ୍ତବ୍ୟର କଷଟି ପଥରରେ, ବିଭାଗର ଭଲ ମନ୍ଦ, ସବୁ ବୁଝିପାରିବ । ସବୁ ଜାଣିପାରିବ । ସେତେବେଳେ ସେ ବିଚାର କରିବ । ନିଜର ମନୋଭାବକୁ ବିଭାଗୀୟ ପରିସର ଭିତରେ କେତେ ଦୂର ସେ ସାମିଲ କରିପାରିବ, ତାହା ମଧ୍ୟ ଜଣାଯିବ ।

 

ଭୀମ ବାବୁ କହିଲେ—ଆଛା ହେଉ, ମୁଁ ଡାକୁଛି, ଆପଣ ଲେଖନ୍ତୁ । କିନ୍ତୁ ଏ ବିଭାଗକୁ ଆସି ଆପଣ ଠିକ୍ କରିନାହାନ୍ତି ବୋଲି ମୁଁ କହିବି । ଆପଣ କିନ୍ତୁ ମୋ ମତାମତରେ ବ୍ୟଥିତ ହେବେ ନାହିଁ । ଦୀର୍ଘ ବାଇଶି ବର୍ଷକାଳ, ଏଇ ବିଭାଗରେ ଚାକିରୀ କରି ମୁଁ ଯାହା ଶିଖିଛି, ଜାଣିଛି, ନିଜ ଅଙ୍ଗେ ନିଭେଇଛି, ସେଇ ଅନୁଭୂତିରୁ ପଦିଏ ଆପଣଙ୍କୁ କହିଲି । ଆପଣ ଭାବିବେ ନାହିଁ ଯେ ମୁଁ ଅମଙ୍ଗଳ ପାଞ୍ଚୁଛି । ଆପଣଙ୍କ ଆସିବାଟାକୁ ବିରୋଧ କରୁଛି ।

 

ହେଉ ଲେଖନ୍ତୁ । ମୁଁ ଡାକୁଛି ।

 

ବିନୋଦ, ଆଶା ଓ ଆଶଙ୍କାର ମଝି ନଈରେ ଭାସି ଭାସି, ଉବୁଟୁବୁ ହୋଇ, ଜଏନିଂ ରିପୋର୍ଟ ଲେଖି ଭୀମ ବାବୁଙ୍କ ଆଡ଼କୁ ବଢ଼ାଇ ଦେଲା । ଭୀମ ବାବୁ ବିନୋଦ ହାତରୁ ଜଏନିଂ ରିପୋର୍ଟ ନେଇ ନିଜ ଟେବୁଲ ଉପରେ ରଖିଲେ ।

 

ସେତିକିବେଳେ ଜି.ଭି. ରେଡ଼ି ପଶି ଆସୁଥିଲେ ହେଡ୍‍କ୍ଳର୍କଙ୍କ ଘରକୁ ।

 

ଭୀମ ବାବୁ ରେଡ଼ିଙ୍କୁ ଦେଖି କହିଲେ, ହେଇ ଆପଣଙ୍କର ଜଣେ ଏକ୍ସପେରିଏନ୍ସଡ଼୍ ଇନିସପେକ୍ଟର ଆସିଗଲେଣି । ତାଙ୍କ ସଙ୍ଗେ ଯାଆନ୍ତୁ । କଥାବାର୍ତ୍ତା କରିବେ । ସେ ଆପଣଙ୍କୁ ଅନେକ କଥା ବଢ଼ାଇ ଦେବେ ।

 

ବିନୋଦ ସୌଜନ୍ୟ ଦୃଷ୍ଟିରୁ ମିଃ ରେଡ଼ିଙ୍କୁ ହାତ ଉଠାଇ ନମସ୍କାର କଲା । ମିଃ ରେଡ଼ି ଶୁଖିଲା ହସି ହସି ପ୍ରତି ନମସ୍କାର ଜଣାଇଲେ ।

 

ମିଃ ରେଡ଼ି ।

 

ବୟସ ଏଇ ତିରିଶି ଭିତରେ । ଚନ୍ଦା ମୁଣ୍ଡ । ସାମାନ୍ୟ ଗୌର । ଟିକିଏ ଆଗଦାନ୍ତ ଆଗକୁ ବାହାରିଛି । କାନ୍ଧଠାରୁ ବେକ ଟିକିଏ ଲମ୍ବିଯାଇଛି । ଦେହରେ ଫୁଲ୍‍ପ୍ୟାଣ୍ଟ ଆଉ ହାୱାଇ । ଆଖିରେ ସନ୍‍ଗ୍ଲାସ୍ ।

 

ପ୍ରଥମ ସାକ୍ଷାତରେ ମିଃ ରେଡ଼ିଙ୍କ ମନ, ବିନୋଦ ପ୍ରତି ସହାନୁଭୂତିଶୀଳ ହୋଇଉଠିଲା ।

 

ମିଃ ରେଡ଼ି, ତେଲୁଗୁ ହେଲେ ମଧ୍ୟ ଓଡ଼ିଶାରେ ଦୀର୍ଘକାଳ ଅବସ୍ଥାନ କରି, ଓଡ଼ିଶାର ପାଣି, ପବନ ଓ ସଂସ୍କୃତି ସହିତ ଦୀର୍ଘକାଳ ଜଡ଼ିତ ରହି ଓଡ଼ିଆ କହି ଶିଖିଛନ୍ତି । ସାମାନ୍ୟ ଲେଖି ଜାଣିଛନ୍ତି । ମାତ୍ର ପରିଷ୍କାର ଭାବରେ, ନିର୍ଭୁଲ ଭାବରେ ଓଡ଼ିଆ କହି ପାରନ୍ତି ନାହିଁ । କେତୋଟି ପରିଚିତ ଶବ୍ଦକୁ ଛାଡ଼ିଦେଲେ, ଓଡ଼ିଆ ଭାଷାକୁ ବିକୃତ ଭାବରେ ସେ ଉଚ୍ଚାରଣ କରନ୍ତି । ବାକ୍ୟ ଗୋଟିକ ପରେ ଗୋଟିଏ ଟାଣି ଓଟାରି କହି ଚାଲନ୍ତି ।

 

ମାତ୍ର ସେ କହିବାରେ ଓଡ଼ିଆ ଭାଷା ପ୍ରତି ତାଙ୍କର ଥାଏ ଯେଥେଷ୍ଟ ଭକ୍ତି-ଯଥେଷ୍ଟ ସମ୍ମାନ-ସଂଭ୍ରମ । ଓଡ଼ିଆ ଭାଷାରେ ପାରଦର୍ଶିତା ଲାଭ କରିବା ପାଇଁ, ସେ ୟା ଭିତରେ କେତେଗୁଡ଼ିଏ ଓଡ଼ିଆ ବହି କିଣିଛନ୍ତିୂ –ମ୍ୟାଗାଜିନ କିଣି ପାଇସା ଶ୍ରାଦ୍ଧ କରିଛନ୍ତି ତଥାପି ନିର୍ଭୁଲ ଭାବରେ ଲେଖି ଜାଣିଲେ ନାହିଁ କି ପଢ଼ି ପାରିଲେ ନାହିଁ । ତଥାପି ସେ ଚେଷ୍ଟା ଓ ଅଧ୍ୟବସାୟରୁ ଏବେ ସୁଦ୍ଧା ବିଚ୍ୟୁତ ହୋଇନାହାନ୍ତି ।

 

ବିନୋଦ ଓ ମିଃ ରେଡ଼ି ଅଫିସ୍ ସଂଲଗ୍ନ ଗୋଟିଏ ଛୋଟିଆ ପ୍ରକୋଷ୍ଠରେ ବସିଲେ ।

 

ବିନୋଦ ମିଃ ରେଡ଼ିଙ୍କୁ ଚାହିଁଛନ୍ତି । ମିଃ ରେଡ଼ି ତେଲୁଗୁ ମିଶ୍ରିତ ଓଡ଼ିଆ ଭାଷାରେ, ଯେତେବେଳେ ଯଥାର୍ଥ ଓଡ଼ିଆ ଶବ୍ଦର ପ୍ରୟୋଗ କରିପାରୁ ନାହାନ୍ତି ସେତେବେଳେ ଇଂରେଜୀ ଭାଷାର ଆଶ୍ରୟ ନେଇ, ହାତ ହଲାଇ, ଅଙ୍ଗୁଳି ଦେଖାଇ, କେତେବେଳେ ହସି ହସି, ବିଷାଦରେ, ଗମ୍ଭୀର ହୋଇ, ନାନା ଭାବରେ ଅଭିନୟ ଓ ଅଙ୍ଗଚାଳନା କରି ବିନୋଦକୁ ତାଙ୍କର ଅଭିଜ୍ଞତା କହୁଛନ୍ତି । ବିଭାଗୀୟ ଦୋଷ, ତୃଟି, ଗୋଟି ଗୋଟି, ମୁଣିରୁ କାଢ଼ିଲା ପରି, ଝାଡ଼ିଲା ପରି ସେ କହି ଚାଲିଛନ୍ତି । ଏ କହିବାରେ ବି ତାଙ୍କର ବାହାଦୁରୀ ଅଛି । ବୈଦଗ୍ଧ୍ୟ ରହିଛି ।

 

ସେ କହି ଚାଲିଛନ୍ତି କ୍ଳାନ୍ତିହୀନ ଭାବରେ । ଅନର୍ଗଳ । ଅସୁମାର । ଅପର୍ଯ୍ୟାପ୍ତ ।

 

—ଶୁଣନ୍ତୁ ବିନୋଦ ବାବୁ, ମୋର ଆସି ଚାକିରୀ କରିବାର ପାଞ୍ଚବର୍ଷ ହୋଇଗଲା । ବି. କମ୍ ପାଶ୍ କରିସାରିଲା ପରେ ଆପଣଙ୍କ ଭଳି, ମାନେ ଅନେକ ରଙ୍ଗୀନ୍ ସ୍ଵପ୍ନ ଦେଖି ଏଇ ବିଭାଗରେ ଭର୍ତ୍ତି ହୋଇଥିଲି । ପ୍ରଥମେ ଯେତେବେଳେ ଆସି ମୁଁ ଏଠାରେ ଯୋଗଦିଏ, ସେତେବେଳେ ଏ ବିଭାଗର ଭବିଷ୍ୟତ ଅଛି ବୋଲି ଅନେକ ଲୋକ ବୁଝାଇଥିଲେ । ଆଶ୍ୱାସନା ଦେଇଥିଲେ । କିଛିଦିନ ଗଲାପରେ ନିଜର ଭବିଷ୍ୟତ ଉଜ୍ଜ୍ୱଳ ହେବ ବୋଲି ବହୁ ସମ୍ଭାବନା ଦେଖାଇଥିଲେ ।

 

କିନ୍ତୁ ଚାକିରୀ କରିବାର ପାଞ୍ଚବର୍ଷ ପରେ, ମୁଁ ଆଜି ଏକାନ୍ତରେ ଅନୁଭବ କରୁଛି ବିନୋଦ ବାବୁ, ସେ ସବୁ ଆଶ୍ୱାସନା, ପ୍ରବୋଧନା ଓ ସାନ୍ତ୍ଵନା ଏକାବେଳକେ ମାମୁଲି । ନିରର୍ଥକ । ପାଞ୍ଚବର୍ଷ କାଳ ଚାକିରୀ କରି ଏବେ ବି ମୋର ପଦୋନ୍ନତି ହୋଇ ନାହିଁ । ପଦୋନ୍ନତି ହେବା ପାଇଁ ଏବେ ସୁଦ୍ଧା ରେକୋମେଣ୍ଡ ଯାଇନାହିଁ ।

 

ପାଞ୍ଚ ବର୍ଷକାଳ, ସରକାରୀ ନିର୍ଦ୍ଦେଶନାମାକୁ ଅକ୍ଷରେ ଅକ୍ଷରେ ପାଳନ କରିଆସିଛି । କର୍ତ୍ତବ୍ୟରେ କେବେହେଲେ ତୃଟି କରିବାର ମୋର ମନେ ହେଉନି । କିନ୍ତୁ କାହିଁ ପାରିଶ୍ରମିକ ? ପୁରସ୍କାର ? ପାରିତୋଷିକ ? ଆମ ବିଭାଗର କାର୍ଯ୍ୟ ପରିସର ହୁ ହୁ ହୋଇ ବଢ଼ିଚାଲିଛି । ଦ୍ଵିତୀୟ ଯୋଜନା କାଳରେ, ବହୁ ନୂଆ ନୂଆ ପଦବୀ ସୃଷ୍ଟି ହୋଇଛି । କର୍ମଚାରୀମାନଙ୍କ ସଂଖ୍ୟା ଦୁଇଗୁଣ ବଢ଼ି ଯାଇଛି ।

 

କିନ୍ତୁ ଆମର କାହିଁ ପ୍ରମୋସନ୍ ? ନିଦାଘ ନିପୀଡ଼ିତ ଧରିତ୍ରୀ ଭଳି ଆମେ ଆକାଶକୁ ଚାହିଁ ରହୁଛୁ । ଯୋଜନାର ମେଘମାଳା ଆକାଶରେ ଗର୍ଜି, ତମ୍ବି ତୋଫାନ କରି, ଶୋଭାଯାତ୍ରା ସଜେଇ ଚାଲି ଚାଲି ଯାଉଛି । କିନ୍ତୁ ବର୍ଷା କାହିଁ ?

 

ଆଶା ଓ ସମ୍ଭାବନାରେ, ଯୋଜନାରେ ବର୍ଷାକୁ ଚାହିଁ ଚାହିଁ ଆମେ ହତାଶ ହେଲୁ । କ୍ଳାନ୍ତ ହେଲୁ । ବିରକ୍ତ ହେଲୁ । ତଥାପି ଆକାଶ କଣାକରି ବର୍ଷା ବର୍ଷିଲା ନାହିଁ । ଆମର ପଦୋନ୍ନତି ସମ୍ଭବ ହେଲା ନାହିଁ ।

 

ଆମର ପଦୋନ୍ନତି ଘଟିବ ବୋଲି, ଉପର ପାହ୍ୟାର ସିଡ଼ିକୁ ଯିବାପାଇଁ, ଆମ ଦାନା ପାଣିର ବାଟକୁ ସୁଗମ ଓ ସୁନିଦ୍ଧିଷ୍ଟ କରିବା ପାଇଁ, ଆମ ବିଭାଗୀୟ କର୍ମକର୍ତ୍ତାଙ୍କ ପାଖଙ୍କୁ ଦଉଡୁ଼ । ପ୍ରତିଦିନ ସକାଳେ ତାଙ୍କୁ ମୁଣ୍ଡିଆ ମାରୁ । ଓଲଗି ହେଉ । ତାଙ୍କର ପ୍ରଶଂସା କରୁ । ଉପରେ ପଡ଼ି କାମ କରିଦେଉ । ଚାଉଳ, ଘିଅ ଓ କଦଳୀ ଅମୁକ ଯାଗାରେ ଶସ୍ତାରେ ମିଳିବ ବୋଲି କହିଥାଉଁ ।

 

ଏସବୁ କଥା କହିବାରେ ଆମର ଉଦ୍ଦେଶ୍ୟ ଥାଏ । ଲକ୍ଷ୍ୟ ଥାଏ । କାଳେ ଅଫିସରଙ୍କର ସୁଦୃଷ୍ଟି ଆମ ଉପରେ ପଡ଼ିଯିବ କି ! ଏ ଦାୟିତ୍ଵ ଆମ ଉପରେ କାଳେ ନ୍ୟସ୍ତ କରିବେନି ! ଆମ ଉପରେ ଏ ଦାୟିତ୍ୱ ନ୍ୟସ୍ତ କଲେ, ଆମେ ଖୁସି ହେଉ । ପ୍ରୀତ ହେଉ । ହାତରୁ ଦେଇ, ରିକ୍ସା କିମ୍ଵା ଶଗଡ଼ରେ ତାଙ୍କ ଘରେ ପହଞ୍ଚାଇ ଦେଉ ।

 

ଅଫିସରଙ୍କ ପ୍ରୌଢ଼ା ସ୍ତ୍ରୀ, ହସି ହସି, ସନ୍ତୋଷ ହୋଇ, ଚାଉଳ, ଘିଅ ଓ କଦଳୀକୁ ଚିପି ଚାପି, ଅଣ୍ଡାଳି ଉଣ୍ଡୁଳି, ପରୀକ୍ଷା କରି, କୋଟିନିଧି ପାଇଲା ପରି, ଟେକିଟାକି, କୁଣ୍ଢେଇ କାଖେଇ, ଗଳଗାଜୀ ହୋଇ ଘର ଭିତରକୁ ନେଇଯାଏ । ଆମ ବିଭାଗୀୟ କର୍ମକର୍ତ୍ତା, ତାଙ୍କ ସ୍ତ୍ରୀଙ୍କ ପଛେ ପଛେ, ସହାନୁଭୁତି ଜଣାଇ ଘର ଭିତରକୁ ପଶିଯାଆନ୍ତି ।

 

ବାସ୍ । ସେଥିପାଇଁ ଟିକିଏ ଶୁଖିଲା କୃତଜ୍ଞତା ବି ମିଳେ ନାହିଁ । ଧନ୍ୟବାଦର ତ୍ରିସୀମା ସେମାନେ ସ୍ପର୍ଶ କରନ୍ତି ନାହିଁ । ସେମାନେ ଭାବନ୍ତି, ହାତରୁ ଦେଇ ଏସବୁ ଖାଦ୍ୟ ସାମଗ୍ରୀ ସେମାନଙ୍କୁ ଦେବା, ତଳିଆ କର୍ମଚାରୀମାନଙ୍କ କର୍ତ୍ତବ୍ୟ । ଧର୍ମ । ଏହି ସବୁ ଖାଦ୍ୟସାମଗ୍ରୀକୁ ବିନା ପଇସାରେ, ତଳିଆ କର୍ମଚାରୀମାନଙ୍କ ଠାରୁ ଉପଢ଼ୌକନ ସ୍ୱରୂପ ଗ୍ରହଣ କରି, ସେଗୁଡ଼ିକୁ ହଜମ କରିଦେବା, ହଜମ ପ୍ରକ୍ରିୟାରେ ପକାଇ ଦେବା, ସେମାନଙ୍କର ବାହାଦୁରୀ ।

 

ତା’ ଛଡ଼ା କେତେ ଚା କେତେ ସିଗାରେଟ । କେତେ ଅନୁରୋଧ । କେତେ ପ୍ରାର୍ଥନା । କେତେ ନିବେଦନ । କେତେ ମହାଶୟ ! କେତେ ଆଜ୍ଞା ! କେତେ ଆପଣ ! ଏତେ ଦେଇ, ଏତେ କରି ତଥାପି, ଟି.ଏ. ବିଲ୍, ନିର୍ଦ୍ଦିଷ୍ଟ ପରିମାଣର ଦାବୀ କଟେ । ଟି.ଏ. ବିଲ୍ର ଟଙ୍କାକୁ କାଟିଦେବା ସେମାନଙ୍କର ଯେପରି ଏକ ପ୍ରଭୁତ୍ଵର ପ୍ରବଣତା । ଅଥବା ନିଜ ପକେଟରୁ ଦେଲାଭଳି ଯେଉଁ କାର୍ପଣ୍ୟ ସଚରାଚର ଦୃଷ୍ଟିଗୋଚର ହୋଇଥାଏ, ସେଇ କାର୍ପଣ୍ୟ ସେମାନେ ଦେଖାନ୍ତି ।

 

ଆପଣ କଳ୍ପନା କରି ପାରିବେନି ବିନୋଦ ବାବୁ ! ଆମ ଉପରିସ୍ଥ କର୍ମକର୍ତ୍ତାମାନେ ଏଡ଼ିକି ସଂକୀର୍ଣ୍ଣ ! ଛୋଟ ଲୋକ ! ଆପଣ ଯଦି ଟି.ଏ. ବିଲ୍ ବାବଦରେ, ଲୁଚାଇ ଛପାଇ, ତାଙ୍କ ଘରେ, ତାଙ୍କ କନ୍ୟା ସୁନ୍ଦରୀଙ୍କ ପାଇଁ ଅଥବା ତାଙ୍କ ସ୍ତ୍ରୀଙ୍କ ପାଇଁ ଶାଢ଼ୀ ଖଣ୍ଡିଏ ଖଣ୍ଡିଏ, ଉପହାର ସ୍ୱରୂପ ଦେଇ ଆସିବେ ନତୁବା ସେଇଭଳି କୌଣସି ଆଖିଦୃଶିଆ ଜିନିଷ ଦେଇଦେବେ, ତା’ ହେଲେ ଆପଣଙ୍କର ଟି.ଏ. କଟିବ ନାହିଁ ।

 

ତେବେ ଗୋଟିଏ କଥା ମନେ ରଖନ୍ତୁ ବିନୋଦ ବାବୁ । ଆପଣ ଉପରିସ୍ଥ କର୍ମକର୍ତ୍ତାଙ୍କ ଆଗରେ ସବୁବେଳେ ମିଛ କହିବେ । ସେମାନଙ୍କୁ ଦେଖିଲେ କାର୍ଯ୍ୟବ୍ୟସ୍ତ ଅଛନ୍ତି ବୋଲି ଛଳନା କରିବେ । ତା ନ ହେଲେ ଏମାନଙ୍କ ବିଷଦୃଷ୍ଟିରେ ପଡ଼ିବା ସୁନିଶ୍ଚିତ ।

 

ଏତେ କଥା କହିଲି ବୋଲି ଆପଣ ବ୍ୟସ୍ତ ହେବେ ନାହିଁ । ହଠାତ୍ ଇସ୍ତଫା ଦେଇ ପଳାଇ ଯିବାକୁ ଚେଷ୍ଟା କରିବେନି । ଭାବି, ଚନ୍ତି, ସ୍ଥିର ସିଦ୍ଧାନ୍ତ କରି, ଆପଣ ଚାହିଁଲେ ଯାଇପାରିବେ ।

 

ଅନେକ ବକିଲିଣି । ଅଡ଼ିଟ୍ ରିପୋର୍ଟ ଦିଆଯାଇନାହିଁ । ଅଡ଼ିଟ୍ ରିପୋର୍ଟ ପ୍ରଥମ ସପ୍ତାହ ଭିତରେ ନ ଦେଲେ ଦରମା ବନ୍ଦ । ମୁଁ ଯାଉଛି । କାଲି ଦେଖା ସାକ୍ଷାତ ହେବା । ଅନେକ ଗପିବା । ନମସ୍କାର ।

 

ମିଃ ରେଡ଼ି, ତରବର ହୋଇ ଚାଲିଗଲେ ।

 

ବିନୋଦ ରେଡ଼ିଙ୍କ ବାଟକୁ ଆନାଇଁ ରହିଲେ ।

 

ଅଫିସ୍ ସାମନାର, ଅନତି ଦୂରରେ ଗୋଟିଏ ଥୁଣ୍ଟା ନିମ୍ବ ଗଛକୁ ଚାହିଁ ବିନୋଦ ଦୀର୍ଘଶ୍ଵାସ ମାରିଲା ।

 

ସେନାପତି ବାବୁ । ଅଫିସର ୟୁ.ଡି.କ୍ଲର୍କ । ବୟସ ଏଇ ବାଇଶି ଭିତରେ ।

 

ଦେଖିବାକୁ ଜହ୍ନିମଞ୍ଜି ଠାରୁ ଆହୁରି ସଫେଦ୍ । ଆହୁରି କୃଷ୍ଣୋଜ୍ଜ୍ଵଳ । ପାନ ଖାଇ ଖାଇ, ଦାନ୍ତଗୁଡ଼ିକ ଲାଲେ ଲାଲ । ମୁହଁରେ ବସନ୍ତ ରୋଗର ଅପର୍ଯ୍ୟାପ୍ତ ପଦ ଚିହ୍ନ ।

 

ସେ ତେଲ ମାଲିସ୍ ଭଲ କରି ଜାଣନ୍ତି । ଅର୍ଥାତ୍ ସକାଳୁ ଉଠି, ଗାଧୋଇ ପାଧୋଇ, ଅଫିସରଙ୍କୁ ସାକ୍ଷାତ କରନ୍ତି ତାଙ୍କ ଛୋଟ ପୁଅକୁ କୋଳ କରନ୍ତି । ବିସ୍କୁଟ୍ ଦିଅନ୍ତି । ଅଫିସର୍ଙ୍କୁ ସିଗାରେଟ୍ ଯାଚନ୍ତି । ଆପଣ ଭଲ । ଆପଣ ସୁନ୍ଦର । ଆପଣଙ୍କ କଲମ ଶକ୍ତିଶାଳୀ । ଆପଣ ଭାଗ୍ୟବାନ୍ । ଆପଣ ଜଣେ ଆମ ସରକାରଙ୍କ ଯୋଗ୍ୟ, ଅଭିଜ୍ଞ ଅଫିସର । ଆପଣ ଚାଲିଗଲେ, ଏ ସର୍କଲ ଭାଙ୍ଗିଯିବ । କାମ କିଛି ହୋଇପାରିବ ନାହିଁ ।

 

ତେଣୁ ସେନାପତି ବାବୁ ଅଫିସରଙ୍କ ବାହନ । ଦକ୍ଷିଣ ହସ୍ତ । ବୃଷଭ । ଅନୁଚର । ବିଶ୍ଵସ୍ତ । ସେନାପତି ବାବୁ, ଏଇ ସବୁ ସୁଯୋଗ ନେଇ, ଅଫିସ ଭିତରର ନାନା ଭିତରି କଥା ତାଙ୍କ କାନରେ କହନ୍ତି । ଅଯଥାରେ ଅନ୍ୟମାନଙ୍କ ବିରୁଦ୍ଧରେ କହି, ତାଙ୍କ ମନରେ ଖରାପ ଧାରଣା ସୃଷ୍ଟି କରନ୍ତି ।

 

ତେଣୁ ସେନାପତି ବାବୁଙ୍କୁ ଅଫିସ୍ ଭିତରେ ସମସ୍ତଙ୍କର ଭିତିରିଆ ଭୟ, ଡର । ତାଙ୍କୁ ଲୁଚାଇ ଲୁଚାଇ ଯେ ଯାହା କରି ଚାଲନ୍ତି ।

 

ଏଇ ସବୁ ଦୃଷ୍ଟିରୁ ସେନାପତି ନିଜକୁ ଜଣେ ଜ୍ଞାନୀ, ମାନୀ ବୋଲି ଭାବନ୍ତି । ସେ ତାଙ୍କର ସିନିୟର୍‍ମାନଙ୍କୁ ସୁପରସିଡ଼୍ କରି, ଅଳ୍ପ ଦିନ ଭିତରେ ୟୁ.ଡି.ହୋଇ ପାରିଛନ୍ତି ବୋଲି ତାଙ୍କ ଚେତନ ମନରେ ଭାରି ଗର୍ବ । ବଡ଼ପଣିଆଁ । ଆତ୍ମତୃପ୍ତିର ମୃଦୁ ତରଙ୍ଗ । ଅହଙ୍କାର ।

 

ଅଫିସରଙ୍କୁ ଆହୁରି ସନ୍ତୁଷ୍ଟ କରିବା ପାଇଁ, ଅଫିସ ସମୟ ପରେ ଅର୍ଥାତ୍ ପାଞ୍ଚଟା ପରେ ମିଛଟାରେ ଫାଇଲ୍ ଖୋଲନ୍ତି । ପୃଷ୍ଠା ପରେ ପୃଷ୍ଠା ଓଲଟାନ୍ତି । ଛୁଟି ଦିବସମାନଙ୍କରେ ଘରକୁ ନଯାଇ, ଆପଣଙ୍କୁ ନିହାତି କର୍ତ୍ତବ୍ୟନିଷ୍ଠ ମନେକରି, ସେଇ ଫାଇଲ୍ ମଧ୍ୟ ଘାଣ୍ଟନ୍ତି । ତେଣୁ ଅଫିସରଙ୍କ ପ୍ରିୟପାତ୍ର ହେବାପାଇଁ ସେନାପତି ବାବୁ ସବୁପ୍ରକାର ପରିବେଶ, ସବୁ ପ୍ରକାର ବାତାବରଣ ସୃଷ୍ଟି କରିଛନ୍ତି ।

 

ତେଣୁ ତାଙ୍କର ଭୟ ନାହିଁ । ଭ୍ରାନ୍ତି ନାହିଁ । ମାଟ୍ରିକୁଲେଶନ ଖଣ୍ଡକ ଯଥେ ମଥେ ପୁଣି ତୃତୀୟ ଶ୍ରେଣୀରେ ପାସ୍‍କରି ସେ ଗଡ଼ ଜିତିଛନ୍ତି । ଗୌରବର ବିଜୟ ପତାକା ଉଡ଼ାଉଛନ୍ତି । ତାଙ୍କ ଠାରୁ ବେଶି ପାଠ ପଢ଼ି, ଉପରପାହ୍ୟା ଚାକିରୀରେ ରହିଥିବା ବ୍ୟକ୍ତିମାନଙ୍କୁ ନିଜର ବୁଦ୍ଧି ବଳରେ ସେ ବଶ କରି ପାରିଛନ୍ତି । ସେମାନଙ୍କୁ ଡରାଇ ପାରନ୍ତି । ନଚାଇ ପାରନ୍ତି । ସେମାନଙ୍କ ବିରୁଦ୍ଧରେ ନୋଟ୍ ଲେଖି ଅଫିସରଙ୍କୁ କାର୍ଯ୍ୟାନୁଷ୍ଠାନ କରିବା ପାଇଁ ସଂକେତ ଦିଅନ୍ତି ।

 

ଇଏ କଣ କମ୍ କଥା ? କମ୍ ଗୌରବର କଥା ? ଗଣ୍ଡା ଗଣ୍ଡା ଗ୍ରାଜୁଏଟ୍ ତାଙ୍କ ଗୋଡ଼ ତଳେ । ତାଙ୍କ କଲମ ମୁନରେ । ଇନିସପେକ୍ଟରମାନଙ୍କର ସେ ଟୁର ଡାଏରୀ ଚେକ୍ କରନ୍ତି । ନିଜ ଇଚ୍ଛାନୁସାରେ ଟୁର୍‍ର ଦିବସଗୁଡ଼ିକ କାଟିକୁଟି, ସେହି ଅନୁପାତରେ ଟି.ଏ.କମାଇ ଦିଅନ୍ତି । ପୁଣି, ଦରକାରବେଳେ ସେମାନଙ୍କୁ ଦୂରଦୂରାନ୍ତ ସ୍ଥାନକୁ ବିଭିନ୍ନ ଅନୁଷ୍ଠାନ ପରିଦର୍ଶନ ପାଇଁ ନିର୍ଦ୍ଦେଶ ଦିଅନ୍ତି । ତାଙ୍କ ନିର୍ଦ୍ଦେଶନାମାରେ ଅଫିସର ନାଆଁକୁ ମାତ୍ର ଦସ୍ତଖତ୍ କରନ୍ତି । କେହି ଯଦି ସେହି ନିର୍ଦ୍ଦେଶକୁ ପାଳନ କରିବାରେ ତୃଟିକଲା, ଅବହେଳା ଦେଖାଇଲା, ତା’ ହେଲେ ତାଙ୍କ ବିରୁଦ୍ଧରେ ମୁହଁରେ ଯୋଡ଼ିଯୋଡ଼ି ନାନା ଅହିତକର କଥା କହିବା ସଙ୍ଗେ ସଙ୍ଗେ ନୋଟ୍ ସିଟରେ, ତୃତୀୟ ଶ୍ରେଣୀରେ ପାଶ୍ କରିଥିବା ସ୍ୱଳ୍ପ ଇଂରାଜୀ ଜ୍ଞାନ ନେଇ (ଶକ୍ତିଶାଳୀ ଭାଷାରେ ଲେଖି ଦେଇଛି ବୋଲି ସେନାପତି ବାବୁ ମୁହଁ ଭୁରୁଡ଼ି ମାରନ୍ତି !) ଦୃଢ଼ କାର୍ଯ୍ୟାନୁଷ୍ଠାନ କରିବା ପାଇଁ ସେ ସୂଚନା ଦିଅନ୍ତି ।

 

ଏତେ କ୍ଷମତା, ଏତେ ଶକ୍ତି ଓ ଲେଖନୀମୁନର ଏଇ ବିରାଟ ଅହଙ୍କାରକୁ ନେଇ ସେନାପତି ବାବୁ ଗମ୍ଭୀର ହୋଇ ବସନ୍ତି । ଗମ୍ଭୀର ହୋଇ କଥା କହନ୍ତି । ତିର୍ଯ୍ୟକ ଦୃଷ୍ଟିରେ ଅନ୍ୟମାନଙ୍କୁ ଚାହାନ୍ତି । ସେମାନେ ଯେମିତି ସମସ୍ତେ ତାଙ୍କର ଅଧଃସ୍ତନ କର୍ମଚାରୀ । ତାଙ୍କୁ ନ ଧରିଲେ, ନମସ୍କାର ନ ବଜାଇଲେ, ତୋଷାମଦି ନ କରିଲେ, ସେମାନଙ୍କର ବିପଦ ଘନେଇ ଆସିବ-। ଦୁର୍ଯୋଗ ମାଡ଼ି ଆସିବ ।

 

ସେନାପତି ବାବୁ ଏଇ ଚାରିଦିନ ହେଲା ଅସ୍ଵାଭାବିକ ଭାବେ ଗମ୍ଭୀର ହୋଇ ଉଠିଛନ୍ତି ।

 

ତା’ର କାରଣ ଅଛି । ସେ କାରଣ ଅତ୍ୟନ୍ତ ସ୍ପଷ୍ଟ ।

 

ଚାରିଦିନ ହେଲା ବିନୋଦ ଆସି ଅଫିସରେ ଯୋଗଦେଇଛି । ଅନ୍ୟମାନଙ୍କ ସହ ମିଶୁଛି-। ଗଳ୍ପ କରୁଛି । ହସୁଛି । ନାନାକଥା ଆଲୋଚନା କରୁଛି । କିନ୍ତୁ ତା’ ସହିତ ଗପ କରୁନାହିଁ-। ମିଳାମିଶା କରିବାକୁ ଆଗ୍ରହ ପ୍ରକାଶ କରୁନାହିଁ ।

 

ଏ ପ୍ରଶ୍ନର ଉତ୍ତର କିଏ ଦେବ ? ସେନାପତି ବାବୁଙ୍କର ଏଇ ମାନସିକ ଜ୍ୱାଳାକୁ କିଏ ଉପଶମ କରିବ ?

 

ସେନାପତି ବାବୁଙ୍କ ଶାରୀରିକ ସୌଷ୍ଠବ, ମୁଖର ଭଙ୍ଗୀ, ଚାହାଁଣୀର ରୁଢ଼ତା ବୋଧହୁଏ, ମନସ୍ତାତ୍ତ୍ୱିକ ଦୃଷ୍ଟିରୁ ବିନୋଦକୁ ଆକୃଷ୍ଟ କରିପାରିନାହିଁ । ଏଇ ସବୁ ମାନବିକ ସଦ୍‍ଗୁଣ, ବୋଧହୁଏ ତାର ମିଳାମିଶା ବାଟରେ ଅନ୍ତରାୟ ସ୍ୱରୂପ ଠିଆ ହୋଇଛି । ତେଣୁ ସେ ମିଶି ନାହିଁ । ମନରେ ଚେତନ ସ୍ତରରେ ତା’ ସହିତ ସମ୍ପର୍କ ରଖିବା ପାଇଁ ବୋଧହୁଏ ଗୁରୁତ୍ଵ ଦେଇ ନାହିଁ ।

 

ବିନୋଦ ଅଫିସ ଭିତରକୁ ଆସିଲେ ସେନାପତି ବାବୁ କି ଭଳି ଅନୁଭବ କରନ୍ତି । ତା’ର ଉନ୍ନତ, ବୁଦ୍ଧିପ୍ରାପ୍ତ, ଉଜ୍ଜ୍ୱଳ ମୁଖମଣ୍ଡଳ ଦେଖି, ସେନାପତି ବାବୁଙ୍କ ମନ ଜଳି ଉଠେ । ପୋଡ଼ି ଉଠେ-। ତାର ବେପରୁଆ ଚାଲି, ସ୍ପଷ୍ଟ କଥାବାର୍ତ୍ତା ଓ ଅନାବିଳ ଦୃଷ୍ଟି ରେଖାରେ ପ୍ରତିଫଳନରେ ସେନାପତି ବାବୁଙ୍କ ଜ୍ଞାନ ପ୍ରବୁଦ୍ଧ ମନ ଦବିଯାଏ । ସେ ତାକୁ ପୀଡ଼ିତ ଦୃଷ୍ଟିରେ କଣେଇ କଣେଇ ଚାହାଁନ୍ତି-

 

ବିନୋଦ ଜାଣି ପାରେନି । ବୁଝି ପାରେନି ।

 

ବିନୋଦ ଜଏନ୍ କରିବାର ଏକ ସପ୍ତାହ ବିତି ଗଲାଣି—ସେ ଅଫିସ୍ ଆସିଛି ।

 

ଅଫିସର ପଛପଟ ବାରଣ୍ଡାରେ ବସିରହି ଦେବଦାରୁ ବୃକ୍ଷକୁ ଚାହିଁ ରହିଛି । ମଧ୍ୟାହ୍ନର ଜକ୍ ଜକ୍ ଖରାରେ ଦେବଦାରୁ ବୃକ୍ଷର ଶ୍ୟାମଳ ପତ୍ରରାଜି ଚକ୍ ଚକ୍ ମାରୁଛି ।

 

ବିନୋଦର ଦୃଷ୍ଟି ଦିଗନ୍ତ ହଜିଯାଇଛି ସେଇ ପତ୍ର ଭିତରେ । ସେଇ ଗଛ ଭିତରେ । ମିଃ ରେଡ଼ି, ଭୀମବାବୁ ଓ ଅନ୍ୟମାନେ ଏଇ ବିଭାଗ ସମ୍ପର୍କରେ ଯାହା ସଂକ୍ଷିପ୍ତ ସୂଚନା ଦେଲେ, ଧାରଣା ସୃଷ୍ଟିକଲେ, ତାହା କେବେ ମିଛ ନୁହେଁ । ଅତି ରଞ୍ଜିତ ନୁହେଁ । ସେମାନଙ୍କ ମନ ଭିତରୁ ସେ ସବୁ କାହାଣୀ ସୃଷ୍ଟିକରି ନାହାନ୍ତି । ଗାଳ୍ପିକମାନଙ୍କ ପରି, ସୃଷ୍ଟିକରି ପାଠକ ତଥା ଶ୍ରୋତାମାନଙ୍କୁ ମୁଗ୍ଧ କରିବା ପାଇଁ, ଏଇସବୁ କାହାଣୀର ଅବତାରଣା ସେମାନେ କରି ନାହାନ୍ତି ।

 

ନିଜର ଅନୁଭୂତି ଓ ଅଭିଜ୍ଞତାର ନିଦା ପଥରରେ ଘଷି ମାଜି, ପିଠେଇ ନେଇ, ସେମାନେ ସତକଥା କହିଛନ୍ତି । ତା’ର ଭବିଷ୍ୟତ ଜୀବନ ଗଠନର ସହାୟକ ରୂପେ, ସେମାନେ ସତର୍କ ଶୁଭାକାଂକ୍ଷୀ ରୂପେ, ଦି ଚାରିପଦ କଥା କହିଛନ୍ତି । ତେଣୁ ସେମାନେ ଭୁଲ୍ କରି ନାହାନ୍ତି । ଅନ୍ୟାୟ କରି ନାହାନ୍ତି ।

 

କାହାରିକୁ ନ ପଚାରି, ବିଭାଗ ସଂପର୍କରେ ଭଲ ମନ୍ଦ ନ ଜାଣି ଏଡ଼େ ହଠାତ୍ ଜଏନ୍ କରିବା ତାର ଉଚିତ ହୋଇ ନ ଥିଲା । ଏବେ ସେ କ’ଣ କରିବ ? ଏଇ ବିଭାଗ ଭିତରେ ରହି ଅନ୍ୟତ୍ର ପଳାଇ ଯିବାକୁ ଚେଷ୍ଟା କରିବ । ତା’ ନ ହେଲେ ନିଶ୍ଚିତତାକୁ ଛାଡ଼ି, ଅନିଶ୍ଚିତତାର ଘୂର୍ଣ୍ଣିବାୟୁ ଭିତରେ, ଅଧ୍ରୁବର ମରିଚିକା ପଛରେ ଗୋଡ଼ାଇବା ଉଚିତ୍ ହେବ ନାହିଁ ।

 

ମିଃ ରେଡ଼ି ତ ପୁଣି ପାଞ୍ଚବର୍ଷ ରହିଲେଣି । ଏତେ ଅନ୍ୟାୟ, ଏତେ ଅନୀତି ଓ ଅବିଚାରକୁ ପିଠେଇ ନେଇ, ବରଦାସ୍ତ କରି ସେ ତ ପୁଣି ଦାନ୍ତଜାବୁଡ଼ି ପଡ଼ି ରହିଛନ୍ତି ଏଇ ବିଭାଗରେ । ଇନିସପେକ୍ଟର ରୂପେ । ସେ କାହିଁକି ନ ପାରିବ ? ସେ କାହିଁକି ନ କରିବ ?

 

ସବୁ ଅନ୍ୟାୟ ଓ ଅବିଚାରକୁ ମୁଣ୍ଡ ପାତି ଚାରି ପାଞ୍ଚ ବର୍ଷ ସହି ନେଲେ, ଭାଗ୍ୟ ଉଦୟ ହେବ । ତା’ପରେ ହେବ ପଦୋନ୍ନତି । ଉପରକୁ ଉପରକୁ । ଆହୁରି ଉପରକୁ ।

 

ଯେଉଁମାନେ ଏଇ ବିଭାଗର ମାଡ଼ ସହି, ଦୁଃଖ କଷ୍ଟ ସ୍ଵୀକାର କରି ପଡ଼ି ରହିଥିଲେ, ଯେଉଁମାନେ କେବଳ ମାଟ୍ରିକ୍ ପାଶ୍ କରି ସେତେବେଳେ ଇନିସପେକ୍ଟର, ସୁପରଭାଇଜର ରୂପେ ଯୋଗ ଦେଇଥିଲେ, ସେମାନେ ତ ବର୍ତ୍ତମାନ ରାଜ୍ୟ ସରକାରଙ୍କର ପ୍ରଥମ ଶ୍ରେଣୀ ଅଫିସର । ହେଇ ଆଖି ଆଗରେ ରତ୍ନାକର ଚ୍ୟାଉ ପଟ୍ଟନାୟକ ! ମ୍ୟାଟ୍ରିକ୍ ଯାଏ ପାଠ । ବିଭାଗୀୟ ଆଇନ୍ କାନୁନ୍ ଓ କାର୍ଯ୍ୟାବଳୀ ଛଡ଼ା ସେ ଆଉ କିଛି ଜାଣନ୍ତି ନାହିଁ । ଚାକିରୀ କରି, ଉପରପାହ୍ୟାକୁ ଉଠି ଏଇନେ ବ୍ୟାଙ୍କରେ ଲକ୍ଷେ ପର୍ଯ୍ୟନ୍ତ ଟଙ୍କା ଜମେଇ ପାରିଛନ୍ତି ।

 

ଏଇ ବିରାଟ ବିଶ୍ଵଟା ଗୋଲ କି ଲମ୍ବ, ଚ୍ୟାଉ ପଟ୍ଟନାୟକ ଜାଣନ୍ତି ନାହିଁ । ବିରାଟ ବିଶ୍ୱରେ କ’ଣ କ’ଣ ଘଟୁଛି, ସେଥିପ୍ରତି ସେ ଉଦାସୀନ । ନିଜ ରାଜ୍ୟ ଓଡ଼ିଶା ପ୍ରଦେଶରେ ତାଙ୍କ ବିଭାଗୀୟ ମନ୍ତ୍ରୀଙ୍କୁ ଛାଡ଼ିଦେଲେ, ଆଉ କେତେଜଣ ମନ୍ତ୍ରୀ ଅଛନ୍ତି ସେ କହିପାରିବେ ନାହିଁ । ସିଂହଳର ଶ୍ରୀମତୀ ବନ୍ଦର ନାଏକେ ପ୍ରଧାନ ମନ୍ତ୍ରୀ ହୋଇଛନ୍ତି ଜାଣି ସେ ଥରେ ବିସ୍ମୟ ପ୍ରକାଶ କଲେ । ତାଙ୍କ ଆଖି ଖୋସି ହୋଇଗଲା ।

 

ତେଣୁ ସେ ଯଦି ତାଙ୍କରି ପରି ଧୈର୍ଯ୍ୟ ଧରି ଅପେକ୍ଷା କରିବ, ନାନାଅନ୍ୟାୟ ଓ ଅନୀତିକୁ ମୁଣ୍ଡପାତି ସହିନେବ, ତା’ହେଲେ ସେ ବି ଦିନେ ଚ୍ୟାଉ ପଟ୍ଟନାୟକଙ୍କ ପରି ହେବ ପ୍ରଥମଶ୍ରେଣୀ ଅଫିସର୍ । କାର୍ରେ ବସି, ଗୋଟିଏ ହାତ ବାହାରକୁ ବାହାର କରି, ଧୂଳି ଉଡ଼ାଇ ଉଡ଼ାଇ ଦ୍ରୁତଗତିରେ ରାଜପଥ ଉପରେ ସେ ଚାଲିଯିବ ଅନେକ ଦୂର । ରାଜପଥରେ ଶହ ଶହ ଅଧସ୍ତନ କର୍ମଚାରୀ ହାତ ଉଠାଇ, ମୁଣ୍ଡ ନୁଆଁଇ, ସସମ୍ମାନେ, ସସଂଭ୍ରମେ ନମସ୍କାର କରିବେ । ସେତେବେଳେ ଚାକିରୀ କରିବାର ସ୍ଵପ୍ନ ତାର ସଫଳ ହେବ । ସାର୍ଥକ ହେବ ।

 

ଚ୍ୟାଉ ପଟ୍ଟନାୟକଙ୍କଠାରୁ ସେ ଅଧିକ ବୁଦ୍ଧିମାନ । ଜ୍ଞାନଦୀପ୍ତ । ଉଚ୍ଚଶିକ୍ଷିତ । ତାଙ୍କଠାରୁ ଶତ ଗୁଣରେ ସେ ହେବ ଯୋଗ୍ୟ, ଅଭିଜ୍ଞ ଅଫିସର ।

 

ବିନୋଦ ମଧ୍ୟାହ୍ନ ଖରାରେ, ଦେବଦାରୁ ଗଛକୁ ଚାହିଁ ଭାବି ଚାଲିଛି ।

 

ଅଫିସ୍ ଭିତରର ଟାଇପ୍ ସେକ୍ସନରୁ, ଟାଇପ୍ ମେସିନ୍ର ଐକତାନିକ ସ୍ୱର ଭାସି ଆସୁଛି ବାହାରକୁ ।

 

ବିନୋଦର ଏ ଅନୁଭୂତି, ପରିବେଶ ସବୁ ନୂଆ—ସବୁ ଅଡ଼ୁଆ ଅଡ଼ୁଆ । ବ୍ରହ୍ମପୁର ସହରର ରାସ୍ତାଘାଟ ତା’ ପକ୍ଷେ ନୂତନ । ହୋଟେଲରେ ଖାଇବା ପ୍ରଣାଳୀ—ଚାରୁ, ଚହ୍ଲା ଓ ଚଟଣୀ–ଦୋଷି, ଇଡ଼୍ଲି, ଉପମା–ସବୁ ନୂଆ–ସବୁ ଅଲଗା–ଅଡ଼ୁଆ । ଖଟ୍କା ।

 

ସାଙ୍ଗ ନାହିଁ । ସାଥି ନାହିଁ । ବନ୍ଧୁ ନାହାନ୍ତି । ନିଜ ମନକଥା, ଗୋଟିଏ ଦରଦୀ ବନ୍ଧୁ ପାଖରେ ଖୋଲି କହିବାକୁ ତାର ଇଚ୍ଛା ହେଉଛି । ପ୍ରବୃତ୍ତି ଜାଗୁଛି । କିନ୍ତୁ କିଏ ଅଛି ?

 

କଟକ ହୋଇଥିଲେ, କେତେ ବନ୍ଧୁ ଜୁଟନ୍ତେ । ସେମାନଙ୍କ ପାଖରେ ନିଜର ଅନୁଭୂତି ଗୋଟି ଗୋଟି କରି, କଥା କହିବାର ଶୈଳୀରେ ଆହୁରି ନୂତନତ୍ଵ ଓ ଚମତ୍କାରିତା ଫୁଟାଇ କେତେ କଥା କହିଚାଲନ୍ତା ।

 

ଛାଡ଼–

 

ଅଫିସ୍ ପିଅନ୍ ଜଗନ୍ନାଥ ଆସିଲା । ବିନୋଦକୁ କହିଲା, ଆଜ୍ଞା, ଆପଣଙ୍କୁ ସେନାପତି ବାବୁ ଡାକୁଛନ୍ତି ।

 

ବିନୋଦର ଦୃଷ୍ଟି ଦିଗନ୍ତ ଫେରି ଆସିଲା ସାମନାରୁ । ସେ ଜଗନ୍ନାଥକୁ ଚାହିଁଲା ।

 

—କେଉଁ ସେନାପତି ବାବୁ ?

 

—ୟୁ.ଡି.କ୍ଲର୍କ

 

—କାହିଁକି ?

 

—ମୁଁ ଆଜ୍ଞା କହି ପାରିବିନି ।

 

ବିନୋଦର ସଦ୍ୟ ଫେରନ୍ତା କଲେଜ ଜୀବନର, ପ୍ରତିବାଦ ସର୍ବସ୍ଵ ମନ ହଠାତ୍ ହୋଇଉଠିଲା ବିଦ୍ରୋହୀ । ଅତି ଦୃଢ଼ ଭାବରେ, ସେନାପତିର ଡାକରାକୁ ପ୍ରତ୍ୟାଖ୍ୟାନ କରିବା ସଙ୍ଗେ ସଙ୍ଗେ ତାର ଏଇ ଦୁଃସାହସ ଓ ତୃଟିପାଇଁ ତାକୁ କ୍ଷମା ମଗାଇବାକୁ ବିନୋଦର ଇଚ୍ଛା ହେଲା-

 

ସାମାନ୍ୟ ୟୁ.ଡି.କ୍ଲର୍କ ! ନିଜେ ନ ଆସି, ପିଅନ୍ ହାତରେ ଡକାଇ ପଠାଇଛି ତାକୁ ।

 

ବିନୋଦର ହଠାତ୍ ମନେ ପଡ଼ିଲା ତା କଲେଜ ଜୀବନର କଥା ।

 

ସେ ଥିଲା କଲେଜ ୟୁନିୟନର ସଭାପତି । ବିରାଟ ଛାତ୍ରନେତା । ସାତଶହ ଛାତ୍ର ଛାତ୍ରୀଙ୍କର ଅବିସମ୍ବାଦୀ ନେତା । ମଉଡ଼ମଣି । ଥରେ ମଞ୍ଚ ଉପରେ ଯାଇ ଠିଆହୋଇ, ତା’ର ସ୍ଵାଭାବିକ ଭଙ୍ଗୀରେ ଅଗ୍ନିମୟୀ ଭାଷଣ ଆରମ୍ଭ କରି ଦେଉଥିଲେ, ଶହ ଶହ ଛାତ୍ରୀ ଉତ୍ତେଜିତ ହେଉଥିଲେ । କର ତାଳିରେ ତାର ପ୍ରବଣତା ଓ ଉନ୍ମାଦନାକୁ ଶତଗୁଣରେ ପ୍ରୋତ୍ସାହିତ କରୁଥିଲେ । ସତେ କି ତାର କଣ୍ଠଦେଶରେ ସରସ୍ଵତୀ ବିଜେ ହୁଅନ୍ତି ।

 

ସେ କହିଚାଲେ ଅନର୍ଗଳ । ସେ ତତେଇ ଦିଏ । ମତେଇ ଦିଏ–ଚେତେଇ ଦିଏ । ହାତ ହଲେଇ, ମୁହଁ ବଙ୍କେଇ ବକ୍ତୃତା ଝାଡ଼େ ।

 

କଲେଜ କର୍ତ୍ତୃପକ୍ଷ ଡରନ୍ତି । ପ୍ରିନ୍ସିପାଲଙ୍କ ଛାତି ଧଡ଼ ପଡ଼ ହୁଏ । ଅନ୍ୟମାନଙ୍କ କଥା ଛାଡ଼ ।

 

ଏଇ ସେନାପତିଙ୍କ ପରି ଦିନେ, କଲେଜର ହେଡ଼୍ କ୍ଳର୍କ, କଥା କହୁ କହୁ, ବିନୋଦକୁ ଅବାଗିଆ କରି ପଦେ କଣ ହାଙ୍କି ଦେଲା । ତା ପରେ ଦୁହିଁଙ୍କ ଭିତରେ ଚାଲିଲା ଝଗଡ଼ା, ତାର ଅଧ ଘଣ୍ଟାକ ପରେ, କଲେଜର ପ୍ରାୟ ଚାରିଶହ ଛାତ୍ର ପ୍ରତିବାଦ ସ୍ୱରୂପ କ୍ଲାସ୍‍ମାନଙ୍କରୁ ବାହାରି ଆସି, ହେଡ଼କ୍ଲର୍କଙ୍କର ସେଇ ବ୍ୟବହାର ପାଇଁ ଦୁଃଖ ପ୍ରକାଶ କରିବାକୁ ଦାବୀ କରି ବସିଲେ । ହଠାତ୍ ଆରମ୍ଭ ହୋଇଗଲା ସ୍ଳୋଗାନ । ଇନ୍କିଲାବ୍ । ଜିନ୍ଦାବାଦର ଧ୍ଵନୀ । କଲେଜର ହୃତ୍ପିଣ୍ଡରେ ହୃତକମ୍ପ ହେଲା । ହଇଚଇ ଖେଳିଗଲା ।

 

ବାଧ୍ୟହୋଇ, ଅବୋଧ ଶିଶୁଙ୍କ ପରି, ନିଜକୃତ ଅପକର୍ମ ଓ ତୃଟିପାଇଁ, କଲେଜର ପ୍ରୌଢ଼, ପ୍ରବୀଣ ହେଡ଼କ୍ଳର୍କ ସେହି ଚାରିଶହ ଉତ୍ତେଜିତ ଛାତ୍ରଙ୍କ ସମ୍ମୁଖରେ, କ୍ଷମାଭିକ୍ଷା କରିଥିଲେ । ବିନୋଦ ସହିତ କରମର୍ଦ୍ଦନ କରି, ଲାଜ କଷାୟିତ ଭଙ୍ଗୀରେ କହିଥିଲେ—ମୋର ଭୁଲ୍ ହୋଇଛି ବାବୁ । ଭବିଷ୍ୟତରେ ଏଭଳି ବ୍ୟବହାର କାହାରି ସହିତ କରିବି ନାହିଁ ।

 

ମାତ୍ର ତାଙ୍କ ଆଗରେ ଏଇ ସେନାପତି କେଡ଼େ କ୍ଷୁଦ୍ର । କେଡ଼େ ଅକିଞ୍ଚନ । କେଡ଼େ ଖର୍ବ-। ସେ ପୁଣି ଡକାଇ ପଠାଉଛି ପିଅନ୍ ହାତରେ ତା’ ସହିତ ସାକ୍ଷାତ କରିବା ପାଇଁ-

 

ସେ କଣ ବ୍ୟବହାର ଜାଣନ୍ତି ନାହିଁ ? ସୌଜନ୍ୟ ଓ ଭଦ୍ରତା ଦୃଷ୍ଟିରୁ ଭଦ୍ରଲୋଙ୍କ ସହିତ କିଭଳି ସମ୍ପର୍କ ରଖିବାକୁ ହୁଏ, ତାଇ ମଧ୍ୟ ତାଙ୍କୁ ମାଲୁମ ନାହିଁ !

 

ପିଅନ୍ ତଥାପି ବିନୋଦକୁ ଚାହିଁ ଠିଆ ହୋଇଛି ।

 

ବିନୋଦ ପିଅନ୍ ଆଡ଼କୁ ହଠାତ୍ ଦୃଷ୍ଟି ଫେରାଇ କହିଲା—ସେନାପତିଙ୍କୁ ଯାହା କହିଦେବ, ତାଙ୍କର ଯଦି କୌଣସି କାମଥାଏ, ତା ହେଲେ ମୋ ସହିତ ସାକ୍ଷାତ କରିବେ । ତାଙ୍କ ପାଖକୁ ମୁଁ ଯାଇ ପାରିବିନି । ତାଙ୍କ କଥା ଶୁଣି ପାରିବିନି । ସାଧାରଣ ଭଦ୍ରତା ସେ ଶିଖିବାକୁ ଚେଷ୍ଟା କରନ୍ତୁ ।

 

ପିଅନ୍ ତଥାପି ଠିଆ ହୋଇଛି ସେ ଏଇଆ ଯଦି ସେନାପତି ବାବୁଙ୍କୁ କହିବ, ତା ହେଲେ ଅବସ୍ଥା ଗୁରୁତର ହେବ । ସେନାପତି ବାବୁଙ୍କ ପ୍ରତାପର ତାତି ସେ ଜାଣେ । ସେ ଅଫିସରଙ୍କ ଦକ୍ଷିଣ ହସ୍ତ । ସେ ଯଦି ସତ ମିଛ ଯୋଡ଼ି ଏଇ ନୂଆ ଇନିସପେକ୍ଟର ବାବୁଙ୍କ ନାଆଁରେ ତାଙ୍କ ପାଖରେ କହିବେ, ତା ହେଲେ ଚାକିରୀ ଜୀବନର ପ୍ରଥମ ଅବସ୍ଥାରୁ ସେ ବିଷଦୃଷ୍ଟିରେ ପଡ଼ିଯିବେ ।

 

ପିଅନର ମନ, ବିନୋଦ ପ୍ରତି ଅନୁକମ୍ପାରେ ପୂର୍ଣ୍ଣ ହୋଇଗଲା ।

 

ସେ କହିଲା—ଟିକିଏ ଆଜ୍ଞା ଆସନ୍ତୁ ଶୁଣିଯିବେ । କାହିଁକି ଏତେ କଥା କହିବି ? ଶେଷକୁ ଲାଗିବ ପାଲା । ଲୋକଟା ଭଲ ନୁହେଁ ବାବୁ ! ରାଗ ରଖି ପରେ ଆପଣଙ୍କୁ ହଇରାଣ କରିବ । ଆସନ୍ତୁ ଆଜ୍ଞା ଟିକିଏ—

 

ବିନୋଦ ଉତ୍ତେଜିତ ହୋଇଗଲା । ଏତେକଥା କହିବା ପଛରେ ପିଅନଟିର ତା’ ପ୍ରତି ଦୟାଥିଲା । ସହାନୁଭୂତି ଥିଲା । ଚେତନ ମନତଳେ ଏକ ଅଚେତନ ମମତା ମଧ୍ୟ ଜାଗିଥିଲା ।

 

ବିନୋଦ ବୁଝିଲା ନାହିଁ । ରାଗରେ ହଠାତ୍ ଚିଡ଼ିଯାଇ କହିଲା—ମୁଁ ଯାହା କହିଲି, ଠିକ୍ ଅବିକଳ ସେଇ କଥା ତାଙ୍କୁ ଜଣାଇଦିଅ । ମତେ ଯାହା ଭଲ ଲାଗେ ନାହିଁ, ମୋ ଇଚ୍ଛା ଯାହା ହୁଏ ନାହିଁ, ତା ବିରୁଦ୍ଧରେ କାର୍ଯ୍ୟ କରିବାକୁ ମୁଁ ଉଚିତ ମଣେ ନାହିଁ । ସୁତରାଂ ତମର ମନ୍ତବ୍ୟ ତମେ ପ୍ରତ୍ୟାହାର କରିନିଅ । ଯାଅ ।

 

ପିଅନଟି ତରୁଣ । ତା ତରୁଣ ରକ୍ତରେ ମଧ୍ୟ ଅଭିମାନ ସ୍ପର୍ଶ କଲା । ତା କଥା ରହିଲା ନାହିଁ ବୋଲି ସେ ମଧ୍ୟ ଦୁଃଖ କଲା । ଆହତ ହେଲା । ବାବୁଙ୍କର ଭଲ ପାଇଁ, ମଙ୍ଗଳ ଲାଗି ଆପଣା ମନରୁ ବୁଦ୍ଧି କାଢ଼ି, ସେ ଦିପଦ କହିଲା ! ଅଥଚ ସେ କଥା ସେ ଶୁଣିଲେନି । କାନକୁ ନେଲେ ନାହିଁ-। ହେଉ ସେ ଯାହା କରନ୍ତୁ । ଯାହା ଭୋଗନ୍ତୁ । ପରିଣାମ ଯାହା ହେଉ !

 

ନୂଆ ବାବୁ । ନୂଆ ରକ୍ତ । ହଠାତ୍ ତାତି ଉଠୁଛନ୍ତି । ପୁରୁଣା ହୋଇଗଲେ ନିର୍ଦ୍ଧିଷ୍ଟ ଗତ ଓ ଧାରା ଭିତରେ ବଳେ ସେ ପଡ଼ିଯିବେ । ଆପଣା ମନକୁ ସେଇବାଟରେ ପରିଚାଳିତ କରିବା ପାଇଁ ଚେଷ୍ଟା କରିବେ । ଏବେ ନୂଆ ହୋଇ ଆସିଛନ୍ତି । ମନତାଙ୍କର ଅରଣା ହୋଇଛି । ଗୋଡ଼ ବାଟରେ ପଡ଼ୁନାହିଁ । ଆବୁ ଖାବୁଡ଼ା, ଅମଡ଼ାବାଟରେ ପଡ଼ିଯାଉଛି ।

 

ଅମଡ଼ା, ଅରଣା ବାଟରେ ଗୋଡ଼ପଡ଼ି, ଖଣ୍ଡିଆ ଖାବୁରା ହେଲେ, ବଳେ ସେ ଚଲାବାଟକୁ ଫେରି ଆସିବେ । କିନ୍ତୁ ସେଇ କ୍ଷତ ବିକ୍ଷତ ଅନୁଭୂତି ଅର୍ଜନ ନକଲା ପର୍ଯ୍ୟନ୍ତ, ସେ ସେଇମିତି ବାହାପିଆ ହୋଇ, ତାରୁଣ୍ୟର ଉଦ୍ଧାମତା ନେଇ ଚାଲିଥିବେ ।

 

ପିଅନଟି, ବିନୋଦକୁ ଅସହାୟ ଦୃଷ୍ଟିରେ ଚାହିଁ ଚାହିଁ ଅଫିସ ଭିତରକୁ ଗଲା ।

 

ବିନୋଦ, ରାଗ ଓ ଅଭିମାନରେ ପୁଣି ଚାହିଁଲା ବାହାରକୁ । ମଧ୍ୟାହ୍ନର ନୃତ୍ୟନ୍ତ ରଙ୍ଗର ରୌଦ୍ରକୁ ।

 

ଅଫିସ ସମୟ ପାଞ୍ଚଟା....

 

ଅଫିସରଙ୍କ ପିଅନ୍ ଆସି ବିନୋଦକୁ ଡାକି ଦେଇଗଲା । ସାହେବ ଡାକୁଛନ୍ତି, ଶୁଣିଯିବେ !

 

ବିନୋଦ ଚମକି ଉଠିଲା । କାହିଁକି ? ଅଫିସ ସମୟ ଠିକ୍ ଅତିକ୍ରାନ୍ତ କରିଯାଉଥିବା ବେଳେ; ସାହେବଙ୍କର କାହିଁକି ଡାକରା ?

 

ସାହେବ ! ଓଃ ଏବେ ବି ଅଫିସମାନଙ୍କ ଭିତରେ ସେଇ ସାହେବ ଡାକ୍ତର ପ୍ରଚଳନ ରହିଛି । ସ୍ୱାଧୀନତା ହାସଲ ହେବାର ପ୍ରାୟ ଦଶବର୍ଷ (ସେତେବେଳେ) ବିତିଗଲା । ଭାରତୀୟ ଶାସନ ତନ୍ତ୍ରରେ କଳାଲୋକେ ପୂର୍ଣ୍ଣ ଅଧିକାର ପାଇଲେ । ମାତ୍ର ବ୍ରିଟିଶ ଶାସନର ସେଇ ସ୍ଵର୍ଣ୍ଣଯୁଗର ମ୍ରିୟମାଣ କ୍ଷୟିଷ୍ଣୁ ଅବଶେଷ, ତାର ଅନ୍ତଃସାରଶୂନ୍ୟ ଆଦବ କାଏଦା, ଭାରତୀୟ ଲୋକଙ୍କ ଉପରେ ନିଜ ଜାତିର ପ୍ରତିଷ୍ଠା ଓ ଗୌରବ ପ୍ରତିପାଦନ କରିବା ପାଇଁ ଯେଉଁ ‘ସାହେବ’ ଡାକର ପ୍ରହେଳିକା ସୃଷ୍ଟିକରି, ନିଜକୁ ଏ ଦେଶର ସଭ୍ୟତା ଓ ସଂସ୍କୃତିଠାରୁ ବିଚ୍ଛିନ୍ନ କରାଇ ନେଇଥିଲେ, ସେଇ ମୂଲ୍ୟହୀନ, ଗନ୍ଧହୀନ, ନାମହୀନ ସାହେବ ଡାକ, ଏବେ ବି ପ୍ରଚଳିତ ହେଉଛି-

 

ଆଶ୍ଚର୍ଯ୍ୟ ଏ ନୌକରୀ !

 

ବିନୋଦ ଜଏନ୍ କରିବା ପରଦିନଠାରୁ ତାଙ୍କ ଅଫିସରଙ୍କୁ କେବେହେଲେ ସାକ୍ଷାତ କରିନାହିଁ । ସାକ୍ଷାତ କରିବାକୁ ବେଳ କାହିଁ ? ସାକ୍ଷାତ କରିବାର କି ଯେ ଆବଶ୍ୟକତା ରହିଛି?

 

ଅଫିସର ଟୁରରେ, ପ୍ରାୟ ପ୍ରତିଦିନ ଯାଆନ୍ତି । ତେଣୁ ସାକ୍ଷାତ କରିବାର ଆବଶ୍ୟକତା ପଡ଼ି ନ ଥିଲା । ତା’ଛଡ଼ା ଯାହା ଦରକାର ହେବ, ଅଫିସରେ ରେକର୍ଡ଼ ହୋଇ, ଅଡ଼ର ରୂପରେ ତା ପାଖକୁ ଆସିବ । ସେହି ଅନୁସାରେ ସେ କାର୍ଯ୍ୟ କରିବ ।

 

ଅଫିସର କାହିଁକି ଡାକିଲେ ? ବୋଧହୁଏ, ସେଇ ସେନାପତି ବାବୁ, ତାଙ୍କ ପାଖରେ ମିଛ ସତ ଯୋଡ଼ି କହିଛନ୍ତି । ତେଣୁ ସେ ଡକାଇ ପଠାଇଛନ୍ତି ।

 

ଅଫିସରଙ୍କ ରୁମକୁ ଯିବା ପୂର୍ବରୁ, ବିନୋଦ ଥରେ ଚାହିଁଲା ସେଇ ସେନାପତି ବାବୁଙ୍କ ଆଡ଼କୁ ।

 

ସେନାପତି ବାବୁଙ୍କ ମୁଖମଣ୍ଡଳରେ ବିଜୟ ଉଲ୍ଲାସର ଏକ ଦୀପ୍ତ ଜ୍ୟୋତି...

 

ସେ ଚାହୁଁଛନ୍ତି କଣେଇ କଣେଇ । ଆଖିରେ ତାଙ୍କର ଭିଲାନିକ୍ ଚାହାଁଣୀ ।

 

ଟେବୁଲ ତଳେ ଗୋଡ଼ ଦିଓଟି ତାଙ୍କର ଅପୂର୍ବ ତାଳରେ ହଲିବାରେ ଲାଗିଛି । ମଝିରେ ମଝିରେ ତାଙ୍କର ମସ୍ତିଷ୍କ ପାଦ ସହିତ ସମତାଳ ରଖି ଝୁଲିବାରେ ଲାଗିଛି । ଏଇ ତାଙ୍କର ଗୌରବ-। ବାହାଦୁରୀ । ଯଶ କୀର୍ତ୍ତି ।

 

ସେ ଯେ ତଲବ କରି ପାରିଛନ୍ତି, ଅଫିସ ଆୱାର୍ ଅତିକ୍ରାନ୍ତ କରି ଯାଉଥିଲାବେଳେ ତରୁଣ, ଉଦ୍ଧତ ଯୁବକଙ୍କୁ ଯେ ଅଫିସରଙ୍କୁ ସାକ୍ଷାତ କରିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି, ତାହାହିଁ ତାଙ୍କ ପକ୍ଷେ ଦିଗ୍‍ବିଜୟ

 

ବିନୋଦ, ମିଃ ସେନାପତିଙ୍କୁ ଚାହିଁ ଚାହିଁ, ଅଫିସରଙ୍କୁ ସାକ୍ଷାତ କରିବା ପାଇଁ ଆଗେଇ ଗଲା ।

 

ଅଫିସର ବସିଛନ୍ତି । ଚଉବନ ବର୍ଷ ବୟସର ପ୍ରୌଢ଼ କରୁଣାକର ମହାପାତ୍ର, ପାହାଡ଼ର ଗୁମ୍ଫାପରି ସଜ୍ଜିତ ଗୋଟିଏ ଉଚ୍ଚ ଚେୟାର ଉପରେ ବସିଛନ୍ତି । ଆଗରେ ଏକ ସୁସଜ୍ଜିତ ଟେବୁଲ୍ । ଟେବୁଲ୍ ଉପରେ ଥାକ ଥାକ ହୋଇ ଫାଇଲ ଥୁଆ ଯାଇଛି ।

 

ମିଃ ମହାପାତ୍ର ସେଇ ସ୍ତୂପୀକୃତ ଫାଇଲ ଭିତରେ, ଏକ ଧ୍ୟାନରେ ନିଜର ଶକ୍ତିଶାଳୀ ଚଷମାର କାଚଭେଦି କରି, ଅନାଇଁ ରହିଛନ୍ତି ।

 

ଫ୍ୟାନ ଘୂରୁଛି ଧୀର ମନ୍ଥର ଗତିରେ ।

 

ବିନୋଦ, ଅଫିସରଙ୍କ ଗୃହରେ ପରଦା ଆଡ଼େଇ ପଶିଗଲା ଭିତରକୁ । କିନ୍ତୁ ଅଫିସର ଫାଇଲ ଭିତରେ ନିଜର ମନମୁନ, ଆତ୍ମଜ୍ଞାନ ହଜାଇ ଦେଇଛନ୍ତି ।

 

ଉପାୟ ନାହିଁ । ମିଃ ମହାପାତ୍ର କେମିତି ତା ଆଡ଼କୁ ଚାହିଁବେ ? ତା’ ସହିତ କଥାବାର୍ତ୍ତା କରିବେ ? ସେ ଯଦି ଏଇଭଳି ନୀରବରେ, ନିର୍ବାକ ହୋଇ, ମୌନୀଋଷି ସାଜି ଘଣ୍ଟା ଘଣ୍ଟା ଧରି ତାଙ୍କ ସହିତ କଥାବାର୍ତ୍ତା କରିବାକୁ ଅପେକ୍ଷା କରେ, ତା’ହେଲେ ଫଳ କିଛି ହେବ ନାହିଁ । ସେ ସେଇମିତି ଫାଇଲ ଦେଖୁଥିବେ ।

 

ବିନୋଦ, ଖୁବ୍ ଜୋରରେ, ଅନନ୍ୟୋପାୟ କହି ଉଠିଲା ସାର୍ ନମସ୍କାର ।

 

ମିଃ ମହାପାତ୍ରଙ୍କ ଧ୍ୟାନ ଭଗ୍ନ ହେଲା । ଫାଇଲ ଭିତରୁ ଦୃଷ୍ଟି ଫେରାଇ ଆଣି ବିନୋଦ ଆଡ଼କୁ ଚାହିଁଲେ ।

 

ମିଃ ମହାପାତ୍ର, ପ୍ରଥମଥର ପାଇଁ ଆଜି ବିନୋଦକୁ ଦେଖୁଛନ୍ତି । ମାତ୍ର ଚିହିଁପାରୁ ନାହାଁନ୍ତି-

 

ମିଃ ମହାପାତ୍ର, ଗମ୍ଭୀର କଣ୍ଠରେ ପଚାରିଲେ—କ’ଣ ଆପଣଙ୍କର ଦରକାର ?

 

ବିନୋଦ ତାଙ୍କ ଆଡ଼କୁ ସ୍ପଷ୍ଟ ଭାବରେ ଅନାଇଁ କହିଲା—ଆପଣମାନେ ମୋତେ ଡାକିଥିଲେ । ମୁଁ ବିନୋଦ ରାଉତରାୟ ସାର୍ ! ନୂଆ ଇନିସପେକ୍ଟର ।

 

ମିଃ ମହାପାତ୍ରଙ୍କ ମୁଁହରେ ରାଗ ମିଶା ଏକ ଗମ୍ଭୀରତା ହଠାତ୍ ଦେଖାଦେଲା । ବିନୋଦ ଆଡ଼ୁ ତାଙ୍କର କୃତ୍ରିମ ଅଥଚ ଗମ୍ଭୀର ମୁହଁ ଫେରାଇ ନେଇ ଫାଇଲ ଆଡ଼କୁ ପୁଣି ଦୃଷ୍ଟି ନିକ୍ଷେପ କଲେ । କହିଲେ—ସେନାପତି ବାବୁ ଆପଣଙ୍କୁ ଏକ ଜରୁରୀ କାର୍ଯ୍ୟରେ ଡକାଇ ପଠାଇଥିଲେ । ଆପଣ ତାଙ୍କୁ ଯାଚ୍ଛାତା ବକିଲେ କାହିଁକି ? ସେ ଯାହା ଅନୁମାନ କରୁଥିଲା, ଚିନ୍ତା କରୁଥିଲା, ତାହା ସତ୍ୟ ହୋଇଛି । ତା’ ନ ହୋଇଥିଲେ ମିଃ ସେନାପତି ଛାତି ଫୁଲାଇ, ଗୋଡ଼ ହଲାଇ, ଏକ ଅବ୍ୟକ୍ତ ଆନନ୍ଦରେ କାହିଁକି ଉଲ୍ଲସିତ ହୋଇ ଉଠୁଥାନ୍ତେ ? ପୁଲକିତ ହେଉଥାନ୍ତେ ?

 

ବିନୋଦ କହିଲା—ସେ ନିଜେ ଯାଇ ତାଙ୍କର ଜରୁରୀ କାର୍ଯ୍ୟ କଥା ମତେ ଜଣାଇଥିଲେ ମୁଁ ବରଂ ଖୁସି ହୋଇଥାଆନ୍ତି । କିନ୍ତୁ ପିଅନ ହାତରେ, ମୋର ଉପରିସ୍ଥ କର୍ମଚାରୀଙ୍କ ଭଳି ମତେ ଡକାଇ ପଠାଇବାର କି ଯଥାର୍ଥ୍ୟ ଅଛି, ମୁଁ ଜାଣିପାରୁନି । ସେଭଳି ଡାକରାକୁ ମୁଁ ପସନ୍ଦ କରେନି ସାର୍ । ତେଣୁ ତାଙ୍କ ପାଖକୁ ଯାଇ ପାରିବି ନାହିଁ ବୋଲି ପିଅନ ହାତରେ କହି ପଠାଇଲି ।

 

ମିଃ ମହାପାତ୍ର, ତାଙ୍କ ଚେତନ ମନର ସ୍ତରେ ସ୍ତରେ ଜଳି ଉଠୁଥାଆନ୍ତି । କ୍ରୋଧର ଉତ୍ତାପରେ ପଳେ ପଳେ ଅସ୍ୱାଭାବିକତା ଅନୁଭବ କରୁଛନ୍ତି । କିନ୍ତୁ ସଦ୍ୟ କଲେଜ ଫେରନ୍ତା, ତଟ୍‍କା, ଯୁବକ ରକ୍ତ ଧରି ସେ ଯେମିତି ଟାଏଁ ଟାଏଁ, ନିର୍ଭୀକ ଭାବରେ କହିଚାଲିଛି, ତାକୁ ହଠାତ୍ ରଗେଇ ଦେଲେ, ଚିଡ଼େଇ ଦେଲେ, ସବ୍ ଅଡ଼ିନେଟ୍ ଭାଷା ପ୍ରୟୋଗ କଲେ, ସେ ଯଦି ସେଇଭଳି ଆଚରଣ କରିବ, ପ୍ରତ୍ୟୁତ୍ତର ଦେବ, ତାଙ୍କର ଆସନ, ପଦବୀ ଓ ଆତ୍ମସମ୍ମାନ ଉପରେ ନିଶ୍ଚୟ ଆଞ୍ଚ ଆସିବ ।

 

ମିଃ ମହାପାତ୍ର ନିଜର ରାଗ, କ୍ରୋଧ ଓ ବଡ଼ପଣିଆଁର ମନୋଭାବକୁ ମନ ଭିତରେ ଚାପିରଖି, ବିଷ କୁମ୍ଭମ୍ ପୟୋ ମୁଖଂ ରୀତିରେ, ନରମ କଣ୍ଠରେ କହିଲେ—ସେନାପତି ବାବୁ ଯେଉଁଥିପାଇଁ ଆପଣଙ୍କୁ ଡକାଇ ପଠାଇଥିଲେ, ସେ ଜରୁରୀ କାର୍ଯ୍ୟ ତାଙ୍କର ବ୍ୟକ୍ତିଗତ ନୁହେଁ । ସେ କାର୍ଯ୍ୟ ଆମ ବିଭାଗର । ଆମ ସରକାରଙ୍କର । ସୁତରାଂ ସରକାରୀ କାର୍ଯ୍ୟ ତୁଲାଇଲାବେଳେ ଆପଣଙ୍କୁ ସର୍ବଦା ଜାଗ୍ରତ ରହିବାକୁ ପଡ଼ିବ ।

 

ଅତୀତର ଏକଦା ବିଖ୍ୟାତ ଛାତ୍ରନେତା, ଚରମପନ୍ଥୀ, ବିପ୍ଳବୀ ବିନୋଦ ରାଉତରାୟର ମନ ବିଦ୍ରୋହ କରି ଉଠିଲା । ନିଜର ସେଇ ଉଗ୍ର ଭାବପ୍ରବଣତାକୁ ନିଜର ଚେତନ ମନର ନରମ ଜଳକଣାରେ ଯେତେ ଶୀତଳ, ଆର୍ଦ୍ର ଓ ସିକ୍ତ କରିବାକୁ ଚେଷ୍ଟାକଲା, ସେ ପ୍ରବଣତା କିନ୍ତୁ ଶାନ୍ତ ହେଲା ନାହିଁ । ସ୍ଥିର ହେଲା ନାହିଁ ।

 

ବିନୋଦ ଥରି ଉଠିଲା । ଥରି ଥରି ଉତ୍ତେଜିତ କଣ୍ଠରେ କହିଲା—ତାହା ଯଦି ସରକାରୀ କାର୍ଯ୍ୟ ସାର୍, ତା’ ହେଲେ ଅଡ଼ର ଆକାରରେ ଲିଖିତ ଭାବରେ ମତେ ଦେଇଥିଲେ ମୁଁ ହସି ହସି ତାହା ଗ୍ରହଣ କରିଥାଆନ୍ତି । ଭଲ ବ୍ୟବହାର ଦେଖାଇ, ସୌଜନ୍ୟ ରକ୍ଷାକରି ମତେ ଯାହା କରିବାକୁ କହିଥିଲେ, ମୁଁ ତାହା ହସି ହସି କରିଥାଆନ୍ତି ।

 

କିନ୍ତୁ ସାମାନ୍ୟ ଜଣେ ୟୁ.ଡ଼ି. କ୍ଲର୍କର, ପୁଣି ଜଣେ ମାଟ୍ରିକ୍ୟୁଲେଟର ଏଭଳି ବ୍ୟବହାରରେ ଆଇ ପ୍ରୋଟେଷ୍ଟ ବେଇମେଣ୍ଟଲି ସାର୍ !

 

ମିଃ ମହାପାତ୍ର, ଏଇ ପାହ୍ୟାକୁ ଉଠିଲା ଦିନଠାରୁ, ତାଙ୍କର କୌଣସି ଅଧଃସ୍ତନ କର୍ମଚାରୀଙ୍କ ମୁଖରୁ ଏଭଳି ସ୍ପଷ୍ଟ, ନିର୍ଭିକ ଓ ଗୁରୁଗମ୍ଭୀର ଉତ୍ତର ଶୁଣିନାହାନ୍ତି । ମାତ୍ର ବିନୋଦ ! ସେ ଏକ ଜ୍ୱଳନ୍ତ ଲାଭା ! ଆଗ୍ନେୟ ବିସ୍ଫୋରଣ !

 

ମିଃ ମହାପାତ୍ର ବିନୋଦ ଆଡ଼କୁ ଚାହିଁଲେ । ଆଖି ତାର ଜଳୁଛି । ଅନ୍ୟାୟ ବିରୁଦ୍ଧରେ ଆଖି ଦିଓଟି ତାର ଜଳି ଉଠୁଛି ଦପ୍ ଦପ୍ ହୋଇ । ସେ ସତେ ଯେପରି ମାରିବ କି ମରିବ ! ନିଜେ ବିନାଶ ହେବ କି ଅନ୍ୟ କାହାକୁ ବିନାଶ କରିବ । ନ୍ୟାୟ ପାଇଁ, ବିଚାର ଲାଗି, ସତ୍ୟ ଓ ସୁନ୍ଦର ନିମନ୍ତେ ସେ ଯେପରି ଦୃଢ଼ଭାବରେ ସଂଗ୍ରାମ କରିବ । ସେ ଡରିଯିବ ନାହିଁ । ପଛେଇ ଯିବନାହିଁ ।

 

ମିଃ ମହାପାତ୍ର, ବିନୋଦର ସେତେବେଳକାର ଭୀମକାନ୍ତ ବ୍ୟକ୍ତିର ଦେଖି ଶଙ୍କି ଗଲେ । ଚମକି ଉଠିଲେ । ତାଙ୍କ ବଡ଼ପଣିଆଁର ପତିଆରା, ଅଫିସରିଆ ମନୋଭାବର କୁଝଝଟିକା ଧାରଣା, ବିନୋଦର ସେଇ କେତୋଟି ବାକ୍ୟରେ ସତେ ଯେପରି କୁଆଡ଼େ ଉଭାଇଗଲା । ସେ କିନ୍ତୁ ଉପାୟଶୂନ୍ୟ ହୋଇ, କରୁଣ ଦୃଷ୍ଟିରେ ଚାହିଁ ରହିଲେ ବିନୋଦକୁ ।

 

ବିନୋଦ ସେଇମିତି ଠିଆ ହୋଇଛି ।

 

କିଛି ସମୟ ନୀରବରେ, ବିଜୁଳୀ ପଙ୍ଖାର ଘର୍ଘର ଧ୍ୱନୀର କରୁଣ ବାତାବରଣ ଭିତରେ କଟିଗଲା...

 

ମିଃ ମହାପାତ୍ର ଧୀରେ ଧୀରେ ଆତ୍ମ ସଚେତନ ହୋଇଉଠୁଛନ୍ତି । ଏଁ, ସେ ଡରୁଛନ୍ତି ? ଚମକୁଛନ୍ତି ? ଶଙ୍କି ଯାଉଛନ୍ତି ? କାହିଁକି ? ବିନୋଦ ଭଳି, କେତେ ଉଚ୍ଚଶିକ୍ଷିତ, ବିଶ୍ୱବିଦ୍ୟାଳୟର କୃତିଛାତ୍ର, ତାଙ୍କ ପଛେ ପଛେ, ଅନୁଧାବନ କରିଛନ୍ତି । ସକାଳଠାରୁ ସନ୍ଧ୍ୟା ପର୍ଯ୍ୟନ୍ତ; ତାଙ୍କ ଦୁଆର ମୁହଁରେ ଧାରଣା ଦେଇ, କେତେ ପ୍ରଶସ୍ତିର କବିତା ଗାଇ, ସମୟ କଟାଇଛନ୍ତି । ତାଙ୍କ ଜିପ୍ ପଛେ ପଛେ ଦଉଡ଼ି ଦଉଡ଼ି, ନିଜର ଆକୁଳ ଆବେଦନ ଜଣାଇଛନ୍ତି ।

 

କେରେକ୍ଟର ରୋଲକୁ ଉଜ୍ଜ୍ୱଳ କରିବା ପାଇଁ କେତେ ଭେଟି, କେତେ ଉପଢ଼ୌକନ ସେ ପାଇଛନ୍ତି । ଅଧଃସ୍ତନ କର୍ମଚାରୀମାନେ ତାଙ୍କୁ ଦେଖି ଡରନ୍ତି । ଚମକି ଉଠନ୍ତି । ସେମାନେ ଅଫିସ ଭିତରେ ଗପ କରୁଥିଲେ, ତାଙ୍କ ପଦଶବ୍ଦ ଶୁଣି ଅଥବା ଗଳା ଖଙ୍କାର ଧ୍ଵନିରେ, ସେମାନେ ନିଜ ନିଜ କାର୍ଯ୍ୟରେ ସୁନାପୁଅଟି ଭଳି ଲାଗିଯାଆନ୍ତି ।

 

ସେଇ ଅଧଃସ୍ତନ କର୍ମଚାରୀମାନଙ୍କ ଭିତରୁ ଆସିଛି ବିନୋଦ । ତାକୁ ଦେଖି ତାଙ୍କର ଭୟ କରିବାର କୌଣସି କାରଣ ନାହିଁ । ଶଙ୍କି ଯିବା, ଦବି ଯିବା, ଭୀତତ୍ରସ୍ତ ହେବା କାପୁରୁଷର ଲକ୍ଷଣ । ଭୀରୁର ପରିଚୟ ।

 

ସେ ଅଫିସର ଉଦ୍ଧତ, ଉଶୃଙ୍ଖଳ ସବଅଡ଼ିନେଟ୍ ଷ୍ଟାଫ୍‍ଙ୍କୁ କଠୋର ଭାବରେ ଶାସନ କରିବା ତାଙ୍କର କର୍ତ୍ତବ୍ୟ । କରଣୀୟ । ତା’ହେଲେ ତାଙ୍କର ସୁନାମ ବଢ଼ିବ । ଖ୍ୟାତି ବୃଦ୍ଧି ପାଇବ । ଓଡ଼ିଶାର ଜଣେ ଦକ୍ଷ ଅଫିସର ହିସାବରେ ସେ ପରିଚିତ ହେବେ ।

 

ବିନୋଦ ତଥାପି ଠିଆ ହୋଇଛି ।

 

ମିଃ ମହାପାତ୍ର, ଚେତନ ମନତଳେ ଉତ୍ତେଜିତ ହୋଇ ଉଠୁଥିଲେ । ତାଙ୍କ ମନତଳେ ଶାସନ କରିବା ପାଇଁ ଯେଉଁ ଆବେଗ ଓ ଆଲୋଡ଼ନ ସୃଷ୍ଟି ହେଉଥିଲା, ସେଇ ଆବେଗ ଓ ଆଲୋଡ଼ନର ସାମାନ୍ୟତମ ପରିପ୍ରକାଶ, ତାଙ୍କ ଆଖିରେ, ନାକ ଅଗରେ ପ୍ରତିଫଳିତ ହେଉଥିଲା ।

 

ତାଙ୍କ ଓଠ ଥରି ଉଠିଲା ।

 

ସେ କଲିଂ ବେଲ୍‍ଟାକୁ ଜୋରରେ ମାଡ଼ିଲେ । ଥରେ ନୁହେଁ–ଦୁଇଥର ନୁହେଁ । କ୍ରମାଗତ ଭାବେ କଲିଂ ବେଲ୍‍ର ସୁଇଚ ଉପରେ ମିଃ ମହାପାତ୍ର ବାରମ୍ବାର ଚାପଦେଲେ ।

 

ଅସ୍ତ ବ୍ୟସ୍ତ ଭାବରେ ଏକା ସାଙ୍ଗରେ ତିନିଜଣ ପିଅନ୍, ଧଇଁ ସଇଁ ହୋଇ, ଲୁଗାକାନିକୁ ମାଡ଼ି ଚକଟି ମିଃ ମହାପାତ୍ରଙ୍କ ଘର ଭିତରକୁ ପଶିଆସିଲେ ।

 

ସାହେବ କେବେହେଲେ ଏଭଳି କଲିଂ ବେଲ୍ ମାରନ୍ତି ନାହିଁ । ଆଜି ତାଙ୍କର କ’ଣ ହେଲା ? କି ଜରୁରୀ କାର୍ଯ୍ୟ ଆସି ପଡ଼ିଲା ।

 

ତିନିଜଣ ପିଅନ୍ ଧାଡ଼ି ହୋଇ, ଆଦେଶର ଅପେକ୍ଷାରେ ମିଃ ମହାପାତ୍ରଙ୍କ ଶ୍ରୀମୁଖକୁ ଚାହିଁରହିଲେ ।

 

ମିଃ ମହାପାତ୍ର ଫାଇଲ ବଢ଼ାଇ ଦେଲେ । ତିନିଜଣ ପିଅନ୍, ଏକା ସାଙ୍ଗରେ ଫାଇଲଟିକୁ ଧରିବା ପାଇଁ, ତିନୋଟି ହାତ ପ୍ରସାରିତ କଲେ ।

 

ମିଃ ମହାପାତ୍ର ଗମ୍ଭୀର ହୋଇ କହିଲେ, ସେନାପତି ବାବୁଙ୍କୁ ଡାକିଦିଅ...

 

ତିନୋଟି ପିଅନ୍ ଚାଲିଗଲେ ।

 

ସେନାପତି ବାବୁ, ହାତ ମଳି ମଳି, କେତେବେଳେ ମୁଣ୍ଡ ବାଳରେ ହାତ ସାଉଁଳାଇ; ଚାପି ଚାପି ଘର ଭିତରକୁ ଆସିଲେ ।

 

ବିନୋଦ ତଥାପି ନିର୍ଭୀକ ପରି ଠିଆ ହୋଇଛି ।

 

ମିଃ ମହାପାତ୍ର କହିଲେ—ଅଡ଼ର ଟାଇପ୍ ହୋଇଗଲା ?

 

—ଆଜ୍ଞା

 

ତା’ ହେଲେ ବିନୋଦ ବାବୁଙ୍କୁ ଧରାଇ ଦିଅ । ଆଉ ବିଳମ୍ବ କାହିଁକି ?

 

—ହଁ ସାର୍

 

ସେନାପତି ବାବୁ ବିଜୟର ଉଲ୍ଲାସରେ, ଅଫିସ ଘର ଭିତରୁ ଚାଲିଗଲେ ।

 

ସେନାପତି ବାବୁ ଚାଲିଗଲା ପରେ, ମିଃ ମହାପାତ୍ର ଏକ ତିର୍ଯ୍ୟକ୍ ଦୃଷ୍ଟିରେ ଚାହିଁଲେ ବିନୋଦକୁ । ତା’ପରେ କହିଲେ, ଆପଣ ଏବେ ଯାଆନ୍ତୁ ବିନୋଦ ବାବୁ । ଘରକୁ ଯିବା ପୂର୍ବରୁ ଅଫିସ୍ ଅର୍ଡ଼ରଟା ନେଇଯିବେ ।

 

ବିନୋଦ କହିଲା, ଥ୍ୟାଙ୍କ୍ ୟୁ ସାର୍ ।

 

ବିନୋଦ ଫେରି ଆସିଲା ।

 

ଅଫିସ ଅଡ଼ର ମିଳିଛି ।

 

ସେଇ ଆଡ଼ରରେ ନିର୍ଦ୍ଦେଶ ଦିଆଯାଇଛି ବିନୋଦକୁ । ତୁରନ୍ତ, ବିନା ବିଳମ୍ବରେ ଆର୍ ଉଦୟଗିରି ଯାଇ, ବିଭିନ୍ନ ଆଦିବାସୀ ପ୍ରତିଷ୍ଠାନ ପରିଦର୍ଶନ କରି ଏବଂ ଆସନ୍ତା ସାତଦିନ ଭିତରେ ତମର ଇନିସପେକ୍‍ସନ୍ ରିପୋର୍ଟ ଦିଅ । ସେଠାକୁ ଶୀଘ୍ରଯାଇ ପରିଦର୍ଶନ କାମ ଆରମ୍ଭ ନକଲେ ଏବଂ ତମର ପରିଦର୍ଶନ ରିପୋର୍ଟ ଆସନ୍ତା ସାତଦିନ ଭିତରେ ନ ମିଳିଲେ ତମ ବିରୁଦ୍ଧରେ ଶୃଙ୍ଖଳାଗତ ଶାସ୍ତି ବିଧାନ କରାଯିବ ।

 

ଏଇ ହେଲା ଇଂରେଜୀ ଅର୍ଡ଼ରର ଆକ୍ଷରିକ ଓଡ଼ିଆ ଅନୁବାଦ ।

 

ବିନୋଦ, ବସାକୁ ଫେରି ବାରମ୍ବାର ପଢ଼ୁଛି ସେ ଟାଇପ୍‍କରା ଅଡ଼ରଟିକୁ । ଜୀବନରେ, ପ୍ରଥମଥର ପାଇଁ ସରକାରୀ କଳର ସେ ହୁକୁମନାମା ହସ୍ତଗତ କରିଛି । ଚାକିରୀ ଜୀବନର ପ୍ରଥମ ସକାଳରେ ସରକାରୀ କଳର ଧମକ ସେ ପାଇଛି ।

 

ପରିଦର୍ଶନ ? କେମିତି କରିବାକୁ ହୁଏ ? କେମିତି କଣ୍ଡକ୍ଟ କରାଯାଏ ? ସେ ତ ଜାଣେନି । ସେ ସମ୍ପର୍କରେ ତାର ମଧ୍ୟ ଧାରଣା ନାହିଁ । ନୂଆ ହୋଇ ସେ ଆସି ଜଏନ୍ କରିଛି । ଆଦିବାସୀ ପ୍ରତିଷ୍ଠାନ କିଭଳି ଭାବରେ ସରକାରୀ ଅର୍ଥ ବିନିଯୋଗ କରନ୍ତି, ସେ କଥା ମଧ୍ୟ ଟିକିଏ ହେଲେ ଜାଣେନି ।

 

ଆଶ୍ଚର୍ଯ୍ୟ ଏ ମିଃ ମହାପାତ୍ର ! ଆହୁରି ଆଶ୍ଚର୍ଯ୍ୟ ତାଙ୍କର ଏ କଳାକୃଷ୍ଣ ସେନାପତି ବାବୁ ! ସେମାନେ କଣ ଜାଣନ୍ତି ନାହିଁ, ନୂଆ ହୋଇ ଗୋଟିଏ ବିଭାଗରେ ଲୋକଟିଏ ଆସି ଜଏନ୍ କଲେ ତାକୁ ଟ୍ରେନିଂ ଦିଆଯାଏ । କାମ କରିବାର ପ୍ରଣାଳୀ ମଧ୍ୟ ବତାଇ ଦିଆଯାଏ ।

 

ପ୍ରତିଶୋଧ ନେବା ପାଇଁ, ଏମାନେ ସତରେ ଏତେ ନିମ୍ନକୁ ଖସିଯାଇ ପାରନ୍ତି ? ଏଡ଼େ ସଂକୀର୍ଣ୍ଣ, ପ୍ରତିଶୋଧ ପରାୟଣ ହୋଇ ପାରନ୍ତି ?

 

ଆର୍. ଉଦୟଗିରି ! ବିନୋଦର କାନ ମୁଣ୍ଡ ସ୍ତବ୍‍ଧ ହୋଇଗଲା । ଝାଏଁ ଝାଏଁ ଡାକିଲା । ରାମଗିରି ଉଦୟଗିରିର ରୂପ ଦିନେ ହେଲେ ସେ ଦେଖିନାହିଁ । ସମ୍ବାଦପତ୍ରରୁ, ପିଲାବେଳେ ଭୂଗୋଳ ବହିରୁ ଏଇ ରାମଗିରି ଉଦୟଗିରି କଥା ସେ ପଢ଼ିଥିଲା । ମାତ୍ର ଆଜି ବାସ୍ତବତାର ନିଗଡ଼ ବନ୍ଧନରେ, ପୁଣି ସରକାରୀ କାର୍ଯ୍ୟୋପଲକ୍ଷେ ସେଠାକୁ ସେ ନିଜେ ଯିବ ବୋଲି ଦିନେ ହେଲେ କଳ୍ପନା କରି ନ ଥିଲା ।

 

ରାମଗିରି ଉଦୟଗିରି ! ଯେଉଁ ରାମାୟଣର ନାୟକ ରାମଚନ୍ଦ୍ର ଦିନେ, ସେଇ ପାହାଡ଼ର ଅଗ୍ରଭାବରେ ବସବାସ ସ୍ଥାପନ କରିଥିଲେ, ସେଇ ପୁରାଣ ପ୍ରସିଦ୍ଧ ରାମଗିରି-ଉଦୟଗିରିକୁ ସେ ଯିବ । ତାର ଆରଣ୍ୟକ, ଭୀମକାନ୍ତ ବିପଦ ସଂକୁଳ ଓ ଗୌରିକ ତନୁ ଦେଖି ସେ ପୁଲକିତ ହେବ । ରୋମାଞ୍ଚିତ ହେବ । ତାକୁ ଦେଖି ଦେଖି, ଅତୀତର ସେ ପୁରୁଷୋତ୍ତମଙ୍କର କାର୍ଯ୍ୟାବଳୀ, ସ୍ମୃତି, ମନେ ପକାଇ, ପୁରାଣ ଯୁଗର ସେଇ ଅତୀତକୁ ଫେରିଯିବ ।

 

ସେ ଫେରିଯିବ ସେଇ ରାମରାଜ୍ୟକୁ । ଯେଉଁ ରାଜ୍ୟରେ ଦୁଃଖ ନ ଥିଲା, ଶୋକ ନ ଥିଲା, ଅଭାବ ନ ଥିଲା, ହିଂସା ନ ଥିଲା, ଘୃଣା ନ ଥିଲା, ସଂକୀର୍ଣ୍ଣତା ଓ ହେୟଜ୍ଞାନ ନ ଥିଲା । ଅତୀତର ସେଇ ସୁଖ ସମୃଦ୍ଧ ରାମଚନ୍ଦ୍ରଙ୍କ ରାଜ୍ୟକୁ ସେ ଫେରିଯିବ । ତା’ର ବିଶାଳତାରେ ସେ ମୁଗ୍ଧ ହେବ । ଚକିତ ହେବ । ବର୍ତ୍ତମାନର ଏହି ହିଂସା ଜର୍ଜ୍ଜରିତ, କ୍ଷମତା ପାଇଁ ଅନ୍ଧ ପାଗଳ, ବଂଶ ଶତାବ୍ଦୀର କରୁଣ ପରିବେଷ୍ଟନୀଠାରୁ ସେ ଦୂରରେ ରହିବ । ମୁକ୍ତ ରଖିବ ।

 

ବ୍ରିଟିଶ ଶାସନର ଅବସାନ ପରେ ପରେ ଏ ଦେଶରେ ଗଣତାନ୍ତ୍ରିକ ସରକାର ପ୍ରତିଷ୍ଠିତ ହେଲା । ଭାରତର ଲୋକେ ଏ ଦେଶର ଶାସନକାଳକୁ ନିୟନ୍ତ୍ରଣ କରିଲେ । ସମଗ୍ର ଦେଶରୁ ଦୁଃଖ, ଦାରିଦ୍ର୍ୟ, ଅଶିକ୍ଷା ଓ ଅଜ୍ଞତା ଦୂର କରି, ଭାରତବର୍ଷକୁ ଏକ ସୁଖୀ, ସମୃଦ୍ଧିଶାଳୀ ଓ ଋଦ୍ଧିମନ୍ତ ରାଷ୍ଟ୍ରରୂପେ ପରିଣତ କରିବା ପାଇଁ ଜାତୀୟ ନେତାମାନେ ଚିନ୍ତା କରୁଛନ୍ତି । ସ୍ଵପ୍ନ ଦେଖୁଛନ୍ତି । ଯୋଜନା ପରେ ଯୋଜନା ଶୁଭ ଦିଆଯାଉଛି । ମୋଟ ଉପରେ ଭାରତକୁ ରାମରାଜ୍ୟ ରୂପେ ପ୍ରତିଷ୍ଠିତ କରିବା ପାଇଁ ଦିନ ରାତି, ହରଦମ ନାନା ପରିକଳ୍ପନା ଓ ଚିଠା ପ୍ରସ୍ତୁତି ଚାଲିଛି ।

 

କିନ୍ତୁ ହେ ମୋର ଜାତୀୟ ନେତାଗଣ ! ବିଂଶ ଶତାବ୍ଦୀର ଷଷ୍ଠ ଦଶକରେ ଜନ୍ମଗ୍ରହଣ କରି, ନିଜକୁ ଅତିମାତ୍ରାରେ ବୁଦ୍ଧିବାଦୀ, ବସ୍ତୁବାଦୀ ଓ ଶ୍ରେଷ୍ଠତମ ସାମାଜିକ ପ୍ରାଣୀ ରୂପେ ବିବେଚନା କରି, ପ୍ରତିଦିନ ନୂଆ ନୂଆ ଉଦ୍ଭାବନ ଓ ଆବିଷ୍କାରର ନୂତନତ୍ଵରେ ଆପଣାକୁ ଭସେଇଦେଇ, ସତରେ କଣ ଆମେ ରାମରାଜ୍ୟରେ ପହଞ୍ଚି ପାରିବା ?

 

ରାବଣ, ସୀତାଙ୍କୁ ପୁଷ୍ପକ ବିମାନରେ ବସାଇ, ଆକାଶ ମାର୍ଗରେ, ଅତିଗୁପ୍ତରେ ଚୋରେଇ ନେଇ ଯାଉଥିଲା । କିନ୍ତୁ ସେ ବିମାନର ଗତି ଥିଲା ଅତି ଧୀର, ସ୍ଥିର ଓ ମନ୍ଥର । ମାତ୍ର ଆଜି, ବିମାନର ଗତି ଦ୍ରୁତତର ହେଲାଣି । ଆଖି ପିଛୁଡ଼ାକେ, ଆକାଶର ତୀରେ ତୀରେ, ମେଘର ବଳୟରେ ପହଁରି ପହଁରି, ଚାଲିଯାଉଛି ପୃଥିବୀର ଉତ୍ତର ମେରୁଠାରୁ ଦକ୍ଷିଣ ମେରୁ ପର୍ଯ୍ୟନ୍ତ । ସେ ଯୁଗର ପରିବେଶ, ପରିସ୍ଥିତି, ଆଜିର ପରିସ୍ଥିତିଠାରୁ ସ୍ଵତନ୍ତ୍ର । ଭିନ୍ନ ।

 

ରାମରାଜ୍ୟର ପରିକଳ୍ପନା ତେଣୁ ନିରର୍ଥକ । ଅସାର । ଅସାଢ଼ । ଅତିମାତ୍ରାରେ ବ୍ୟକ୍ତିକୈନ୍ଦ୍ରିକ, ସ୍ଵାର୍ଥକୈନ୍ଦ୍ରିକ ହୋଇ, ଆଧୁନିକ ଯୁଗର ଋଚି, ସଂସ୍କୃତି ଓ ଶିକ୍ଷାର ଖୋଳପା ପିନ୍ଧି ଆମେ ଆଉ ସେଇ ରାମ ରାଜ୍ୟରେ ପହଞ୍ଚି ପାରିବା ନାହିଁ ।

 

ବିନୋଦ ଅଡ଼ରଟିକୁ ପକେଟରେ ଭର୍ତ୍ତିକରି ଧୀରେ ଧୀରେ ଆତ୍ମ ସଚେତନ ହୋଇଉଠିଲା ।

 

କାଲି ସକାଳୁ ତାକୁ ଯିବାକୁହିଁ ହେବ ରାମଗିରି ଉଦୟଗିରି । ଆର୍. ଉଦୟଗିରି ଯିବାରେ ତା’ର ଦୁଃଖ ନାହିଁ-ଆପତ୍ତି ନାହିଁ-ଶୋଚନ ନାହିଁ । ମାତ୍ର ମାଳ ଅଞ୍ଚଳର, ସେଇ ଆଦିବାସୀ ଜନତା ସହିତ ସେ କିପରି ବ୍ୟବହାର କରିବ ? କଥା କହିବ ? ଏକ ସପ୍ତାହ କାଳ କିପରି ସେ ସମୟ ଅତିବାହିତ କରିବ ?

 

ରହିବାକୁ, ଖାଇବାକୁ ସବୁଥିରେ ଅସୁବିଧା । ସବୁଥିରେ ଅବ୍ୟବସ୍ଥା । ଦିଗନ୍ତ ବିସ୍ତାରୀ ପାହାଡ଼ର ନିମ୍ନ ଭାଗରେ, ଶହ ଶହ ଆଦିବାସୀ, ବୋଧହୁଏ ନିଜ ନିଜର କୁଡ଼ିଆ ତିଆରି କରି ରହିଥିବେ । ବସବାସ ସ୍ଥାପନ କରିଥିବେ । ସେଇ ଅର୍ଦ୍ଧଲଗ୍ନ, ଆଧୁନିକ ସଭ୍ୟତା ଓ ସଂସ୍କୃତିଠାରୁ ବହୁ ଦୂରରେ ରହିଥିବା ଆଦିବାସୀମାନଙ୍କ ସହିତ କିପରି ସେ ମିଶିବ ? ଆଳାପ ଆଲୋଚନା କରିବ ? ଭାବ ବିନିମୟ କରି ପାରିବ ?

 

ତଥାପି ତାକୁ ଯିବାକୁ ପଡ଼ିବ । ମିଃ ମହାପାତ୍ର ଓ ସେନାପତି ବାବୁ ତାକୁ ହଇରାଣ କରିବା ଉଦ୍ଦେଶ୍ୟରେ ସେଠାକୁ ପଠାଇଥିଲେ ମଧ୍ୟ ସେ ଡରି ଯିବନାହିଁ । ସେ ନିଶ୍ଚୟ ଯିବ । ନୂତନ ଅନୁଭୂତି ଅର୍ଜ୍ଜନ କରିବ ।

 

ବିନୋଦ, ମୋଡ଼ି ମାଡ଼ି, ଅଫିସ ଅଡ଼ରଟିକୁ ପକେଟ ଭିତରେ ରଖିଦେଲା ।

 

ସେତେବେଳକୁ ସଞ୍ଜ ନଇଁ ଆସୁଥିଲା ଧୀରେ ଧୀରେ, ବ୍ରହ୍ମପୁର ସହରର ଗଛ, ଲତା ଓ ବଡ଼ ବଡ଼ ଅଟ୍ଟାଳିକା ଉପରେ ମେଞ୍ଚା ମେଞ୍ଚା ଅନ୍ଧାର ବୁଣି ବୁଣି ।

 

ବିନୋଦ, ଚାଲି ଚାଲି ବାରାକ୍‍ସ୍‍ ଆଡ଼କୁ ମୁହେଁଇଲା ।

 

ଆର୍. ଉଦୟଗିରି ।

 

ବିନୋଦ ବସ୍‍ରୁ ଓହ୍ଲାଇ ପଡ଼ି ଚାହିଁଲା ଚାରିଆଡ଼କୁ । ସେ ଯେଉଁଠି ଓହ୍ଲାଇଲା, ସେଇଟା କିନ୍ତୁ ପ୍ରକୃତରେ ଆର୍. ଉଦୟଗିରି ନୁହେଁ—ଆର୍. ଉଦୟଗିରି ତଳକୁ ଅର୍ଥାତ୍ ତାର ଠିକ୍ ଦୁଇମାଇଲ ତଳକୁ ଚାନ୍ଦିପୁଟ ପଲ୍ଲୀ ।

 

ଆର୍. ଉଦୟଗିରି ବସ୍, ବିନୋଦର ଠିକ୍ କହିବାମତେ, ଚାନ୍ଦିପୁଟ ଠାରେ ଓହ୍ଲାଇ ଦେଇ, ଗୈରିକ ରାସ୍ତାରେ ଧୂଳିର ଝଡ଼ ସୃଷ୍ଟି କରି କରି, ଅନ୍ତଃସତ୍ଵା ନାରୀପରି ହଲି, ଝୁଲି ଓ ଦୋହଲି ଦୋହଲି ଆଗକୁ ଆଗକୁ ଆଗେଇ ଗଲା ।

 

ବିନୋଦ ନିଜର ବ୍ୟାଗ ଓ ବିଛଣାପତ୍ର, ସେଇ ରାସ୍ତା ଉପରେ ପକାଇ, ରାମଗିରି ଉଦୟଗିରିର ସୁଉଚ୍ଚ ଶିଖରକୁ ଅନାଇଁ ରହିଲା ।

 

ସେତେବେଳେ, ସୂର୍ଯ୍ୟ ରାମଗିରି ଓ ଉଦୟଗିରି ପାହଡ଼ର ଶିଖର ଦେଶରେ ଅସ୍ତ ହୋଇ ଯାଉଥିଲେ । ବିନୋଦ ଫେରି ଚାହିଁଲା ଚାରିଆଡ଼କୁ । ସ୍ଥାନଟିର ଆରଣ୍ୟକ ପରିବେଶ ମନ ଭିତରେ ତାର ଭୀତି ସୃଷ୍ଟି କରୁଛି । ଜଙ୍ଗଲ ଆଉ ଜଙ୍ଗଲ । ପ୍ରଧାନ ରାସ୍ତାର ଦୁଇପଟେ ନିବିଡ଼ ଅରଣ୍ୟ । ଚାରିଆଡ଼େ ଦିଶୁଛି ପଛପତ୍ରର ଶ୍ୟାମଳ ବନାନୀ ।

 

ଓଃ, ତା’ ହେଲେ ଏଠି କାହାରି ଘର ନାହିଁ । ଦ୍ୱାର ନାହିଁ । ନିବିଡ଼ ଅରଣ୍ୟର ଶଯ୍ୟା ଦେଶରେ, ପୁଣି ଠିକ୍ ସଞ୍ଜ ବେଳେ ଓହ୍ଲାଇ ପଡ଼ି ସେ କେଉଁ ଆଡ଼କୁ ଯିବ ? କେଉଁଠାରେ ଆଶ୍ରୟ ନେବ ?

 

ଏ ରାସ୍ତାରେ ପୁଣି କାହାରି ଦେଖା ସାକ୍ଷାତ ନାହିଁ । କେହି ଏଇ ବାଟେ ଯିବା ଆସିବା କରୁଥିବାର ମଧ୍ୟ ଲକ୍ଷ୍ୟ କରାଯାଉନି । ସଞ୍ଜର ଅନ୍ଧାର କ୍ରମେ କ୍ରମେ ଗାଢ଼ତର ହେଉଛି । ସଞ୍ଜର ନିରନ୍ଧ୍ର ଅନ୍ଧାର ସମଗ୍ର ପାହାଡ଼କୁ ଗ୍ରାସ କରିବା ପୂର୍ବରୁ ସେ ଯଦି କେଉଁଠି ନିରାପଦରେ ଆଶ୍ରୟ ନେଇ ନ ଥିବ, ତା’ହେଲେ ବିପଦ ସୁନିଶ୍ଚିତ ।

 

ରାସ୍ତାର ଦୁଇ ପାର୍ଶ୍ଵରେ ମାଇଲ ମାଇଲ ଧରି ଏଇ ଯେଉଁ ନିବିଡ଼ ଅରଣ୍ୟ ଦିଶୁଛି, ସେଇ ଅରଣ୍ୟ ଭିତରୁ ଯଦି ଛପି ଛପି, ଚାପି ଚାପି, ଧୀରେ ଧୀରେ ପାଦ ଚଳାଇ, ପଟା ପଟା କିଆ, ଚିତିରା ମିତିରା, କଲରା ପତ୍ରିଆ ବାଘ ତା ଉପରକୁ ଝାମ୍ପି ମାରେ, କୁଦି ପଡ଼େ, ତା’ହାଲେ ଆଜିକାର ଯାତ୍ରା ତା’ର ସାଙ୍ଗ ହୋଇଯିବ । ବାପା, ବୋଉଙ୍କର ଏକମାତ୍ର ପୁଅର ଜୀବନ ଲୀଳାର ଅବସାନ ଘଟିବ ।

 

ବିନୋଦ ଆତଙ୍କିତ ହୋଇଉଠିଲା ।

 

ଆଉ ରକ୍ଷା ନାହିଁ । ରାସ୍ତାଧାରର ଦୁଇପାର୍ଶ୍ଵ ଜଙ୍ଗଲରୁ ଖସ୍ ଖାସ୍ ଶବ୍ଦ ଶୁଭୁଛି । ଏଇ ଶବ୍ଦଗୁଡ଼ାକ, ଧ୍ୱନିଗୁଡ଼ାକ, ପୁଣି ଯଦି ସତ୍ୟରେ, ବାସ୍ତବରେ ପରିଣତ ହୁଏ, ତା’ ହେଲେ ରକ୍ଷା ନାହିଁ-। ଜୀବନକୁ ବଞ୍ଚାଇବା ପାଇଁ, ରକ୍ଷା କରିବା ପାଇଁ ଚେଷ୍ଟା କଲେ ମଧ୍ୟ, ଶେଷକୁ ସେ ବିଫଳ ହେବ-

 

ବିନୋଦ ବ୍ୟସ୍ତ ବିବ୍ରତ ହୋଇ ବେଗ୍ ଓ ବେଡିଂକୁ ଦୁଇ ହାତରେ ଓହଳାଇ ସିଧା ସିଧା ଆଗକୁ ଆଗକୁ ଆଗେଇଲା ।

 

କାହିଁ ଚାନ୍ଦିପୁଟ ? କାହିଁ ଆଦିବାସୀ ପଲ୍ଲୀ ? ସଞ୍ଜ ତ ଆସି ପ୍ରାୟ ହୋଇଗଲା । କେଉଁଠାରେ ସଂଧ୍ୟାର ଆଲୋକ ଜଳିବାର ଆଭାସ ମିଳୁନାହିଁ । ମଣିଷର ସ୍ଵର ଶବ୍ଦ ତ ଶୁଭୁନାହିଁ । କେଉଁ ଆଡ଼କୁ ସେ ଯିବ ? କେଉଁ ଆଡ଼କୁ ଚାଲି ଚାଲି, ଆଦିବାସୀ ପଲ୍ଲୀର ପ୍ରକୃତ ସନ୍ଧାନ ନେଇ ପାରିବ ?

 

ବିନୋଦ ଚାଲିଛି...

 

ପଛରେ ଅଛି ଆଦିବାସୀ ପଲ୍ଲୀ । ସେ କିନ୍ତୁ ତା’ର ବିପରୀତ ଦିଗରେ ଅର୍ଥାତ୍ ଓଲଟି ଆର୍. ଉଦୟଗିରି ଆଡ଼କୁ ସଞ୍ଜର ପାତଳ ଅନ୍ଧାରରେ ଆଗେଇ ଚାଲିଛି ।

 

କିଛିବାଟ ଆଗେଇଗଲା ବିନୋଦ...

 

ଦୂରରୁ ଦୁଇଟି ଆଦିବାସୀ, କାଠ ସଂଗ୍ରହ କରି, ମୁଣ୍ଡ ଉପରେ କାଠ ଲଦି, କାନ୍ଧରେ ଟାଙ୍ଗିଆ ପକାଇ, ସେଇ ଆଦିବାସୀ ପଲ୍ଲୀକୁ ଫେରୁଛନ୍ତି । ହୋ ଜାତିର ଭାଷାରେ, ଦୁହେଁ ଯାକ କଥାବାର୍ତ୍ତା ହୋଇ, ନିଜ ପଲ୍ଲୀକୁ ଆସୁଛନ୍ତି ।

 

ସେମାନେ ଖୁବ୍ ପାଖାପାଖି ହୋଇଗଲେ । ଦୂରରୁ ମଣିଷର ସ୍ଵର ଶବ୍ଦ ଶୁଣି ବିନୋଦର ମନ ଭିତରୁ ଭୟ କଟି ଯାଉଥିଲା । ଦମ୍ଭ ଆସୁଥିଲା । ସାହସ ହେଉଥିଲା । ଆଉ ଭୟ ନାହିଁ । ଆଉ ବ୍ୟସ୍ତ ହେବାର, ବିକଳ ହେବାର କୌଣସି କାରଣ ନାହିଁ ।

 

ଆଦିବାସୀ ପୁରୁଷ ଦୁଇଟି, ବିନୋଦର ସାମନାରେ ଠିଆ ହୋଇଗଲେ ।

 

ବିନୋଦର ପ୍ୟାଣ୍ଟ, କୋଟ ଓ ପୋଷାକ ପରିଚ୍ଛଦ ଦେଖି, ଦୁଇଟି ଆଦିବାସୀଙ୍କ ମନରେ ସଂଭ୍ରମ ଜାଗିଲା । ହାତରେ ବେଡିଂ ଓ ବ୍ୟାଗ । ଏ ନିଶ୍ଚୟ ବ୍ରହ୍ମପୁର ସହରରୁ, ଯେଉଁଠାରେ ସିନେମା ହୁଏ, କଳ କଥା କହେ, କାନ୍ଥରେ ଠିପି ଟିପି ଦେଲେ ବିଜୁଳୀ ଆଲୁଅ, ଜହ୍ନ ଆଲୁଅ ଭଳି ଖେଳେଇ ହୋଇପଡ଼େ, ଗାଡ଼ି ଚାଲେ, ମଟର ଧାଏଁ, ରିକ୍ସା ଛୁଟେ, ସେଇ ସହରରୁ ଏ ବାବୁ ବୋଧେ ଆସିଛନ୍ତି ! ସରକାରୀ କାର୍ଯ୍ୟ ଉପଲକ୍ଷ୍ୟେ ଇଏ ବୋଧହୁଏ ଓହ୍ଲାଇଛନ୍ତି ।

 

କିନ୍ତୁ ଚାଲି ଚାଲି, ନିବିଡ଼ ଅରଣ୍ୟର ମଧ୍ୟ ଭାଗରେ, ଏଇ ଭୟାନକ ରାସ୍ତାରେ, ସେ କୁଆଡେ଼ ଯାଉଛନ୍ତି ? ତାଙ୍କର କଣ ଭୟ ନାହିଁ ? ଆର ଉଦୟଗିରି ପାହାଡ଼ର ତଳେ ତଳେ ମାଇଲ ମାଇଲ ଧରି ଏଇ ଯେଉଁ ପ୍ରଚଣ୍ଡ, ଭୀଷଣ ଓ ଭୟାନକ ଜଙ୍ଗଲ ଆଖିମୁଦି ଢ଼ୁଳେଇ ପଡ଼ିଛି, ସେଇ ଜଙ୍ଗଲ କଥା ସେ କ’ଣ ଶୁଣି ନାହାନ୍ତି ? ଜାଣି ନାହାନ୍ତି ?

 

ଯେଉଁ ଜଙ୍ଗଲ ଭିତରେ ବଢ଼ି କୁଢ଼ି ସେମାନେ ମଣିଷ ହେଲେ, ଶିକାର କଲେ, ବାଘ ମାରିଲେ ମିରିଗ ଧରିଲେ, ସେଇ ଜଙ୍ଗଲରେ ରାତି ମାଡ଼ି ଆସୁଥିବା ଦେଖି, ଘର ଅଭିମୁଖେ ସେମାନେ ଦଉଡ଼ି ଆସୁଛନ୍ତି । ଫେରି ଆସୁଛନ୍ତି । ପହଡ଼ କୋଳରେ ବଢ଼ି, ଛାତିକୁ ପାହାଡ଼ପରି ଟାଣ କରି, ଶକ୍ତ କରି, ତଥାପି ସେମାନେ ଭୀତତ୍ରସ୍ତ ହେଉଛନ୍ତି । ଅଥଚ ସହର ଭିତରେ ବଢ଼ି, ପାହାଡ଼ ଓ ଜଙ୍ଗଲ ନାଁ ଶୁଣିଲେ ଯେଉଁମାନଙ୍କର ହୃତକମ୍ପ ହୁଏ, ସେଇ ସହରୀ ସଭ୍ୟତା ଭିତରୁ ଜଣେ ମଣିଷ କେଡ଼େ ସାହସରେ ଏଇ ରାସ୍ତାରେ ଆଗକୁ ଆଗକୁ ଆଗେଇଛି ସତେ !

 

ବିନୋଦ ଆଗରେ ସେମାନେ ଠିଆ ହୋଇଯିବାର ଦେଖି ସେ ପଚାରିଲା—ଚାନ୍ଦିପୁଟ ଯିବାକୁ ରାସ୍ତା ଏଇତ ?

 

ଦୁଇଟି ଆଦିବାସୀ ପୁରୁଷ, ବିନୋଦ ଭୁଲ୍ ବାଟରେ ଆଗୋଉଛି ବୋଲି ଜାଣି ପାରିଲେ-। ବାବୁ ବାଟବଣା ହୋଇ, ବସ୍‍ରୁ ଓହ୍ଲାଇ ସିଧା ସିଧା ଚାଲିଛନ୍ତି ପ୍ରଧାନ ରାସ୍ତାରେ-

 

ଚାନ୍ଦିପୁଟ ପଲ୍ଲୀର ନୀଚ ଶଲପ ଗଛର ପତ୍ରକୁଡ଼ିଆ ତାଙ୍କ ଆଖିରେ ପଡ଼ିନାହିଁ । ମାଳ ଅଞ୍ଚଳଠାରୁ ଦୂରରେ, ଲୋକମାନେ ଧାଡ଼ି ଧାଡ଼ି ଘର କରନ୍ତି । ଉଚ୍ଚ ଉଚ୍ଚ ବାରଣ୍ଡା, ଉଚ୍ଚ ଉଚ୍ଚ ପିଣ୍ଡା-। ଉଚ୍ଚ ଉଚ୍ଚ କୋଠାଘର । ଉଚ୍ଚ ଉଚ୍ଚ ଚାଳଘର ଦୂରସ୍ଥାନରୁ ଠିଆ ହୋଇ ଲକ୍ଷ୍ୟକଲେ ଲୋକ ବସତି ଜାଣିହେବ । ଗାଆଁଟିଏ ଅଛି ବୋଲି ଲକ୍ଷ୍ୟ କରିହେବ ।

 

କିନ୍ତୁ ଗଛ ବୃକ୍ଷର ନିଘଞ୍ଚ ଅନ୍ତରାଳରେ ଚାନ୍ଦିପୁର ପଲ୍ଲୀର ଅସ୍ତିତ୍ଵ ହଜିଯାଇଛି । ତେଣୁ ତାଙ୍କୁ ଦେଖାଯାଉନି ।

 

ଆଦିବାସୀ ପୁରୁଷ ଭିତରୁ ଜଣେ ଥିଲା ପ୍ରୌଢ଼ । ଜଣେ ଥିଲା ଯୁବକ । ପ୍ରୌଢ଼ ଜଣକ ସଭ୍ୟ ଜଗତକୁ ଅର୍ଥାତ୍ ବ୍ରହ୍ମପୁର, ଦିଗପହଣ୍ଡି, ଆସିକା, ରସଲକୋଣ୍ଡା ପ୍ରଭୃତି ଅନେକଥର ଯାଇଛି-। ସେମାନଙ୍କ ସହିତ ଖଣ୍ଡି ଖଣ୍ଡି ଓଡ଼ିଆ ଭାଷାରେ କଥାବାର୍ତ୍ତା କରିଛି । ବାବୁମାନଙ୍କ ସହିତ ଅନେକଥର ଏଇ ଆର୍. ଉଦୟଗିରି ଭିତରେ ରହି ମଧ୍ୟ ସେ ଭାବ, ବିନିମୟ କରିପାରିଛି-

 

ତେଣୁ ଓଡ଼ିଆ ଭାଷା ବୁଝିବାକୁ ତାକୁ କଷ୍ଟ ହୁଏନାହିଁ । ସେ ହୋ ଜାତିର ନେତା । ସର୍ଦ୍ଦାର ।

Unknown

 

ବିନୋଦ ଠାରୁ ହଠାତ୍ ଏଇ କଥା ଶୁଣି ଆଦିବାସୀ ପ୍ରୌଢ଼ ଜଣକ କହିଲା, ନାଇଁରେ ବାବୁ । ଚାନ୍ଦିପୁର ତ ତୁ ଛାଡ଼ିଆସିଲୁ ପଛେ । ଏଇଟା ଭାରି ଭୟାଳୁ ଜେଗାରେ ବାବୁ । ବାଘ, ଭାଲୁଙ୍କର ଖେଳାଭୂଇଁ । ରାତି ଆସୁଛିରେ । ଯାଆନା । ଫେରିଆ ।

 

ଆମ ଘର ଚାନ୍ଦିପୁଟରେ ବାବୁ । ଆମ ସାଙ୍ଗରେ ଚାଲିଆ ।

 

ବିନୋଦ ଚମକି ପଡ଼ିଲା । ଏପର୍ଯ୍ୟନ୍ତ ଏକ ଖିଆଲରେ, ଭାବପ୍ରବଣତାରେ, ଚାନ୍ଦିପୁଟ ଆଗରେ ପଡ଼ିବ ବୋଲି ଧାରଣାକରି ସେ ଚାଲିଥିଲା । କିନ୍ତୁ ଆଦିବାସୀ ଲୋକେ ଯେତେବେଳେ ଏଇ ରାସ୍ତାରେ ଯିବାକୁ ଡରୁଛନ୍ତି, ସେତେବେଳେ ତା’ ପକ୍ଷେ ଦୁଃସାହସ କରି ଆଗକୁ ଆଗକୁ ଆଗେଇବା ଚରମ ନିର୍ବୋଧତା ।

 

ବିନୋଦ ଥମକି ଠିଆହେଲା ।

 

ପ୍ରୌଢ଼ ଜଣକ କହିଲା—ଠିଆ ହୋଇଛୁ କେନେଁରେ ବାବୁ ? ଅନ୍ଧାର ବାଘପରି ମାଡ଼ି ଆସୁଛି । ଚାନ୍ଦିପୁଟରେ କଣ କିରେ ତୋର କାମ ବାବୁ ?

 

ବିନୋଦ କହିଲା—ହଁ, ଚାଲ । ତମ ପଛେ ପଛେ ମୁଁ ଚାଲୁଛି । ଆଉ ଶୁଣ । ମୁଁ ଜଣେ ସରକାରୀ କର୍ମଚାରୀ । ତମ ଅଞ୍ଚଳର ଆଦିବାସୀ ପ୍ରତିଷ୍ଠାନମାନ କିପରି ଚାଲିଛି ମୁଁ ଦେଖିବାକୁ ଆସିଛି । ପ୍ରାୟ ସାତ ଦିନକାଳ ଏଠାରେ ରହି, ମୁଁ ପୁଣି ଫେରିଯିବି ବ୍ରହ୍ମପୁର ।

 

ପ୍ରୌଢ଼ ଜଣକ ସାଙ୍ଗେ ସାଙ୍ଗେ ପଛକୁ ଫେରିପଡ଼ି ବିନୋଦକୁ ନମସ୍କାର କଲା । ତା’ ସାଙ୍ଗରେ ଯାଉଥିବା ଟୋକାକୁ, ହୋ ଭାଷାରେ, ତାକୁ ନମସ୍କାର କରିବା ପାଇଁ ଇଙ୍ଗିତ ଦେଲା ।

 

ଆଦିବାସୀ ତରୁଣଟି, ସଞ୍ଜର ସେଇ ଅନ୍ଧାର ଭିତରେ, ବିନୋଦକୁ ଆସି ନମସ୍କାର ହେଲା ।

 

ପ୍ରୌଢ଼ ଜଣକ କୃତଜ୍ଞତା ଜଣାଇବା ଭାଷାରେ କହିଲା—ମୁଁ ହେଉଛି ଆଦିବାସୀ ଉନ୍ନତି ସୋସାଇଟିର ସଭାପତି, ବାବୁ । ଦେରେ ତୋ ସାମାନ ଯାହା ଅଛି ଦେ । ମୁଁ ମୁଣ୍ଡେଇ ନେବିରେ । ତୁ ବାବୁ ଲୋକ । ସାହାବ ଲୋକ । ତୁ କଲମ ଧରୁ । ତୁ ହାତେ ହାତେ ଧରିଗଲେ, ଆମର ଖରାପ ହେବରେ ।

 

ବିନୋଦଠାରୁ ବେଡ଼ିଂ ଓ ବେଗ୍ ନେଇ ଆଦିବାସୀ ପ୍ରୌଢ଼ ଜଣକ ଆଗେଇ ଚାଲିଲା ।

 

ଆଦିବାସୀ ପଲ୍ଲୀରେ ଯେତେବେଳେ ବିନୋଦ ଯାଇ ପହଞ୍ଚିଲା, ସେତେବେଳେ ସେମାନଙ୍କ ଭିତରେ ଖେଳିଗଲା ଏକ ଆନନ୍ଦ ଉତ୍ତେଜନା । ସ୍ଵାଗତ ସମ୍ବର୍ଦ୍ଧନା କରିବା ପାଇଁ ପଲ୍ଲୀର ଧେଙ୍ଗଡ଼ା ଧେଙ୍ଗଡ଼ୀ, ଏକତ୍ରିତ ହୋଇ ଗୀତ ଗାଇବା ଆରମ୍ଭ କରିଦେଲେ ।

 

ବିନୋଦ ଦୀର୍ଘ ନିଃଶ୍ୱାସ ମାରିଲା...

 

ରାତି ଅନେକ ହୋଇଗଲାଣି...

 

ଚାନ୍ଦିପୁଟ ପଲ୍ଲୀକୁ ଘେରି ରହିଥିବା ଦିଗନ୍ତ ବିସ୍ତାରୀ ଅରଣ୍ୟ, ରାତିର ଅନ୍ଧକାରରେ ଭୟଙ୍କର ଦିଶୁଛି । ବେଳେ ବେଳେ ଅରଣ୍ୟ ଭିତରୁ ନାନାପ୍ରକାର ଧ୍ଵନି ଭାସି ଆସୁଛି ।

 

ବିନୋଦ, ଧେଙ୍ଗଡ଼ା ଘରେ ଶୋଇଛି...

 

ତା ଚାରିପିଠି ଶୋଇଛନ୍ତି ଦଶବାର ଜଣ ଟୋକା । ତାକୁ ଜଗି । ତାର ଦେହରକ୍ଷୀ ହୋଇ ।

 

ସେମାନେ ନିଘୋଡ଼ ନିଦରେ ଶୋଇ ଘୁଙ୍ଗୁଡ଼ି ମାରୁଛନ୍ତି । ତାଙ୍କର ଭୟ ନାହିଁ। ଦକ ନାହିଁ । ଆଶଙ୍କା ନାହିଁ । ସେମାନେ ପ୍ରତିଦିନ ଅରଣ୍ୟର ଦ୍ଵାର ଦେଶରେ ଏଇଭଳି ଶୋଇ ରହି ଛାତିକୁ ପଥର କରିଛନ୍ତି । ଟାଣ କରିଛନ୍ତି । ଦମ୍ଭ ଧରିଛନ୍ତି । ତେଣୁ ସେମାନେ ନିଶ୍ଚିନ୍ତରେ ନିଦକରେ ଶୋଇଯାଇଛନ୍ତି ।

 

କିନ୍ତୁ ବିନୋଦର ଆଖିରେ ନିଦ ନାହିଁ । ଛାତି ଦକ ଦକ । ମନ ଚଞ୍ଚଳ । ଆଦିବାସୀ ଧେଙ୍ଗଡ଼ାମାନଙ୍କୁ ଡେଇଁ ଯଦି ଏଇ କୁଡ଼ିଆ ଭିତରକୁ ବାଘ ପଶିଆସେ, ତାହେଲେ ତାର ଜୀବନଦୀପ ନିଭିଯିବ । ଓଃ ସବୁ ଶେଷ ହୋଇଯିବ ।

 

ସନ୍ଧ୍ୟାବେଳେ, ଆଦିବାସୀମାନଙ୍କର ଅଭ୍ୟର୍ଥନା କଥା ତାର ମନେ ପଡ଼ିଲା । ମନେ ପଡ଼ିଲା ଅତି ଏକାନ୍ତ ଭାବରେ ଆଦିବାସୀ ସର୍ଦ୍ଦାର ଘାସିରାମର କଥା ।

 

ତା କଥାକୁ, ବିନା ଦ୍ଵିଧାରେ, ଆପତ୍ତି ଓ ଅଭିଯୋଗରେ, ସାହୀର ବୁଢ଼ା, ଟୋକା ଓ ଭେଣ୍ଡା ମାନନ୍ତି । ସେ ଯାହା କରିବାକୁ ନିର୍ଦ୍ଦେଶ ଦିଏ, ସାହୀ ଲୋକେ ହସି ହସି ସେତକ କରିଦିଅନ୍ତି-

 

ଆଦିବାସୀ ହେଲେ ବି ସେମାନଙ୍କର ଆଦର ଅଭ୍ୟର୍ଥନା ଅଛି । ସନ୍ଧ୍ୟାବେଳେ, ସେ ଆଦିବାସୀ ପଲ୍ଲୀରେ ଗୋଡ଼ ଦେଲାବେଳଠାରୁ, ସେମାନଙ୍କର କି ବିପୁଳ ଆନନ୍ଦ ! ବରଗଡ଼ା ଚାଉଳରେ ଭାତ ରନ୍ଧା । ତା’ ସାଙ୍ଗକୁ ଜଡ଼ାତେଲରେ କୁକୁଡ଼ା ମାଂସର ଝୋଳ ! କାନ୍ଦୁଲ ଡାଲିକୁ ଜଡ଼ାତେଲରେ ବଘାରିବା, ଇସ୍ ପାଟିରେ ଦେଇହେବ ନାହିଁ ।

 

ଓଃ ସେ କି ତିକ୍ତ ଅନୁଭୂତି ! ଜୀବନରେ ଖାଦ୍ୟ ସାମଗ୍ରୀ ଏଭଳି ପ୍ରସ୍ତୁତ ହୁଏ ବୋଲି ତାର ଧାରଣା ନ ଥିଲା । ଶୁଣି ନ ଥିଲା । ଅତିଥିକୁ ସତ୍କାର କରିବା ପାଇଁ ସେମାନଙ୍କର କି ବ୍ୟଗ୍ରତା-!

 

ଘରେ ଘରେ ଚାଉଳର ଚାନ୍ଦା । କାନ୍ଦୁଲର ଚାନ୍ଦା । ଯେତେବେଳେ ଘାସିରାମ ଚାଉଳ ସଂଗ୍ରହ କରି, ଏଇ କୁଡ଼ିଆ ଭିତରକୁ ଫେରିଆସିଲା, ସେତେବେଳେ ସେଇ ଚାଉଳକୁ ଦେଖି ମନେହେଲା ତା’ ଭଳି ପନ୍ଦର ଜଣ ଲୋକେ ଖାଇବେ ।

 

ସତରେ କିନ୍ତୁ ଆଦିବାସୀମାନଙ୍କ ପରି ପରିଶ୍ରମୀ ଶ୍ରେଣୀର ଲୋକେ, ସେଇ ଖାଦ୍ୟ ସାମଗ୍ରୀକୁ ସାତଜଣ ଖାଇଲେ । ସେ ତ ଛୁଇଁଲା ନାହିଁ । କାନ୍ଦୁଲର ଉଗ୍ର ଗନ୍ଧକୁ ନାକ ଭିତରେ ଚାପି ରଖି, ଏଣୁ ତେଣୁ ଯଥେ ମଥେ ଦି ଗୁଣ୍ଡା ଖାଇଦେଲା ।

 

ଦୀର୍ଘ ସାତଦିନ ଏଇ ଯାଗାରେ କିପରି ତା’ର କଟିବ ? ଦୀର୍ଘ ଛଅଟି ଭୟଙ୍କରୀ କଳାରାତି, ଏଇଭଳି ବିନିଦ୍ର ରହି, କଣ ସେ ବିତାଇ ଦେବ ?

 

ବିନୋଦ ବହୁ ଚେଷ୍ଟାକଲା ଶୋଇବାକୁ । ଏକେତ ନୂଆସ୍ଥାନ । ଦ୍ୱିତୀୟରେ ଚାନ୍ଦିପୁଟ ଭଳି ନିବିଡ଼ ଅରଣ୍ୟର କୋଳ । ସେଥିରେ ତାକୁ କେମିତି ନିଦ ହେବ ? ସେ କେମିତି ଶାନ୍ତିରେ ଶୋଇଯିବ ?

 

ଆଖି ପୋଡ଼ୁଛି । ହାଇ ଉପରେ ହାଇ ଆସୁଛି । କିନ୍ତୁ ନିଦ ନାହିଁ । କେଉଁଠାରୁ ଟିକିଏ ଖସ୍ ଖସ୍ ଶବ୍ଦ ଶୁଭିଲେ, ଛାଇ ଛାଇଆ ନିଦ ଭାଜିଯାଉଛି । ଭୟ ହେଉଛି ।

 

ବିନୋଦ ଉଠି ବସିଲା । ପୁଣି ଥରେ ନିରେଖି ଚାହିଁଲା ଶାୟିତ ଆଦିବାସୀ ଧେଙ୍ଗଡ଼ାମାନଙ୍କୁ ।

 

ସେମାନେ ନିଶ୍ଚିନ୍ତରେ ଶୋଇଛନ୍ତି । ବିନୋଦ ସେମାନଙ୍କୁ ଧୀରେ ଧୀରେ, ସନ୍ତର୍ପଣରେ ଡେଇଁ ବାହାରକୁ ଆସିଲା ।

 

ଆକାଶରେ ଜହ୍ନ ଉଠିଲାଣି ।

 

ଦିଗନ୍ତ ବିସ୍ତାରୀ ଅରଣ୍ୟର ଗଛ ପତ୍ରରେ ଚନ୍ଦ୍ର ଲୋକ ଅସ୍ପଷ୍ଟ ଭାବରେ ବିଛୁରି ପଡ଼ିଛି । ଚନ୍ଦ୍ର ଆଲୋକର ଏକ ସରଳରୈଖିକ ଫଳକ ସିଧା ପଡ଼ିଛି ଆସି ତା ମୁହଁରେ ।

 

ବିନୋଦ ଭାବପ୍ରବଣ ହୋଇଉଠିଲା । ନୀରବ ନିଶୀଥରେ ଅରଣ୍ୟର ସେଇ ଶାନ୍ତରୂପକୁ, ଜ୍ୟୋସ୍ନାଲୋକର ଧବଳିମାରେ ଦେଖିବାକୁ ତାର ଇଚ୍ଛାହେଲା । ଆଗ୍ରହ ହେଲା । ମୁହୂର୍ତ୍ତକ ଆଗରୁ, ଯେଉଁ ଭୟ ଓ ଆଶଙ୍କାରେ ସେ ଆଶଙ୍କିତ ହୋଇ ଉଠୁଥିଲା, ସେ ଭୟ, ଭାବପ୍ରବଣତାର ଅସୀମ ସାଗର ଭିତରେ କୁଆଡ଼େ ଲୀନ ହୋଇଗଲା ।

 

ବିନୋଦର ଦୃଷ୍ଟି ଦିଗନ୍ତ ହଜିଯାଇଛି ଖୁବ୍ ଦୂରକୁ ଦୂରକୁ ।

 

ଆଃ, କି ଚମତ୍କାର ରାତି ! ରାମଗିରି-ଉଦୟଗିରି ପାହାଡ଼ ଜ୍ୟୋସ୍ନାର ଫେନିଳ ସ୍ପର୍ଶରେ, ବରଫାବୃତ ସ୍ଥାନପରି ଦୂରକୁ ଦେଖାଯାଉଛି ।

 

ହେ ରାମଗିରି-ଉଦୟଗିରି ! ଅତୀତ ଯୁଗର ସେଇ ରାମାୟଣ ପ୍ରସିଦ୍ଧ ରାମଚନ୍ଦ୍ରଙ୍କୁ, ରାତ୍ରିର ଏଇ ନୀରବ କୋଳରେ ଥରେ ମୋତେ ମାତ୍ର ମୁହୂର୍ତ୍ତକ ପାଇଁ ଦେଖାଇଦିଅ । ସମାଧି (?) ଗର୍ଭରୁ, ସେମାନଙ୍କୁ ଥରେ ବାହାର କରି, ତାଙ୍କର ପ୍ରେତରୂପେ, ଭୂତରୂପେ, ଛାୟାରୂପେ ମୋତେ ଥରେ ଦେଖାଇଦିଅ !

 

ରାମାୟଣର ଅଲୌକିକ କଥାବସ୍ତୁ ମୋ ଆଗରେ ଶୁଣା କାହାଣୀ ହୋଇ ନ ରହୁ । ସେ ଗଳ୍ପ, ସେ ଆଖ୍ୟାୟିକା, ରାମାୟଣ ବର୍ଣ୍ଣିତ ଘଟଣା ବିନ୍ୟାସ, ସତ୍ୟରୂପେ, ଆଜିର ଏଇ ଘୁମନ୍ତ ରାତିର ନିରୋଳା ପରିବେଶରେ ମୋ ଆଖି ଆଗରେ ଦେଖାଦେଉ ।

 

ବିନୋଦ, ରାମାୟଣର ସମସ୍ତ ଘଟଣାବଳୀ, ସ୍ମରଣ କରି କରି, ଆଗକୁ ଆଗକୁ, ଧୀରେ ଧୀରେ, ପଦକ୍ଷେପ ପକାଇ ଆଗେଇ ଚାଲିଛି ।

 

ରାତ୍ରିର ହାୱାରେ, ଅତୀତ ଯୁଗର ସେଇ ଉନ୍ନତ, ଋଦ୍ଧିମନ୍ତ ସୁଖୀ ସମୃଦ୍ଧ ରାମରାଜ୍ୟର, ବିପୁଳ କଳ ଉଚ୍ଛ୍ଵାସ ସତେ ଯେପରି ତାକୁ ଫିସ୍ ଫିସ୍ ହୋଇ ଶୁଭିଯାଉଛି ।

 

ବେଳେ ବେଳେ ସେ ଠିଆ ହୋଇଯାଉଛି । ଆଉ ବେଳେ ବେଳେ ରାମଗିରି ପାହାଡ଼କୁ ଚାହିଁ ଚାହିଁ, ଆଗକୁ, ପଛକୁ ଏବଂ ଦୁଇପାର୍ଶ୍ଵ ଉପରେ ଦୃଷ୍ଟି ପକାଇ ପାହୁଣ୍ଡେ ପାହୁଣ୍ଡେ ଆଗକୁ ଯାଉଛି ।

 

ହଠାତ୍ ଅରଣ୍ୟ ଭିତରୁ, ଖୁବ୍ ଦୂରରୁ ଏକ ବିକଟାଳ ଶବ୍ଦ ଶୁଭିଲା । ସେଇ ବିକଟାଳ ଶବ୍ଦର ତରଙ୍ଗରେ ସମଗ୍ର ଅରଣ୍ୟର ଶାନ୍ତ, ନିଥର ପରିବେଶ ଅଶାନ୍ତ, ଦ୍ଵିଧାଗ୍ରସ୍ତ ହୋଇଉଠିଲା ।

 

ବିନୋଦ ଚମକି ପଡ଼ିଲା । ଅତୀତର ସେଇ ଏକଦା, ଅଲୌକିକ, ତ୍ୟାଗପୂତ କାହାଣୀର ରୋମନ୍ଥନ ହଠାତ୍ ତାର ବିସ୍ମୃତ ହେଲା ।

 

ସେ ଥମକି ଠିଆ ହେଲା । ନୀରବ ରାତ୍ରିରେ ଏତେ ବାଟ ଆପେ ଆପେ ଚାଲି ଆସିଥିବାର ଜାଣି ପ୍ରମାଦ ଗଣିଲା ।

 

ଠିକ୍ ସେତିକିବେଳେ ଗୋଟିଏ ଆଦିବାସୀ ଧେଙ୍ଗଡ଼ାର ନିଦ ଭାଜିଗଲା । ଅରଣ୍ୟର ସେଇ ବିକଟାଳ ଶବ୍ଦ ବୋଧହୁଏ ତା ନିଦ୍ରାରେ ବ୍ୟାଘାତ ସୃଷ୍ଟିକଲା ।

 

ସେ ଚିତ୍କାର କରିଉଠିଲା । ବିନୋଦକୁ ତା’ ଶୋଇବା ସ୍ଥାନରେ ନ ଦେଖି, ବାହାରକୁ ଚାହିଁଲା । ବିନୋଦ ଧୀରେ ଧୀରେ ସେଇ ଧେଙ୍ଗଡ଼ା ଘର ଆଡ଼କୁ ଆସୁଥିବାର ଦେଖି କହିଲା—ହଇରେ ବାବୁ । ରାତ୍ରଟାରେ ବଣ ଭିତରେ ବୁଲୁଛୁ କାହିଁକିରେ ? ଜୀବନକୁ ତୋର କ’ଣ ଭରସା ନାହିଁ ? ପଳାଇ ଆ–ଶୁଭୁଛିନା ବାଘ ହେଣ୍ଟାଳ ମାରୁଛି କେମିତି ?

 

ବିନୋଦ ଦେହରେ ଚମକ ପଶିଲା । ସେ ଆଉ ପଛକୁ ନ ଅନାଇଁ ଏକାନିଃଶ୍ୱାସକେ, ସୁପ୍ତ ଧେଙ୍ଗଡ଼ାମାନଙ୍କୁ ଡେଇଁପଡ଼ି ନିଜ ଶୋଇବା ଯାଗାରେ ବସିଗଲା ।

 

ଧେଙ୍ଗଡ଼ାଟି ପୁଣି ଶୋଇଗଲା ।

 

ବିନୋଦ ଶୋଇବା ଉଦ୍ଦେଶ୍ୟରେ ପୁଣି ଆଖି ମୁଦି ଶୋଇବାକୁ ଚେଷ୍ଟା କଲା ।

 

ସେତେବେଳେ ଆରଣ୍ୟକ ରାତ୍ରି ଗର୍ଜ୍ଜୁଥିଲା...

 

ଚାନ୍ଦିପୁଟ ପଲ୍ଲୀରେ, ଅତି ବିଳମ୍ବରେ କୁହୁଡ଼ି ଯୋଗୁଁ ସୂର୍ଯ୍ୟାଲୋକ ଦେଖାଗଲା ।

 

ବିନୋଦ ଦୁଇଦିନ ହେଲା ଆସିଲାଣି । ଆଦିବାସୀ ଅନୁଷ୍ଠାନର ଖାତାପତ୍ର ସେ ତନଖି କରୁଛି । ତଦାରଖ କରୁଛି । ସରକାରୀ ହିସାବପତ୍ରକୁ ଯାଞ୍ଚ କରିବା ସମ୍ପର୍କରେ ତାର ଆଦୌ ଧାରଣା ନଥିଲା । ଜ୍ଞାନ ନ ଥିଲା । ମାତ୍ର ଏଠାକୁ ଆସି, ଆପେ ଆପେ, ନିଜର ଦୂରଦୃଷ୍ଟି ଓ ସାଧାରଣ ଜ୍ଞାନକୁ ଉପଯୋଗ କରି, ସେ ପରିଦର୍ଶନ କାର୍ଯ୍ୟ ଆରମ୍ଭ କରିଛି । ଆଦିବାସୀ ଉନ୍ନୟନ ସମିତିର ଲାଭ କ୍ଷତି ଉପରେ ମୋଟା ମୋଟି ଏକ ଧାରଣା ସେ ନେବାକୁ ଚେଷ୍ଟା କରୁଛି । ସେଇ ଧାରଣା ଉପରେ ତା’ର ପରିଦର୍ଶନ ରିପୋର୍ଟ ଅଫିସରେ ଉପସ୍ଥାପିତ କରିବ ବୋଲି ମନେ ମନେ ସ୍ଥିର କରି ନେଇଛି ।

 

ମାଳ ଅଞ୍ଚଳ ବୋଲି, ଝରଣା ଜଳରେ ନ ଗାଧୋଇ, ତାକୁ ସିଜାଇ ସେଇ ପାଣିରେ ବିନୋଦ ସ୍ନାନ ସାରିଦେଇଛି ।

 

ସକାଳୁ, ନିଜ ବ୍ୟାଗ ଭିତରେ, ବ୍ରହ୍ମପୁରରୁ କିଣି ସାଇତି ରଖିଥିବା ପାଉଁରୁଟି, ବଟର ଓ ଚିନି ଦେଇ, ସକାଳର ଜଳଖିଆ ଶେଷ କରିସାରିଲାଣି ।

 

ସେ ଖାତାପତ୍ର ଖେଳାଇବାରେ ଲାଗିଛି । ଚୈତ୍ରର ସକାଳ ଧୀରେ ଧୀରେ, ଚାନ୍ଦିପୁଟ ପଲ୍ଲୀକୁ, କାନ୍ତ, ମନୋରମ କରିବାରେ ସାହାଯ୍ୟ କରୁଛି ।

 

ବିନୋଦ ଅତି ନିବିଷ୍ଟ ମନରେ ଖାତାପତ୍ର ଦେଖୁ ଦେଖୁ ହଠାତ୍, ଧେଙ୍ଗଡ଼ା ଘରରେ ଝରକା ଭଳି ତିଆରି ହୋଇଥିବା ଗୋଟିଏ ବିରାଟ ରନ୍ଧ୍ରରେ ଚାହିଁଦେଲା ବାହାରକୁ ।

ସକାଳର ଶାନ୍ତ, କୋମଳ ଖରାରେ ଦଶ, ବାରଟି ଆଦିବାସୀ ଯୁବତୀ ହଲି ଝୁଲି, ଝରଣାର ଜଳ ବଡ଼ ବଡ଼ ମାଠିଆରେ ଭର୍ତ୍ତି କରି, ଆଗକୁ ଆଗକୁ ଆସୁଛନ୍ତି । ମଝିରେ ମଝିରେ ଧାଡ଼ି ଭାଙ୍ଗି, ଗୋଲାକାର ବୃତ୍ତ ସାଜି, ନିଜ ନିଜ କାନରେ, ଆଦିବାସୀ ଭାଷାରେ କଥାବାର୍ତ୍ତା ହୋଇ ହସି ହସି ଗଡ଼ିଯାଉଛନ୍ତି ।

ବିନୋଦ, କାଗଜ ଓ କଲମ ଛାଡ଼ିଦେଇ, ଆଉ ଟିକିଏ ଘୁଞ୍ଚିଗଲା ସେଇ ଘରର ରନ୍ଧ୍ର ପାଖକୁ ।

ସତର ଅଠର ବର୍ଷ ବୟସର ଆଦିବାସୀ ଯୁବତୀ ଦଳେ । ଦେହରେ ଲୁଗା ନାହିଁ । ମୁଣ୍ଡରେ ଓଢ଼ଣୀ ନାହିଁ । ଅଣ୍ଟାଦେଶରୁ ଗୋଡ଼ ତଳିପା ପର୍ଯ୍ୟନ୍ତ ଶାଢ଼ୀ ଆସି ଝୁଲି ପଡ଼ୁନାହିଁ । ତଳେ ଲୋଟୁ ନାହିଁ ।

ଦେଢ଼ଗଜ ଲମ୍ବ କନାରେ ସେମାନେ କାଛିଆ ମାରିଛନ୍ତି । ଶରୀରର ସୁକୁମାର ଅଙ୍ଗକୁ, ସେଇ ନାତିଦୀର୍ଘ କନାର ଆବରଣ ଭିତରେ, ସେମାନେ ଢାଙ୍କିଛନ୍ତି ।

ବିନୋଦର, ଅବିବାହିତ ଯୁବକ ମନ, ଆଦିବାସୀ ଯୁବତୀମାନଙ୍କୁ ଖୋଲା ଦେହରେ ଦେଖି ହଠାତ୍ କେମିତି କେମିତି ହୋଇଗଲା । ଗୋଟିଏ ଚମତ୍କାର ସଙ୍ଗୀତର ମଧୁର ମୂର୍ଚ୍ଛନା ଶୁଣି ଦେହ ଭିତରେ ଯେପରି ସୃଷ୍ଟି ହୁଏ ଏକ ଅବ୍ୟକ୍ତ, ଅନନୁଭୂତ ରୋମାଞ୍ଚ, ଠିକ୍ ସେହିଭଳି ବିନୋଦର ଶରୀରରେ ଏକ କରୁଣ ସଙ୍ଗୀତର ମୂର୍ଚ୍ଛନା ରହି ରହି ଝଙ୍କୃତ ହେଲା ।

 

ସେ ଆହୁରି ଲାଗିଗଲା କାନ୍ଥ ପାଖକୁ । ସ୍ୱାସ୍ଥ୍ୟବତୀ ଆଦିବାସୀ ଯୁବତୀମାନଙ୍କର ମାଂସଳ ମାଂସପେଶୀ ! କୁନ୍ଦିଲା କାନ୍ଦିଲା ଦେହ—ବଳିଲା ନିଦା ଛାତି—ମୋଟା ମୋଟା ବାହା । ଖୋଲାଦେହରେ, ଝରଣାରୁ ପାଣିଆଣିବା ଠାରୁ ଆରମ୍ଭ କରି ସେମାନେ ସବୁକାମ କରିପାରୁଛନ୍ତି ।

 

ସେମାନଙ୍କର ଲଜ୍ୟା ନାହିଁ । ସଙ୍କୋଚ ନାହିଁ । ଖୋଲା ଛାତିରେ ଘୂରିବାକୁ ସେମାନେ କୁଣ୍ଠାବୋଧ କରନ୍ତି ନାହିଁ, ନିର୍ବିକାର, ନିର୍ବିକଳ୍ପ ଭାବରେ, ବିକାର ଶୂନ୍ୟ ଚିତ୍ତରେ, କଳନାଦିମୀ ଝରଣାର ମର୍ମରିତ ତାନରେ, ସେମାନେ ପ୍ରକୃତିର କୋଳରେ ବଢ଼ନ୍ତି । ଘୂରନ୍ତି ।

 

ସେମାନଙ୍କ ନଗ୍ନତନ୍ତୁ ଦେଖି ଆଦିବାସୀ ଯୁବକର ମନ ଯୌନ ଆକର୍ଷଣରେ ଆଚ୍ଛନ୍ନ ହୁଏନାହିଁ । ସାଧାରଣ ଭାବରେ, ସେମାନେ ଯୁବତୀମାନଙ୍କ ସହିତ ମିଶନ୍ତି । ଗଳ୍ପ କରନ୍ତି । ପର୍ବ ଦିନମାନଙ୍କରେ ଦୁଇଧାଡ଼ି ହୋଇ, ଗୀତଗାଇ, ମାଦଲ ବଜାଇ, ହାଣ୍ଡିଆ ପିଇ ନିଜକୁ ଭୁଲିଯାଆନ୍ତି-

 

ବିନୋଦର ଅବଚେତନ ମନ ଭିତରୁ ଗୋଟିଏ ଭାବର ଉଦ୍ରେକ ହେଉଛି । କ’ଣ ସେ ଭାବ ? କାହିଁକି ସେ ଉଦୟ ହୁଏ ? ମଣିଷ ମନର ଅନ୍ଧାର ଗୁହାତଳେ ସେଇ ଭାବର ଆବହ କାହିଁକି ସୃଷ୍ଟି ହୁଏ ? ସେ ଭାବର ଢେଉରେ ମନ ତଳର ଶାନ୍ତ୍, ସ୍ନିଗ୍ଧ ଓ ମଧୁର ଜଳ କାହିଁକି ଆବିଳ ହୁଏ ? ପଙ୍କିଳ ହୁଏ ?

 

ବିନୋଦ ଚେଷ୍ଟାକଲା, ଧେଙ୍ଗଡ଼ା ଘରର ସେଇ ରନ୍ଧ୍ର ନିକଟରୁ ନିଜର ଆଖି ଫେରାଇ ଆଣି କର୍ତ୍ତବ୍ୟରେ ମନୋନିବେଶ କରିବାକୁ । ମାନ୍ତ୍ର ତା’ ପୁରୁଷ ମନର ଏକ ସୁମଧୁର ଆକର୍ଷଣ ଶକ୍ତି, ତାହା ତାକୁ କରାଇ ଦେଲା ନାହିଁ । ଆପଣାର କର୍ତ୍ତବ୍ୟରେ ଜଡ଼ାଇ ଦେବାକୁ ମନକୁ ତାର ବାଟ ଛାଡ଼ିଲା ନାହିଁ ।

 

କିନ୍ତୁ କିଏ ଯଦି ଦେଖେ ? କଳା ମଚମଚ, ସ୍ଵାସ୍ଥ୍ୟବତୀ, ଏବଂ ଗୋଟିଏ ଫୁଲର ଚାରିଟି ପାଖୁଡ଼ାପରି ଏଇ ପ୍ରାୟତଃ ଲଙ୍ଗଳା ଯୁବତୀମାନଙ୍କୁ ସେ ଲୁଚି ଲୁଚି କାନ୍ଥ କଣାରେ ଦେଖୁଛି ବୋଲି କେହି ଯଦି ଦେଖି ପକାଏ, ତା’ ହେଲେ ସେମାନେ କଣ ଭାବିବେ ?

 

ଆଦିବାସୀମାନେ ଖୁବ୍ ସରଳ । ଶାନ୍ତ । ଉଦାର । ନିରାଡ଼ମ୍ବର। ନିଃସ୍ୱାର୍ଥପର । ଅନ୍ୟ ପକ୍ଷରେ ସେମାନେ ଯାହା ବୁଝିବେ, ତାହାହିଁ ଠିକ୍ । ତାହାହିଁ ମଧ୍ୟ ଭୁଲ୍‍ । ଯଦି ଥରେ ସେମାନେ ଭୁଲ ବୁଝିବେ, ଖରାପ ବୋଲି ଧାରଣା କରିବେ ତେବେ ସାଙ୍ଗେ ସାଙ୍ଗେ ହୋଇ ଉଠିବେ ପ୍ରଚଣ୍ଡ । ଦୁର୍ଦ୍ଦାନ୍ତ । ଦୂରନ୍ତ । ଦୁର୍ଦ୍ଦଣ୍ଡ । ଭୀଷଣ ଓ ଭୟାନକ ।

 

ଯେଉଁ ଟାଙ୍ଗିଆରେ ସେମାନେ ଗଛ କାଟନ୍ତି, ଯେଉଁ ଧନୁ ଶରରେ ସେମାନେ ବାଘ ମାରନ୍ତି, ମିରିଗ ଶିକାର କରନ୍ତି, ସେଇ ଟାଙ୍ଗିଆ ଓ ଧନୁଶରରେ ମଣିଷର ମୁଣ୍ଡଟା କାଟି ଦେବାକୁ ସେମାନଙ୍କୁ ବେଶି ସମୟ ଲାଗିବ ନାହିଁ । ମୁଣ୍ଡରୁ ଗଣ୍ଡି ଅଲଗା କରିଦେବାକୁ, ସେମାନଙ୍କୁ କଷ୍ଟବୋଧ ହେବନାହିଁ ।

 

ମାତ୍ର କ’ଣ ସେ କରିବ ? ଏ ପାଖେ କର୍ତ୍ତବ୍ୟ । ସାମାଜିକ ଶିଷ୍ଟାଚାର । ଭଦ୍ରାମି । ମାନ ସମ୍ମାନର ଉତ୍ତୁଙ୍ଗ ଶିଖର । ଆରପଟେ ବାରୋଟି ଯୁବତୀଙ୍କର ଖୋଲା ଦେହ । ନଗ୍ନ ଶରୀର । ବିପୁଳ ସୌନ୍ଦର୍ଯ୍ୟ । ମାଂସର ଆକର୍ଷଣ । ଲୋଭ ।

 

ବିନୋଦର ତାରୁଣ୍ୟ, ସେ ଦିନ ହଠାତ୍ । ସିଂହପରି, ରଡ଼ି ଛାଡ଼ିଲା । ତା’ର ଇଚ୍ଛା ହେଲା, ଧେଙ୍ଗଡ଼ା ଘରର ଚାରିକାନ୍ଥ ଡେଇଁ, ଦଉଡ଼ି ପଳାଇଯିବ ସେଇ ବାରଗୋଟି, କ୍ରୀଡ଼ାରତ ଆଦିବାସୀ ଯୁବତୀଙ୍କ ପାଖକୁ । ସେମାନଙ୍କପରି ସେ ବିକାରଶୂନ୍ୟ ହୋଇ, ଯୌନ ଆବେଦନକୁ ପରିହାର କରି, ଶାନ୍ତ ସରଳ ପିଲାଟି ପରି ଲଙ୍ଗଳା ହୋଇ, ସେମାନଙ୍କ ସଙ୍ଗେ ନାଚିବ । ସେମାନଙ୍କ ମୁଣ୍ଡରୁ ଜଳଭରା ମାଠିଆଗୁଡ଼ାକ ଛଡ଼ାଇ; ନିଜ ମୁଣ୍ଡରେ ଥାକ ଥାକ କରି ସଜାଇ ଦେବ-

 

ସେ ଭୁଲିଯିବ ତା’ର ଆଭିଜାତ୍ୟ । ଗର୍ବ, ଗୌରବ ଓ ଆତ୍ମ ସମ୍ମାନ । ସଭ୍ୟତାର ଆଲୋକକୁ ନିଜ ଦେହରୁ ନିର୍ବିଚାରରେ ଫିଙ୍ଗିଦେଇ, ସେ ପୁଣି ହୋଇଯିବ ଆଦିମଯୁଗର ମଣିଷ । ସେ ଲଙ୍ଗଳା ହେବ । ଧନୁଶର ଧରିବ । ଶିକାର କରିବ । ସୁଖ ଓ ଶାନ୍ତିରେ, ସୀମାହୀନ ଏଇ ଅରଣ୍ୟାନୀ ଭିତରେ ସେ କାଳକାଟିବ । ଫଳ ମୂଳ ଖାଇ ସେ ତାର ଜୀବିକା ନିର୍ବାହ କରିବ ।

 

ସେ ଆଉ ଫେରିବନି । ଫେରିବନି ସଭ୍ୟତା ଓ ସଂସ୍କୃତିର ଚରମ ବିକାଶ ସାଧିତ ହେଉଛି ଯେଉଁଠାରେ । ସଭ୍ୟତା, ଶିକ୍ଷା ଓ ସଂସ୍କୃତି ମଣିଷକୁ ସ୍ୱାର୍ଥପର କରୁଛି । ବଡ଼ ହେବାପାଇଁ ପ୍ରେରଣା ଯୋଗାଉଛି । ପ୍ରତି ଦ୍ଵନ୍ଦିତା କରିବା ପାଇଁ ସବୁ ପ୍ରକାର ପରିବେଶ ସୃଷ୍ଟି କରୁଛି । କ୍ଷମତାର ଉତ୍ତୁଙ୍ଗ ଶିଖରରେ ବସି ରହିବା ପାଇଁ ମଣିଷ ମନରେ ଉଦଗ୍ର ଆକାଂକ୍ଷା ଜାଗୁଛି ।

 

ବଞ୍ଚି ରହିବା ପାଇଁ ପରସ୍ପର, ପରସ୍ପର ବିରୁଦ୍ଧରେ ନାନା ହୀନ, ଅବାଞ୍ଛିତ ଷଢ଼ଯନ୍ତ୍ରରେ ଲିପ୍ତ ରହୁଛନ୍ତି । ସ୍ନେହ ନାହିଁ । ସୌହାର୍ଦ୍ଦ୍ୟ ନାହିଁ । ପ୍ରୀତି ନାହିଁ । ମୈତ୍ରୀ ନାହିଁ । କରୁଣା ଓ ସହାନୁଭୂତି ଧୀରେ ଧୀରେ ସ୍ଵପ୍ନ ହୋଇ ଯାଉଛି । ସଭ୍ୟତା ଓ ସଂସ୍କୃତିରେ ପରିପୁଷ୍ଟ ହୋଇ, ସଭ୍ୟ ଜଗତର ମଣିଷ ଧୀରେ ଧୀରେ ପଶୁ ହୋଇ ଉଠୁଛି । ମାନବିକତା ଲୋପ ପାଉଛି ।

 

ବିନୋଦର ମନ ଧୀରେ ଧୀରେ ହୋଇ ଉଠୁଥିଲା ଆଦିମ । ଆଦିମ, ପୁରାତନ ସଭ୍ୟତାରେ, ବଣ ଜଙ୍ଗଲର ଅନ୍ଧକାର ଭିତରେ ରହିବା ପାଇଁ ତା’ର ମନ ଏକ ଅହେତୁକ ଉତ୍ତେଜନାରେ ପ୍ରବଳ ହୋଇଉଠିଲା ।

 

ବିନୋଦ ତଥାପି ଚାହିଁଛି ସେଇ ବାରଗୋଟି ଆଦିବାସୀ ଯୁବତୀଙ୍କୁ...

 

ସେମାନେ ଧେଙ୍ଗଡ଼ା ଘରର ଖୁବ୍ ନିକଟରେ ଆସି ପହଞ୍ଚି ଗଲେଣି । ଖୁବ୍ ନିକଟରେ ଦେଖିବାକୁ ତା’ର ଇଚ୍ଛା ହେଉଛି । ବାସନା ଜାଗୁଛି । କିନ୍ତୁ ସେମାନେ ଯଦି ତାକୁ ଡାହାଣୀଙ୍କ ପରି ଅନାଉ ଥିବାର ଦେଖିବେ, ତା’ହେଲେ ସେମାନେ ଖରାପ ଭାବିବେ ନାହିଁତ ? ସେମାନେ କିଛି କହିବେ ନାହିଁତ ?

 

ଆଦିବାସୀ ଯୁବତୀମାନେ ଆସୁଛନ୍ତି ସେଇ ବାଟେ ।

 

ବିନୋଦ ଆଉ ଚାହିଁ ପାରିଲାନି । ତୁନୀ ହୋଇ, କାଗଜ ପତ୍ର ଉପରେ ଦୃଷ୍ଟି ନିକ୍ଷେପ କରି, ବସି ରହିଲା ।

 

ସେମାନେ ନିଜ ନିଜ ଘରକୁ ଝରଣାର ଜଳ ନେଇ ଚାଲିଗଲେ ।

 

ବାଘପରି, ଚୈତ୍ରର ଖରା ମାଡ଼ି ମାଡ଼ି ଆସୁଥିଲା ସେତେବେଳେ ।

 

ବିନୋଦର ପରିଦର୍ଶନ କାମ ସରିଛି...

 

ସେ ଆଜି ଫେରିଯିବ ବ୍ରହ୍ମପୁର । ଆର୍. ଉଦୟଗିରିଠାରୁ ବ୍ରହ୍ମପୁର ଆଡ଼କୁ ଯାଉଥିବା ବସ୍‍କୁ ଅପେକ୍ଷା କରି ରହିଛି ।

 

ଏଇ ମାତ୍ର ସାତଟି ଦିନ ରହଣୀ ତା’ର କାଳ କାଳକୁ ମନେ ରହିବ । ଆଦିବାସୀ ପଲ୍ଲୀର ଜୀବନଯାତ୍ରା ପ୍ରଣାଳୀ, ସେମାନଙ୍କର ଆତିଥ୍ୟ, ସ୍ନେହ ଓ ସୌହାର୍ଦ୍ଦ୍ୟ ତା’ର ଚିରଦିନ ମନେ ରହିବ ।

 

ଯେଉଁ ଆଦିବାସୀ ଯୁବତୀମାନେ, ପ୍ରତିଦିନ ଝରଣା ଜଳ ସିଜେଇ ତାକୁ ଗାଧେଇବା ପାଇଁ ଡାକନ୍ତି, ହସି ହସି ମାଟିପାତ୍ରରେ ଝରଣାର ଜଳ ପିଇବା ପାଇଁ ତା’ ହାତକୁ ବଢ଼ାଇ ଦିଅନ୍ତି, ସେଇ ସବୁ କଥା ମନେ ପଡ଼ି ବିନୋଦର ମନ କାରୁଣ୍ୟରେ ଭରିଗଲା ।

 

ସେମାନେ ଦୂରରେ ଠିଆ ହୋଇ ତାକୁ ବିଦାୟ ସମ୍ବର୍ଦ୍ଧନା ଦେବାକୁ ଆସିଛନ୍ତି ।

 

ପାଖରେ ଘାସିରାମ ସମେତ ଅନେକ ବୁଢ଼ା ଭେଣ୍ଡା ତାକୁ ଘେରି ଠିଆ ହୋଇଛନ୍ତି ।

 

ବସ୍ ଏପର୍ଯ୍ୟନ୍ତ ଆସିନାହିଁ ।

 

ସଭ୍ୟ ଜଗତର ମଣିଷ ପରି ଏମାନଙ୍କର ଅନୁଭୂତି ଅଛି । ହୃଦୟ ଅଛି । ଦରବ ରହିଛି-। ଆନ୍ତରିକତା ମଧ୍ୟ ଅଛି । ନିଜର ପ୍ରିୟ ପରିଜନ, କିଛିଦିନ ପାଇଁ ସେମାନଙ୍କଠାରୁ ବିଦାୟ ନେଇ ଯେତେବେଳେ ବିଦେଶ ଯାତ୍ରାକରେ, ସେତେବେଳେ ପରିବାର ତଥା ଗାଆଁର ଲୋକେ ତାକୁ ବିଦାୟ ଦେବାକୁ ଆସନ୍ତି । ଅଶ୍ରୁପୂର୍ଣ୍ଣ ନୟନରେ ବିଦାୟ ଦେଇ ଘରକୁ ଫେରନ୍ତି ।

 

ଆଜି ମଧ୍ୟ ଠିକ୍ ସେଇମିତି ଅବସ୍ଥା । ସୀମାହୀନ ଅରଣ୍ୟ କୋଳରେ ବଢ଼ି କୁଢ଼ି, ନାଆଁକୁ ମାତ୍ର ମଣିଷର ଜନ୍ମପାଇ, ଚାନ୍ଦିପୁଟ ପଲ୍ଲୀର ଆଦିବାସୀ ପ୍ରୌଢ଼, ଯୁବକ ଓ ସର୍ବୋପରି ଯୁବତୀମାନେ ତାକୁ ଅଶ୍ରୁପୂର୍ଣ୍ଣ ନୟନରେ ବିଦାୟ ଦେଉଛନ୍ତି ।

 

ହେ ସଭ୍ୟ ଜଗତର ଆଲୋକ ପ୍ରାପ୍ତ ମଣିଷ ! ତମେ ବର୍ତ୍ତମାନ ଥରେ ଚାଲିଆସ ଏଇ ନିବିଡ଼ ଅରଣ୍ୟାନୀ କୋଳକୁ । ଯେଉଁ ଆଦିବାସୀମାନଙ୍କୁ ତମେ ଘୃଣାରେ, ମଣିଷ ବୋଲି ସ୍ୱୀକାର କରିବାକୁ କୁଣ୍ଠାବୋଧ କର, ଲଙ୍ଗଳା ହୋଇ ଖରା କାକରରେ, ଶୀତ ଓ ଖରାରେ ଯେଉଁମାନେ ଘୂରନ୍ତି, ପ୍ରକୃତିର ସନ୍ତାନ ରୂପେ ଯେଉଁମାନେ ବିବେଚିତ ହୁଅନ୍ତି, ସେଇ ଦୁର୍ଦ୍ଦଣ୍ଡ ଓ ଭୟାନକ ଜାତିର ପ୍ରାଣରେ ମାନବିକତାର ଯେଉଁ ମଧୂର ଫଲ୍‍ଗୁ ପ୍ରବାହିତ ହେଉଛି, ସେଇ ଫଲ୍‍ଗୁ ତମେ ଥରେ ଆସି ଦେଖିଯାଅ । ସେମାନଙ୍କ ପ୍ରାଣର ସବୁଜିମାକୁ ତମେ ଥରେ ଦୃଷ୍ଟି ଖୋଲି ଦେଖିନିଅ !!

 

ସେମାନଙ୍କର ଆଜିର ଏଇ ବିଦାୟ ଉତ୍ସବରେ ସାଧାରଣ ଲୌକିକତାର ସଙ୍କେତ ନାହିଁ-। ମାମୁଲୀ ଭଙ୍ଗୀରେ ସମଗ୍ର ପଲ୍ଲୀର ଲୋକେ ଆଜି ତାକୁ ବିଦାୟ ସମ୍ବର୍ଦ୍ଧନା ଦେବାକୁ ଆସି ନାହାନ୍ତି । ସାତଦିନ, ସାତରାତି ତା’ ସହିତ ଆପଣାର ଲୋକଭଳି ଚଳି, ଆପଣାର କରିଛନ୍ତି । ନିଜର କରିଛନ୍ତି-। ତା’ର ବିଦାୟ ଲଗନରେ ସେମାନଙ୍କ ଚକ୍ଷୁ ଅଶ୍ରୁସଜଳ ହୋଇଉଠୁଛି-

 

ଅନତିଦୂରରେ ଆଦିବାସୀ ଯୁବତୀମାନଙ୍କୁ ବିଷାଦ ଓ ଗମ୍ଭୀର ଦେଖି ବିନୋଦର ଇଚ୍ଛା ହେଲା ସେମାନଙ୍କ ପାଖକୁ ଯାଇ ବିଦାୟ ଭିକ୍ଷା କରିବାକୁ । ତମେମାନେ ମୋର ଅନେକ ସେବା କରିଛ । ଗାଧୋଇବା, ପାଣି ପିଇବା ଏବଂ ଖାଇବାରେ ଅସୁବିଧା ନ ହେବ ବୋଲି ତମେମାନେ ସର୍ବଦା ସଚେତନ ରହିଥିଲ । ଆଜିର ଏ ବିଦାୟ ଉତ୍ସବରେ, ତମମାନଙ୍କୁ କି ଭାଷାରେ କୃତଜ୍ଞତା ଜଣାଇବି ? କଣ କହି ତମମାନଙ୍କଠାରୁ ବିଦାୟ ନେବି ?

ସେ କ’ଣ ଯାଇପାରିବ ? ସେମାନଙ୍କଠାରୁ ବିଦାୟ ଆଣି ପାରିବ ? ଆଧୁନିକ ଶିକ୍ଷା ଓ ସଭ୍ୟତାରେ ନିଜ ମନକୁ ସେ ଗଢ଼ିଛି । ଶିକ୍ଷା ଓ ସଭ୍ୟତାରେ ରସାଣିତ ହୋଇ ମନରେ ତା’ର ପାପ ସ୍ପର୍ଶ କରିଛି । କଳୁଷ ପ୍ରବେଶ କରିଛି । ସେମାନଙ୍କ ପାଖକୁ ଗଲେ ତା’ର ପୁଂସ ସୁଲଭ ମନ ବେସୁରା ହୋଇଯିବ । ଛନ୍ଦହୀନ ଓ ଅସ୍ୱାଭାବିକ ହୋଇ ଉଠିବ ।

ବିନୋଦ ଭାବି ଚାଲିଛି...

ଘାସିରାମ ଆସି କହିଲା—ହଇରେ ବାବୁ, ଆମ ଧେଙ୍ଗଡ଼ାମାନେ ତୋ ପାଇଁ ସୋରିଷ ଆଣିଛନ୍ତି । ଅଦା ଆଉ ହଳଦୀ ମଧ୍ୟ ଆଣି ଏଇଠି ରଖିଛନ୍ତି । ତୋର ପିଲାପିଲି ଥିବେରେ ବାବୁ ! ଗଲାବେଳେ ଆମେ ଗାଡ଼ି ଭିତରେ ସବୁ ରଖିଦେବୁରେ !

ବିନୋଦ ବିସ୍ମିତ ବିସ୍ଫାରିତ ଆଖିରେ ଚାହିଁ ରହିଲା ଘାସି ରାମକୁ ।

ଘାସିରାମ କହିଲା—ଇମିତି କାହିଁକି ଚାହିଁ ରହିଛୁରେ ବାବୁ । ତୋଭଳି ବାବୁ ଯେଉଁମାନେ ଏଠାକୁ ଆସନ୍ତି, ସେମାନେ କେତେ ଜିନିଷ ନେବାକୁ ଆମକୁ ବରାଦ୍ ଦିଅନ୍ତିରେ ! ତୁ ତ କାହିଁ କିଛି କହୁନାହୁଁ ? ସାଙ୍ଗରେ କ’ଣ ନେବୁ ତାହା ମଧ୍ୟ କହୁନାହୁଁ ?

 

ତୁ ବାବୁ ନୂଆ ଆସିଛୁ ବୋଲି, ତୋର ଭାରି ଲାଜରେ ।

 

ଅନ୍ୟ ବାବୁମାନେ ଆସିଲା, ଆମ ଧେଙ୍ଗଡ଼ୀମାନଙ୍କ ସାଙ୍ଗରେ କେତେ ଥଟ୍ଟା ତାମସା କରନ୍ତି । ଖେଳ ଖେଳନ୍ତି । ତାଙ୍କ ମୁଣ୍ଡକୁ ଟାଣି ଦିଅନ୍ତିରେ । ମାତ୍ର ତୁଇ ବାବୁ କିଛି କରୁନାହୁଁ ! କିଛି ଧରୁନାହୁଁ ! ଲାଜ ଲାଜ ପାଇ ଘର ଭିତରଟାରେ ବସି, ସରକାରୀ କାଗଜ ପତ୍ର ସଜାଡ଼ିବାରେ ଲାଗିଗଲୁ ।

 

ବିନୋଦ ନିଜର ପଛପଟେ ସୋରିଷ, ଅଦା ଓ ହଳଦୀର ଏକ ବିରାଟ ବସ୍ତା ଦେଖି ଚମକି ଉଠିଲା ।

 

ଧୀରେ ଧୀରେ ସେ ଘାସିରାମ ପାଖକୁ ଗଲା । ତା’ କାନ୍ଧରେ ହାତ ପକାଇ କହିଲା—ଏ ସବୁ ଜିନିଷ ମୋର କ’ଣ ହେବ ଘାସି ରାମ ? ମୁଁ ବାହା ହୋଇନାହିଁ । ବୋହୂ ଆସିନାହିଁ । ଏ ଗୁଡ଼ିକ ନେଇ କାହାକୁ ଦେବି ? କ’ଣ କରିବି ? ତମେ ମତେ ଏସବୁ ନେବାକୁ ବାଧ୍ୟ କରନି ଘାସିରାମ । ଏଗୁଡ଼ିକ ତମେ ନେଇ ଦିଗପହଣ୍ଡିରେ କିମ୍ବା ପରାଳରେ ବିକ୍ରି କରି, ସେଇ ଟଙ୍କାକୁ ଆଣି ତମ ସମିତିର ପାଣ୍ଠିରେ ରଖ । ତମର ସେଥିରେ ଉପକାର ହେବ ।

 

ଘାସିରାମର ଫୁଲୁକା, ସତେଜ ମୁହଁ ମଉଳିଗଲା । ତାର କାଳିଆ, ଗମ୍ଭୀରିଆ ମୁହଁର ପାଚିଲା କରଡ଼ିଆ ଦାଢ଼ି ତଳେ, ଦି ଫାଳି ଗାଲ ଉପରେ, ଦୁଃଖର କାଳିମା ସତେ ଯେପରି ଛାଇ ହୋଇଗଲା । ତା’ର ଆଶା ନିରାଶାରେ ପରିଣତ ହେଲା । ତା’ର ଭେଟି ଉପଢ଼ୌକନ ଓ ଉପହାର ଗ୍ରାହ୍ୟ ନ ହେଲା ବୋଲି ସେ ଭାରି ମନଦୁଃଖ କଲା ।

 

ସେମାନେ ବଡ଼ ସରଳ ଜାତି । ସେହ, ଶ୍ରଦ୍ଧାରେ ସେମାନେ ଯାହା ଦେବେ, ସେଇ ସବୁ ଦ୍ରବ୍ୟକୁ ଅନ୍ୟମାନେ ଗ୍ରହଣ ନ କଲେ ସେମାନେ ଭାରି ଦୁଃଖ କରନ୍ତି । ଅଭିମାନ କରନ୍ତି ।

 

ଅନ୍ୟମାନେ, ଯେଉଁମାନେ ବିନୋଦକୁ ବିଦାୟ ଦେବାପାଇଁ ରାସ୍ତା ଉପରକୁ ଆସିଛନ୍ତି ସେମାନେ ମଧ୍ୟ ଦୁଃଖ କଲେ । ଗତ ଦୁଇଦିନ ଧରି ହଳଦୀ କିଆରୀରୁ, ସେମାନେ ହଳଦୀ ତାଡ଼ିଛନ୍ତି । ଅଦା ଖୋଳିଛନ୍ତି । ସୋରିଷ ସଂଗ୍ରହ କରିଛନ୍ତି । ବାବୁଙ୍କ ପାଇଁ, ବାବୁ ବ୍ରହ୍ମପୁରକୁ ନିଜ କାର୍ଯ୍ୟରେ ଏଇସବୁ ପଦାର୍ଥକୁ ଲଗାଇବା ପାଇଁ ସେମାନେ ପରିଶ୍ରମ କରିଥିଲେ ।

 

କିନ୍ତୁ ଏ କି କଥା ? ସେ ନେବେ ନାହିଁ ? ଏସବୁ କଅଣ ହେବ ? କାହାକୁ ଦିଆଯିବ ? ଯାହା ଉଦ୍ଦେଶ୍ୟରେ ଏ ଜିନିଷ ସବୁ ଅଣାଯାଇଛି, ସେହି ବାବୁ ଯଦି ଏହା ଗ୍ରହଣ ନକରିବେ ଏସବୁ ନଷ୍ଟ ହେବ । ଫୋପଡ଼ା ଯିବ । ନିଜ କାର୍ଯ୍ୟରେ ଏଇସବୁ ପଦାର୍ଥକୁ ଲଗାଇବା ମହାପାପ ।

 

ଘାସିରାମର କଣ୍ଠ ବେଦନାରେ ଭାରାକ୍ରାନ୍ତ ହୋଇଉଠିଲା ।

 

ସେ କହିଲା—ଏ କି କଥାରେ ବାବୁ ! ତୋ ପାଇଁ ଆମର ପିଲାମାନେ ଏସବୁ ଜିନିଷ ସଂଗ୍ରହ କରି ଆଣିଛନ୍ତି । ତୁ ଯଦି ସାଙ୍ଗରେ ନ ନେବୁ, ସେମାନେ ଦୁଃଖ କରିବେ । ଅଭିମାନ ମାରିବେ । ଦେଖିଲୁରେ ବାବୁ, ସେମାନଙ୍କ ମୁହଁ କିପରି ହୋଇଉଠୁଛି ? ଆମେ ଆଦିବାସୀ ଜାତିରେ ବାବୁ ! ଆମେ ମୁର୍ଖ । ପାଷାଣ୍ଡ । ବର୍ବର । ପାହାଡ଼ ତଳେ ଘର କରି ଆମେ ଦିନ କାଟୁ । ଆମର ପାଠ ନାହିଁ । ଶାଠ ନାହିଁ । ରୋଗରେ ପଡ଼ି ଘାଣ୍ଟି ଚକଟି ମରିଲେ ଔଷଧ ଲୋଡ଼ୁ ନାହିଁ । ବଣଦେବତାକୁ ମାନସିକ କରୁ । କୁକୁଡ଼ା ବଳୀଦେଉ । ଗୋରୁ ମୁଣ୍ଡ ଟେକୁ ।

ଏବେ, ଏଇ କେତେ ବର୍ଷ ହେଲା ସରକାର କମ୍ପାନୀର ଆମ ଉପରେ ନଜର ପଡ଼ିଛିରେ ବାବୁ । ଆମ ଜାତିର ଉନ୍ନତି ପାଇଁ ଏଠି ସମିତିଟିଏ ଗଢ଼ାଯାଇଛି । ସରକାରୀ ଟଙ୍କାରେ ଆମେ ପ୍ରଥମେ କାର୍ଯ୍ୟକଲୁ । ଏଇ ସମିତି, ଠାକୁରଙ୍କ କୃପାରୁ ଦିନୁ ଦିନ ବଢ଼ି ଚାଲିଛି । ଆମର ଭଲ ହେଉଛି । ଆମ ଜାତି ଭାଇ ଆଜି ଏକ ହୋଇଛନ୍ତି ।

ତୁ ବାବୁ ! ସାହେବ । ତୁ କେତେ ପାଠ ପଢ଼ିଛୁରେ । ହାତରେ ସମୟ ଜାଣିବା ଯନ୍ତ୍ରର ପିନ୍ଧିଛୁ । ଦେହରେ ଖୋଳ ପିନ୍ଧିଛୁ । କୁରୁତା ଦେଇଛୁ । ତତେ ଆମେ କ’ଣ ଦେବୁ ? କି ଉପହାର ଦେଇ ଆମେ ସନ୍ତୁଷ୍ଟ କରିବୁ ? ତୁ ଯଦି ଏତକ ସାଙ୍ଗରେ ନ ନେବୁ, ଆମେ ଦୁଃଖ କରିବୁ । କାନ୍ଦିବୁ-। ଆମ ଭାଗ୍ୟ ଖରାପ ବୋଲି ଆମେ ଧରି ନେବୁ । ଆଜିଠାରୁ ଆମର ଯଶା ମନ୍ଦ ହେଲା ବୋଲି ଆମେ ଭାବିବୁଁ ।

ବିନୋଦ ଆଶ୍ଚର୍ଯ୍ୟ ହେଲା । ହୋ ଜାତିର ନେତା ଘାସିରାମ ମନକଥା ଖୋଲି ସବୁ କଥା କହିଦେଲା । ଅତିଥିମାନଙ୍କୁ ମନ ଖୁସିରେ ସେମାନେ ଯାହା ଉପହାର ଦେବେ, ସେମାନେ ତା’ ଗ୍ରହଣ ନ କଲେ, ତାଙ୍କର ଭାଗ୍ୟ କୁଆଡ଼େ ଖରାପ ହୋଇଯାଏ ।

କିନ୍ତୁ ଏଗୁଡ଼ିକ ନେଇ ସେ କଣ କରିବ ? କାହାକୁ ଦେବ ? ଘରୋଇ ଜୀବନର ଏଇ ନିତ୍ୟ ବ୍ୟବହାର୍ଯ୍ୟ ଜିନିଷଗୁଡ଼ିକ ନିଜ ବସା ଭିତରେ ସାଇତି ରଖି, କଅଣ ଅବା ତାର ଲାଭ ହେବ ।

ନ ନେଲେ ଉପାୟ ନାହିଁ । ସେମାନଙ୍କ ମନରେ ଦୁଃଖଦେଇ, ସେ ଫେରିଯାଇ ପାରିବ ନାହିଁ । ଯେଉଁ ଆଦିବାସୀମାନେ ତା ପ୍ରତି ସତତ ସେବାପରାୟଣ, ସ୍ନେହଶୀଳ, ସହାନୁଭୂତିଶୀଳ ହୋଇଥିଲେ, ସେମାନଙ୍କୁ ଦୁଃଖଦେଇ ଫେରିଯିବା ଚରମ ନିର୍ବୋଧତା ହେବ ।

ସୀମାହୀନ ପାହାଡ଼ ତଳେ ବଢ଼ି ତାଙ୍କର ମନ ଶାନ୍ତ ହୋଇଛି । ସରଳ ପାଲଟିଛି । ବସନ୍ତର ମଳୟ ପରି ସେମାନେ ହୋଇଛନ୍ତି ହାଲ୍‍କା । ସେମାନେ ଛନ୍ଦ କପଟହୀନ । ସରଳ ଶିଶୁପରି ନିଷ୍ପାପ । ନିଷ୍ପଳଙ୍କ । ଫୁଲର ପାଖୁଡ଼ାପରି କୋମଳ । ମୁଲାୟମ ।

ତେଣୁ ଫୁଟନ୍ତ ଫୁଲ ଉପରେ ସେ କ’ଣ ଗରମ ପାଣି ପକାଇ ପାରିବ ? ତା’ର ଫୁଟନ୍ତ ସୌନ୍ଦର୍ଯ୍ୟକୁ ନଷ୍ଟ କରିଦେବା ଉଦ୍ଦେଶ୍ୟରେ ସେ କ’ଣ ତାକୁ ଛିଣ୍ଡେଇ ମିଣ୍ଡେଇ, ଦଳିଦାଳି ନଷ୍ଟ ଭ୍ରଷ୍ଟ କରି ପାରିବ ? ପାରିବ ନାହିଁ । ସେ ତାହା କରି ପାରିବ ନାହିଁ । ପୃଥିବୀର ଶୋଭା ସମ୍ପଦ ପ୍ରତି ତାର ଆସକ୍ତି ଅଛି । ଅନୁରାଗ ରହିଛି । ସେ ସୌନ୍ଦର୍ଯ୍ୟର ଉପାସକ । ପୂଜାରୀ ।

ତେଣୁ ଫୁଲପରି ଗୋଟିଏ ସରଳ ଜାତିର ମନରେ ସେ ଆଘାତ ଦେବନାହିଁ । ସେ ଜିନିଷଗୁଡ଼ିକ ତା’ ବସାଘରେ ପଡ଼ିରହୁ । ନଷ୍ଟ ହେଉ । ଉଇ ଖାଉ । ତଥାପି ସେ ନେବ । ତଥାପି ସେ ଗ୍ରହଣ କରିବ ।

ବିନୋଦ ବିଚାର କରୁଛି ମନେ ମନେ...

ଗୌରିକ ରାସ୍ତାରେ ଧୂଳିର ତୋଫାନ ଉଡ଼ାଇ ଉଡ଼ାଇ ବସ୍ ଆସି ପହଞ୍ଚିଗଲା ।

ବିନୋଦ ଉଠିଲା ତରବରରେ ।

ମୋଟରର ଏକ ପାର୍ଶ୍ଵଭାଗରେ ସେ ବସି ରହିଲା । ହଳଦୀ, ଅଦା ଓ ସୋରିଷ ମୋଟର ଉପରକୁ ଉଠୁଛି । ଆଦିବାସୀ ଭେଣ୍ଡାମାନେ ହସି ହସି ଅତି ଉତ୍ସାହରେ ମୋଟର ଉପରକୁ ବଢ଼ାଇ ଦେଉଛନ୍ତି ।

ଘାସିରାମ ହସୁଛି ଏକ ବୁକୁ ଉଛୁଳା ହସ । ଶ୍ଵେତ ଦାଢ଼ିଭରା ମୁଖ ଉପରୁ ଧାଡ଼ିଏ ଧଳା ଧଳା ବଡ଼ ବଡ଼ ଦାନ୍ତ ଦେଖାଯାଉଛି ବାହାରକୁ । ସକାଳର ନରମ, ଚିକ୍କଣ ଖରା ତେଜରେ ସେଇ ଦାନ୍ତଗୁଡ଼ିକ ଆହୁରି ସଫେଦ୍ ଦେଖାଯାଉଛି ।

 

ବିନୋଦର ଏସବୁ ପ୍ରତି ନଜର ନାହିଁ । ତାର ଦୃଷ୍ଟି ଦିଗନ୍ତ ହଜିଯାଇଛି ଅନତି ଦୂରରେ ଠିଆ ହୋଇଥିବା କେତୋଟି ଆଦିବାସୀ ବାଳିକାଙ୍କ ଉପରକୁ ।

 

ସେମାନେ ଚାହୁଁଛନ୍ତି...ତା’ର ବିଦାୟ ବେଳ କରୁଣ, ମର୍ମାନ୍ତିକ ପରିବେଶକୁ ଚାହିଁ, ସେମାନଙ୍କ ମନ ଦୁଃଖରେ ଭାରାକ୍ରାନ୍ତ ହୋଇଉଠୁଛି ।

 

ବିନୋଦର ବୁକୁ ରୁଦ୍ଧ ଆବେଗରେ ଫାଟିପଡ଼ିଲା ।

 

ଜିନିଷ ପତ୍ର ଲଦା ଲଦି ସରିଲା ।

 

ବିନୋଦ କିନ୍ତୁ ଚାହିଁ ରହିଛି ସେଇ ଆଡ଼କୁ ।

 

ନା, ଆଉ ସେ ଚାହିଁ ପାରିବନି । ସେମାନେ ବୋଧହୁଏ, ଆଖିରୁ ଲୁହ ଢାଳୁଛନ୍ତି ।

 

ବିନୋଦ ଆଖି ବୁଜିଦେଲା ।

 

ଘାସିରାମ କହିଲା—ଯାଆରେ ବାବୁ ! ଆମ କଥାମନେ ରଖିଥିବୁରେ ! ପୁଣି କେବେ ଆସିବୁ ?

 

ଘାସିରାମ ସମେତ ଠୁଳୀଭୂତ ସମସ୍ତ ଆଦିବାସୀ ବିନୋଦକୁ ହାତଯୋଡ଼ି ପ୍ରଣାମ ଜଣାଇଲେ ।

 

ବିନୋଦ ହାତ ଟେକିଲା । କିନ୍ତୁ କିଛି କହି ପାରିଲାନି । କେବଳ ଏକ ଅର୍ଥପୂର୍ଣ୍ଣ ନୟନରେ ଚାହିଁ ରହିଲା ସେମାନଙ୍କୁ ।

 

ବସ୍ ଚାଲିଲା...

 

ମିଃ ରେଡ଼ି ଆସିଲେ ।

 

ବିନୋଦର ରିପୋର୍ଟ ପଢ଼ି, ତା’ ପିଠିରେ ତାଳି ମାରି କହିଲେ—ଆପଣଙ୍କର ବିଜୟ ହୋଇଛି ବିନୋଦ ବାବୁ । ଆପଣ ନୂଆହୋଇ, ନିଜର ବୁଦ୍ଧି ଖର୍ଚ୍ଚ କରି ଯେଉଁ ସବୁ ଇମ୍ପୋଟାଣ୍ଟ ଡାଟା କଲେକ୍ସନ୍ କରିଛନ୍ତି, ତାହା ବାସ୍ତବିକ ପ୍ରଶଂସନୀୟ । ଆସନ୍ତୁ । ହାତ ମିଳାଇବା ।

 

ବିନୋଦ ଓ ମିଃ ରେଡ଼ି ହାତ ମିଳାଇଲେ । ଦୁଇଟି ସହକର୍ମୀ, ସହଧର୍ମୀ ଓ ସହମର୍ମୀ ହିସାବରେ, ନିବିଡ଼ ଭାବରେ ସେମାନେ ହାତ ମିଳାଇଲେ ।

 

ମିଃ ରେଡ଼ି ପଚାରିଲେ—ଚାକିରୀ ଜୀବନର ପ୍ରଥମ ସକାଳରେ ଆର୍ .ଉଦୟଗିରି କେମିତି ଲାଗିଲା ଆପଣଙ୍କୁ ? ମାଳ ଅଞ୍ଚଳରେ, ସର୍ବପ୍ରଥମେ ଆପଣ ଯେତେବେଳେ ଗସ୍ତକରି ଫେରି ଆସିଛନ୍ତି ବିନୋଦ ବାବୁ, ଆପଣଙ୍କର ଆଉ କିଛି ଅସୁବିଧା ହେବ ନାହିଁ । ଆପଣଙ୍କୁ ସେ କୌଣସି ସ୍ଥାନରେ ପୋଷ୍ଟିଂ କଲେ ମଧ୍ୟ, ଆପଣ ମଧ୍ୟ ଡରିଯିବେ ନାହିଁ ।

ଆର୍. ଉଦୟଗିରି ଆପଣଙ୍କ ପକ୍ଷେ ଏକ ଅଗ୍ନି ପରୀକ୍ଷା ହୋଇଥିଲା ବିନୋଦ ବାବୁ ! ଚାକିରୀ ଜୀବନର ପ୍ରଥମ ଆଗ୍ରହ ଓ ଆକାଂକ୍ଷାକୁ ଏମାନେ ଧୂଳିସାତ୍ କରିଦେବେ ବୋଲି ଯେଉଁ ଷଡ଼ଯନ୍ତ୍ର ସୃଷ୍ଟି କରିଥିଲେ, ସେ ଷଡ଼ଯନ୍ତ୍ର ବ୍ୟର୍ଥତାରେ ପର୍ଯ୍ୟବସିତ ହୋଇଯାଇଛି । ଆପଣ ଅଗ୍ନି ପରୀକ୍ଷାରେ ଊତ୍ତୀର୍ଣ୍ଣ ହୋଇଛନ୍ତି ।

ବିନୋଦ ହସୁଛି, ଆତ୍ମଶ୍ଳାଘାର ହସ...କିନ୍ତୁ କୌଣସି କଥାରେ ସେ ଉତ୍ତର ଦେଉନାହିଁ ।

ମିଃ ରେଡ଼ି କହି ଚାଲିଛନ୍ତି—ମୁଁ ଯେତେବେଳେ ଟୁର୍‍ରୁ ଫେରିଆସେ ସେତେବେଳେ ଆପଣଙ୍କୁ ଆର୍. ଉଦୟଗିରି ପଠାଯାଇଛି ବୋଲି ଶୁଣିଲି । ମୁଁ ସେତେବେଳେ କଳ୍ପନା କରିପାରିଲି ନାହିଁ ବିନୋଦ ବାବୁ ଆପଣ ଯାଇ ଏଡେ଼ ବିରାଟ ଅଥଚ ଦାୟିତ୍ଵପୂର୍ଣ୍ଣ ଇନିସ୍ପେକ୍ସନ୍ କିପରି ଟେକ୍ ଅପ୍ କରିବେ ! ଆପଣଙ୍କୁ କାହିଁକି ଓ କିଭଳି ଭାବରେ ସେଠାକୁ ପଠାଗଲା, ତାହା ମଧ୍ୟ ଶୁଣିବାକୁ ପାଇଲି ।

କିନ୍ତୁ ଆପଣଙ୍କ ରିପୋର୍ଟ ପଢ଼ିସାରିଲା ପରେ, ମୋର ମନେ ହେଲା, ଜଣେ ଅଭିଜ୍ଞ ଇନିସପେକ୍ଟର ଠାରୁ ଆପଣଙ୍କ ରିପୋର୍ଟ, ସଜେଶନ୍ ଓ ମନ୍ତବ୍ୟ ଶକ୍ତିଶାଳୀ ଓ ଯଥାର୍ଥ ହୋଇଛି । ଆଉ ଥରେ ମୁଁ ଆପଣଙ୍କୁ ମୋର ଅଭିନନ୍ଦନ ଜଣାଉଛି ।

ପୁଣି ବିନୋଦର ହାତକୁ ଧରି, ସେ କରମର୍ଦ୍ଦନ କଲେ ।

ବିନୋଦ ତଥାପି ନିରୁତ୍ତର...

ମିଃ ରେଡ଼ି, ନିଜର ଚନ୍ଦା ମୁଣ୍ଡରେ ହାତ ବୁଲାଇ ଆଣି କହିଲେ—ଆଚ୍ଛା ମୁଁ ଆସୁଛି ବିନୋଦ ବାବୁ । ଆପଣ ଭୀମବାବୁଙ୍କୁ ଦେଖା ସାକ୍ଷାତ କଲେଣି ?

ଅଫିସର ହେଡ଼କ୍ଲର୍କ ଭୀମବାବୁଙ୍କୁ ସେ ଏପର୍ଯ୍ୟନ୍ତ ସାକ୍ଷାତ କରିନାହିଁ ।

ବିନୋଦ କହିଲା—ନାଇଁ ।

—ସେ ଆପଣଙ୍କୁ ଖୋଜୁଛନ୍ତି । ଯାଉନ୍ତୁ କଥାବାର୍ତ୍ତା କରିବେ । ଆଚ୍ଛା ମୁଁ ଆସୁଛି ।

ମିଃ ରେଡ଼ି ଚାଲିଗଲେ ।

ଭୀମବାବୁ ବସିଛନ୍ତି...

ସବୁଦିନ ପରି, ନିଜ ଚଷମା ଭିତରୁ ଆଖି ମେଲି, ଫାଇଲ ଭିତରେ ବୁଡ଼ି ରହିଛନ୍ତି ।

ମାତ୍ର ଶହେ କୋଡ଼ିଏ ଟଙ୍କା ଦରମା ପାଇଁ, ତାଙ୍କର ଏ ପଳିତ ଶରୀରରେ, କି ପରିଶ୍ରମ କରୁଛନ୍ତି ସେ ! ତାଙ୍କ ଥରିଲା ଥରିଲା ହାତ ଦେଖିଲେ ଦୟା ଆସିବ । କରୁଣା ଜାଗ୍ରତ ହେବ । ତଥାପି ସେ ଥରି ଥରି, ବଙ୍କା ଅକ୍ଷରରେ କାମ ତୁଲାଉଛନ୍ତି । କାମ ନ କଲେ ତାଙ୍କ ସଂସାର ଚଳିବ କେମିତି ? ପୁଅ ପଢ଼ିବ କେମିତି ? ଝିଅ ଦୁହେଁ ବାହା ହେବେ କେମିତି ?

ଦାନାପାଣି ଯୋଗାଡ଼ କରିବା ପାଇଁ, ମଣିଷ ନରକର କୀଟ ସଂଗ୍ରହ କରୁଛି । ଘୁଅ କାଢ଼ୁଛି । ପରିସ୍ରା ଧରୁଛି । ଗଛତଳେ, ଖୋଲା ଆକାଶ ତଳେ, ଛାଇ ମୂଳେ ଭାତରାନ୍ଧି ଖାଉଛି । ରାସ୍ତାଧାରରେ ଶୋଉଛି । ତେଣୁ ଭୀମବାବୁ ଏ ବୟସରେ, ରୁଗ୍‍ଣ ଶରୀରରେ ଗଳଗାଜି ହୋଇ, ନିଜର ଇଚ୍ଛା ବିରୁଦ୍ଧରେ ଚାକିରୀ କରୁଛନ୍ତି । ସେଥିରେ ବିଚିତ୍ରତା ନାହିଁ । ବିସ୍ମୟ ହେବାର କୌଣସି କାରଣ ନାହିଁ ।

ବିନୋଦ ଯାଇ ଟେବୁଲ ପାଖରେ ଠିଆ ହୋଇଗଲା ।

ଭୀମବାବୁ, ଫାଇଲ ଉପରୁ ଆଖିମେଲି ବିନୋଦ ଆଡ଼କୁ ଚାହିଁଲେ ।

ବିନୋଦ ହସି ହସି କହିଲା—ନମସ୍କାର ଆଜ୍ଞା ।

ଭୀମବାବୁ ଫାଇଲ ବନ୍ଦ କରି ଦେଇ ପ୍ରତି ନମସ୍କାର ଜଣାଇଲେ ।

କହିଲେ—ଆରେ ବିନୋଦବାବୁ ଯେ, ବସନ୍ତୁ । ବସନ୍ତୁ । ବିନୋଦ ଚେୟାରରେ ବସି ପଡ଼ିଲା ।

ଭୀମବାବୁ ହସି ହସି କହିଲେ—ଆର୍. ଉଦୟଗିରି ତା’–ହେଲେ ବୁଲି ଆସିଲେ ଆପଣ-? ନୂଆ ଅନୁଭୂତି ତା’ହେଲେ ଅର୍ଜ୍ଜନ କରିଥିବେ । ନାଇଁ ?

ବିନୋଦ ହସି ହସି କହିଲା—ଆପଣମାନଙ୍କ ଆଶୀର୍ବାଦ ଯୋଗୁଁ ଆର୍. ଉଦୟଗିରି ବୁଲି ଆସିଲି । ଅବଶ୍ୟ ନୂଆ ସ୍ଥାନ ଦେଖିଲି । ନୂତନ ଲୋକମାନଙ୍କ ସଂସ୍ପର୍ଶରେ ଆସିଲି । ନୂତନ ଅନୁଭୂତି ନିଶ୍ଚୟ ଅର୍ଜ୍ଜନ କରିଲି ।

ଭୀମବାବୁ ହସି ହସି କହିଲେ—ଭଲକଥା ହେଲା ବାବୁ ! ସରକାରୀ ଚାକିରୀ ଭିତରେ ଆପଣ ଯେ ନାନା ସ୍ଥାନ ଘୂରି ଆସିଛନ୍ତି, ତାହାହିଁ ତ ଆପଣଙ୍କର ଗୌରବ ।

ବିନୋଦ ହସିଲା । କହିଲା—ହଁ ସରକାରଙ୍କ ମେହେରବାନୀ ଆଜ୍ଞା !

ଭୀମବାବୁ କହିଲେ—ଆପଣଙ୍କ ରିପୋର୍ଟ ପଢ଼ି ଖୋଦ୍ ଅଫିସର ମଧ୍ୟ ତାଜୁବ୍ ହୋଇଯାଇଛନ୍ତି । ଆପଣଙ୍କର ସଜେସନ୍ ପଢ଼ି, ଗତକାଲି ସେ ପ୍ରଶଂସାରେ ଶତମୁଖ ହୋଇଉଠିଲେ ।

ବିନୋଦର ଓଠରେ ଶୁଖିଲା ହସର ଧାରେ ନିର୍ଯ୍ୟାସ...

ଭୀମ ବାବୁ କହିଲେ—ଆପଣ ଜଣେ ଉପଯୁକ୍ତ ଇନିସପେକ୍ଟର ହେବେ ବିନୋଦବାବୁ-। ଟ୍ରେନିଂରୁ ଫେରିଲା ପରେ, ଆପଣହିଁ ହେବେ ଗଞ୍ଜାମ ସର୍କଲର ଜଣେ ଅଭିଜ୍ଞ, କର୍ମଦକ୍ଷ ଇନିସପେକ୍ଟର । ଆପଣଙ୍କର ଭବିଷ୍ୟତ ଅଛି । ସୁଦୀର୍ଘ ଭବିଷ୍ୟତ ପଡ଼ିଛି । ଆପଣଙ୍କର ପ୍ରମୋସନ ହେବ । ଉପର ପାହ୍ୟାକୁ ଉଠିବେ ।

 

ବିନୋଦ ହସିଲା । କହିଲା—ମୋ ଅପେକ୍ଷା, ଆପଣଙ୍କର ଅଭିଜ୍ଞତା ବେଶୀ ଭୀମବାବୁ-। ଆପଣ ଏତେ ବର୍ଷ ଚାକିରୀ କରି ମଧ୍ୟ ସେଇ ହେଡ୍‍କ୍ଳର୍କରୁ ଆଉ କିଛି ହୋଇପାରିଲେ ନାହିଁ-। ଆଉ କୌଣସି ଉପର ପାହ୍ୟାକୁ ଯିବାକୁ, ଆପଣଙ୍କ ବିଭାଗର କର୍ମକର୍ତ୍ତା ସୁପାରିଶ୍ କଲେ ନାହିଁ । ତେଣୁ ମୋର ଭବିଷ୍ୟତ ଅଛି । ପ୍ରମୋସନ ହେବ ପ୍ରଭୃତି କହିବା ଆପଣଙ୍କ ପକ୍ଷେ ଅପ୍ରାସଙ୍ଗିକ ବୋଲି ମୋର ମନେ ହେଉଛି ।

 

ଭୀମ ବାବୁ ହସିଲେ । କହିଲେ—ଆପଣ ଯାହା କହୁଛନ୍ତି, ଅନ୍ୟାୟ କହୁ ନାହାନ୍ତି ବିନୋଦ ବାବୁ । ଆମର ସର୍ଭିସ୍ କୋର୍ଡ଼, ଆମର ବିକାଶ ପଥରେ, ପ୍ରଧାନ ଅନ୍ତରାୟ ରୂପେ ଠିଆ ହୋଇଛି । ଓଡ଼ିଶାରେ ଉପରିସ୍ଥ ହାକିମମାନେ ଅଧଃସ୍ତନ କର୍ମଚାରୀମାନଙ୍କର କେରେକ୍ଟର ରୋଲ ଲେଖନ୍ତି । ସେମାନଙ୍କ ହୁଇମସ୍ ଉପରେ, କାହାର ଚରିତ୍ର ହୁଏତ ଉଜ୍ଜ୍ଵଳ ହୁଏ ନ ହେଲେ ଧ୍ଵଂସ ହୋଇଯାଏ । ସୁଦୀର୍ଘ ଭବିଷ୍ୟତ ମାତ୍ର ଗୋଟିଏ ଯୋଡ଼ିଏ ବାକ୍ୟରେ, ନଷ୍ଟ ହୋଇଯାଏ ।

ସୁତରାଂ, ଆପଣଙ୍କ କାର୍ଯ୍ୟ ଦେଖି ଉପରିସ୍ଥ କର୍ମକର୍ତ୍ତା ଯଦି ସନ୍ତୁଷ୍ଟ ହୁଅନ୍ତି, ତା’ହେଲେ ଆପଣଙ୍କ କ୍ୟାରେକ୍ଟର ରୋଲ ବ୍ରାଇଟ ହେବ । ପ୍ରମୋସନ ନିଶ୍ଚୟ ହେବ ।

ବିନୋଦ ହସି ହସି କହିଲା—କାର୍ଯ୍ୟ ଉପରେ ଆଜିକାଲି କଣ କେରେକ୍ଟର ରୋଲ ଲେଖାଯାଉଛି ଭୀମ ବାବୁ ? ମୁଁ ପରା କହିଛି, ଏ ବିଭାଗରେ ଦୀର୍ଘଦିନ ରହି ଆପଣ ମୋ ଅପେକ୍ଷା ବେଶି କଥା ଜାଣିଛନ୍ତି । ବେଶି ଜ୍ଞାନ ଅର୍ଜ୍ଜନ କରିଛିନ୍ତି ।

ଭୀମ ବାବୁ ହସି ଉଠିଲେ । କହିଲେ, ଆପଣ ତା’ହେଲେ ସବୁକଥା ଜାଣି ସାରିଲେଣି ବିନୋଦ ବାବୁ ! ଖୁବ୍ ଅଳ୍ପଦିନ ଭିତରେ, ବିଭାଗୀୟ ଦୋଷ ତ୍ରୁଟି ସମ୍ପର୍କରେ ଆପଣ ତା’ ହେଲେ ପୂର୍ଣ୍ଣ ଧାରଣା କରି ସାରିଲେଣି । ୟୁ ଆର୍ ଏ ଭରି ଇଣ୍ଟେଲିଜେଣ୍ଟ ବୟ ବିନୋଦ ବାବୁ !

ବିନୋଦ ନୀରବ ରହିଲା ।

ଭୀମ ବାବୁ କହିଲା—ଆଚ୍ଛା, ମୁଁ ଟିକିଏ କାମ ଦାମ ସାରିଦିଏ । ଆପଣ ଟିକିଏ ଅନ୍ୟ ସେକ୍ସନ୍ ଆଡ଼େ ବୁଲି ଆସନ୍ତୁ । ଆମେ ସାଙ୍ଗ ହୋଇ ଚା ଖାଇଯିବା ।

ଭୀମ ବାବୁ, ପୁଣି ଫାଇଲ୍ ସମୁଦ୍ରରେ ଡ଼ୁବ ଦେଲେ ।

ବିନୋଦ ଫେରି ଆସିଲା ।

ବିନୋଦ ଅଫିସ ଭିତରେ ଏପାଖ ସେପାଖ ହେଉଛି...

ସେନାପତି ବାବୁ ତାକୁ ଚାହୁଛନ୍ତି କଣେଇ କଣେଇ ।

ତାଙ୍କର ଗର୍ବ ଭାଙ୍ଗିଯାଇଛି । ଦୀପ୍ତି ମଉଳି ପଡ଼ିଛି । ପ୍ରତିଶୋଧ ନେବାର ଅଗ୍ନି ନିର୍ବାପିତ ହୋଇଯାଇଛି । ସେ ମ୍ଳାନ ପଡ଼ି ଯାଉଛନ୍ତି । ବିନୋଦର ଶାଣିତ ବୁଦ୍ଧି ଓ ବୈଦଗ୍‍ଧ ପାଖରେ ସେ ହାର ମାନିଛନ୍ତି । ପରାଜୟ ସ୍ଵୀକାର କରିଛନ୍ତି ।

ବିନୋଦକୁ ସିଧା ସଳଖ ଚାହିଁବାକୁ ତାଙ୍କର ଯେମିତି ନୈତିକ ସାହାସ ନାହିଁ । ତାଙ୍କୁ ଲାଜମାଡୁ଼ଛି । ମନ ଦବିଯାଉଛି । ତା’ର ବ୍ୟକ୍ତିତ୍ୱର ଔଜ୍ଜଲ୍ୟ ପାଖରେ, ସେ ଯେପରି ମଳିନ ନିଷ୍ପ୍ରଭ ଦେଖାଯାଉଛନ୍ତି ।

ସେନାପତି ବାବୁଙ୍କ ଟାଣ ଭାଙ୍ଗିଯାଇଛି । ଅହଙ୍କାର ଖର୍ବ ହୋଇଛି । ଆର୍ ଉଦୟଗିରିକୁ ପଠାଇ, ହଇରାଣ କରିବାର ମତଲବ ତାଙ୍କର ବ୍ୟର୍ଥ ହୋଇଯାଇଛି ।

ଯେଉଁ ଅଫିସରଙ୍କୁ ବୁଝାଇ, ଶିଖାଇ ବିନୋଦକୁ ଆର୍ ଉଦୟଗିରି ପଠାଇଥିଲେ, ସେଠାରୁ ସେ କୃତକାର୍ଯ୍ୟ ହୋଇ ଫେରି ଆସିଛି । ଖୋଦ୍ ଅଫିସର, ତା’ ନୋଟ୍ ପଢ଼ି ଉଚ୍ଛ୍ଵସିତ ପ୍ରଶଂସା କରିଛନ୍ତି ।

 

ଲୋକଟାର ବୁଦ୍ଧି ଅଛି । ବ୍ୟକ୍ତିତ୍ଵ ବୋଧ ରହିଛି । ମୁହଁରେ ତା’ର ଆତ୍ମ ପ୍ରତ୍ୟୟ ରାଜତ୍ୱ କରୁଛି । ସେ ସତେ ଯେପରି ଭାଙ୍ଗି ଯିବନି । ମଉଳି ପଡ଼ିବନି । କର୍ତ୍ତବ୍ୟର ଯେଉଁ ମହା ଆହ୍ୱାନ ଆସିବ, ସେ ସବୁକୁ ସେ ଉଦାର ଭାବରେ ଗ୍ରହଣ କରିପାରିବ ।

 

ସେ ତୋଷାମଦ କରିବ ନାହିଁ । ତୋଷାମଦ କରି ଚାକିରୀରେ ଉନ୍ନତି କରିବାର ତା’ର ଅଭିଳାଷ ନାହିଁ । ନିଜସ୍ଵ ବିଚାରବୋଧରେ ପରିଚାଳିତ, ପ୍ରଚୋଦିତ ହୋଇ, ଉପରକୁ ଉଠିବ ।

 

ବିନୋଦ ଯେତେବେଳେ ଅଫିସ ଭିତରେ ପହଞ୍ଚିଗଲା, ସେତେବେଳେ ଏଲ.ଡ଼ି. କିରାନୀଠାରୁ ଆରମ୍ଭ କରି ୟୁ. ଡ଼ି. ପର୍ଯ୍ୟନ୍ତ ସମସ୍ତେ ନମସ୍କାର ଜଣାଇଲେ । ସମଗ୍ର ଅଫିସ, ବିନୋଦର କର୍ତ୍ତବ୍ୟ ନିଷ୍ଠା ଓ ଗଭୀର ବ୍ୟକ୍ତିତ୍ଵ ଉପରେ ସତେ ଯେପରି ଆସ୍ଥା ସ୍ଥାପନ କରୁଛି ।

 

ସେନାପତି ବାବୁ କିନ୍ତୁ ନୀରବ ।

 

ସେ କିପରି ନମସ୍କାର କରିବେ ? ଅଭିନନ୍ଦନ ଜଣାଇବେ ? ତାଙ୍କର କୃତିତ୍ୱପୂର୍ଣ୍ଣ ପରିଦର୍ଶନ ରିପୋର୍ଟ ଉପରେ ପ୍ରଶଂସା ବାଢ଼ିବେ ? ଚାକିରୀ କଲାଦିନଠାରୁ କୌଣସି ଇନିସପେକ୍ଟରଙ୍କର ସେ ପ୍ରଶଂସା କରି ନାହାନ୍ତି । କାହାରିକୁ ନମସ୍କାର ସର୍ବପ୍ରଥମେ ସେ ଜଣାଇ ନାହାନ୍ତି ।

 

ତା’ର କାରଣ ଥିଲା ଯଥେଷ୍ଟ । ଅଫିସରଙ୍କର ସେ ତ ଦକ୍ଷିଣ ହସ୍ତ । ସେ ଯାହା କହିବେ, ତାଙ୍କ ପିଲାଙ୍କୁ କୋଳକରି, କାଖେଇ କୁଣ୍ଡେଇ, ଯେଉଁମାନଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ କରିବା ପାଇଁ ମତାଇବେ, ଅଫିସର ତାହା ହିଁ କରୁଥିଲେ । ତେଣୁ ଅଫିସରଙ୍କର ସେ ଥିଲେ ‘କା’ । ପ୍ରତିନିଧି । ଏକ ପ୍ରକାର, ଛୋଟ ବଡ଼, ଅଫିସର ଥିଲେ ମିଃ ସେନାପତି ।

 

ଅଫିସ ଭିତରେ, କିରାଣୀ ଚାକିରୀ କରି ଏବଂ ଅଫିସରଙ୍କୁ ଗଦ ଶୃଂଘାଇ ନିଜ ହାତରେ ରଖିବା କ’ଣ କମ୍ ସହଜ ? କମ୍ ଆୟାସ ସାଧ୍ୟ ? ସେତିକି ସେ କରି ପାରିଛନ୍ତି ବୋଲି, ତାଙ୍କର ବିଶେଷ ପ୍ରତିପତ୍ତି —ନିରଙ୍କୁଶ ପ୍ରଭାବ ।

 

ସେନାପତି ବାବୁଙ୍କ ରୁମରେ ଅଟକି ଗଲା ବିନୋଦ । ଯେତେବେଳେ ସାତ ଆଠ ଜଣ ବ୍ୟକ୍ତି, ତାକୁ ସସମ୍ମାନେ ନମସ୍କାର କରୁଛନ୍ତି, ଲୌକିକତା ଦୃଷ୍ଟିରୁ ସେ ତ ପୁଣି ତାଙ୍କ ସହିତ କଥାବାର୍ତ୍ତା କରିବ ? ସାମାନ୍ୟ ଦୁଃଖସୁଖ ହେବ ? ନ ହେଲେ ସେମାନେ ଖରାପ ଭାବିବେ ।

 

ବିନୋଦ ସେମାନଙ୍କ ମଝିରେ ବସିପଡ଼ିଲା ।

 

ଅଫିସ ଭିତରର କର୍ମଚାରୀମାନେ ଘେରିଯାଇ, ଆର୍. ଉଦୟଗିରିର ଅନୁଭୂତି ସମ୍ପର୍କରେ ପଚାରୁଛନ୍ତି ।

 

ବିନୋଦ ହସି ହସି ଗୋଟି ଗୋଟି ଉତ୍ତର ଦେଇ ଚାଲିଛି ।

 

ସେନାପତି ବାବୁ ଅଫିସ ଭିତରେ ଏଭଳି ପରିବେଶକୁ ପସନ୍ଦ କରୁ ନାହାନ୍ତି । ସେଥିପାଇଁ ଏଭଳି ଆଲୋଚନାରେ ସେ ଅଂଶଗ୍ରହଣ କରିପାରୁ ନାହାନ୍ତି । ତାଙ୍କୁ ଖରାପ ବୋଧ ହେଉଛି । ଚେତନ ମନ ତଳେ ତାଙ୍କର ହିଂସାର ଝଡ଼ ଉଠୁଛି ।

 

ମାତ୍ର ପ୍ରତିବାଦ କରିବାକୁ ସାହାସ କାହିଁ ? ବଳ କାହିଁ ? ଶକ୍ତି କାହିଁ ? ସମସ୍ତଙ୍କ ନାଆଁରେ, ଅଫିସରଙ୍କ ପାଖରେ ସେ ଚୁଗୁଲି କରନ୍ତି ବୋଲି, କେହି ତାଙ୍କୁ ଭଲ ପାଆନ୍ତି ନାହିଁ । ଶ୍ରଦ୍ଧା କରନ୍ତି ନାହିଁ । ଭଲ ଭାବରେ କଥାବାର୍ତ୍ତା କରନ୍ତି ନାହିଁ ।

 

ତେଣୁ ସେ ଯଦି ହଠାତ୍ ପ୍ରତିବାଦ କରିବେ, କାମରେ ବ୍ୟାଘାତ ସୃଷ୍ଟି ହେଉଛି ବୋଲି ଅଭିଯୋଗ ବାଢ଼ିବେ ତାହେଲେ ପରିସ୍ଥିତି ଭିନ୍ନ ପ୍ରକାର ଧାରଣ କରିବ ।

 

ସେନାପତି ବାବୁ ଗମ୍ଭୀର ହୋଇ, ଏକୁଟିଆ ଫାଇଲ ଚାଷ କରୁଛନ୍ତି...

 

ତାଙ୍କ ପ୍ରତି କାହାରି ଯେପରି ନଜର ନାହିଁ । ଦୃଷ୍ଟି ନାହିଁ ।

 

ହେଡ଼୍କ୍ଳର୍କ‚ ଭୀମ ବାବୁ ଅଫିସ ଭିତରକୁ ପଶିଆସିଲେ । ବିନୋଦକୁ ସମସ୍ତ କର୍ମଚାରୀ ଘେରି ରହିଥିବାରୁ ସେ କହିଲେ–ଆସନ୍ତୁ ବିନୋଦ ବାବୁ, ଚା ଖାଇଯିବା । ଆପଣ ଅଫିସରେ ରହିଲେ ନିଶ୍ଚୟ କାମରେ ବାଧା ସୃଷ୍ଟି ହେବ ।

 

ଅଫିସ ଭିତରର କର୍ମଚାରୀମାନେ ନିଜ ନିଜ ସ୍ଥାନରେ ବସି ପଡ଼ିଲେ ।

 

ବିନୋଦ ହସିହସି କହିଲା—ମୁଁ କ’ଣ ତା’ହେଲେ ଗୋଳମାଳ ପାଇଁ ଦାୟୀ ଭୀମବାବୁ-? ମୁଁ ସବୁଦିନେ ମଫସଲ ଗସ୍ତରେ ଚାଲିଗଲେ, ଆପଣମାନଙ୍କର ତା’ହେଲେ କାର୍ଯ୍ୟରେ ଆଉ ବାଧା ସୃଷ୍ଟି ହେବ ନାହିଁ ବୋଲି ମୁଁ ଭାବୁଛି । ସେଥିପାଇଁ ତ ଆପଣ ମୋତେ ପଠାଇଥିଲେ ଆର୍. ଉଦୟଗିରି ।

 

ସେନାପତି ବାବୁଙ୍କ ଦେହରେ, ଛୁରୀ ବାଜିଲାପରି କଥାଟା ଚାଲିଗଲା । ଲୋକଟା ଦେଖେଇ ଦେଖେଇ କଥା କହିବା ଆରମ୍ଭ କରି ଦେଲେଣି ! ଓଃ ଆଉ ରକ୍ଷା ନାହିଁ । ଲୋକଟା ଅତି ମାତ୍ରାରେ ବିପ୍ଳବୀ । ଭୟାନକ । ସେ ଦିନ, ଅଫିସରଙ୍କ ପାଖରେ, ମୁହଁ ଖୋଲି ଯେଭଳି ଭାବରେ ପ୍ରତିବାଦ କରିଥିଲା, ତାହା ବାସ୍ତବିକ କ୍ଵଚିତ୍ ଦେଖାଯାଏ ।

 

କେତେ ଇନିସପେକ୍ଟର ଏଠାକୁ ଆସିଛନ୍ତି । ପୁଣି ବଦଳି ହୋଇ ଅନ୍ୟତ୍ର ଯାଇଛନ୍ତି । ମାତ୍ର ବିନୋଦ ପରି, କେହି ଜଣେ ଏପରି ବୁଦ୍ଧିମାନ୍, ଚତୁର, ବିପ୍ଳବୀ ଓ ନ୍ୟାୟନିଷ୍ଠ ଲୋକ, ସେ କୁତ୍ରାପି ଦେଖିନାହିଁ ।

 

ମାତ୍ର ତାର ବ୍ୟଙ୍ଗ, କଟାକ୍ଷ ଅତ୍ୟନ୍ତ ଶାଣିତ । ଅତ୍ୟନ୍ତ ମର୍ମଭେଦୀ ।

 

ସେନାପତି ବାବୁ ରାଗ ଜର୍ଜ୍ଜରିତ ଚକ୍ଷୁରେ ଅଥଚ ଅସହାୟ ହୋଇ ଚାହିଁ ରହିଲେ ବିନୋଦକୁ ।

 

ବିନୋଦ ଓ ଭୀମବାବୁ ଚା ଖାଇବାକୁ କ୍ୟାଣ୍ଟିନ୍କୁ ଚାଲିଗଲେ ।

 

ଅନ୍ୟମାନେ ପୂର୍ବପରି କାମରେ ମନୋନିବେଶ କଲେଣି ।

 

ସେନାପତି ବାବୁ ଭାବୁଛନ୍ତି, ଏଇ କେଇଟା ଦିନ ଭିତରେ ହେଡ଼କ୍ଳର୍କଙ୍କୁ ବି ଆସି ସେ ହାତ କରି ସାରିଲେଣି ! ତାହେଲେ ଆଉ ରକ୍ଷାନାହିଁ । ପ୍ରତିଶୋଧ ନେବା ପାଇଁ ସେ ଯେତେ ଷଡ଼ଯନ୍ତ୍ର ଭିଆଇଲେ ମଧ୍ୟ, ଭୀମ ବାବୁ ପଣ୍ଡ କରିଦେବେ ।

 

ତା ହେଲେ ଉପାୟ କଣ ?

 

ସେନାପତି ବାବୁ ଭାବୁଛନ୍ତି ଆଉ ଭାବି ଚାଲିଛନ୍ତି...

 

ବିଭାଗୀୟ ଟ୍ରେନିଂ ଯିବାପାଇଁ ବିନୋଦ ଅର୍ଡ଼ର ପାଇଛି...

 

ଆଉ ଦୁଇଦିନ ପରେ ସେ ଗୋପାଳପୁର ଟ୍ରେନିଂ ଇନିଷ୍ଟିଚ୍ୟୁଟରେ ଯୋଗଦେବ ।

 

ଦୀର୍ଘ ଏଗାରମାସ ଟ୍ରେନିଂ ନେଲା ପରେ, ପୁଣି ପୋଷ୍ଟିଂ ପାଇଁ ଆରମ୍ଭ ହୋଇଯିବ ସମସ୍ୟା...

 

ବ୍ରହ୍ମପୁରର ବାରାକ୍‍ସ ପାଖରେ, ସଂଧ୍ୟାବେଳେ ବିନୋଦ ଲକ୍ଷ୍ୟହୀନ ଭାବରେ ଘୁରୁଥିଲାବେଳେ ହଠାତ୍ ଦେଖାହେଲେ ମିଃ ରେଡ଼ି ।

 

ମିଃ ରେଡ଼ି ଆନନ୍ଦ ଉଦ୍ବେଳିତ କଣ୍ଠରେ, ସ୍ଵାଭାବିକ ଭଙ୍ଗୀରେ କହି ଉଠିଲେ–ଆରେ ମିଃ ରାଉତରାୟ ଯେ, ଆପଣ କେବେ ଟ୍ରେନିଂ ଯାଉଛନ୍ତି ? କେବେ ଅଫିସରୁ ରିଲିଭ୍ ହେଉଛନ୍ତି ?

 

ବିନୋଦ ମୃଦୁ ମୃଦୁ ହସୁଥିଲେ ।

 

ମିଃ ରେଡ଼ି କହିଲେ—ବୁଝିଲେ ବିନୋଦ ବାବୁ, ଟ୍ରେନିଂ ପିରିଅଡ଼ର ଏଇ ମାତ୍ର ଏଗାରଟି ମାସ । ବାସ୍ତବିକ୍ ଏକାନ୍ତ ଉପଭୋଗ୍ୟ । କଲେଜ ଜୀବନରେ ଛାତ୍ର ଥିଲାବେଳେ ଯେଭଳି ମଉଜ କରୁଥିଲେ, ମଜଲିସ୍ ମାରୁଥିଲେ, ଠିକ୍ ସେମିତି ଏଇ ଏଗାରଟି ମାସ ଆପଣମାନଙ୍କର କଟିଯିବ । ମଫସଲରେ ବ୍ୟାପକ ଭାବରେ ଗସ୍ତ କରିବାର ଆଶଙ୍କା ସେତେବେଳେ ଆପଣଙ୍କର ନ ଥିବ । ଆରାମରେ ସମୁଦ୍ରର ବେଳାଭୂମିରେ ଘୂରି ଘୂରି ସମୟ କାଟି ଦେବେ ।

 

ବିନୋଦ କହିଲା—ଗୋପାଳପୁରରେ ଦୀର୍ଘ ଏଗାର ମାସ କେମିତି କଟିବ ରେଡ଼ିବାବୁ-? ଖାଲି ସମୁଦ୍ରକୁ ତାର ଉତ୍ତାଳ, ଢ଼େଉ ବିକ୍ଷୁବ୍ଧ ଲହରୀ ମାଳାକୁ ଚାହିଁ, ଦୀର୍ଘ ଏଗାର ମାସ କ’ଣ କଟାଇ ଦେଇ ହେବ ?

 

ସେଠାରେ କିଛି ନାହିଁ । ଏଗାର ମାସ କଟାଇବାରେ କଣ କିଛି ଅସୁବିଧା ହେବ ନାହିଁ ମିଃ ରେଡ଼ି ?

 

ମିଃ ରେଡ଼ି କହିଲେ, ସାଙ୍ଗସାଥିଙ୍କ ଗହଣରେ ଗୋପାଳପୁରର ପ୍ରାଣହୀନ ସ୍ଥାନକୁ ଆପଣ ପ୍ରାଣପୂର୍ଣ୍ଣ କରିବାକୁ ଚେଷ୍ଟା କରିବେ । ତା’ ଛଡ଼ା ମଝିରେ ମଝିରେ ବ୍ରହ୍ମପୁର ଆସୁଥିବେ । ତା’ ନ ହେଲେ ନିହାତି ମନୋଟନସ୍ ଲାଗିବ ।

 

ମିଃ ରେଡ଼ି ଓ ବିନୋଦ ଦୁହେଁଯାକ ହାତ ଧରାଧରି ହୋଇ ଆଗକୁ ଆଗକୁ ଆଗେଇ ଚାଲିଲେ ।

 

ବିନୋଦ ପଚାରିଲେ—ଦୀର୍ଘ ଏଗାର ମାସ କ’ଣ ଆମକୁ ପୁରାପୁରି ଛାତ୍ରରୂପେ ଚଳିବାକୁ ଏବଂ ପଢ଼ିବାକୁ ହେବ ରେଡ଼ିବାବୁ ?

 

ମିଃ ରେଡ଼ି କହିଲେ—ଏକ୍‍ଜାକ୍‍ଟଲି ।

 

ବିନୋଦ ଆରମ୍ଭ କରିଲା—ପାଠ ପଢ଼ାର ଆଉ ଶେଷ ହେବ ନାହିଁ ମିଃ ରେଡ଼ି । ଜୀବନଯାକ ପାଠ ପଢ଼ି, ଯେତେବେଳେ ଚାକିରି ଜୀବନରେ ପ୍ରବେଶ କଲି, ସେତେବେଳେ ମୁଁ ଭାବିଲି, ବୋଧହୁଏ ପାଠ ସରିଗଲା । ମାତ୍ର ଚାକିରି ଜୀବନ ପରେ ପୁଣି ଯେ ଗ୍ରନ୍ଥକୀଟ ହେବାକୁ ଥରେ ପଡ଼ିବ, ମୁଁ କେବେହେଲେ କଳ୍ପନା କରି ନ ଥିଲି ।

 

ମିଃ ରେଡ଼ି କହିଲେ—ପାଠ ପଢ଼ିବା ପାଇଁ ଆପଣଙ୍କର ଚିନ୍ତା କରିବାର କୌଣସି କାରଣ ନାହିଁ ବିନୋଦ ବାବୁ ! କ୍ଲାସ୍‍ ରେ ବସି ବସି, ବକ୍ତୃତା ଶୁଣୁଶୁଣୁ, ଟ୍ରେନିଂ ପିରିଅଡ଼ଟା ଆପଣଙ୍କର କଟିଯିବ । କ୍ଲାସ୍‍ ରେ ଯେତିକି ଶୁଣିବେ, ସେତିକି ହେବ ଆପଣଙ୍କ ପଷେ ଯଥେଷ୍ଟ ।

 

ବିନୋଦ କହିଲା—ସତରେ ?

 

—ଆପଣ ନିଜେ ଗଲେ, ବଳେ ଅନୁଭବ କରିବେ । ମୋ କଥା ମଧ୍ୟ ମଝିରେ ମଝିରେ ସ୍ମରଣ କରୁଥିବେ ।

 

ଦୁହେଁ ହସି ଉଠିଲେ ଏକା ସାଙ୍ଗରେ...

 

ଗୋପାଳପୁର ଟ୍ରେନିଂ ଇନିଷ୍ଟିଚ୍ୟୁଟ୍...

 

ଓଡ଼ିଶା ପ୍ରଦେଶର ବିଭିନ୍ନ ଜିଲ୍ଲାରୁ, ଏଇ ଶିକ୍ଷାକେନ୍ଦ୍ରରେ ଟ୍ରେନିଂ ପାଇବା ପାଇଁ ବିନୋଦ ପରି ସତୁରୀ ଜଣ ଇନିସପେକ୍ଟର ଆସିଛନ୍ତି ।

 

ଗୋପାଳପୁରର ସମୁଦ୍ର କୂଳରେ ଏଇ ବିରାଟ ଅନୁଷ୍ଠାନ । ବିରାଟ କୋଠା । ବିରାଟ ହଷ୍ଟେଲ ।

 

ହଷ୍ଟେଲ ଭିତରେ ଶୋଇ ରହି, ଝରକାରେ ଚାହିଁଲେ ସମୁଦ୍ରର ଭତ୍ତାଳ ଜଳରାଶି ଦେଖିହେଉଛି । ଦିଗନ୍ତ ବିସ୍ତାରୀ ବାଲୁକା ଶଯ୍ୟାର ପ୍ରଶାନ୍ତ କଳବର ପରିଷ୍କାର ଲକ୍ଷ୍ୟକରି ହେଉଛି-

 

ଝାଉଁବନର ମର୍ମର, ସ୍ପଷ୍ଟଭାବେ ଶୁଣିହେଉଛି ।

 

ଗୋପାଳପୁରରେ ଯେଉଁଦିନ ବିନୋଦ ଆସି ପହଞ୍ଚିଲା, ସେ ଦିନ ରାତି ନଅଟା ପର୍ଯ୍ୟନ୍ତ ବେଳାଭୂମିରେ ଏକାକୀ ଘୂରି ଘୂରି ସମୟ କଟାଇଛି । ଜହ୍ନରାତିରେ ଗୋପାଳପୁରର ବାଲିବନ୍ତରେ ସାରା ରାତି କଟାଇ ଦେବାକୁ ତା’ର ଇଚ୍ଛା ହେଉଥିଲା । ସେଦିନ ତା’ ସାଙ୍ଗରେ ଯଦି କେହି ଥାଆନ୍ତା-। ତା’ହେଲେ ସାରା ରାତି ସେଇଠାରେ କଟାଇଦେଇ ଫେରି ଆସିଥାନ୍ତା ।

 

ବିନୋଦର ରୁମ୍ ମେଟ୍ ରୂପେ ବୈଦ୍ୟନାଥ, ରମାବଲ୍ଲଭ ଓ ବିକ୍ରମ ଆସିଛନ୍ତି ।

 

ବୈଦ୍ୟନାଥ ଆସିଛି ସମ୍ବଲପୁରରୁ । ରମାବଲ୍ଲଭ ମୟୂରଭଞ୍ଜ ଏବଂ ବିକ୍ରମ ସୁନ୍ଦରଗଡ଼ରୁ । ଚାରିଟି ଜିଲ୍ଲାର, ଚାରିଟି ଅଧିବାସୀ, ଗୋପାଳପୁର ଟ୍ରେନିଂ ଇନିଷ୍ଟିଚ୍ୟୁଟ୍ ର ଗୋଟିଏ ଘରେ, ଏକା ସାଙ୍ଗରେ ଅବସ୍ଥାନ କରୁଛନ୍ତି ।

 

ବୈଦ୍ୟନାଥ ଅଭୁତ ପ୍ରକାରର ! ସମୟ ନାହିଁ, ଅସମୟ ନାହିଁ, ବେଳାଭୂମିରେ ବୁଲିବାକୁ ନିମନ୍ତ୍ରଣ କରିବ । ତା ସାଙ୍ଗରେ ଯିବାକୁ ଅସମ୍ମତ ହେଲେ, ଜବରଦସ୍ତ ଟାଣି ଓଟାରି ସେ ନେବ ।

ବେଳେ ବେଳେ, ରାତି ସାଢ଼େ ଆଠରେ ବ୍ରହ୍ମପୁରକୁ ସିନେମା ଯିବାପାଇଁ ପ୍ରବର୍ତ୍ତାଇବ । ସାଇକେଲରେ ଦୀର୍ଘ ଆଠ ମାଇଲ ବାଟ ଯାଇ ସେକେଣ୍ଡ ସୋ ସିନେମା ଦେଖିବା ପାଇଁ ବାଧ୍ୟ କରିବ । ବିନୋଦ, ରମାବଲ୍ଲଭ ଓ ବିକ୍ରମ ରାଜି ନ ହେଲେ, ସେ ରୁଷିବ । ସେମାନଙ୍କ ସହିତ ଅଧଘଣ୍ଟାଏ ପର୍ଯ୍ୟନ୍ତ ଅସହଯୋଗ କରିବ ।

 

ତେଣୁ ବାଧ୍ୟ ହୋଇ, ତିନୋଟି ବନ୍ଧୁ, ଚତୁର୍ଥ ବନ୍ଧୁର ଆମୋଦ ଓ ବିଳାସକୁ ଚରିତାର୍ଥ କରିବା ପାଇଁ, ସେଇ ରାତ୍ରିରେ ବ୍ରହ୍ମପୁର ଯାଆନ୍ତି । ସେକେଣ୍ଡ ସୋ ସିନେମା ଦେଖି, ରାତି ବାରଟାରେ, ଶୀତଦିନେ ମଧ୍ୟ, ଥରି ଥରି ସେଇ ସାଇକେଲରେ ଗୋପାଳପୁର ଫେରନ୍ତି ।

 

ଇଏ ଗଲା ବୈଦ୍ୟନାଥର କଥା ।

 

ରମାବଲ୍ଲଭ ଆଉ ଏକ ପ୍ରକୃତିର । ଦିନ ରାତି ଗପ କରିବାକୁ ଭଲ ପାଉଛି । କେହି ନ ଶୁଣିଲେ ମଧ୍ୟ ସେ ଗଳ୍ପ କରିବ । ଗଳ୍ପ ଶୁଣିବା ପାଇଁ କାହାର ଯେତେବେଳେ ଇଚ୍ଛା ନ ଥିବ, ଧୈର୍ଯ୍ୟ ନ ଥିବ, ତଥାପି ସେ ଗପ ଶୁଣାଇବ । ଗପ ନ ଶୁଣିଲେ, ସେ ବିଗିଡ଼ିବା ଖେପା ହେବ । ଗାଳି ଗୁଲଜ୍ କରିବ ।

 

ପ୍ରତିଦିନ ସଂଧ୍ୟାବେଳେ ହଷ୍ଟେଲ ଛାତ ଉପରେ ବସି ଅସଂଖ୍ୟ, ଅଥଚ ଅସଂଲଗ୍ନ କାହାଣୀର ସେ ଅବତାରଣା କରେ । ତା’ କାହାଣୀରେ ପ୍ରେମ ‘ଭାଗ’ ଖୁବ୍ ଥିଲା । ମାତ୍ର ଦୁଃସାହିକ ଅଭିଯାନ ଓ ଚିତ୍ତ ଚାଞ୍ଚଲ୍ୟକାରୀ ଅଂଶ ବେଶି । ତା’ ଗଳ୍ପକୁ ଶୁଣିବା ପାଇଁ ବିନୋଦର ଆଦୌ ଇଚ୍ଛା ହୁଏନି । କାରଣ ସେ ଜାଣେ, ରମାବଲ୍ଲଭ ଅନେକ କଥା ମନରୁ ଗଢ଼େ । ତିଆରି କରେ । ଅନ୍ୟମାନଙ୍କ ଆଗରେ ଶୁଣାଏ ।

 

କିନ୍ତୁ ଅନ୍ୟମାନେ, ରମାବଲ୍ଲଭର ଚାରିପିଠି ଘେରିଯାଇ, ଏକାଗ୍ର ଚିତ୍ତରେ ତା’ କାହାଣୀ ପ୍ରାୟତଃ ଶୁଣନ୍ତି ।

 

ବିକ୍ରମ ! ସେ ଏକ ଅଦ୍ଭୁତ ଓ ସହଯୋଗୀ ବନ୍ଧୁ ବିନୋଦର ! ଶିକାର କରିବାକୁ ତାର ଭାରି ମନ । ଜୀବନରେ ସେ ଅନେକ ଶିକାର କରିଛି । ମୃଗ ଓ ପକ୍ଷୀ ଜାତୀୟ ଶିକାର ଅନେକ ସେ କରିଛି । ତେଣୁ ନିକଟସ୍ଥ ଜଙ୍ଗଲକୁ ଶିକାର କରିଯିବା ପାଇଁ ବିନୋଦକୁ ବହୁବାର ଲଗାଇଲାଣି-

 

ତା ଛଡ଼ା ପିକ୍‍ନିକ୍ ଓ ଚିଲିକାରେ ନୌକା ଯାତ୍ରା କରିବାକୁ ତା’ର ଭୀଷଣ ଝୁଙ୍କ୍ । ପ୍ରତିଦିନ ବିନୋଦ ପାଖରେ ସେ ପ୍ରସ୍ତାବ ବାଢ଼େ । ବିନୋଦ ବୁଝାଏ । ଅପେକ୍ଷା କରିବାକୁ କହେ । ସମୟ ଓ ସୁଯୋଗ ଆସିଲେ ଏସବୁ କାର୍ଯ୍ୟ ଅଚିରେ ହୋଇ ପାରିବ ବୋଲି ସେ ପରାମର୍ଶ ଦିଏ ।

 

ଚାରିଟି ବନ୍ଧୁଙ୍କର ଏଇ ବିଚିତ୍ର କଳକାକଳୀକୁ ନେଇ ଗୋପାଳପୁର ଟ୍ରେନିଂ ଇନିଷ୍ଟିଚ୍ୟୁଟ୍‍ର ଗୋଟିଏ ପ୍ରକୋଷ୍ଠ ସଜୀବ ଓ ପ୍ରାଣପୂର୍ଣ୍ଣ ହୋଇଉଠେ ।

 

ବିନୋଦ ହସେ...

 

ବୈଦ୍ୟନାଥ ଜଙ୍ଘରେ ତାଳିମାରେ...

 

ରମାବଲ୍ଲଭ, ଆତ୍ମତୃପ୍ତିର ଏକ ଚାହାଁଣୀ ଚାହେଁ...

 

ବିକ୍ରମ, ଶିକାରୀ ସୁଲଭ ଭଙ୍ଗୀରେ ଠିଆ ହୋଇ, ନିଶରେ ହାତମାରେ ।

 

ଟ୍ରେନିଂ ଇନଷ୍ଟିଚ୍ୟୁଟ୍ ରେ ଶିକ୍ଷାର୍ଥୀଙ୍କ ସଂଖ୍ୟା ୟାଭିତରେ ଅନେକ ବଢ଼ିଯାଇଛି...

 

ଓଡ଼ିଶା ଶିକ୍ଷାର୍ଥୀଙ୍କୁ ଛାଡ଼ି, ବିହାରରୁ ଆସିଛନ୍ତି ସତୁରୀ ଜଣ । ମୋଟରେ ଟ୍ରେନିଂ ଇନଷ୍ଟିଚ୍ୟୁଟ୍‍ର ଶିକ୍ଷାର୍ଥୀଙ୍କ ସଂଖ୍ୟା ଏକଶହ ଚାଳିଶି ହୋଇଛି ।

 

ବିହାରର ଶିକ୍ଷାର୍ଥୀମାନେ ଛାତି ଫୁଲାଇ, ଗର୍ବ ଓ ଗୌରବରେ ବାଟ ଚାଲନ୍ତି । କଥାକେ କଥାକେ ଯୁକ୍ତି କରନ୍ତି । ତର୍କ କରନ୍ତି । ଓଡ଼ିଶାର ଲୋକେ ଅନୁନ୍ନତ, ଅନଗ୍ରସର ବୋଲି ସେମାନେ ଆଲୋଚନା କରନ୍ତି । ମତାମତ ବାଢ଼ନ୍ତି । ଓଡ଼ିଶାର ଶିକ୍ଷାର୍ଥୀମାନେ ଟକ୍କର ଦେଇ ଚାଲିପାରିବେ ନାହିଁ ବୋଲି ସେମାନଙ୍କର ଧାରଣା ହୋଇଛି ।

 

ତେଣୁ ଖାଇଲାବେଳେ, ପାଠ ପଢ଼ିଲାବେଳେ ଓଡ଼ିଆ ବିହାରୀ ସୀମାରେଖାର ପ୍ରତିଫଳନ ଘଟେ । ଲୁଚି ଲୁଚି, ଚେତନ ମନତଳେ ପ୍ରାଦେଶିକ ସଂକୀର୍ଣ୍ଣତା ମୁଣ୍ଡ ଟେକେ । ‘ହାମ୍ ବଡ଼ା’ ବୋଲି ଉଭୟ ଶିକ୍ଷାର୍ଥୀ କହିଥାଆନ୍ତି ।

 

ସେଦିନ ରାତ୍ରି ପ୍ରାୟ ଆଠଟା ହୋଇ ଯାଇଥିଲା...

 

ଅଶୋକ ସିଂହ ଓ ବିନୋଦ ସମୁଦ୍ର କୂଳେ କୂଳେ, ଜହ୍ନ ରାତିର ବିପୁଳ ପ୍ଳାବନ ଭିତରେ ନାନା ଆଲୋଚନାରେ ବୁଡ଼ି ରହି ଘୁରୁଥିଲେ ।

 

ଅନେକ କଥା ପଡ଼ିଲା । ଅନେକ କଥା ଆଲୋଚନା ହେଲା । ଆନ୍ତର୍ଜାତିକ, ଅନ୍ତର୍ଦେଶୀୟ ସର୍ବୋପରି ବିହାର ଓ ଓଡ଼ିଶାର ଅନେକ କଥା-ଅନେକ ଘଟଣା । ସାହିତ୍ୟ, ରାଜନୀତି, କଳା, ସଂସ୍କୃତି ଓ ସଙ୍ଗୀତ । ଆହୁରି ଅନେକ । ଆହୁରି ଅନେକ ବ୍ୟକ୍ତିଗତ । ଏକାନ୍ତ ନିଜସ୍ଵ ।

 

ଗଇଂରେଜୀରେ, କେତେବେଳେ ହିନ୍ଦୀ ମାଧ୍ୟମରେ ବିନୋଦ ଓ ଅଶୋକ ସିଂହ କଥାବାର୍ତ୍ତା କରୁଛନ୍ତି ।

 

ଅଶୋକ କହନ୍ତି—ବିହାରର ରାଜନୀତି ଆଜି ବିପର୍ଯ୍ୟସ୍ତ ହୋଇଛି ମିଃ ରାଉତରାୟ । ରାଜନୀତିରେ ଜାତିଗତ ଭେଦଭାବ ଅତି ଉତ୍କଟ ଭାବରେ ଦେଖାଦେଇଛି । ରାଜନୈତିକ ଦଳଗୁଡ଼ିକ, ଜାତିଆଣ ମନୋଭାବରେ ପରିଚାଳିତ ହୋଇ କାର୍ଯ୍ୟ କରୁଛନ୍ତି ।

 

ଭାରତବର୍ଷରେ, ଯେଉଁ ବିହାର ଦିନେ ନିଜର ଆତ୍ମତ୍ୟାଗ ଓ ମହନୀୟ କାର୍ଯ୍ୟଯୋଗୁଁ ସାରା ଦେଶକୁ ଚମତ୍କୃତ କରିଥିଲା, ସେହି ବିହାରର ଏଭଳି ଶୋଚନୀୟ ଅବସ୍ଥା ଆଜି ଆମକୁ ହତୋତ୍ସାହ କରିଛି ।

 

ବିନୋଦ କହିଲା—ବୁଝିଲେ ମିଃ ସିଂହ, ଆଜିକୁ ପ୍ରାୟ ଛବିଶି ସତାଇଶି ବର୍ଷ ତଳେ, ଆମେ ଥିଲେ ଗୋଟିଏ ପ୍ରଦେଶର ଲୋକ । ଗୋଟିଏ ବିଶ୍ୱବିଦ୍ୟାଳୟର ଶିକ୍ଷାର୍ଥୀ । ଆମେ ଭାଇପରି ଚଳୁଥିଲେ । ଆପଣାର ସ୍ନେହ, ସୌହାର୍ଦ୍ଦ୍ୟରେ ବିହାରୀ ଓଡ଼ିଆ ବୋଲି ଆମ ଭିତରେ ନୀଚ୍ଚ ସଂକୀର୍ଣ୍ଣତା ରାଜତ୍ୱ କରୁ ନ ଥିଲା ।

 

କିନ୍ତୁ ଇତିହାସର ଘଟଣା ପ୍ରବାହରେ ଓଡ଼ିଶା ହେଲା ସ୍ଵତନ୍ତ୍ର । ବଙ୍ଗଳା ଓ ବିହାରଠାରୁ ଶାସନଗତ ଐକ୍ୟ ଦୃଷ୍ଟିରୁ, ବିଚ୍ଛିନ୍ନ ହୋଇଗଲା । ଭାରତବର୍ଷର ଅନ୍ୟାନ୍ୟ ପ୍ରଦେଶ ସହିତ ସମକକ୍ଷ ହେବାପାଇଁ ଗତ ଦଶବର୍ଷ ହେଲା ଓଡ଼ିଶା ଯେଉଁ ସଂଗ୍ରାମ କରୁଛି, ଦାରିଦ୍ର୍ୟ, ଅଶିକ୍ଷା ଓ ରୋଗ ବିରୁଦ୍ଧରେ ଯେଉଁ ଚରମ ଅଭିଯାନ ଗତ କେତେ ବର୍ଷ ହେଲା ସଂଗଠିତ କରିଛି, ଆଉ ମାତ୍ର ଅଳ୍ପ କେତେଦିନ ଭିତରେ, ଓଡ଼ିଶା ଅଚିରେ ଏକ ସମୃଦ୍ଧିଶାଳୀ ପ୍ରଦେଶରେ ପରିଣତ ହେବ ।

 

ଅଶୋକ ସିଂହ ମନରେ ଅହଙ୍କାର । ଓଡ଼ିଶା ହେବ ଉନ୍ନତ ? ଓଡ଼ିଶା ହେବ ସମୃଦ୍ଧ ? ଓଡ଼ିଶା ଯଦି ଏଇ କେଇଟା ବର୍ଷ ଭିତରେ ଆଶାତୀତ ଅଗ୍ରଗତି କରେ, ନାନାଦୃଷ୍ଟିରୁ ସାଫଲ୍ୟ ଲାଭ କରେ, ତା’ହେଲେ ତ ବିହାର, ଓଡ଼ିଶା ଅପେକ୍ଷା ପାଞ୍ଚଗୁଣ ଅଗ୍ରଗତି କରିସାରିଥିବ ।

 

ଅଶୋକ ସିଂହ କହିଲା—ବିହାର ମଧ୍ୟ ଯଥେଷ୍ଟ ଉନ୍ନତି କରିପାରିବ ବିନୋଦ ବାବୁ । ବିହାରୀମାନେ କର୍ମଠ । ଦୃଢ଼ ପ୍ରତିଜ୍ଞ । ପରିଶ୍ରମୀ । ସେମାନେ ଯାହା ଚାହିଁବେ କାର୍ଯ୍ୟକ୍ଷେତ୍ରରେ ତାହାହିଁ କରିପାରିବେ ।

 

ବିନୋଦ ମନରେ ଅସୂୟାର ବହ୍ନି । ଓଡ଼ିଆଙ୍କର କ’ଣ ପ୍ରତିଜ୍ଞା ନାହିଁ ? ସେମାନେ କ’ଣ କର୍ମଠ ନୁହଁନ୍ତି ? ପରିଶ୍ରମୀ ନୁହଁନ୍ତି ?

 

ବିନୋଦ କହିଲା—ଓଡ଼ିଆମାନେ ଭୀଷଣ କର୍ତ୍ତବ୍ୟନିଷ୍ଠ ମିଃ ସିଂହ । ସେମାନେ ଭାରି ପରିଶ୍ରମୀ । କର୍ମଠ । କିନ୍ତୁ ଗତ କେତେ ବର୍ଷ ହେଲା ଓଡ଼ିଶା ପ୍ରତି, କେନ୍ଦ୍ର ସରକାର ଯେଭଳି ଅନ୍ୟାୟ ଓ ଅବିଚାର କରିଛି, ସେହି ଅନ୍ୟାୟ ଓ ଅବିଚାରରେ ଓଡ଼ିଶାର ଲୋକେ କ୍ଷୁବ୍ଧ ଓ ଅସନ୍ତୋଷ ପ୍ରକାଶ କରିଛନ୍ତି ।

 

ଅଶୋକ କହିଲା—କେବଳ ଓଡ଼ିଶାର ସ୍ଵାର୍ଥ ପ୍ରତି କେନ୍ଦ୍ର ସରକାର ଯେ ଅବହେଳା ଦେଖାଇଛନ୍ତି ତାହା ନୁହେଁ, ତା’ ଛଡ଼ା ବିହାରର ସ୍ଵାର୍ଥପ୍ରତି ମଧ୍ୟ ସେମାନେ ଚରମ ଅବହେଳା ପ୍ରଦର୍ଶନ କରିଛନ୍ତି ।

 

ବିହାରୀ ଓ ଓଡ଼ିଆ ବନ୍ଧୁଙ୍କ ଭିତରେ ଚାଲିଛି ଅଭାବ ଓ ଅଭିଯୋଗର ମର୍ମନ୍ତୁଦ କାହାଣୀ, ଗୋଟିକ ପରେ ଗୋଟିଏ, ଜଣକ ପଛରେ ଜଣେ, ଆଗରୁ ଯୋଜନା କରି ରଖିଲା ଭଳି, ସେମାନେ କହି ଚାଲିଛନ୍ତି ।

 

ବିନୋଦ କହିଲା—ଶୁଣନ୍ତୁ ମିଃ ସିଂହ । ଆପଣ ଷଢ଼ୈକଳା ଓ ଖରସୁଆଁ କଥା ନିଶ୍ଚୟ ଜାଣିଥିବେ । ଏହି ଦୁଇଟି ପୂର୍ବତନ ଦେଶୀୟ ରାଜ୍ୟ, ଖାଣ୍ଟି ଓଡ଼ିଆ ଅଧ୍ୟୁଷିତ ଅଞ୍ଚଳ । ମାତ୍ର ଅନ୍ୟାୟରେ, ଭାଷା ଭିତ୍ତିରେ ପ୍ରଦେଶ ଗଠନ ନୀତିକୁ କୋହଳ କରାଯାଇ, ଆପଣଙ୍କ ବିହାର ସହିତ ଏହି ଦୁଇରାଜ୍ୟକୁ ସାମିଲ କରାଯାଇଛି । ଆପଣଙ୍କ ବିହାରର ଲୋକେ, କେନ୍ଦ୍ର ଶାସନକଳ ଉପରେ କ୍ଷମତା ବିସ୍ତାର କରି, ଏଭଳି କାର୍ଯ୍ୟ ସମ୍ଭବ କରିପାରିଛନ୍ତି ମିଃ ସିଂହ । ଏବେ ବି ସେଇ ବିଛିନ୍ନାଞ୍ଚଳର ଲୋକେ, ଅଶ୍ରୁପୂର୍ଣ୍ଣ ନୟନରେ, ଓଡ଼ିଶାରେ ମିଶିବା ପାଇଁ ଚାହିଁ ରହିଛନ୍ତି ।

 

ଅଶୋକ ସିଂହ କ୍ଷୁର୍ଣ୍ଣ ହେଲେ । ବିନୋଦ ଯାହା କହୁଛି, ମିଛ କହୁନାହିଁ । ଅନ୍ୟାୟ ଯୁକ୍ତି ବାଢ଼ୁ ନାହିଁ । ବିହାରର ବହୁ ନେତୃସ୍ଥାନୀୟ ଲୋକେ କେନ୍ଦ୍ରଶାସନ ଉପରେ ନିଜ କର୍ତ୍ତୃତ୍ଵ ବିସ୍ତାର କରୁଥିବା ଅତି ସତ । ଅତି ବାସ୍ତବ ।

 

ତା ବୋଲି ସେ କଥାକୁ ବିନୋଦ ପାଖରେ ସେ ସ୍ୱୀକାର କରିବ କିପରି ? ମାନିନେବ କିପରି ? ଗ୍ରହଣ କରିଯିବ କିପରି ?

 

ଷଢ଼ୈକଳା, ଖରସୁଆଁ ପୂର୍ବତନ ଦେଶୀୟ ରାଜ୍ୟ । ଖାଣ୍ଟି ଓଡ଼ିଆ ଅଧ୍ୟୁଷିତ ଅଞ୍ଚଳ । ଦୁଇ ଦୁଇଟା ନିର୍ବାଚନରେ ଓଡ଼ିଆ ପ୍ରାର୍ଥୀ, ଓଡ଼ିଶାରେ ମିଶ୍ରଣ ପ୍ରଶ୍ନ ଉପରେ ବିହାର ବିଧାନ ସଭାକୁ ବିଜୟ ଲାଭ କରିଗଲେ । ଆଉ କଣ କରାଯାଇ ପାରିଥାନ୍ତା ? ଗଣତାନ୍ତ୍ରିକ ରାଷ୍ଟ୍ରରେ, ଲୋକମତ ଉପରେ ସବୁକିଛି କରାଯାଇ ପାରେ । କିନ୍ତୁ କେନ୍ଦ୍ର ସରକାର ଲୋକମତକୁ ମଧ୍ୟ ପ୍ରତ୍ୟାଖ୍ୟାନ କରି, ଓଡ଼ିଆ ଭାଷା ଓ ସଂସ୍କୃତିର ପୀଠସ୍ଥଳୀ ରୂପେ ବିବେଚିତ ହେଉଥିବା ଷଢ଼ୈକଳା ଖରସୁଆଁକୁ ବିହାର ସହିତ ଜବରଦସ୍ତ କିପରି ଯୋଡ଼ିଛନ୍ତି, ତାହାହିଁ ସବୁଠାରୁ ଆଶ୍ଚର୍ଯ୍ୟ ।

 

ଅଶୋକ ସିଂହ ନିଜ ପ୍ରଦେଶର ସପକ୍ଷରେ ଯାଇ କହିଲେ—ଷଢ଼ୈକଳା, ଖରସୁଆଁ ଓଡ଼ିଶାର ବୋଲି, ଓଡ଼ିଆ ଲୋକେ ଚିତ୍କାର କଲେ କିଛି ହୋଇପାରିବ ନାହିଁ ମିଃ ରାଉତରାୟ । ବିହାରରେ ମିଶିବାର ଯଥେଷ୍ଟ ଭୌଗୋଳିକ କାରଣ ମଧ୍ୟ ରହିଛି । ଆଦିବାସୀମାନେ, ଯେଉଁମାନଙ୍କୁ ସେ ଅଞ୍ଚଳର ସଂଖ୍ୟାଗରିଷ୍ଠ ଜାତିରୂପେ ଧରାଯାଏ, ସେମାନେ ତ ବିହାରରେ ମିଶିବାକୁ ଦାବୀ କରିଥିଲେ । ତେଣୁ ଷଢ଼ୈକଳା, ଝରସୁଆଁ ବିହାରରେ ମିଶିଗଲା ବୋଲି, ଓଡ଼ିଶାର ଅଙ୍ଗହାନୀ ଘଟିଲା କହିଲେ ଭୁଲ୍‍ ହେବ । ଅପ୍ରାସଙ୍ଗିକ ହେବ ।

 

ବିନୋଦ ଆଉ ସହି ପାରିଲାନି । ପ୍ରାଦେଶିକତାର ଉଗ୍ରଦାବାନଳରେ ସେ ପଳେ ପଳେ ଜଳିବାକୁ ଲାଗିଲା ।

 

କେଡ଼େ ସାହସ ଏମାନଙ୍କର ? ଏବେ ବି ଓଡ଼ିଶାର ଛାତି ଉପରେ ରହି, ସେମାନେ ଷଢ଼ୈକଳା ଓ ଖରସୁଆଁ କୁ ଓଡ଼ିଶାର ବୋଲି ଗ୍ରହଣ କରିବାକୁ ନାରାଜ ହେଉଛନ୍ତି । ପ୍ରସ୍ତୁତ ହେଉ ନାହାନ୍ତି ।

 

ବିନୋଦ ଉତ୍ତେଜିତ ହେଲା ।

 

କହିଲା–ସାଧାରଣ ସତ୍ୟକୁ ଲୁଚାଇବା ପାଇଁ ଆପଣ ଚେଷ୍ଟା କରନ୍ତୁ ନାହିଁ ମିଃ ସିଂହ । ଷଢୈକଳା, ଖରସୁଆଁ ଯେ ଖାଣ୍ଟି ଓଡ଼ିଆ ରାଜ୍ୟ, ଏ କଥା ଅସ୍ୱୀକାର କଲେ ଐତିହାସିକ ସତ୍ୟତାର ଅପଳାପ ଦେବ ।

 

ଅଶୋକ ସିଂହ ସେଇ ଭଳି ଉତ୍ତେଜିତ ସ୍ଵରରେ କହିଲା–ବିହାରୀମାନେ, କେନ୍ଦ୍ର ଶାସନର ଗୁରୁତ୍ଵପୂର୍ଣ୍ଣ ସ୍ଥାନରେ ରହି, ଷଢୈଇକଳା, ଖରସୁଆ କୁ ଜୋର ଜବରଦସ୍ତ ବିହାରରେ ମିଶାଇ ପାରିଛନ୍ତି ବୋଲି ଆପଣ କେଉଁ ଅଭିଯୋଗ କରିଛନ୍ତି, ତାହା ସଂପୂର୍ଣ୍ଣ ଅମୂଳକ । ଭିତ୍ତିହୀନ-

 

ବିନୋଦ ଆହୁରି ଉତ୍ତେଜିତ ହେଉଛି । ବନ୍ଧୁତ୍ୱର ସ୍ନିଗ୍‌ଧାତା ଭିତରୁ ପ୍ରାଦେଶିକତା ମୁଣ୍ଡ ଟେକିଲେଣି । ଦୁହିଁଙ୍କୁ ଦୁହେଁ, ସମଭାବରେ, ନିଜ ଜାତିର ଦାବୀ ସଂକ୍ରାନ୍ତରେ, ଉତ୍ତେଜିତ ହେଉଛନ୍ତି-

 

ବିନୋଦ କହିଲା—ଆପଣ ଜାଣିନାହାନ୍ତି ମିଃ ସିଂହ ! ଓଡ଼ିଆମାନେ ଧୀର, ଶାନ୍ତ । ସେମାନେ ଶାନ୍ତିପ୍ରିୟ ଜାତି । ବିହାରୀମାନଙ୍କ ପରି ସେମାନେ ଯଦି ଗୁଣ୍ଡାମି କରି ପାରନ୍ତେ, ବଂଗାଳୀମାନଙ୍କ ପରି ସେମାନେ ଯଦି ଭାବପ୍ରବଣ ହୋଇ ଆନ୍ଦୋଳନ କରିପାରନ୍ତେ, ତା’ହେଲେ ଷଢ଼ୈଇକଳା, ଖରସୁଆଁ ଆଜି ହୁଏତ ବିହାରରେ ରହି ନ ଥାନ୍ତା । ଓଡ଼ିଆ ଜାତିର ସରଳତାର ସୁଯୋଗ ନେଇ, ବିହାରୀମାନଙ୍କୁ ଏହି ଦୁଇଟି ରାଜ୍ୟଦେଇ ସନ୍ତୁଷ୍ଟ କରିଛନ୍ତି ।

 

ଅଶୋକ ସିଂହ କହିଲା—ଆପଣ ଭାବୁଛନ୍ତି ତାହେଲେ ବିହାରୀମାନେ ଗୁଣ୍ଡା ?

 

ଦୁହିଁଙ୍କୁ ଦୁହେଁ, ଆତ୍ମଜ୍ଞାନ ଭୁଲି, ଆପଣାର ସାମନା ସାମନି ହୋଇଗଲେ । ଏହି ଦୁଇଟି ଜାତିର ପ୍ରତିନିଧିରୂପେ ଏମାନେ ଯେପରି ସମୁଦ୍ରର ବାଲିବନ୍ତରେ ଆଜି ଲଢ଼ାଇ କରିବେ । ସଂଗ୍ରାମ କରିବେ । ଯୁଝାଯୁଝି ହେବେ । ଜଣେ ଜଣକୁ ତଳେ ପକାଇ, ଚିତ୍ କରାଇ ପ୍ରତିଶୋଧ ନେବ । ଜଣେ ଯାହା କହୁଛି, ସତ କହୁଛି, ନ୍ୟାୟ କହୁଛି ବୋଲି ଅବଶେଷରେ ଜଣକର ପରାସ୍ତରେ ଯେପରି ସାବ୍ୟସ୍ତ ହେବ । ପ୍ରତିପାଦିତ ହେବ ।

 

ସମୁଦ୍ରର ଏକ ଉତ୍ତାଳ ଢେଉ କୂଳ ଉପରେ ବାଜି ଦୁହିଁଙ୍କ ଉପରେ ଛିଟିକି ପଡ଼ିଲା ଟୋପାଏ ପାଣି...

 

ବିନୋଦ ଆତ୍ମ ସଚେତନତା ହେଲା । ଏ କ’ଣ ? ସେମାନେ ଦୁଇଟି ଶିକ୍ଷାର୍ଥୀ । ଶିକ୍ଷା ସମାପ୍ତି ପରେ, ସେମାନେ ଚାଲିଯିବେ ନିଜର କର୍ମକ୍ଷେତ୍ରକୁ । ଜଣେ ଯିବ ସୁଦୂର ବିହାରକୁ । ଆଉ ଜଣେ ଓଡ଼ିଶାର ତେରଟି ଜିଲ୍ଲାର କୌଣସି ଗୋଟିଏ ଜିଲ୍ଲାକୁ । ସରକାରୀ ଚାକିରୀରେ ଦୁଇଟିଯାକ ଜାତି, ଓଡ଼ିଆ ଓ ବିହାରୀ, ଯୋଗଦେବେ । ଟଙ୍କା ରୋଜଗାର କରିବେ । ଆପଣାର ଅନ୍ନ ସଂସ୍ଥାନ କରିବେ ।

 

ନିଜର ଅନ୍ନ ସଂସ୍ଥାନ ପାଇଁ ଅହରହ ବ୍ୟସ୍ତ ରହି ସେମାନେ ରାଜନୀତି କରିବାକୁ ସମୟ ପାଇବେ ନାହିଁ । ଅବସର ପାଇବେ ନାହିଁ । ଦେଶାତ୍ମବୋଧରେ ଉଦ୍‍ବୁଦ୍ଧ ହୋଇ, ନିଜ ଜୀବନକୁ ସେଥିରେ ଉତ୍ସର୍ଗ କରିପାରିବେ ନାହିଁ ।

 

କିନ୍ତୁ ସେଥିପାଇ ଆଜି କାହିଁକି ଏତେ ମନୋମାଳିନ୍ୟ ? ତିକ୍ତତା ? ଶିକ୍ଷାର୍ଥୀରୂପେ ଅଶୋକ ସିଂହ ଆସିଛି ବିହାରରୁ । ସେମାନେ ଓଡ଼ିଶାର ଅତିଥି । ସେମାନଙ୍କୁ ଆପମାନିତ କରିବା ଉଚିତ ହେବନାହିଁ । ସେମାନଙ୍କୁ ଖରାପ ବ୍ୟବହାର କରିବା ମଧ୍ୟ ଶୋଭନୀୟ ନୁହେଁ ।

 

ସେମାନେ ସମସ୍ତେ ଭାରତୀୟ । ଗୋଟିଏ ସଂବିଧାନକୁ, ଗୋଟିଏ ଶାସନ-ତନ୍ତ୍ରକୁ ସମସ୍ତେ ସମ୍ମାନ ଦେବାର କଥା । ସ୍ଵୀକାର କରିବାର କଥା । ଗୋଟିଏ ସଂଗୀତକୁ ସେମାନେ, ଆକୁମାରୀ ହିମାଚଳ ଜାତୀୟ ସଂଗୀତ ରୂପେ ଗ୍ରହଣ କରିଛନ୍ତି । ଗୋଟିଏ ପତାକାର ତଳେ ସମବେତ ହୋଇ ଏ ଦେଶର ଚାଳିଶି କୋଟି ଜନତା, ଏକ ସ୍ଵରରେ, ଜାତିଗତ, ପ୍ରାଦେଶିକ ମନୋଭାବ ଭୁଲିଛନ୍ତି ।

 

ଭାରତବର୍ଷ ଏକ ମହାନ୍ ଗଣତାନ୍ତ୍ରିକ ରାଷ୍ଟ୍ର । ଏକ ଧର୍ମ ନିରପେକ୍ଷ ରାଷ୍ଟ୍ର । ହିନ୍ଦୁ, ମୁସଲମାନ୍, ଖ୍ରୀଷ୍ଟାନ, ଜୈନ ଓ ବୌଦ୍ଧ ଧର୍ମାବଲମ୍ବୀ ଲୋକେ, ସମାନ ଭାବରେ ସମାନ ସୁଯୋଗ ପାଇବେ ।

 

ସାମାନ୍ୟ ଘଟଣାରେ ସେ ଏଭଳି ଉତ୍ତେଜିତ ହେବାର କୌଣସି କାରଣ ନାହିଁ । ସେ ଭୁଲ କରିଛି । ଷଢ଼ୈକଳା ଓ ଖରସୁଆଁ କଥା ଆଲୋଚନା ପ୍ରସଙ୍ଗରେ ଉତ୍ଥାପିତ କରି, ଅନ୍ୟାୟ କରିଛି ।

 

ଦୁଇବନ୍ଧୁ, ଜଣେ ବିହାରୀ ଓ ଓଡ଼ିଆ ଆସିଥିଲେ, ଜହ୍ନପକ୍ଷ ରାତ୍ରିରେ ସମୁଦ୍ରର ବେଳାଭୂମିକୁ । ଗଳ୍ପ କରିବାକୁ । ହାଲ୍‍କା ମନରେ ନାନା କଥା ଆଲୋଚନା କରି ପୁଣି ହଷ୍ଟେଲକୁ ଫେରି ଆସିବାକୁ ।

 

କିନ୍ତୁ ଆକସ୍ମିକ ଭାବରେ, ଦୁହିଁଙ୍କ ଭିତରେ ଉତ୍କଟ ପ୍ରାଦେଶିକତାର ପାଚେରୀ ଠିଆ ହେଲା । ନାଁ, ସେ ଆଉ ଯୁକ୍ତି କରିବ ନାହିଁ । ତର୍କ ବାଢ଼ିବ ନାହିଁ । ଆଲୋଚିତ ବିଷୟ ଉପରେ ସେ ଆଉ ମନ୍ତବ୍ୟ ପ୍ରକାଶ କରିବ ନାହିଁ ।

 

ସେମାନେ ଦୁଇଟି ମଣିଷ । ଦୁଇଟି ସର୍କାରୀ କର୍ମଚାରୀ । ଗୋଟିଏ ହଷ୍ଟେଲରେ, ଗୋଟିଏ ଟ୍ରେନିଂ ଇନିଷ୍ଟିଚ୍ୟୁଟ୍‍ ରେ ପୁଣି ଗୋଟିଏ ନିର୍ଦ୍ଧାରିତ ପାଠ୍ୟକ୍ରମରେ ସେମାନେ ତାଲିମ ପାଉଛନ୍ତି । ସମାନ ଭାବରେ ଚିନ୍ତା କରୁଛନ୍ତି ।

 

ତେଣୁ ସେମାନେ ଦୁଇଟି ବନ୍ଧୁ । ଦୁଇଟି ହୃଦୟକର ବନ୍ଧୁ ହିସାବରେ ସେମାନେ ଏକାକାର କରିବେ । ହଜାଇ ଦେବେ । ମିଶାଇ ଦେବେ । ମିଳାଇ ଦେବେ । ଦୁଇଟି ହୃଦୟର ସ୍ନେହ ସ୍ନିଗ୍ଧ ଜଳ ପ୍ରବାହରେ ସକଳ ପ୍ରାଦେଶିକତା ଭାସିଯାଉ । ଡୁବିଯାଉ ।

 

ବିନୋଦର ଆଖିରୁ ରାଗ ଓ ଉତ୍ତେଜନା ମୁହୂର୍ତ୍ତକ ମଧ୍ୟରେ ଉଭାଇଗଲା ।

 

ଜହ୍ନ ଆଲୋକରେ ସେ ଚାହିଁଲା ସରଳ ଭାବରେ ଅଶୋକ ସିଂହଙ୍କୁ...

 

ଅଶୋକ ସିଂହ ମନରେ ସତେ ଯେପରି ରାଗ ନାହିଁ । କ୍ରୋଧ ନାହିଁ । ପ୍ରାଦେଶିକତାର ବାଡ଼ବଗ୍ନି ସଂପୂର୍ଣ୍ଣ ଭାବରେ ସତେ ଯେପରି ନିଭିଯାଇଛି । ନିର୍ବାପିତ ହୋଇଛି ।

 

ଦୁହିଁଙ୍କର ମୁଖମଣ୍ଡଳ, ଜହ୍ନ ଆଲୋକରେ ସଫେଦ୍, ଉଜ୍ଜ୍ୱଳ ଦେଖାଦେଲା ।

 

ବିନୋଦ କହିଲା—ଚାଲନ୍ତୁ ଫେରିଯିବା ଆମ ହଷ୍ଟେଲକୁ ମିଃ ସିଂହ । ଆମେ ଆଉ ସେସବୁ ବିଷୟ ଆଲୋଚନା କରିବା ନାହିଁ । ସେଇ ସବୁ ଶୁଷ୍କ ଓ ନୀରସ ଆଲୋଚନା ଆରମ୍ଭ କରି, ଆମର ବନ୍ଧୁତ୍ଵକୁ ଆମେ ନଷ୍ଟ କରିଦେବା ନାହିଁ ।

 

ଅଶୋକ ସିଂହ ହସିଲା ।

 

ହସି ହସି କହିଲା–ଆପଣ ଯାହା କହିଛନ୍ତି ଠିକ୍ କହିଛନ୍ତି ମିଃ ରାଉତରାୟ । ଗୋଟିଏ ହାଲ୍‍କା ରାତିରେ ଆମେ ଆମର ହାଲ୍‍କା ମନ ନେଇ ଆସିଥିଲେ ସମୁଦ୍ରକୂଳକୁ । ମାତ୍ର ହଠାତ୍ ଆଲୋଚନା ପ୍ରସଙ୍ଗରେ ଆମେ ଆମର ସମସ୍ତ ବନ୍ଧୁତ୍ୱ ଓ ସଂପର୍କକୁ ଭୁଲିଯାଇ ଏକ ସଂକୀର୍ଣ୍ଣ ମନୋଭାବ ନେଇ, ପରସ୍ପରର ଯୁକ୍ତି କରିବାରେ ଲାଗିଲେ ।

 

ଦୁହେଁ ହସିଲେ ।

 

ଦୁହିଁଙ୍କର ହାତ, ଦୁହିଁଙ୍କ ଆଡ଼କୁ ପ୍ରସାରିତ ହୋଇଥିଲା । ଦୁହେଁ ବୁକୁଭରି କରମର୍ଦ୍ଦନ କରିବାରେ ଲାଗିଲେ ।

 

ବିନୋଦ କହିଲା–ଆମେ ଏସବୁ ସଂନ୍ତ୍ରାନ୍ତରେ କେବେ ଆଉ ଆଲୋଚନା କରିବା ନାହିଁ ମିଃ ସିଂହ । ଚାଲନ୍ତୁ ଫେରିଯିବା ହଷ୍ଟେଲକୁ ।

 

ଅଶୋକ ସିଂହ ଓ ବିନୋଦ, ଧୀରେ ଧୀରେ ଚାଲି ଚାଲି ହଷ୍ଟେଲକୁ ଫେରୁଥିଲେ ।

 

ଫେରୁଥିଲାବେଳେ ଅଶୋକ ସିଂହ ଭାବୁଥିଲା ବିନୋଦର କଥା ।

 

ବିନୋଦର ଚିନ୍ତାଧାରା, ଦୃଷ୍ଟିଭଙ୍ଗୀ ସବୁ ଓଡ଼ିଆ ଶିକ୍ଷାର୍ଥୀଙ୍କ ଠାରୁ ଭିନ୍ନ । ତାର ଅଛି ବଳିଷ୍ଠ ବ୍ୟକ୍ତିର । କାହାରି ପ୍ରତି ହିଂସା ନାହିଁ । ଘୃଣା ନାହିଁ ।

 

ବିନୋଦ ଗୋଟେ ଭଲ ମଣିଷ...

 

ହିଁ ହେଜ ଗଟ୍ ଏ ନୋବଲ୍ ହାର୍ଟ...

 

ସେମାନେ ହଷ୍ଟେଲ୍ ଆଡ଼କୁ ଚାଲିଛନ୍ତି ।

 

ବିନୋଦ ଉପରେ ରମାବଲ୍ଲଭ ବିରକ୍ତ...

 

ବିକ୍ରମ ମଧ୍ୟ ତାକୁ ସମର୍ଥନ କରୁଛି ।

 

ତାର କାରଣ ହେଉଛି, ବିନୋଦ ବିହାରୀମାନଙ୍କ ସାଙ୍ଗେ କାହିଁକି ଏତେ ମିଶୁଛି ? କାହିଁକି ଆଳାପ ଆଲୋଚନା କରୁଛି ? ସେମାନେ ରୋବଷ୍ଟ । ସେଲ୍‍ଫିସ୍ । ଅନ୍ୟମାନଙ୍କୁ ଘୃଣା କରନ୍ତି । ଓଡ଼ିଆ ଶିକ୍ଷାର୍ଥୀମାନଙ୍କୁ ସମାଲୋଚନା କରନ୍ତି ।

 

ଖରାବେଳେ ଖାଇପିଇ ସାରି, ବିନୋଦର ରୁମ୍‍ ମେଟମାନେ ଆଲୋଚନା ଆରମ୍ଭ କରିଛନ୍ତି ।

 

ରମାବଲ୍ଲଭ ଆରମ୍ଭ କଲା । କହିଲା—ଯେଉଁମାନେ ଓଡ଼ିଆ ଭାଷା ଓ ସଂସ୍କୃତିକୁ ଷଢ଼ୈକଳା, ଖରସୁଆଁରୁ ସମ୍ପୂର୍ଣ୍ଣରୂପେ ଉଚ୍ଛେଦ କରିବାକୁ ଚେଷ୍ଟା ଚଲେଇଛନ୍ତି, ସେମାନଙ୍କ ସଙ୍ଗେ ଆମର କୌଣସି ପ୍ରକାର ସମ୍ପର୍କ ରଖିବା ଉଚିତ୍ ନୁହେଁ ବିନୋଦ । ଓଡ଼ିଶାକୁ ଆସି, ଓଡ଼ିଶା ଭିତରେ ବର୍ତ୍ତମାନ ସୁଦ୍ଧା ରହି ସେମାନଙ୍କର କଣ କମ୍ ଗର୍ବ ? କମ୍ ଆଉ ଔଦ୍ଧନ୍ୟ ? ଓଡ଼ିଆମାନଙ୍କର କୁତ୍ସା ଓ ଅପପ୍ରଚାର ମଧ୍ୟ ସେମାନେ କରିବାରେ ଲାଗି ଯାଇଛନ୍ତି । ତେଣୁ ସେମାନଙ୍କୁ, ଏଠାରୁ ବିଦାୟ ନେଇ ଯିବା ପୂର୍ବରୁ, ଉଚିତ ଶିକ୍ଷା ଦେବାକୁ ହେବ । ତା’ ନ ହେଲେ ଓଡ଼ିଆ ଜାତିଟା ଯେ ଶାନ୍ତ, ସରଳ ଓ ନିର୍ବୋଧ, ସେ କଥା ବିହାରରେ ଯାଇ ସେମାନେ ନିଶ୍ଚୟ ପ୍ରଚାର କରିବେ ।

 

ବିକ୍ରମ ତାକୁ ସମର୍ଥନ କଲା ।

 

କହିଲା—ସତରେ ଦିନକୁ ଦିନ ସେମାନଙ୍କର ସ୍ପର୍ଦ୍ଧା ବଢ଼ି ଯାଉଛି । ଓଡ଼ିଆମାନଙ୍କୁ ଏଭଳି ଭାବରେ ସେମାନେ ସମାଲୋଚନା କରୁଛନ୍ତି, ଯାହାକି କୌଣସିମତେ ବରଦାସ୍ତ କରିବାର ନୁହେଁ ।

 

ସବୁ କଥାରେ ବିନୋଦ, ତୋ ନେତୃତ୍ଵ କାମ ଦେବନାହିଁ । ତୋ କଥା ସବୁବେଳେ ଆମେ ମାନି ଚଳିଛୁ । କିନ୍ତୁ ବିହାରୀ ମାନଙ୍କୁ ମାଡ଼ଦେବା ପାଇଁ ଆମେ ଯେଉଁ ବ୍ୟବସ୍ଥା କରିଛୁ, ସେ ବ୍ୟବସ୍ଥାକୁ ତୁ ଯଦି ବିରୋଧ କରୁ, ତା’ ହେଲେ ଅବସ୍ଥା ଭଲ ହେବ ନାହିଁ ।

 

ବିନୋଦ ହସିଲା...

 

ଏପର୍ଯ୍ୟନ୍ତ ବୈଦ୍ୟନାଥ ମଧ୍ୟ ନୀରବ ହୋଇ ବସିଥିଲା ।

 

କିନ୍ତୁ ବିକ୍ରମ ତା ବକ୍ତବ୍ୟ ହଠାତ ବନ୍ଦ କରି ସାରିଲା ପରେ ସେ କହିଲା—ଠିକ୍ କଥା ବିକ୍ରମ କହିଛି ବିନୋଦ । ଗୋପାଳପୁର ଛାଡ଼ିବା ପୂର୍ବରୁ ସେମାନଙ୍କୁ ଟାଙ୍କେ ନ ଛେଚିଲେ, ଆମ ମନରେ ଶାନ୍ତି ନାହିଁ ।

 

ବିନୋଦ ହସି ହସି କହିଲା—ବିହାରର ଶିକ୍ଷାର୍ଥୀମାନଙ୍କୁ ମାଡ଼ ମାରିଲେ, ତମର ଯେ କି ସ୍ଵାର୍ଥ ସାଧିତ ହେବ ମୁଁ ବୁଝିପାରୁ ନାହିଁ । ସେମାନେ ଆମ ପ୍ରଦେଶର ଅତିଥି । ସେମାନଙ୍କୁ ଉପଯୁକ୍ତ ସମ୍ମାନ ପ୍ରଦର୍ଶନ କରିବା ଆମର କର୍ତ୍ତବ୍ୟ ।

 

ଆମେ, ବିହାରୀ ଓ ଓଡ଼ିଆ ଗୋଟିଏ ବୃନ୍ତର ଦୁଇଟି ଫୁଲ । ଗୋଟିଏ ବୃକ୍ଷଶାଖାର ଦୁଇଟି ସମାନ ଜାତିର ପକ୍ଷୀ, ଆମେ ଯଦି କଳି କରିବା, ପରସ୍ପର ଲଢ଼େଇ କରିବା, ତା’ହେଲେ ଆମ ଦୁଇଟି ପ୍ରଦେଶର ସମ୍ପର୍କ ଆହୁରି ତିକ୍ତ, ବିଷାକ୍ତ ହୋଇଉଠିବ । ଆମ ଶିକ୍ଷାର୍ଥୀଙ୍କ ଭିତରେ ଭୁଲ ବୁଝାମଣା ସୃଷ୍ଟି ହୋଇଯିବ ।

 

ବିକ୍ରମ ଓ ରମାବଲ୍ଲଭ ପ୍ରତିବାଦ କଲେ ।

 

ବିନୋଦ କହିଲା—ଆଚ୍ଛା ମୁଁ କହିସାରେ ଆଗ ବନ୍ଧୁ ! ତମମାନଙ୍କର ଯାହା କହିବାର କଥା, ପରେ କହିବ ।

 

ଓଡ଼ିଆ ଭାଷା ଓ ସଂସ୍କୃତିକୁ ବିହାର ସରକାର ଷଢ଼ୈକଳା ଓ ଖରସୁଆଁରୁ ଉଚ୍ଛେଦ କରୁଛନ୍ତି ବୋଲି ତମେ ଅଭିଯୋଗ କରିଛି । ଏ ଅଭିଯୋଗ ନିଶ୍ଚିତ ସତ୍ୟ । କିନ୍ତୁ ସେହି ଅଞ୍ଚଳରେ ଓଡ଼ିଆ ଭାଷା ଓ ସଂସ୍କୃତିକୁ କିଏ ରକ୍ଷା କରିବ ? ଆମେ ନା ଆମ ସରକାର ।

 

ସୁତରାଂ ସେହିସବୁ ବିରାଟ କଥାକୁ ନେଇ ଆମେ ଆଉ ମୁଣ୍ଡ ଖେଳାଇବା ନାହିଁ । ଅଯଥାରେ, ନ୍ୟୁନ ମନୋଭାବର ରୋଗରେ ଆମେ ଆହତ ଓ ପୀଡ଼ିତ ହେବନାହିଁ । ଆମେ ମାତ୍ର ଦେଢ଼ଶହ ଟଙ୍କାର ଚାକିରିଆ । ଦେଢ଼ଶହ ଟଙ୍କା ପାଇଁ ଆମେ ଚାକିରୀ କରୁଛୁ । ସେମାନେ ମଧ୍ୟ କରିଛନ୍ତି ।

 

ଆମେ ସମସ୍ତ ଶିକ୍ଷାର୍ଥୀ ଗୋଟିଏ ନାବର ଯାତ୍ରୀ, ଆମର ଲକ୍ଷ୍ୟ ସମାନ । ଆମର ଉଦ୍ଦେଶ୍ୟ ଏକ । ମାତ୍ର ଏଗାର ମାସ ପାଇଁ ଆମେ ଟ୍ରେନିଂ ଆସିଛୁ । ଏଇ ଦଶମାସ ଭିତରେ, ଆମେ ବନ୍ଧୁ ରୂପେ, ସଖାରୂପେ ଚାଲିବା, ଭେଦାଭେଦ ଭୁଲିଯିବା । ପ୍ରାଦେଶିକ ସଂକୀର୍ଣ୍ଣତା କଥା ଆମେ ଭୁଲିଯିବା ।

 

ରମାବଲ୍ଲଭ ଓ ବିକ୍ରମ, ବିନୋଦକୁ ଚାହିଁ ରହିଛନ୍ତି ।

 

ବୈଦ୍ୟନାଥ ମନଦେଇ ଶୁଣୁଛି ।

 

ବିନୋଦର ବକ୍ତବ୍ୟ ଏ ପର୍ଯ୍ୟନ୍ତ ସରିନାହିଁ । ସେ କହୁଛି—ସେମାନଙ୍କ ପ୍ରତି ଆମେ ଅସଦ୍ ବ୍ୟବହାର କରିବା ନାହିଁ । ଆମେ ଅସଦ୍‍ବ୍ୟବହାର କଲେ, ସମଗ୍ର ଓଡ଼ିଆ ଜାତିର ନିନ୍ଦା ହେବ । ବଦ୍‍ନାମ ଉପୁଜିବ । ଆମ ପ୍ରଦେଶକୁ ସେମାନେ ବିଭାଗୀୟ ଶିକ୍ଷା ନେବାପାଇଁ ଆସିଛନ୍ତି । ସେମାନଙ୍କୁ ଭଲ ମନରେ, ଭଲ ଚିତ୍ତରେ ବିଦାୟ ଦେଲେ ଆମର ମଙ୍ଗଳ ହେବ । ବିହାରରେ ଆମର ଯାଇ ସେମାନେ ପ୍ରଶଂସା କରିବେ ।

 

ସେମାନଙ୍କ ଭିତରେ ଅନେକ ଭଲ ଲୋକ ଅଛନ୍ତି । ହୃଦୟବାନ୍ ରହିଛନ୍ତି । ତା’ ଭିତରୁ ଅଳ୍ପ କେତେ ଜଣ ଖରାପ ହେଲେ ବୋଲି ଆମେ କ’ଣ ଖରାପ ହୋଇଯିବା ? ମୁଁ ତମକୁ ଅନୁରୋଧ କରୁଛି ଭାଇ, ସେ ସବୁ ନିଷ୍ପତ୍ତିରୁ ତମେମାନେ କ୍ଷାନ୍ତହୁଅ । ନିବୃତ୍ତ ରହ ।

 

ଯଦି କୌଣସି ବିହାରୀ ଶିକ୍ଷାର୍ଥୀ, ଓଡ଼ିଆ ଜାତି, ସଂସ୍କୃତି ଓ ଆଚାର ପଦ୍ଧତି ଉପରେ ସମାଲୋଚନା ବାଢ଼େ, ବ୍ୟଙ୍ଗ କରେ, ବିଦ୍ରୂପ କରେ, ବକ୍ରୋକ୍ତି କହେ, ତା’ହେଲେ ମତେ ଆସି ଦୟାକରି କହ । ମୁଁ ସେମାନଙ୍କ ପାଖରେ ଉପସ୍ଥାପିତ କରିବି ଏବଂ ସେଭଳି ବ୍ୟକ୍ତି ତମମାନଙ୍କ ଆଗରେ କ୍ଷମା ଭିକ୍ଷା କରାଇବାର ବ୍ୟବସ୍ଥା କରିପାରିବି ।

 

ଆମେ ସାମାନ୍ୟ କଥାରେ ଉତ୍ତେଜିତ ହେବାନାହିଁ । ବିବେକ ହରାଇବା ନାହିଁ । ଯୁଗେ ଯୁଗେ, କାଳେ କାଳେ, ଓଡ଼ିଶା ଚିର ଶାନ୍ତ ଓ ଉଦାର ବୋଲି ଯେଉଁ ଜନରବ ରହିଛି, ଲୋକ କାହାଣୀ ରୂପେ ଏବେ ସୁଦ୍ଧା ପ୍ରଚଳିତ ହେଉଛି, ସେଇ ସୁଖ୍ୟାତି ଉପରେ ଆମେ କଳଙ୍କ ବୋଳି ପାରିବା ନାହିଁ । ଆମେ ଅପନିନ୍ଦିତ ହେବା ନାହିଁ ।

 

ରମାବଲ୍ଲଭ ଓ ବିକ୍ରମର ମନ, ଧୀରେ ଧୀରେ ଶାନ୍ତ, ସ୍ଵାଭାବିକ ହୋଇଉଠୁଛି । ୟା ପୂର୍ବରୁ ବିହାରୀମାନଙ୍କୁ ମାଡ଼ଦେବା ପାଇଁ ସେମାନେ ଯେଉଁ ଯୋଜନା ଓ ପରିକଳ୍ପନା କରିଥିଲେ, ବିନୋଦର ଆବେଗମୟ ଉଦବୋଧନରେ ତାହା ଉପଶମିତ ହୋଇଯାଉଛି ।

 

ବିନୋଦ ଠିକ୍ କହୁଛି । ସେ ଅନ୍ୟାୟ କହୁନାହିଁ । ଅସୁନ୍ଦର କଥାର ପ୍ରସ୍ତାବ ବାଢ଼ୁନାହିଁ ।

 

ରମାବଲ୍ଲଭ କହିଲା—ଆଚ୍ଛା ହେଉ, ତୋ କଥା ମାନି ଆମ ଦୁଷ୍ଟ ସିଦ୍ଧାନ୍ତରୁ ଆମେ କ୍ଷାନ୍ତ ରହିଲୁ । କିନ୍ତୁ ଦେଖ, ଯେଉଁଦିନ ଓଡ଼ିଆ ଜାତି ଉପରେ କୌଣସି ପ୍ରକାର ଖରାପ ମନ୍ତବ୍ୟ ସେମାନେ ପ୍ରକାଶ କରିବେ, ଠିକ୍ ସେହିଦିନ ତୁ ଯଦି ତାର ଯଥୋଚିତ ପ୍ରତିକାର ନ କରୁ, ତା’ହେଲେ ତୋ ସହିତ ସେମାନଙ୍କୁ ଆମେ ଦେଖିନେବୁ ।

 

ବୈଦ୍ୟନାଥ ହସୁଛି । ନିର୍ବୋଧ ହସ । ସେ ହସରେ ଯେପରି କୌଣସି ଅର୍ଥ ନାହିଁ । ମୂଲ୍ୟ ନାହିଁ ।

 

ବାହାରେ ଚୈତ୍ର ଅପରାହ୍ନର ନିଛାଟିଆ ପବନ ଭିତରେ ଖେଳି ବୁଲୁଥିଲା ଝାଉଁବୀଥିର ଅବୋଧ୍ୟ ସଙ୍ଗୀତର ପୁଞ୍ଜିଭୂତ ମୂର୍ଚ୍ଛନା...

 

ଶେଷ ବୈଶାଖର ଗୋଟିଏ ଅଳସ ସନ୍ଧ୍ୟା...

 

ହଷ୍ଟେଲରେ ରମାବଲ୍ଲଭ ନାହିଁ । ବିକ୍ରମ ନାହିଁ । ବୈଦ୍ୟନାଥ ମଧ୍ୟ ଅନୁପସ୍ଥିତ ।

 

ସେମାନେ ସବୁ ଘରକୁ ଯାଇଛନ୍ତି । ସରକାରୀ ଛୁଟିକୁ ମିଶାଇ ସେମାନେ ପାଞ୍ଚଦିନ ଛୁଟିନେଇ ଘର ଅଭିମୁଖେ ଯାତ୍ରା କରିଛନ୍ତି ।

 

ସେମାନେ ଫେରୁ ଫେରୁ ପ୍ରାୟ ଆହୁରି ଛ’ ଦିନ ଲାଗିଯିବ ।

 

ସେମାନେ ନ ଯିବେ କିପରି ? ବିନୋଦକୁ ଛାଡ଼ିଲେ, ସେ ତିନିହେଁଯାକ ବିବାହିତ । ରମାବଲ୍ଲଭ ବିବାହ କରିବାର ଚାରିମାସ ମାତ୍ର ପାଇଛି । ବୈଦ୍ୟନାଥର ବର୍ଷ ପୂରିନାହିଁ । ବିକ୍ରମ କଥା ସ୍ଵତନ୍ତ୍ର । ଦୁଇଟି ପୁତ୍ର ସନ୍ତାନର ଜନକ ହେବାର ସୌଭାଗ୍ୟ ପାଇ ମଧ୍ୟ ଘରକୁ ଯିବାପାଇଁ ତାର ବେଶି ଆଗ୍ରହ । ବେଶି ଉତ୍କଣ୍ଠା । ଗୋପାଳପୁରରେ ଏକକାଳୀନ ମାସେ ରହିଗଲେ ସେ ସତେ ଯେପରି ଅଣନିଃଶ୍ଵାସୀ ହୋଇପଡ଼େ । ରୁଦ୍ଧଶ୍ୱାସ ହୋଇଯାଏ ।

 

ତେଣୁ ବିନୋଦ ନିହାତି ଏକୁଟିଆ ବୋଧ କରୁଛି । ହଷ୍ଟେଲ ଭିତରେ ଅନେକ ଓଡ଼ିଆ ଓ ବିହାରୀ ଶିକ୍ଷାର୍ଥୀ ରହିଛନ୍ତି । କିନ୍ତୁ ସେମାନଙ୍କ ସହିତ ଅତି ମାମୁଲି କଥାବାର୍ତ୍ତା । ମାମୁଲି ଭାବ ବିନିମୟ । ପ୍ରାଣଖୋଲି, ମନଖୋଲି ସେମାନଙ୍କ ସହିତ ଏକାନ୍ତ ବ୍ୟକ୍ତିଗତ କଥା କେବେହେଲେ ସେ ଆଲୋଚନା କରିନାହିଁ ।

 

ତେଣୁ ତାକୁ ନିର୍ଜ୍ଜନ ବୋଧ ହେଉଛି ।

 

ସାଙ୍ଗସାଥୀଙ୍କ ମେଳରେ ରହି ସମୟ ଅତିବାହିତ କରିବାରେ ଗୋଟିଏ ଆନନ୍ଦ ଅଛି । ପ୍ରଚୁର ଆମୋଦ ରହିଛି । ସେମାନଙ୍କଗହଣରେ, ନାନା ଆଲୋଚନା ସ୍ରୋତରେ ଆପଣାକୁ ଭସାଇ ଦେଲେ, ମନରେ ଦୁଃଖ ରହେନାହିଁ । ଚିନ୍ତା ପଶେନାହିଁ । ବିଷାଦ ସ୍ପର୍ଶ କରେନାହିଁ । ବିନୋଦ, ଏଇ କେଇଦିନ ଭିତରେ ସେ କଥା ଅଙ୍ଗେ ନିଭେଇଛି ।

 

ମାତ୍ର ଆଜି ! ଏଇ ଏକୁଟିଆ ରହିବାରେ ବି ଏକପ୍ରକାର ଆନନ୍ଦ ମିଳୁଛି । ପୁଲକ ସୃଷ୍ଟି ହେଉଛି ।

 

ନାଁ, ରୁମ୍ ଭିତରେ ବସି, ପତ୍ର-ପତ୍ରିକା ପଢ଼ିଲେ ଭଲ ଲାଗୁନାହିଁ । ସମୁଦ୍ର କୂଳକୁ ଯାଇ ଟିକିଏ ଘୁରି ଆସିଲେ, ମନରେ ହୁଏତ ଟିକିଏ ପରିବର୍ତ୍ତନ ହୋଇପାରେ ।

 

ବୈଶାଖୀ ସନ୍ଧ୍ୟାରେ, ବେଳାଭୂମିରେ ଆଜି ସେ ଏକାକୀ ବୁଲିବ । ଏକାକୀ ସମୁଦ୍ରର ବେଳାଭୂମିରେ ମନଇଚ୍ଛା ସେ ଘୁରିବ । ଆଜି ସେ କାହାରିକୁ ଡାକିବ ନାହିଁ । କାହାରିକୁ ମଧ୍ୟ ସାଙ୍ଗରେ ନେବ ନାହିଁ । ଏକାକୀ, ମନଭରି, ସମୁଦ୍ରର ଉତ୍ତଳ ଢେଉ ସହିତ ଉଦାତ୍ତ କଣ୍ଠରେ ସଙ୍ଗୀତ ଗାଇ, ବାଲିବନ୍ତରେ ସେ ଘୁରିବ ।

 

ବିନୋଦ ଚାଲି ଚାଲି ସମୁଦ୍ର କୂଳରେ ପହଞ୍ଚିଲା ।

 

ଆକାଶରେ ବୈଶାଖୀ ପୂର୍ଣ୍ଣିମାର ଜହ୍ନ । ତଳେ, ସମୁଦ୍ରର ସୀମାହୀନ ବାଲିବନ୍ତର ପୂର୍ଣ୍ଣିମା ଜ୍ୟୋସ୍ନାର ଏକ ରେଶମୀ ଉତ୍ତରୀୟ...

 

ବେଳାଭୂମିରେ, ଅନେକ ଲୋକ ନ ଥିଲେ ମଧ୍ୟ ଦୂର ଦୁରାନ୍ତରୁ, ଗ୍ରୀଷ୍ମ ବିକାଶ ଏଠାରେ କଟାଇବା ନିମନ୍ତେ ଯେଉଁମାନେ ଆସିଛନ୍ତି, ସେଇମାନଙ୍କର କେତୋଟି ତରୁଣୀ ବଧୂ, ଶାଳୀକା ଓ ସମ୍ପର୍କୀୟା ବିବାହଯୋଗ୍ୟ ଭଉଣୀମାନେ ବେଳାଭୂମିରେ ଘୁରୁଛନ୍ତି ।

 

ଏ ପାଖରେ କେରଳଠାରୁ ଆର ପଟେ ବମ୍ବେ ପର୍ଯ୍ୟନ୍ତ । କେତେ ପ୍ରଦେଶର ଚେଞ୍ଜର ଏଠାକୁ ଆସିଛନ୍ତି । କିଏ ସାଧା ଲୁଙ୍ଗି ସାଙ୍ଗରେ ସାର୍ଟ ଦେଇଛି । କିଏ ପୂରାପେଣ୍ଟ ପିନ୍ଧି, ଦେହରେ ହାୱାଇ ଦେଇ, ମୁଣ୍ଡରେ ଟୋପି ଚଢ଼ାଇଛି । ଆଉ କିଏ ମୁହଁରେ ଦାଢ଼ି ଛାଡ଼ି, ହାତରେ ଲୁହାକଡ଼ା ଝୁଲାଇ, ପଗଡ଼ି ଦେଇଛି ।ଆଉ ପୁଣି କାହାର ଧଳା ପଞ୍ଜାବୀ ତଳେ ମର୍ସରାଇଜ୍ଡ଼ ଧୋତି—ତା’ ସାଙ୍ଗକୁ ଆଖିରେ ଚଷମା । ଠିକ୍ ସେଇମିତି, ସେମାନଙ୍କ ନାରୀମାନେ, ବିଭିନ୍ନ ପ୍ରଦେଶର ପରିଧାନ ଶୈଳୀରେ ନିଜକୁ ଆବୃତ୍ତ ଓ ସଜ୍ଜିତ କରି ବେଳାଭୂମିର ସାନ୍ଧ୍ୟ ବାତାବରଣକୁ ଆମୋଦିତ ଓ ସୁରଭିତ କରି ବୁଲିବାରେ ଲାଗିଛନ୍ତି ।

 

ଆଜିକାର ବେଳାଭୂମି, ବିନୋଦ ଆଖିରେ ସତେ ଯେପରି ନୂତନ—ଅନବଦ୍ୟ !

 

ଏଇଠାରେ ଦୀର୍ଘ ଛ ମାସ ଅତିବାହିତ କରିଛି । ଏଇ ବେଳାଭୂମିରେ ଅନେକଥର ସେ ଆସି ଘୁରା ଫେରା କରି ଫେରିଯାଇଛି । ମାତ୍ର ଆଜିକାର ସନ୍ଧ୍ୟା ଅଭିନବ । ସମ୍ପୂର୍ଣ୍ଣ ନୂତନ ।

 

ବିଚିତ୍ର ବେଶଭୂଷାରେ ସଜ୍ଜିତ ଏଇ ନ-–ନାରୀମାନଙ୍କୁ ଦେଖିବାକୁ ଇଚ୍ଛା ହେଉଛି । ସେମାନଙ୍କୁ ନିବିଡ଼ ଭାବରେ ଚାହିଁବା ପାଇଁ ତାର ଆଗ୍ରହ ଜାଗୁଛି ।

 

ସନ୍ଧ୍ୟାବେଳର ଉଦ୍ଧତ ପବନରେ କାହାର ଦେହରୁ ସମ୍ପୂର୍ଣ୍ଣ ରୂପେ ଶାଢ଼ୀ ଉଡ଼ିଯାଉଛି ତ ଆଉ କିଏ ବକ୍ଷଦେଶରେ ଶାଢ଼ୀର ଘେର ନ ଦେଇ, ବାହାରକୁ ବ୍ଲାଉସ୍ ପିନ୍ଧି, ନିର୍ବିକାର ଚିତ୍ତରେ ଆଗେଇ ଚାଲୁଛି । ନିଜର ସହଯାତ୍ରୀ ଆତ୍ମୀୟ ଓ ବନ୍ଧୁ ସହିତ ପ୍ରାଣଖୋଲା ଗପ କରି କରି ମସ୍ଗୁଲ ରହୁଛି ।

 

କାହାର କବରୀ ପବନର ଛନ୍ଦେ ଛନ୍ଦେ ଅବିନ୍ୟସ୍ତ ହୋଇଛି । ବହଳ କେଶଗୁଚ୍ଛର ମେଘତଳେ କାହାର ଛୋଟ ମୁଖଟି ଗୋଟିଏ ତାରକା ପରି ଦେଖାଯାଉଛି ।

 

ବିନୋଦ ସନ୍ଧ୍ୟାର ସେଇ ସ୍ପଷ୍ଟ ଜ୍ୟୋସ୍ନାଲୋକରେ, ସେମାନଙ୍କର ଖୁବ୍ ନିକଟତମ ଏକ ସ୍ଥାନରେ ଯାଇ ପହଞ୍ଚିଲା ।

Unknown

 

ସେମାନେ ଆଗକୁ ଆଗକୁ ଧୀରେ ଧୀରେ ଚାଲିଛନ୍ତି ।

 

ବିନୋଦ ମଧ୍ୟ ସେମାନଙ୍କ ପଛେ ପଛେ ଅନୁଧାବନ କରୁଛି ।

 

ଆଉ କେତେବାଟ ସେ ଯିବ ? ଆଉ କେତେ ବାଟ ସେମାନଙ୍କ ପିଛା ଧରିବ ? ସେମାନଙ୍କ ପଛେ ପଛେ ଏତେ ସମୟ ଧରି ସେ ଯାଉଛି ବୋଲି ସେମାନେ କ’ଣ କିଛି ଭାବୁନାହାନ୍ତି ? ସମୁଦ୍ରର ବେଳାଭୂମିକୁ କେତେ ଲୋକ ଆସିଛନ୍ତି । ମନ ଫୁର୍ତ୍ତିରେ, ଗ୍ରୀଷ୍ମର ସନ୍ଧ୍ୟାଟାକୁ କଟାଇ ଦେବା ପାଇଁ, ଲକ୍ଷ୍ୟହୀନ ଭାବରେ ସମୁଦ୍ର କୂଳରେ ଘୂରୁଛନ୍ତି । ସେ ମଧ୍ୟ ଘୁରୁଛି ।

 

ସେମାନେ ଯାହା ଭାବନ୍ତୁ—ଯାହା ଚିନ୍ତା କରନ୍ତୁ, ସେ କିନ୍ତୁ ସେମାନଙ୍କ ପିଛା ଧରିବ । ସେମାନଙ୍କୁ ଅନୁଧାବନ କରିବ । ସେମାନଙ୍କୁ ଚାହିଁବାରେ ଗୋଟିଏ ଆଦିମ ଅଥଚ ଅନାହୂତ ଆକର୍ଷଣ ରହିଛି । ସେମାନଙ୍କ ଶରୀରକୁ ଚାହିଁଲେ, ନଗ୍ନ ବାହୁଲତାର ସୌଷ୍ଠବକୁ ଲକ୍ଷ୍ୟ କଲେ, ସେମାନଙ୍କୁ ଛାଡ଼ିଯିବାକୁ ଇଚ୍ଛା ହେଉନି । ସେ ଆତ୍ମ-ବିସ୍ମୃତ ହୋଇ ଉଠୁଛି ।

 

ଏଭଳି କିଛି ସମୟ ଗଲା...

 

ବିନୋଦ ଫେରି ଚାହିଁଲା ପଛକୁ । ପାମ୍ ବିଚ୍ ହୋଟେଲର ଶୀର୍ଷଦେଶରୁ ଝରି ଝରି ପଡ଼ୁଛି ଆଲୋକର ରେଖା । କେହି ଜଣେ ବିଶିଷ୍ଟ ଅତିଥି ବୋଧହୁଏ, ଆଜି ଆସିଛନ୍ତି ।

 

ସେ ଆତ୍ମ ସଚେତନ ହୋଇ ଉଠିଲା । ଆରେ, ବିନା ଉଦ୍ଦେଶ୍ୟରେ, କେତେଗୋଟି ନବ ଯୌବନାଙ୍କ ପଛେ ପଛେ, ସେ ଏତେବାଟ ଚାଲିଆସିଲା । ସେମାନଙ୍କୁ ଦେଖିବା ପାଇଁ, ସେମାନଙ୍କ ରୂପ ଲାବଣ୍ୟକୁ ଖୋଲା ଆଖିରେ ଉପଭୋଗ କରିବା ପାଇଁ, ନିଜର ମାନସମ୍ମାନ ଭୁଲି ଚାଲିଆସିଲା ଏତେବାଟ ?

 

ବିନୋଦ ଫେରିଲା ପଛକୁ । ଏକାକୀ, ସମୁଦ୍ରର ପ୍ରଶାନ୍ତ, ଗଭୀର ଜଳରାଶିକୁ ଚାହିଁ ଚାହିଁ ଏକ ନୂତନ ଅନୁଭୂତି ଅର୍ଜ୍ଜନ କରିବ ବୋଲି ସେ ଆସିଥିଲା ।

 

ସେମାନେ, କେତୋଟି ଭିନ୍ନ ଦେଶୀ ଯୁବକ ଯୁବତୀ ଦୂର ଦିଗନ୍ତରେ, ଝାଉଁବନ ବିଥିରେ ହଜିଗଲେ ।

 

ବିନୋଦର ଦୃଷ୍ଟିରେଖା ଆଉ ପାଇଲା ନାହିଁ ।

 

ସେ ଚାଲି ଚାଲି. ଏକପ୍ରକାର ମାନସିକ କ୍ଳାନ୍ତି ନେଇ ବସି ପଡ଼ିଲା ଗୋଟିଏ ସ୍ଥାନରେ ।

 

ସମୁଦ୍ରର ଢେଉ ବାଲିବନ୍ତରେ ତା’ର ମଥା ପିଟି ପିଟି ଚାଲି ଯାଉଛି ପୁଣି ଭିତରକୁ ।

 

ବିନୋଦ ଢେଉ ବିକ୍ଷୁବ୍ଧ ସେଇ ତରଙ୍ଗକୁ ଚାହିଁଛି ।

 

ଜୀବନରେ, ଦ୍ଵିତୀୟଥର ପାଇଁ, ଆଜି ତା’ର ମନ ହୋଇଉଠିଛି ରସ ପିପାସୁ ? ତାର ଅବିବାହିତ ଜୀବନର ଛନ୍ଦ ଚପଳ ମନ, ଆଜି ଏଇ କେତୋଟି ଭିନ୍ନଦେଶୀ ଯୁବକ ଯୁବତୀଙ୍କୁ ଦେଖି, କାହାକୁ ଯେପରି ଖୋଜୁଛି । କାହାର ପ୍ରତୀକ୍ଷାରେ ଯେପରି ଚାହିଁ ରହିଛି । ସେଇ ଅନାଗତ ଆତ୍ମାର ସନ୍ଧାନରେ ସେ ସତେ ଯେପରି ଏକାନ୍ତ ଭାବରେ ଆଜି ଆତ୍ମନିୟୋଗ କରିଛି । ମନ, ପ୍ରାଣ ଢାଳି ଦେଇଛି ।

 

କିଏ ସେହି ଆଗନ୍ତୁକା ? ବାଲିବନ୍ତରେ, ଧୀରେ ଧୀରେ, ପାଦଚାଲି, ବାଲି ଉପରେ ଚରଣର ଦାଗ ରଖି, ସେ ସତେ ଯେପରି ଆସୁଛି । ତା’ ଚରଣର ନୂପୁର ନିକ୍ୱଣିତ ଧ୍ଵନି ସତେ ଯେପରି ବାଲିବନ୍ତକୁ ମୁଖରିତ କରୁଛି ।

 

ବିନୋଦ ଚାହିଁଲା ଚାରିଆଡ଼କୁ । ଧୂସର ବାଲିବନ୍ତରେ, କେହି କେହି ଘୁରିବାରେ ଲାଗିଛନ୍ତି । କେହି କେହି ରାତି ବେଶି ହୋଇ ଯିବାରୁ, ବେଳାଭୂମିକୁ କ୍ରମଃଶୂନ୍ୟ କରି ଘରକୁ ଫେରି ଗଲେଣି ।

 

ବିନୋଦ ଚାହିଁଲା ଆକାଶକୁ । ତାରାର ଗହଣରେ, ଜହ୍ନର ବୁକୁ ଭିତରେ, ଧଳା ଧଳା ବଳୟର ହୁଡ଼ା ଭିତରେ, ଭାସି ଉଠୁଛି ଅନେକ ମୁଖ । ଅନେକ ଆଖି । ଅନେକ ଭଙ୍ଗୀର ଚାହାଁଣୀ !

 

କିଏ ସେମାନେ ? ଏଇ ଆଖି, ମୁଖ ଓ ଚାହାଁଣୀ ସହିତ ଏକଦା ସତେ ଯେପରି ସେ ପରିଚିତ ହୋଇଥିଲା । ହାଇସ୍କୁଲ ଠାରୁ କଲେଜ ପର୍ଯ୍ୟନ୍ତ, ପଢ଼ା ସାଥି ଝିଅମାନଙ୍କର ଆଖି ଓ ମୁହଁ, ବଡ଼ ଅସ୍ପଷ୍ଟ ଭାବରେ, ଭାସି ଉଠିଲା ହଠାତ୍ ତାର ଆଖି ଆଗରେ ?

 

ଏଇ କଣ ସେମାନଙ୍କ ମୁହଁ ? ଅତୀତର ପଢ଼ାସାଥି, ବିସ୍ମୃତିର ଗର୍ଭରେ ଲୀନ ହୋଇ, ଆଜି ଯେପରି ସେମାନଙ୍କର କନକ ଗୈାର ବଦନ ଦେଖାଉଛନ୍ତି । କେତେ ଚିହ୍ନା, ଅଚିହ୍ନା, ଜଣା ଅଜଣା ଅବିବାହିତା ବାଳିକାଙ୍କର ମୁଖମଣ୍ଡଳ, ରାସ୍ତା ଘାଟରେ ସହରରେ, ମୁଗ ମଫସଲର ଧାରେ ଧାରେ, ଯେଉଁମାନେ ଦିନେ ଅକସ୍ମାତ୍ରେ ଅଥବା କାର୍ଯ୍ୟାପଲକ୍ଷେ ଦେଖା ହୋଇଥିଲେ, ସେଇମାନଙ୍କ ମୁହଁ ଦେଖାଯାଉଛି ।

 

ପୁଣି ଏ କଣ ? ତାରକାର ଗହଣରେ, ପୁଣି ଭାସି ଉଠୁଛି ଆଉ କେତୋଟି କଜଳ କଳା ଆଖି । ଢଳ, ଢଳ, ଅର୍ଥପୂର୍ଣ୍ଣ, କାହାଣୀଭରା ଆଖିର ସେ ଆବେଦନ ! ସେମାନେ ବୋଧହୁଏ ଆଦିବାସୀ ବାଳିକା ।

 

ଦିନେ, ସେଇମାନଙ୍କୁ ଦେଖି, ତା’ର ପୁରୁଷକାର ଚମକି ଉଠିଥିଲା । ଚେତି ଉଠିଥିଲା । ଅବିବାହିତ ଜୀବନର ଅମୁହାଁ ଦେଉଳ ଭିତରେ ଗୋଟିଏ ଗୁରୁ ଗର୍ଜ୍ଜନ ଶୁଣିଥିଲା । ମନର ମନ୍ଦିରରେ, ଆରତିରୁ ଘଣ୍ଟା, ପ୍ରତିଧ୍ୱନି ସୃଷ୍ଟି କରିଥିଲା !

 

ଏଇ ଆଖି ଓ ମୁଖଗୁଡ଼ିକ ତା’ହେଲେ କ’ଣ ସେଇ ଆଦିବାସୀ ବାଳିକାମାନଙ୍କର ? ଆଦିବାସୀ ବାଳିକା ତଥା ଅତୀତର ବହୁ ଚିହ୍ନା ଅଚିହ୍ନା, ଜଣା ଅଜଣା ଯୁବତୀ ବନ୍ଧୁମାନଙ୍କ ସ୍ପଷ୍ଟ ଅସ୍ପଷ୍ଟ, ଛାଇ ଆଲୁଅ, ମୁଖମଣ୍ଡଳ ତଥା ଆଖିଗୁଡ଼ିକର ଆଜି ଅପୂର୍ବ ସମାବେଶ !

 

କେଉଁ ଆଖିର ଆବେଦନ ସେ ରକ୍ଷା କରିବ ? କାହା ଆଖିର ଚାହାଣୀ ତା’ ହୃଦୟକୁ ସ୍ପର୍ଶ କରିବ ? କାହା ଆଖିର ଚାହାଣୀ କାହା ନାସାରନ୍ଧ୍ରର ସୌକୁମାର୍ଯ୍ୟ ତାକୁ ଆକୃଷ୍ଟ କରିବ ?

 

ବିନୋଦ ଆଉ କିଛି ଭାବି ପାରିଲା ନାହିଁ । ଆକାଶରୁ ଆଖି ଫେରାଇ ଆଣି, ଦୁଇହାତର ତଳିପାରେ ନିଜ ଆଖିକୁ ମୁଦି ଧରିଲା ।

 

ହେ ମୋର ପରିଚିତ, ଅପରିଚିତ ଅସଂଖ୍ୟ ମୁଖମଣ୍ଡଳ ! ମୋର ଦୃଷ୍ଟିରେଖାରୁ ତମେମାନେ ଅପସରି ଯାଅ । ବିଦାୟ ନିଅ । ମୋତେ ଆଉ ବିଭ୍ରାନ୍ତ କର ନାହିଁ । ମୋ ଚିନ୍ତାରାଜ୍ୟରେ ଆଉ ଅଘଟଣ ଘଟାଅ ନାହିଁ ।

 

ମୁଁ ନିଶ୍ଚିନ୍ତ ହେବି । ସ୍ଥିର ହେବି ।

 

ବିନୋଦ ଚାହିଁଲା ଗଭୀର ଜଳଧିକୁ । ଢେଉ ପରେ ଢେଉ ତଥାପି ମାଡ଼ି ମାଡ଼ି ଆସୁଛି..

 

ହେ ଅଶାନ୍ତ ସମୁଦ୍ର ! ଯାହାର ଅଭାବ, ଆଜି ଏକାନ୍ତରେ ନିବିଡ଼ ଭାବରେ ମୁଁ ଅନୁଭବ କରୁଛି, ସେହି ଆଗନ୍ତୁକା, ସ୍ୱପ୍ନ ମଖା ମାନସ ଚାହାଣୀକୁ, ତମର ଉଦ୍ଧତ ଢେଉ ସହିତ କୂଳରେ ଲଗାଇ ଦିଅ । ମୁଁ ତାକୁ ବାହୁବେଷ୍ଟନ କରି । ତୋଳି ଧରିବି । ତା ମୁହଁ ପୋଛିଦେବି । ଆଖି ଖୋଲିଦେବି । କାନରେ ବାରମ୍ବାର ଫୁଙ୍କିଦେବି । ଦେହରୁ ତାର ବାଲି ଝାଡି଼ଦେବି ।

 

ପୃଥିବୀ ଅଜଗର ସାପ ପରି, ରାତି ବଢ଼ିବା ସଙ୍ଗେ ସଙ୍ଗେ ଶୋଇ ଯାଉଛି । ତମେ, ନିଭୃତରେ ମୋତେ ସେଇ ପ୍ରତିକ୍ଷିତା ମାନସୀ ରାଧିକାକୁ ଦେଇଦିଅ । କେହି ନ ଦେଖନ୍ତୁ । କେହି ନ ଶୁଣନ୍ତୁ ।

ବିନୋଦ ଚାହିଁଲା ଦୂର ସମୂଦ୍ରକୁ ।

 

ଗତି ବଢୁଛି ।

 

ହରିଣୀ ଶାବକଟିଏ, ରଡ଼ିଛାଡ଼ି, ବାଲିବନ୍ତରେ ଡେଇଁ ଡେଇଁ ଚାଲିଗଲା ଦୁରକୁ ଦୁରକୁ ।

 

ସେ ଆମ୍ଭ ସଚେତନ ହେଲା ।

 

ଘଡ଼ିକୁ ଚାହିଁଲା । ରାତି ଏଗାର ହୋଇଗଲାଣି । ହଷ୍ଟେଲ ପୂଜାରୀ ଅପେକ୍ଷା କରି କରି ବୋଧହୁଏ ଶୋଇ ପଡ଼ିଥିବ ।ବିନୋଦ ହଷ୍ଟେଲ ଆଡ଼େ ଚାଲିଲା ।

 

ଆକାଶରେ ଫାଜିଲ ଜହ୍ନର ବୁକୁଭରା ହସ...

 

ଗୋପାଳପୁର ଟ୍ରେନିଂ ଶେଷ ହେବାର ଆଉ ମାତ୍ର ପନ୍ଦର ଦିନ ଅଛି ।

 

ତାପରେ ପୁଣି ହେବ ନୂଆ ପୋଷ୍ଟିଂ । କେଉଁଠିକି କେଜାଣି ? ହୁଏତ ବିଭାଗୀୟ କର୍ତ୍ତୁପକ୍ଷ ସେମାନଙ୍କ ନାଲିଫିତର କରାମତି ବଳରେ, କାହାକୁ ମୟୁରଭଞ୍ଜରୁ ଟାଣି ଆଣି କୋରାପୁଟରେ ପକାଇବେ ଅଥବା ଆଉ କାହାକୁ ବାଲେଶ୍ଵରରୁ ଜବରଦସ୍ତ ନେଇ ଆସି ପୁରୀ ସମୁଦ୍ର କୂଳରେ ଉଭାନ କରାଇ ଦେବେ ।

 

ସେମାନେ କିଛି ବୁଝନ୍ତି ନାହିଁ । କର୍ମଚାରୀମାନଙ୍କର ଅଭାବ ଅସୁବିଧା ସମ୍ପର୍କ ରେ କର୍ତ୍ତୁପକ୍ଷଙ୍କ ଦପ୍ତରି ନିଷ୍ଠୁର ହୋଇ ଉଠେ । ନିର୍ମମ ହୋଇଯାଏ । ନିଜ ଇଚ୍ଛାରେ, ଖିଆଲ ବଳରେ ସେମାନେ ବଦଳି କରନ୍ତି । ବଦଳି ଆଦେଶ ସ୍ଥଗିତ ରଖନ୍ତି । ଅଦ୍ଭୁତ ଏ ବିଚାର ।

 

ଗୋପାଳପୁର ଟ୍ରେନିଂ ହଷ୍ଟେଲ ଭିତରେ, ଚାରିବନ୍ଧୁ ବସିଛନ୍ତି ।

 

ରମାବଲ୍ଲଭର ଘର ପୁରୀ ଜିଲ୍ଲାରେ ଅଥଚ ସେ ପୋଷ୍ଟିଂ ହୋଇଛି ମୟୁରଭଞ୍ଜରେ । ବୈଦ୍ୟନାଥର ଘର ଗଞ୍ଜାମରେ । ସେ କିନ୍ତୁ ପୋଷ୍ଟିଂ ହୋଇଛି ସମ୍ବଲପୁରରେ । ବିକ୍ରମର ଘର ବାଲେଶ୍ଵରରେ ଅଥଚ ତାର ପୋଷ୍ଟିଂ ସୁନ୍ଦରଗଡ଼ !

 

କାହିଁକି ? ସେହି ଜିଲ୍ଲାରେ ସେହି ସେହି ପଦବୀମାନ ଖାଲି ପଡ଼ିଥିବାବେଳେ, ସେମାନଙ୍କୁ ଅନ୍ୟର କାହିଁକି ପୋଷ୍ଟିଂ କରାଯାଏ ? ନିଜ ଜିଲ୍ଲାର ଲୋକଙ୍କୁ ସେହି ଜିଲ୍ଲାର ସର୍ବାଙ୍ଗୀନ ଉନ୍ନତି ସାଧନରେ ହୁଏତ ଉପଯୋଗ କରାଯାଇ ପାରନ୍ତା । ମାତ୍ର କାହିଁକି ଏ ସବୁ ବିଶୃଙ୍ଖଳା ? ଏପାଖ ସେପାଖ ? ଓଲଟ ପାଲଟ ?

ପୋଲିସ ବିଭାଗ ହୋଇଥିଲେ, ହୁଏତ ପ୍ରିୟାପ୍ରୀତି ଓ ଆତ୍ମୀୟ ତୋଷଣରେ ଲିପ୍ତ ରହିବାର ସମ୍ଭାବନା ଥାଆନ୍ତା । ମାତ୍ର ଦେଶ ଓ ଜାତିକୁ ଉନ୍ନତ କରିବା ପାଇଁ, ଯେଉଁ ବିଭାଗର ଗଠନମୂଳକ କାମ କେବଳ ଲକ୍ଷ୍ୟ, ସେହି ବିଭାଗର ଲୋକମାନଙ୍କୁ ଅନ୍ୟ ଜିଲ୍ଲାକୁ ବଦଳି କରାଇବାର କୌଣସି ଯଥାର୍ଥତା ନାହିଁ । କୌଣସି ଆବଶ୍ୟକତା ମଧ୍ୟ ନାହିଁ ।

ଗୋପାଳପୁର ହଷ୍ଟେଲ ଭିତରର ଗୋଟିଏ ପ୍ରକୋଷ୍ଠ ଭିତରେ ବସିରହି କଥାବାର୍ତ୍ତା ହେଉଛନ୍ତି ଚାରୋଟି ବନ୍ଧୁ ।

ବିନୋଦ କହିଲା—ପୋଷ୍ଟିଂ ପାଇଁ ତମେମାନେ ଏଭଳି ଚିନ୍ତିତ ହେବାର କୌଣସି କାରଣ ନାହିଁ ବନ୍ଧୁଗଣ ! ଓଡ଼ିଶା ରାଜ୍ୟର ତେରଗୋଟି ଜିଲ୍ଲାମାନଙ୍କରୁ, ଗୋଟିଏ ଜିଲ୍ଲାରେ ତ ପୋଷ୍ଟିଂ ହେବା । ସେଥିପାଇଁ କାହିଁକି ଏତେ ଚିନ୍ତା ? ଆତଙ୍କ ? ଆଶଙ୍କା ?

କୋରାପୁଟରେ ରହିଲେ ମଧ୍ୟ ତମେ ଓଡ଼ିଶାରେ ଅଛ ବୋଲି ଅନୁଭବ କରିବ । ସୁନ୍ଦରଗଡ଼ ବା ମୟୂରଭଞ୍ଜ ତ ଏଇ ଓଡ଼ିଶାରେ ! ପଞ୍ଜାବୀ, ତେଲୁଗୁ, ତାମିଲ ଓ ବଙ୍ଗାଳୀମାନେ ସାରା ଭାରତବର୍ଷରେ ଖେଦିଯାଉଛନ୍ତି । ମାତ୍ର ନିଜ ପ୍ରଦେଶ ଭିତରେ ତମେମାନେ ପୋଷ୍ଟିଂହୋଇ ମଧ୍ୟ ତମମାନଙ୍କର ଆପତ୍ତି । ତମମାନଙ୍କର ଅଭିଯୋଗ ।

ଓଡ଼ିଆମାନେ ଭାରି ହୋମ୍‍ସିକ୍‍ । ଏଇ ହୋମ୍‍ସିକ୍‍ ପାଇଁ ଓଡ଼ିଶା ପ୍ରଦେଶ ଅନୁନ୍ନତ । ଅନଗ୍ରସର । କେନ୍ଦ୍ର ସରକାରଙ୍କ ବଡ଼ ବଡ଼ ଚାକିରୀରେ, ଓଡ଼ିଆମାନେ ସେଥିପାଇଁ କମ୍ ସଂଖ୍ୟାରେ ରହିଛନ୍ତି । ସମଗ୍ର ଭାରତବର୍ଷ ବୁଲିବାକୁ ଓଡ଼ିଆମାନେ କୁଣ୍ଠାବୋଧ କରନ୍ତି । ଭୟ କରନ୍ତି ।

ରମାବଲ୍ଲଭ ହସି ହସି କହିଲା—ରଖ ତୋର ଷ୍ଟାଟିଷ୍ଟକ୍‍ସ୍‍ । ନିଜ ଜିଲ୍ଲାରେ ରହି, ଦରକାରବେଳେ ଘରର ଯାବତୀୟ ଜିନିଷ, ଭଲ ମନ୍ଦ, ଜମିବାଡ଼ି ନ ବୁଝିଲେ ଆଉ ବୁଝିବ କିଏ ? ତୁ ବାହାହୋଇନୁ ବୋଲି, ଯେ କୌଣସି ଯାଗାକୁ, ଯେ କୌଣସି ସ୍ଥାନକୁ ଯିବାକୁ ତୋର କୁଣ୍ଠା ନାହିଁ-। ଆପତ୍ତି ନାହିଁ । ମାତ୍ର ଆମ୍ଭେମାନେ ଭାଇ ଯାଇପାରିବୁନି । ଆମ ଜିଲ୍ଲା ବ୍ୟତୀତ ଅନ୍ୟତ୍ର ପୋଷ୍ଟିଂ ହେଲେ, ଆମେ ହଇରାଣ ହେବୁ । ବଦଳି ଆଦେଶ ସ୍ଥଗିତ ରଖିବା ପାଇଁ ଯଥାସାଧ୍ୟ ଚେଷ୍ଟା କରିବୁ-

ବୈଦ୍ୟନାଥ କହିଲା—ତୁ ଭାଇ ବିନୋଦ, ଆଣ୍ଡାମାନ ଦୀପପୁଞ୍ଜରେ ଯାଇ, ଆଲେକ୍‍ଜାଣ୍ଡାର ସେଲକାର୍କଙ୍କ ଭଳି ନିରୋଳାରେ, ନିଭୃତରେ ଜୀବନ ଯାପନ କରିପାରୁ । ମାତ୍ର ଆମ୍ଭେମାନେ ଯାଇପାରିବୁନି । ଆମର ଘର ଦ୍ୱାର ଅଛି । ପିଲା କବିଲା ଅଛନ୍ତି । ତୋ ମତାମତ ସହିତ ଏକମତ ହୋଇ ନପାରୁ ।

ବିକ୍ରମ କହିଲା—ଆରେ ତୁ ନାଗା ବୋଲି ଆମେ କ’ଣ ନାଗା ? ଆମ୍ଭମାନଙ୍କ ଜିଲ୍ଲାକୁ ଆମର ଯଦି ଏଥର ବଦଳି ନ ହୁଏ, ତା’ହେଲେ ଚାଲିବ ଛୁଟି । ଯେ ପର୍ଯ୍ୟନ୍ତ ବଦଳି ଆଦେଶ ମୋର ସ୍ଥଗିତ ନ ହୋଇଛି ସେ ପର୍ଯ୍ୟନ୍ତ, ଛୁଟିରେ ରହିବାକୁ ଆମେ ବାଧ୍ୟ ହେବୁ । ନ ହେଲେ ଉପାୟନ୍ତର ନାହିଁ ।

ବିନୋଦ ହସିଲା ମନେ ମନେ । ତା’ର ସାଙ୍ଗମାନେ ବିବାହ କରିଛନ୍ତି ବୋଲି ନିଜ ଜିଲ୍ଲାକୁ ଛାଡ଼ି ନ ଯିବାକୁ ଚାହାଁନ୍ତି । ନିଜ ଜିଲ୍ଲାର ଯେ କୌଣସି ସବ୍ଡ଼ିଭିଜନ ଅଥବା ଥାନା ହେଡ଼କ୍ଵାଟର୍ସରେ ରହିଲେ, ସେମାନେ ନିଜ ଘର ସହିତ ସମ୍ପର୍କ ରଖିବେ । ଘର ଖବର ବୁଝିପାରିବେ । ଜମିବାଡ଼ିର ରକ୍ଷଣାବେକ୍ଷଣ କରିବେ ।

 

ଯଦି ଏସବୁ କରିବାର କଥା, ତା’ହେଲେ ଚାକିରୀ କଲେ କାହିଁକି ? ଚାକିରୀ ନ କରି ଆପଣାର ଘର ଧନ୍ଦାରେ ବ୍ୟସ୍ତ ରହିଥିଲେ ତ ଖୁବ୍ ସୁନ୍ଦର ହୋଇଥାଆନ୍ତା ।

 

ସମାଜରେ, ସୁଖ, ଶାନ୍ତି ଓ ବିଳାସରେ ରହିବାକୁ ସେମାନେ ଚାହିଁନ୍ତି । ଘର ଦାୟିତ୍ଵ ତୁଲାଇବା ସଙ୍ଗେ ସଙ୍ଗେ ସରକାରୀ ରାଜକୋଷରୁ, ଚାକିରୀ କରି କିଛି ଅର୍ଥ ମଧ୍ୟ ଯୋଗାଡ଼ କରନ୍ତି-। ଚାଷବାସରୁ ଆଦାୟ ହେଉଥିବା, ଉତ୍ପନ୍ନ ହେଉଥିବା ଅର୍ଥ ଓ ଦ୍ରବ୍ୟରେ ସେମାନେ ଚଳିଯାଆନ୍ତି-। ଚାକିରୀରୁ ଆଦାୟ କରୁଥିବା ଧନ, କରଜ ଲାଗେ । ଜମି କିଣା ହୁଏ । ଇଟା ପୋଡ଼ାଯାଏ-। ଘରର ଆୟ ବଢ଼ିଚାଲେ । ବଢ଼ନ୍ତି ସମ୍ପତ୍ତି ଓ ଧନକୁ ପୁଣି ବଢ଼ାଇବା ପାଇଁ ଏମାନେ ସ୍ୱପ୍ନ ଦେଖନ୍ତି-। ଧନର ଇମାରତ୍ ଗଢ଼ାହୁଏ ।

 

ସେ କଣ ବିବାହ ଜୀବନ ପରେ ଏଇମିତି ହୋଇଯିବ ? ବୈଦ୍ୟନାଥ, ରମାବଲ୍ଲଭ ଓ ବିକ୍ରମର ପଥ ଅନୁସରଣ କରିବ ? ଏମାନଙ୍କପରି ନିଜ ଜିଲ୍ଲା ଭିତରେ, କେଳାର ପେଡ଼ି ଭିତରେ ସାପ ମୋଡ଼ି ଜାକି ହୋଇ ରହିଲାପରି ସେ ରହିବ ? ଘର, ଜମିବାଡ଼ି, ଧନ ଓ ଦୌଲତର ସ୍ଵପ୍ନ ଦେଖି ହାଇ ମାରିବ ? ଦୂର ଜଗତର ଆଲୋକ ସେ ଦେଖିବ ନାହିଁ ? ଦୂର ଜଗତର ଉଜ୍ଜଳ ଆଲୋକକୁ ଏଇମାନଙ୍କ ପରି ସେ କ’ଣ ପ୍ରତ୍ୟାଖ୍ୟାନ କରିବ ? ପରିତ୍ୟାଗ କରିବ ?

 

ନିଜ ପ୍ରଦେଶର ଅନ୍ଧକାର ଭିତରେ, କୂପମଣ୍ଡୁକ ସାଜି ସେ ରହିଯିବ ? ଓଡ଼ିଆର କଣ ଉନ୍ନତି ହେବନାହିଁ ? ଓଡ଼ିଶା ଦେଶ କଣ ଅନ୍ୟାନ୍ୟ ପ୍ରଦେଶ ସହିତ ଛନ୍ଦ ମିଳାଇ ପାଦ ମିଳାଇ ଭାରତ ରାଷ୍ଟ୍ରରେ ସୁପ୍ରତିଷ୍ଠିତ ହୋଇ ପାରିବନି ?

 

ସେ କ’ଣ ଆକାଶରେ ଉଡ଼ିବ ନାହିଁ ? ଗ୍ରହ ଗ୍ରହାନ୍ତରରେ, ନକ୍ଷତ୍ର ପୁଞ୍ଜମାନଙ୍କ ନିକଟରେ ସେ କଣ ପହଞ୍ଚି ପାରିବ ନାହିଁ ? ସେପହାର୍ଡ଼ ଓ ଗାଗାରିନ୍‍ଙ୍କ ପରି, କ୍ଷଣଜନ୍ମା କରିତ୍‍କର୍ମା ବ୍ୟକ୍ତି, ଓଡ଼ିଶାରେ କ’ଣ ଜନ୍ମ ଗ୍ରହଣ କରିବେ ନାହିଁ । ଢୋକେ ପିଇ, ଦଣ୍ଡେ ଜୀଇ କେତେକାଳ ଏ ଜାତି ବଞ୍ଚିବ ? ତାର କଣ ବିକାଶ ହେବନାହିଁ ?

 

କେତେକାଳ ଏ ଜାତି, ଏଇଭଳି, ଅଜଗର ସାପ ପରି, ପେଟେ ଖାଇ, ଶୋଇ ରହିଥିବ-? ସେ କଣ ଆଗକୁ ଆଗକୁ ଆଗେଇ ଯିବ ନାହିଁ ? ପ୍ରଧାବିତ ହେବନାହିଁ ? ବଂଶ ପରମ୍ପରାର ଚଳଣୀକୁ କେତେକାଳ, ମାନି ଚଳିବ ? କେତେ କାଳ, ସେଇ ବାଟରେ ଅନ୍ଧ ଭାବରେ ପରିଚାଳିତ ହେଉଥିବ ?

 

ଭଗବାନ ! ତମେ ଆଶୀର୍ବାଦ କର । ଓଡ଼ିଆ ଜାତିର ସ୍ଥାଣୁତ୍ୱ ଭାଙ୍ଗିଯାଉ । ତା’ର ଜଡ଼ତା ଲୋପପାଉ । ଅନ୍ୟାନ୍ୟ ଭାଷାଭାଷିଙ୍କ ପରି ସେମାନେ ଦୂରର ସଂଧାନ ନିଅନ୍ତୁ । ଦୂରତାର ସେଇ ଅସୀମ ଆହ୍ୱାନରେ ସେମାନେ ଆପଣାକୁ ଗଢ଼ନ୍ତୁ । ରମାବଲ୍ଲଭ ଅନାଇଁଛି ବିନୋଦକୁ ।

 

ବିକ୍ରମ ଓ ବୈଦ୍ୟନାଥ; ଏକ ଅର୍ଥପୂର୍ଣ୍ଣ ଚାହାଁଣୀରେ, ବିନୋଦକୁ ଚାହିଁଛନ୍ତି...

 

ବିନୋଦ ଗମ୍ଭୀର । ନିରୁତ୍ତର ।

 

ଟ୍ରେନିଂ ସରିଗଲା...

 

ପୋଷ୍ଟିଂ ଅର୍ଡ଼ର ଶିକ୍ଷାର୍ଥୀମାନେ ପାଇସାରିଛନ୍ତି ।

 

ବିହାରରୁ ଆସିଥିବା ପ୍ରାୟ ସତୁରୀଜଣ ଶିକ୍ଷାର୍ଥୀ, ସେମାନଙ୍କ ପ୍ରଦେଶକୁ ଫେରିଯାଇ ନିଜ ନିଜ କାମରେ ଯୋଗଦେଲେଣି ।

 

ବୈଦ୍ୟନାଥ, ରମାବଲ୍ଲଭ ଓ ବିକ୍ରମଙ୍କ ପୋଷ୍ଟିଂରେ ଆଦୌ ଅଦଳ ବଦଳ ହୋଇନାହିଁ । ସେମାନେ ଯେଉଁ ସ୍ଥାନମାନଙ୍କରେ ଥିଲେ, ବିଭାଗୀୟ ତାଲିମ ଶେଷକଲା ପରେ ମଧ୍ୟ ସେଇଠାରେ ପୋଷ୍ଟିଂ ହୋଇଛି ।

 

ବିନୋଦର ବଦଳି କେବଳ ହୋଇଛି । ବ୍ରହ୍ମପୁରରୁ ବାଲେଶ୍ଵର ।

 

ସେ ଘରେ ଅଛି ବର୍ତ୍ତମାନ । ଟ୍ରେନିଂ ସରିଲା ପରେ, ଅଥବା କୌଣସି ପ୍ରତିଷ୍ଠାନରୁ ଅନ୍ୟ ପ୍ରତିଷ୍ଠାନକୁ ବଦଳି ହେଲାବେଳେ ଯେଉଁ ପ୍ରସ୍ତୁତି ଆବଶ୍ୟକ ପଡ଼େ, ସେଥିପାଇଁ ସରକାରୀ କର୍ତ୍ତୃପକ୍ଷ ଟ୍ରାନ୍‍ଜିଟ୍ ପାଇଁ ଛ ସାତ ଦିନ ଛୁଟି ଦୟାକରି ମଞ୍ଜୁର କରନ୍ତି ।

 

ସେ ବର୍ତ୍ତମାନ ଟ୍ରାନ୍‍ଜିଟରେ ଅଛି ।

 

ଟ୍ରାନ୍‍ଜିଟ୍ ସରିଲା ପରେ ସେ ଯିବ ସିଧା ସଳଖ ବାଲେଶ୍ଵର । ବାଲେଶ୍ଵରରେ ପୁଣି ଆରମ୍ଭ ହେବ ନୂଆ ଜୀବନ । ନୂଆ ସହକର୍ମୀ ଜୁଟିବେ । ନୂଆ ଅଫିସର ଦେଖାଦେବେ । କିଛିଦିନ କେବଳ ନୂତନ ବାତାବରଣ ମଧ୍ୟରେ କଟିଯିବ ।

 

ବିନୋଦ ସେଥିପାଇଁ ଚିନ୍ତିତ ନୁହେଁ ।

 

ମାର୍ଗଶୀରର ଗୋଟିଏ ସକାଳ....

 

ବିନୋଦ ବାହାରିଛି ପାତ୍ରୀ ଦେଖି ।

 

ତାର ବିବାହ ପ୍ରସ୍ତାବ ପଡ଼ିଛି । ପ୍ରସ୍ତାବ ପଡ଼ି ଏକ ପ୍ରକାର ସ୍ଥିରୀକୃତ ହୋଇଛି । ବିନୋଦର ବାପା ଅରକ୍ଷିତ ବାବୁ ରତ୍ନଗିରିରେ ବିବାହ କରାଇବାକୁ ଇଚ୍ଛା ପ୍ରକାଶ କରିଛନ୍ତି ।

 

ବିନୋଦ ଚାହିଁଥିଲା ଆଉ ଗୋଟିଏ ବର୍ଷ ଅପେକ୍ଷା କରିବାକୁ । ମାତ୍ର ବାପା ବୋଉଙ୍କ ଚାପ, ତାକୁ ବାଧ୍ୟ କଲା । ବୋଉ ତାର ସବୁବେଳେ କାନ୍ଦିଲା । ଆଖିରୁ ଲୁହ ଝରାଇଲା ।

 

ରତ୍ନଗିରି, ବିନୋଦର ଗାଁକୁ ତିନି ମାଇଲି ବାଟ ।

 

ରିକ୍ସାରେ ବାହାରିଛି ସେ । ରିକ୍ସା ରାଜପଥରେ ରତ୍ନଗିରି ଅଭିମୁଖେ ଗଡ଼ି ଗଡ଼ି ଚାଲିଛି ।

 

ବିନୋଦ ମନରେ ଅନନ୍ତ ଜିଜ୍ଞାସା । ସେ ଆଜି କୁଆଡ଼େ ଯାଉଛି ? କାହାକୁ ଦେଖିବାକୁ ଯାଉଛି ? । ଜୀବନପଥର ଅସରନ୍ତି ଚଲାବାଟରେ ଯେ ହେବ ତା’ର ସାଥି, ସମଯାତ୍ରୀ । ରାସ୍ତା ଚାଲି ଚାଲି କ୍ଳାନ୍ତ ହେଲେ, ସେ ଗୋଡ଼ ଆଉଁସି ଦେବ । ମୁଣ୍ଡ ଚିପିଦେବ । ମୁଣ୍ଡରେ ପାଣି ଥାପିବ ।

 

ଠିକ୍ ସମଭାବରେ ସେ ମଧ୍ୟ କରିବ ତା’ର ସେବା । ଯତ୍ନ । ତିତିକ୍ଷା । ତାକୁ ଜ୍ଵର ହେଲେ, ସେ ବ୍ୟଥା ଅନୁଭବ କରିବ । ତା’ ଦୁଃଖରେ ସମବେଦନା ଜଣାଇବ । ସେ କାନ୍ଦିଲେ ଆଖିରୁ ତାର ଲୁହ ପୋଛିଦେବ ।

 

ରିକ୍ସା ଚାଲିଛି...

 

ସେ କେମିତି ହୋଇଥିବ ? ସେ ଦିନ ତାରାର ଗହଣରେ, ଜ୍ୟୋସ୍ନାର ମହଲରେ ଯେଉଁ ଚିହ୍ନା ଅଚିହ୍ନା କେତୋଟି ଆଶାଦୀପ୍ତ ଉଜ୍ଜ୍ଵଳ ମୁଖ, ଆଖି ଆଗରେ ତାର ଭାସି ଉଠିଥିଲା, ସେଇ ମୁଖର ଆଜି କ’ଣ ଦେଖା ଦର୍ଶନ ମିଳିବ ? ସେଇ ଢଳ ଢ଼ଳ, ସ୍ଵପ୍ନମଖା ନୟନର ଭୀରୁ ଚାହାଁଣୀ ସେ ଦେଖିପାରିବ ?

 

ଆର୍. ଉଦୟଗିରିର ସେଇ ଆରଣ୍ୟକ ପରିବେଶ ଭିତରେ ପୁଣି ସେ ଦିନ ଗୋପାଳପୁରର ସେଇ ଆଦିଗନ୍ତ ବାଲିବନ୍ତ ଉପରେ ବସି ତା’ ମନରେ ହଠାତ୍ ଯେଉଁ ଭାବର ଉଦ୍ରେକ ହୋଇଥିଲା, ଯେଉଁ ସଙ୍ଗୀତରେ ମୂର୍ଚ୍ଛନା, ସାରା ଅନ୍ତର ଭିତରଟାକୁ ତା’ର କରିଥିଲା ମୂର୍ଚ୍ଛିତ, ସେଇ ଭାବର ମୂଳକେନ୍ଦ୍ର କିଏ ? କିଏ ସେହି ନାୟିକା ? କିଏ ସେହି ପ୍ରେମିକା ?

 

ଆଜି କ’ଣ ଦେଖିବାକୁ ଯାଉଛି ସେଇ ମନୋରମାକୁ ? ଯାହାର ଆଗମନରେ ତା’ ଜୀବନର ଗତିପଥ ପୁରାପୁରି ବଦଳିଯିବ, ପରିବର୍ତ୍ତିତ ହେବ ଏବଂ କୁସୁମିତ ହେବ ? ସେଇ ଅପରିଚିତା ଲଜ୍ୟାବତୀ ବାଳିକାକୁ ସେ ସତରେ କ’ଣ ନିଜ ଆଖିରେ ଦେଖିବ ?

 

କେମିତି ସେ ଦେଖାଦେବ ? କେମିତି ଭଙ୍ଗୀରେ ତା’ ଆଖି ଆଗରେ ଆସି ସେ ଉଭାହେବ ? ସେ ଯଦି ଓଢ଼ଣା ଟାଣି ଟାଣି, ତା’ ଆଗକୁ ଆସେ, ଲଜ୍ଜାବନତ ମୁଖକୁ ତଳକୁ ପୋତି ସେ ଯଦି ଠିଆହୁଏ, ସେ ତାକୁ କଣ କହିବ ? କି ଭାବରେ ଚାହିଁବ ? କି ଭାଷାରେ ଆଳାପ ଆଲୋଚନା କରିବ ?

 

ବିବାଦ କଲେ, ଗୋଟିଏ ନାରୀର ସାନ୍ନିଧ୍ୟ ସ୍ଵଚ୍ଛନ୍ଦରେ ପାଇବାକୁ ହୁଏ !

 

ସାମାଜିକ ଜୀବନରେ, ଗୋଟିଏ ସୁନ୍ଦରୀ ଯୌବନବତୀ ତରୁଣୀକୁ ନିରେଖି ନିରେଖି ଚାହିଁଲେ, ପାପ ଲାଗେ । ଲୁଚି ଲୁଚି ତା’ ସହିତ ଆଳାପ କଲେ, ପ୍ରେମ କଲେ, ଅପନିନ୍ଦାର ଡିଣ୍ଡିମ ବାଜେ ।

 

ମାତ୍ର ବିବାହ ଜୀବନରେ, ସେହି ନାରୀ ସହିତ ରାତି ରାତି, ଦିନ ଦିନ ବସି ପ୍ରେମକଲେ କିଛି କ୍ଷତି ହୁଏ ନାହିଁ । କଳଙ୍କ ଲାଗେ ନାହିଁ । ସାମାଜିକ ପାପରାଶି ତା’ ଭିତରକୁ ପ୍ରବେଶ କରେ ନାହିଁ । ସେ ପ୍ରେମ ହୁଏ ସାମାଜିକ । ବୈଧ । ବାଞ୍ଛିତ । ସ୍ଵର୍ଗୀୟ । ଏହାହିଁ ଆମର ସାମାଜିକ ବିଧି ବ୍ୟବସ୍ଥା ।

 

ରିକ୍ସା ଚାଲିଛି....

 

ଆର୍. ଉଦୟଗିରିର ସେଇ ହୋ ବସ୍ତିରେ, ହୋ ଝିଅମାନେ ଝରଣାରୁ ଜଳ ଧରି, ମୁଣ୍ଡରେ ମୁଣ୍ଡାଇ ଧାଡ଼ିବାନ୍ଧି, ଶୋଭାଯାତ୍ରା କରିଲାଭଳି କରି, ଲଙ୍ଗଳା ଦେହରେ ସେ ଦିନ ଆସୁଥିଲେ । ସେମାନଙ୍କ ବଳିଲା ବଳିଲା ଦେହର ନୃତ୍ୟନ୍ତ ଭଙ୍ଗୀମା ଏବେ ସୁଦ୍ଧା ମନେ ପଡ଼ିଯାଉଛି ।

 

ମୁଗୁନି ପଥର ପରି ନିନ୍ଦା ଛାତିକୁ ସେମାନେ ଫୁଙ୍ଗୁଳା କରି, ନିର୍ବିକାର ଚିତ୍ତରେ ସେମାନଙ୍କ ପଲ୍ଲୀ ଅଭିମୁଖେ ଆସୁଥିଲେ । ସେଇ ଛାତି ଭିତରେ ବସନ୍ତର କେତେ ଶ୍ୟାମଳିମା, ବୁଲି ଆସୁଥିଲା । କେତେ ମୃଦୁ ମନ୍ଦ ହିଲ୍ଲୋଳର ଆକୁଳିତ ସୁରଭି ସେଇଠାରେ ବସାବାନ୍ଧି ରହିଥିଲା-। ଜବା କୁସୁମର କେତେ ରକ୍ତିମ ବିଳାସ ଆତ୍ମପ୍ରକାଶ କରୁଥିଲା ।

 

ସେ ଛାତି ଦେଖି ବିନୋଦର ମନତଳେ ସେଦିନ ଉଠିଥିଲା ଯେଉଁ ଅଶାନ୍ତଝଡ଼, ସେ ଝଡ଼ର ପୂର୍ବାଭାସ ଆଜି ବି ସେ ଅନୁଭବ କଲାଭଳି ଲାଗୁଛି । ସେ ଦିନର ମନର ଉତ୍ତାପ ଏବେ ବି ରହିଛି ।

 

ଦେହଜ ପ୍ରେମର ପରିସମାପ୍ତି ପାଇଁ ବିବାହ କ’ଣ ସଂପନ୍ନ ହୁଏ ? ସମ୍ଭବ ହୁଏ ? ଦେହଜ ପ୍ରେମର ପ୍ରଭାବ ଅତି ନଗଣ୍ୟ । କ୍ଷଣିକ ମାତ୍ର। ତା’ପରେ ଆରମ୍ଭ ହୁଏ ସଂସାରର କଠୋର ବାସ୍ତବତା । ଦାନାପାଣି ସଂଗ୍ରହ କରିବା ପାଇଁ ଅବିଶ୍ରାନ୍ତ ଲଢ଼େଇ । ପରିବାରକୁ ଅଭାବ ଓ ଅନାଟନରୁ ରକ୍ଷା କରିବା ପାଇଁ ନାନା ଉପାୟର ମଣିଷ ଆଶ୍ରୟ ନେବ । ଦୁନିଆଁରେ ଅନ୍ୟମାନଙ୍କ ସହିତ, ସମାନ ଆସନ ପାଇବା ପାଇଁ କଠୋର ପରିଶ୍ରମ କରିବ । ଅଧ୍ୟବସାୟ କରିବ । ପିତା, ମାତାଙ୍କୁ ସେବା କରି ସୁଖୀ କରାଇବ । ସେମାନଙ୍କଠାରୁ ଆଶୀର୍ବାଦ ଓ କଲ୍ୟାଣ ଭିକ୍ଷା କରିବ ।

 

ଏସବୁ କରିବାରେ ନିଜର ସହଧର୍ମିଣୀ ଯଦି ସାହାଯ୍ୟ ନ କରିବ, ସହଯୋଗ ନ କରିବ, ତା’ହେଲେ ଭବିଷ୍ୟତ ଜୀବନ ହାହାକାର ହୋଇ ଉଠିବ । ଦୁଃଖମୟ ହୋଇଯିବ । ବୈବାହିକ ଜୀବନର ସକଳ ପରିବେଶ ବ୍ୟର୍ଥତାରେ ପର୍ଯ୍ୟାବେସିତ ହେବ ।

 

ତେଣୁ ବହୁ ପ୍ରତିକ୍ଷିତ ବିବାହ ଲଗ୍ନରେ, ପାତ୍ରୀ ନିର୍ବାଚନ କରିବାରେ ତୃଟି ରଖିଦେଲେ; ଭବିଷ୍ୟତର ସ୍ୱପ୍ନ, କେବଳ ସ୍ଵପ୍ନରେ ହିଁ ରହିଯିବ ।

 

ଯାହାକୁ ବିବାହ କଲେ, ସାରା ଜୀବନ ସେ ସୁଖୀ ହେବ, ସେଇଭଳି ବାଳିକାଟିକୁ ସେ ବିବାହ କରିବ ।

 

ରିକ୍‍ସା ଆସି ପହଞ୍ଚିଲା ରତ୍ନଗିରିରେ...

 

ବିନୋଦର ଅସଂଖ୍ୟ ଭାବନାର ଯବନିକା ଗାଆଁମୁଣ୍ଡରେ ନିପତିତ ହେଲା ।

 

ରତ୍ନଗିରିରେ ସଂଧ୍ୟା...

 

ଅରକ୍ଷିତ ବର୍ମାଙ୍କ ଘର ଭିତରେ ସଂଧ୍ୟାକାଳୀନ ଉତ୍ତେଜନା । ଘରର ଚାରିଆଡ଼େ ଆଲୋକର ଉତ୍ତରୀୟ ।

 

ତାଙ୍କର ପ୍ରସ୍ତାବିତ ଜ୍ଵାଇଁ ଆସିଛନ୍ତି । ଜ୍ଵାଇଁ ଆସିଛନ୍ତି ତାଙ୍କର ଝିଅ ଦେଖିବାକୁ । ଝିଅଟି ତାଙ୍କର ମନକୁ ଗଲେ, ପ୍ରସ୍ତାବ ଚୂଡ଼ାନ୍ତ ହୋଇଯିବ । ଶେଷ ମାର୍ଗଶୀରରେ, ସୋରିଷଫୁଲର କ୍ଷେତକୁ ମଧୁ ମନ୍ଦ୍ରିତ କରି ବାଜି ଉଠିବ ବିବାହକାଳୀନ ଶଙ୍ଖ ।

 

ଅରକ୍ଷିତ ବାବୁ ସେଥିପାଇଁ ତତ୍ପର...

 

ଦାଣ୍ଡଘରେ ବିନୋଦ ବସିଛି । ଏଇ ଘରେ ସେମାନଙ୍କର ଦେଖାସାକ୍ଷାତ ହେବ । ସନ୍ଧ୍ୟାର ଏଇ ପ୍ରଥମ ଆଲୋକରେ, ଅରକ୍ଷିତ ବାବୁଙ୍କ କନ୍ୟା ସଙ୍ଘମିତ୍ରା ଆସିବ ହାତରେ ଜଳଖିଆ ନେଇ । ପାନ ଧରି । ନିଜର ରୂପ-ଦୀପରେ ତୈଳ ଢାଳି ଢାଳି ।

 

ନୂତନ ଆଲୋକରେ ଜଳି ଜଳି ।

 

ବିନୋଦକୁ ଅସ୍ଵାଭାବିକ ଲାଗୁଛି ।

 

ଜଣେ ଭଦ୍ରଲୋକଙ୍କ ଘରେ, ଏପରି ଅବସ୍ଥାରେ ବସିବାକୁ ତାକୁ ଲାଜ ଲାଗୁଛି । ସଂକୋଚ ବୋଧ ହେଉଛି । ଚେୟାର ଉପରେ ବସି ଗୋଡ଼ ଉପରେ ଗୋଡ଼ ପକାଇଛି । ମାତ୍ର ପାଞ୍ଚ ମିନିଟ ପରେ ଗୋଟିଏ ଗୋଡ଼ ଘୋଳେଇ ପଡ଼େ । ପୁଣି ଆଉ ଗୋଟିଏ ଗୋଡ଼ ବଦଳାଇବାକୁ ସେ ଚେଷ୍ଟାକରେ ।

 

ପାନ ଖାଇବାରେ ତାର ଅଭ୍ୟାସ ନାହିଁ । କାଚଥାଳିଆରେ, ନାନା ଢଙ୍ଗରେ, ନାରୀ ହସ୍ତର ଶିଳ୍ପ ନୈପୁଣ୍ୟ ନେଇ ଥୁଆଯାଇଛି ଅନେକ ପ୍ରକାରର ଖିଲିପାନ । ଅଭ୍ୟାସ ନ ଥିଲେ ମଧ୍ୟ ଖିଲିପାନର ସେଇ ଅପୂର୍ବ ଭଙ୍ଗୀମା, ଗୋଟି ଗୋଟି ଲବଙ୍ଗର ବିଚିତ୍ର ସମାରୋହ, ପାନ ଖାଇବାକୁ ତା’ର ଅହେତୁକୀ ଆଗ୍ରହ ସୃଷ୍ଟି କରିଛି ।

 

ପାନ ଖାଇଦେଲେ କି ଏକ ଉତ୍ତେଜନା ସୃଷ୍ଟି ହେଉଛି ! ମଥାରେ ସ୍ୱେଦ ବିନ୍ଦୁ ଦେଖାଦେଉଛି । ନାକରେ ଜମି ଉଠୁଛି ସ୍ୱେଦ କଣିକା । ସମଗୁ ଦେହଟା କି ଏକ ଅନନୁଭୂତ ପ୍ରତିକ୍ରିୟାରେ ଭରିଯାଉଛି ।

 

ଏକାକୀ, ଦାଣ୍ଡଘରେ କେତେ ସମୟ ସେ ବସିବ ? ମଝିରେ ମଝିରେ ଅରକ୍ଷିତ ବାବୁ ଆସି ଚାହିଁଦେଇ ପୁଣି ଘର ଭିତରକୁ ପଳାଇ ଯାଉଛନ୍ତି । ସେ ଭଲା ଟିକିଏ ବସନ୍ତେ ! ତା’ ସହିତ କୌଣସି କଥା ଆଲୋଚନା କରନ୍ତେ ।

 

ଅରକ୍ଷିତ ବାବୁଙ୍କ ଘର ଭିତରୁ ଛୁଙ୍କ ତରକାରୀର ବାସ୍ନା ଭାସି ଆସୁଛି । ଭାବୀ ଜ୍ଵାଇଁ ଆସିଛନ୍ତି ବୋଲି କେତେ ପ୍ରକାର ଖାଦ୍ୟ ସାମଗ୍ରୀର ପ୍ରସ୍ତୁତି ଚାଲିଛି ।

 

କଂସା ତାଟିଆର ରଣଝଣ ଐକ୍ୟତାନିକ ଶବ୍ଦ...

 

ବିନୋଦ କ୍ଳାନ୍ତ ହୋଇଉଠିଲା । ତଥାପି ଅରକ୍ଷିତ ବାବୁ ଆସୁନାହାନ୍ତି ! ସେ ଭଲା ନ ଆସନ୍ତୁ, ତାଙ୍କ ଗାଁର କୌଣସି ଯୁବକ ବ୍ୟକ୍ତିଙ୍କୁ କ’ଣ ପଠାଇ ପାରନ୍ତେ ନାହିଁ ? ତାଙ୍କ ସହିତ କିଞ୍ଚିତ ଆଳାପ ଆଲୋଚନା କଲେ ବର୍ତ୍ତମାନର ଏଇ ଦୟନୀୟ ପରିବେଶ ଅନେକାଂଶରେ ହୁଏତ ଦୂର ହୋଇଯାଆନ୍ତା ।

 

ମାତ୍ର ହାୟ ! ଅରକ୍ଷିତ ବାବୁ, ଭାବୀ ଜ୍ଵାଇଁଙ୍କ ମାନସିକ ଅବସ୍ଥା କିପରି ବୁଝିବେ ? କିପରି ଉପଲବ୍ଧି କରିବେ ?

 

ନିଜ କନ୍ୟାକୁ ସଜାଇବାରେ ସେ ବ୍ୟସ୍ତ । ନାନା ନିର୍ଦ୍ଦେଶ ସେ ଦେଉଛନ୍ତି । କିପରି ଯିବ-? କିପରି ଭାବରେ ଦାଣ୍ଡଘରର ବନ୍ଧ ଡେଇଁବ—ନମସ୍କାର କରିବ—ପାନପତ୍ର ବଢ଼ାଇବ-। ହାତକୁ ସରବତ ଗ୍ଲାସ ବଢ଼ାଇଦେବ ।

 

ତେଣେ ନିଜ ସ୍ତ୍ରୀଙ୍କୁ, ନାନାପ୍ରକାର ମିଠାଇ ପ୍ରସ୍ତୁତ କରିବା ପାଇଁ ସଙ୍କେତ ଦେଉଛନ୍ତି ।

 

ବିନୋଦ ବସିଛି ଏକୁଟିଆ । କବାଟ ଫାଙ୍କରେ ଅତି ସନ୍ତର୍ପଣରେ ଚାହିଁଲା ସେ ଅରକ୍ଷିତ ବାବୁଙ୍କ ଘର ଭିତରକୁ । ଅନେକ ବାଳିକା । ଅନେକ ଯୁବତୀ । ସମସ୍ତଙ୍କୁ ପରିଷ୍କାର ଭାବରେ, ଲଣ୍ଠନର ଅସ୍ପଷ୍ଟ ଆଲୋକରେ ଦେଖିହେଉନି । କିନ୍ତୁ ସେମାନେ ଆନନ୍ଦ ଓ ପୁଲକର କଳରବରେ ଅରକ୍ଷିତ ବାବୁଙ୍କ ଅଗଣା ମୁଖରିତ କରିଛନ୍ତି ।

 

ସେମାନେ ଚାପି ଚାପି କଥା କହିଲେ ମଧ୍ୟ, ସେମାନଙ୍କ ସଂଳାପର ଧ୍ୱନି, ଦାଣ୍ଡଘରକୁ ଶୁଭିଯାଉଛି ।

 

ବିନୋଦ ସେଇଭଳି ଅସ୍ଵାଭାବିକ ପରିସ୍ଥିତିରେ, କବାଟ ଫାଙ୍କରେ ଚାହିଁ ରହିଲା ଅରକ୍ଷିତ ବାବୁଙ୍କ ଅଗଣା ଭିତରକୁ ।

 

ସଦ୍ୟଫୁଟନ୍ତ ପୁଷ୍ପପରି ଅନେକ ଗ୍ରାମ୍ୟ ବାଳିକା ଠିଆ ହୋଇଛନ୍ତି । ସେମାନଙ୍କ ମୁଖମଣ୍ଡଳରେ ଖେଳି ଖେଳି ବୁଲୁଛି ଏକ ଶାନ୍ତ ସ୍ନିଗ୍ଧ ଜ୍ୟୋତି ।

 

ଏଇମାନଙ୍କ ଭିତରୁ ଅରକ୍ଷିତ ବାବୁଙ୍କ କନ୍ୟା କିଏ ? କିଏ ଆସିବ ଥିରି ଥିରି ପାଦ ଚଳାଇ ? ତଳକୁ ମୁହଁ ହାଣି ? ତା’ ସାଙ୍ଗରେ ଆଉ କିଏ ଆସିବ ? ଏଇ ଗ୍ରାମ୍ୟବାଳିକାମାନଙ୍କ ଭିତରୁ ବୋଧହୁଏ, ତା’ର ସହଚରୀ ସାଜି, କେହି ମଧ୍ୟ ଆସିବେ !

 

ବାପା କହିଥିଲେ ସନ୍ଧ୍ୟା ସୁଦ୍ଧା ଫେରିଆସିବାକୁ । ସନ୍ଧ୍ୟା ଆସି ଉତ୍ତୀର୍ଣ୍ଣ ହେଲା । ତଥାପି ସେ ଫେରିପାରିଲାନି ।

 

ଅରକ୍ଷିତ ବାବୁ କାହିଁକି ଏତେ ବିଳମ୍ବ କରୁଛନ୍ତି ? କ’ଣ ତାଙ୍କର ଅସୁବିଧା ? କାହିଁକି ସେ ଅଯଥାରେ ସମୟ ବଢ଼ାଉଛନ୍ତି ?

 

ବିନୋଦ ବିରକ୍ତ ହୋଇ ପୁଣି ବସି ରହିଲା ସେଇ ଚେୟାର ଉପରେ ।

 

ଅରକ୍ଷିତ ବାବୁ ଆସିଲେ ହସି ହସି । କହିଲେ—ଆଜି ରାତିଟା ବାବୁ ରହିଯିବେ । କାଲି ଭୋଓରୁ ଉଠି, କୁଆ କା ନ କରୁଣୁ, ଆପଣ ଫେରିଯିବେ ଆପଣଙ୍କ ଗାଆଁକୁ । ଶୀତଟାରେ କାହିଁକି ଯିବେ କହିଲେ ?

 

ବିନୋଦ ପ୍ରମାଣ ଗଣିଲା । ସନ୍ଧ୍ୟା ସୁଦ୍ଧା ତା’ର ଫେରିଯିବାର କଥା । କିନ୍ତୁ କଥା ରକ୍ଷାକରି ସେ ରହିଲାରୁ ପୁଣି ତାକୁ ଅଟକିବାକୁ କୁହାଯାଉଛି ।

 

ବିନୋଦ ନମ୍ର କଣ୍ଠରେ କହିଲା—ନାଇଁ ଆଜ୍ଞା, ଆଜି ରାତିରେ ଯେ କୌଣସି ମତେ ଫେରିଯିବି । ପହରିଦିନ ମୁଁ ବାଲେଶ୍ଵର ଯିବି । ସୁତରାଂ କେବେହେଲେ ରହିପାରିବିନି । କଥା ରକ୍ଷା କରି ନ ପାରୁଛି ବୋଲି ମତେ କ୍ଷମା କରିବେ ।

 

ଅରକ୍ଷିତ ବାବୁ ଟିକିଏ ଦୁଃଖିତ ହେଲେ । କିନ୍ତୁ କ’ଣ କରିବେ ? ବିନୋଦ ଯେତେବେଳେ ମନା କରୁଛି, ନିଜର ଅସୁବିଧା ହେବ ବୋଲି କହୁଛି, ସେତେବେଳେ ଜୋର ଜବରଦସ୍ତ ତାକୁ ଅଟକାଇବା ଉଚିତ ହେବନାହିଁ । ଆଚ୍ଛା ହେଉ । ଝିଅ ଦେଖି, ଜଳଖିଆ ଖାଇ ସେ ଚାଲିଯାଉ—

 

ଅରକ୍ଷିତ ବାବୁ କହିଲେ—କାମ ଯେତେବେଳେ ଅଛି, ଆପଣଙ୍କୁ ଅଟକାଇବାକୁ ମୁଁ ଉଚିତ ମନେ କରୁନାହିଁ ।

 

ଏତିକି କହି ତରବର ହୋଇ ସେ ଘର ଭିତରକୁ ଚାଲିଗଲେ ।

 

ବିନୋଦ ବସିଛି ତଥାପି ଏକାକୀ...

 

ପୁଣି ଆସିଲେ ଅରକ୍ଷିତ ବାବୁ । ପଦକ୍ଷେପରେ ତାଙ୍କର ବ୍ୟସ୍ତତା....

 

କହିଲେ—ଝିଅ ଆସୁଛି ବାବୁ ! ତରବର କରି କାମ ସାରିଦେଲେ, ଆପଣ ଫେରିଯିବେ । ମାର୍ଗଶୀରର ଶୀତ ପ୍ରବଳ ହେଲାଣି ।

 

ଅରକ୍ଷିତ ବାବୁ, ଅଳ୍ପ ଦୂରରେ, ଆଉ ଗୋଟିଏ ଚେୟାର ଉପରେ ବସିପଡ଼ିଲେ ।

 

ବିନୋଦ ନିଜକୁ ଭଲ ଭାବରେ ସଜାଡ଼ି ନେଇ, ଗମ୍ଭୀର ହୋଇ ବସିରହିଲା ।

 

ସମଗ୍ର ପ୍ରକୋଷ୍ଠଟି ନୀରବ...

 

ସଂଘମିତ୍ରା ଆସିଲା । ତା’ ସାଙ୍ଗରେ ଆଉ ଦି ଜଣ ।

 

ପ୍ରଥମେ ଯେତେବେଳେ ଘର ଭିତରକୁ ପଶିଆସିଲା, ସେତେବେଳେ ହଠାତ୍ ଚାହିଁଦେଲା ବିନୋଦକୁ ।

 

ବିନୋଦର ଚକ୍ଷୁ ଦୁଇଟି ତା’ ଉପରେ ।

 

ତାପରେ ଧୀରେ ଧୀରେ ସଂକୋଚର ସୀମାହୀନ ପାରାବାର ଭିତରେ ବୁଡ଼ିରହି, ସହଚରୀ ସ୍ଵରୂପ ଦୁଇଟି ଗ୍ରାମ୍ୟବାଳିକାଙ୍କ ଗହଣରେ, ସଂଘମିତ୍ରା ଆଗେଇ ଆସୁଥିଲା । ହାତରେ ତା’ର ପାନ ରେକାବୀ ।

 

ଟେବୁଲ ଉପରେ ପାନ ଥୋଇଦେଇ ସେ ନମସ୍କାର କଲା ।

 

ବିନୋଦ ସଂଘମିତ୍ରା ଆଡ଼କୁ ଚାହିଁ ପ୍ରତି ନମସ୍କାର ଜଣାଇଲା ।

 

ଦୁଇଟି ଗ୍ରାମ୍ୟବାଳିକାଙ୍କ ଗ୍ରହଣରେ ସଂଘମିତ୍ରା ଚମତ୍କାର ଦେଖାଯାଉଥିଲା । ଦୁଇଟି ଫ୍ରକ୍‍ପିନ୍ଧା ବାଳିକାଙ୍କର କଳାବେଣୀ ଝୁଲିପଡ଼ିଥିଲା ସାପଭଳି ତଳକୁ । ସେମାନେ ପଛପଟୁ ସେଇ କଳାବେଣୀକୁ ତୋଳିଆଣି ନିଜର ବକ୍ଷ ଉପରେ, କଳାନାଗ ପରି ଶୁଆଇଦେଇଥିଲେ ।

 

ସେମାନେ ହସୁଥିଲେ ଚାପି ଚାପି । ସଂଘମିତ୍ରାକୁ ମଝିରେ ମଝିରେ ସେଇ ଦୁଇଟି ଗ୍ରାମ୍ୟବାଳିକା ଚିମୁଟି ଦେଉଥିଲେ—ପେଲି ଦେଉଥିଲେ । ଏଇସବୁ କରିବା ଦ୍ୱାରା ସେମାନେ କ’ଣ ପାଉଥିଲେ କେଜାଣି ? ସେମାନେ କି ଆନନ୍ଦ ପାଉଥିଲେ ? କି ଉଲ୍ଲାସ ପାଉଥିଲେ ?

 

ଅରକ୍ଷିତ ବାବୁ ହସି ହସି ଏଇସବୁ ଦୃଶ୍ୟ ଦେଖି ଚାଲିଛନ୍ତି ।

 

ସଂଘମିତ୍ରା, ଥରିଲା ଥରିଲା ହାତରେ ସର୍ବତ ଗ୍ଳାସ ବଢ଼ାଇ ଦେଉଛି ବିନୋଦ ଆଡ଼କୁ ।

 

ସଂଘମିତ୍ରା କାଚଗ୍ଲାସର ଫେଣ୍ତଟାକୁ ଧରିଛି । ଫେଣ୍ତଟାକୁ ଧରି ତା’ ଆଡ଼କୁ ବଢ଼ାଇଦେଉଛି ।

 

ଗ୍ଲାସଟିର କେଉଁ ଭାଗକୁ ଧରି ସର୍ବତକୁ ସେ ଗ୍ରହଣ କରିବ ? ମଝିଅଂଶଟିକୁ ଧରିଲେ, ସର୍ବତ ଚହଲିଯିବ । ତଳେ ପଡ଼ିଯିବ ।

 

ବିନୋଦ ମଝିଅଂଶଟିକୁ ଧରିବା ପାଇଁ ହାତ ବଢ଼ାଉ ବଢ଼ାଉ, ଅଜାଣତରେ ତାର ଗୋଟିଏ ଅଙ୍ଗୁଳି, ସଂଘମିତ୍ରାର ଅଙ୍ଗୁଳି ଉପରେ ବାଜିଗଲା ।

 

ସଂଘମିତ୍ରାର ହାତ ଥରିଉଠିଲା ଅସ୍ଵାଭାବିକ ଭାବରେ ।

 

ବିନୋଦ ହଠାତ୍ ଧରି ପକାଇଲା ଗ୍ଲାସକୁ । ସେଇ ମୁହୂର୍ତ୍ତରେ ଗ୍ଲାସଟିକୁ ଧରି ପକାଇ ନ ଥିଲେ, ଗ୍ଲାସ ତଳେ ପଡ଼ିଯାଇ ହୁଏତ ଭାଙ୍ଗି ଚୁରମାର ହୋଇଯାଇଥାଆନ୍ତା ।

 

ନିଜ ହାତକୁ ଗ୍ଲାସଟାକୁ ଆଣି ବିନୋଦ ଚାହିଁଲା ସଂଘମିତ୍ରା ଆଡ଼କୁ । ତା’ର ଟଣା ଟଣା ଆଖି ଯୋଡ଼ିକରୁ ସତେ ଯେପରି ସ୍ନେହର ପାଖୁଡ଼ା ଝର ଝର ହୋଇ ଝରି ପଡ଼ୁଛି । ସାରଲ୍ୟ ଖସି ପଡୁଛି । ତା’ର ଚମ୍ପା କଳିକା ପରି ଅଙ୍ଗୁଳିର, ଲୋଭନୀୟ ଆକର୍ଷଣ, ବିନୋଦକୁ ଆକୃଷ୍ଟ କରିଛି ।

 

ଦୁଇ ସଖିଙ୍କ ଭିତରେ ସଂଘମିତ୍ରା ଦିଶୁଛି ଚମତ୍କାର । ଲଣ୍ଠନର ଝାପ୍‍ସା ଆଲୁଅ, ତାର ବ୍ରୀଡ଼ାବନତ ମୁଖମଣ୍ଡଳରେ ପଡ଼ି, ସେଇ ଲଜ୍ଜ୍ୟାକୁ ଶତଧା ବୃଦ୍ଧି କରିବାରେ ଲାଗିଛି ।

 

ଅନୁଜ, ଚମ୍ପାଗୌର ତନ୍ତୁରେ ସଂଘମିତ୍ରାର ବାତାପି ରଙ୍ଗର ଶାଢ଼ି ।

 

ଆଉ ଦେଖିବାର ଦରକାର ନାହିଁ । ସଂଘମିତ୍ରାର ପ୍ରଦର୍ଶନୀ ଏବେ ବନ୍ଦ କରାଯାଉ । ସେ ମନକୁ ଯାଉଛି । ସେ ହୃଦୟକୁ ସ୍ପର୍ଶ କରିଛି । ତା’ ଭଳି ଝିଅଟିକୁ ବିବାହ କରିବାରେ ତା’ର ଆପତ୍ତି ନାହିଁ । ଅଭିଯୋଗ ନାହିଁ ।

 

ଆକାଶର ତାରାକା ଗହଣରେ, ଏଇଭଳି କେତୋଟି ମୁଖ ଦିନେ ଆଖି ସାମନାରେ ତା’ର ଭାସି ଉଠିଥିଲେ । ସେଇ ମୁଖମଣ୍ଡଳ ଭିତରୁ ଜଣକର ପ୍ରତିନିଧିତ୍ଵ କରି, ସଂଘମିତ୍ରାର ମୁଖ ଆଜି ତାକୁ ଦେଖାଦେଇଛି । ଏଇ ମୁଖ ଭିତରେ ରାଜା ନିଶୀଥର ଜ୍ୟୋସ୍ନା ସତରେ ଯେମିତି ଲେସି ହୋଇଯାଇଛି ।

 

ସଂଘମିତ୍ରା ଆଗେ ଆଗେ...

 

ତା’ ପଛେ ପଛେ ତା’ର ସହଚରୀ ଲଳିତା ଓ ବିଶାଖା ।

 

ସେମାନେ ଫେରିଗଲେ ଘର ଭିତରକୁ । ଅସରେ ଝାଳ ବୋହିଗଲା ସେମାନଙ୍କ ଦେହରୁ...

 

ଅରକ୍ଷିତ ବାବୁ ନିଜର ସ୍ଵାଭାବିକ ଭାଷାରେ ନିଜ କନ୍ୟାର ଗୁଣ କୀର୍ତ୍ତନ ଆରମ୍ଭ କରିଦେଲେ ।

 

କିଛି ସମୟ ଗଲା...

 

ଜଳଖିଆ ଖିଆ ସରିଲା...

 

ବିନୋଦ କହିଲା—ମୁଁ ଯାଉଛି ଆଜ୍ଞା, ଥାଅନ୍ତୁ ।

 

ଅରକ୍ଷିତ ବାବୁ କୃତକୃତ୍ୟ ହୋଇଉଠିଲେ । ବିନୋଦର ଭାବଭଙ୍ଗୀରୁ ସେ ଅନୁମାନ କରୁଥିଲେ ଜ୍ଵାଇଁ ତାଙ୍କର ସନ୍ତୁଷ୍ଟ ହୋଇଛି । ଝିଅ ମନକୁ ଯାଇଛି । ବିବାହ ନିଶ୍ଚୟ ହେବ । ତାଙ୍କର ଆଶା ପୂର୍ଣ୍ଣ ହେବ । କଳ୍ପନା ସାର୍ଥକ ହେବ ।

 

ବିନୋଦ ରିକ୍ସାରେ ବସିଲା...

 

ଦାଣ୍ଡ ଝରକାରେ ସଂଘମିତ୍ରା ସହିତ କେତୋଟି ପଲ୍ଲୀ ବାଳିକା, ବିଦାୟ ସମ୍ଭାଷଣ, ସେମାନଙ୍କ କଜଳ ଆଖିରେ ଜଣାଉଥିଲେ ।

 

ବିନୋଦ ଅରକ୍ଷିତ ବାହୁଙ୍କ ନମସ୍କାର କଲା ।

 

ଅରକ୍ଷିତ ବାବୁ ଓ ତାଙ୍କ ସ୍ତ୍ରୀ ଆଶୀର୍ବାଦ ଢାଳୁଥିଲେ ।

 

ମାର୍ଗଶୀରର କନକନିଆ ଶୀତରେ ବିନୋଦର ରିକ୍ସା ଆଗେଇ ଚାଲିଲା ।

 

ସଂଘମିତ୍ରାର ଆଖି ଫେରିଆସିଲା ଝରକାରୁ ।

 

ବାଲେଶ୍ଵର ଅଫିସରେ ବିନୋଦ ଜଏନ୍ କରିଛି ।

 

ବ୍ରହ୍ମପୁରରୁ ଭୀମ ବାବୁବି ଏଠାକୁ ବଦଳି ହୋଇ ଆସିଛନ୍ତି ।

 

ଅଫିସ ଭିତରକୁ ପଶିଯାଇ, ହେଡ଼କ୍ଳର୍କଙ୍କ ଚେୟାରରେ ଭୀମବାବୁ ବସିଥିବା ଦେଖି ସେ ଚମକି ପଡ଼ିଲା । ଏଇ ମାତ୍ର ଦଶମାସ ଭିତରେ ଭୀମବାବୁଙ୍କର ମଧ୍ୟ ବଦଳି ହୋଇଯାଇଛି । ଦୁନିଆଁରେ ଏଇ ଦଶମାସ ଭିତରେ, ତା’ହେଲେ ଅନେକ କିଛି ପରିବର୍ତ୍ତନ ହୋଇଯାଇଛି ।

 

ଅଫିସ ଭିତରକୁ ପଶିଯାଇ ଭୀମବାବୁଙ୍କ ଆଗରେ ସେ ଠିଆ ହୋଇଗଲା ।

 

ଭୀମବାବୁ ଚଷମା ତଳୁ ବିନୋଦକୁ ନିରେଖି ଚାହିଁଲେ ।

 

—ଆରେ ଆରେ ବିନୋଦ ବାବୁ ଯେ, ଆସନ୍ତୁ, ଆସନ୍ତୁ । ଆପଣଙ୍କର ତା’ହେଲେ ଏଇ ବାଲେଶ୍ଵରରେ ପୋଷ୍ଟିଂ ହେଲା । ଭଲ ହେଲା ! କ୍ଷତି କଣ, ?

 

ବିନୋଦ ନମସ୍କାର ଜଣାଇଲା । ଭୀମବାବୁ ଚିରାଚରିତ ଭଙ୍ଗୀରେ ଦୁଇହାତ ଯୋଡ଼ି ପ୍ରତିନମସ୍କାର ଜଣାଇଲେ ।

 

ବିନୋଦ ଚେୟାର ଉପରେ ବସିପଡ଼ିଲା । କହିଲା, ଆପଣ କେବେଠାରୁ ଏଠାକୁ ବଦଳି ହୋଇ ଆସିଲେଣି ଭୀମବାବୁ ? ଆପଣଙ୍କର ତା’ହେଲେ ବହୁତ କିଛି ଅସୁବିଧା ହେଉଥିବ । ଆପଣଙ୍କ ଘର ବ୍ରହ୍ମପୁରରେ । ଘରେ ରହି ପିଲାପିଲିଙ୍କର ଯତ୍ନ ନେଉଥିଲେ । ଆପଣ ଏଠାକୁ ଆସିଲାପରେ, ଆପଣଙ୍କ ପିଲାମାନେ ବଡ଼ ହଇରାଣରେ ଚଳୁଥିବେ ?

 

ଭୀମବାବୁ କଲମ ଛାଡ଼ିଦେଲେ । ଚେୟାରକୁ ଆଉଜି, ଦୀର୍ଘଶ୍ଵାସ ମାରିଲେ ।

 

ବିନୋଦ ଯେମିତି ତାଙ୍କ ମନକଥା ବୁଝିଛି । ବୁଝିପାରିଛି । ଏଡ଼େ ବଡ଼ ବିରାଟ ପୃଥିବୀରେ, ବିନୋଦ ଯେମିତି ତାଙ୍କର ଏକମାତ୍ର ଶୁଭକାଂକ୍ଷୀ । ସମ୍ବେଦନଶୀଳ । ଦରଦୀ । ତାଙ୍କ ଦୁଃଖ କଥା । ସେଇ ଏକା ବୁଝିଛି । ସେଇ ଏକା ହୃଦୟଙ୍ଗମ କରିପାରିଛି । ସମଗ୍ର ବିଭାଗରେ ଏଇ ଯେମିତି କରୁଣା ଓ ଦୟାର ଗଙ୍ଗା ଯମୁନା । ଅନ୍ୟମାନେ ନିଷ୍ଠୁର । କଠୋର । ସେମାନେ ଅନ୍ୟର ଦୁଃଖ ବୁଝନ୍ତି ନାହିଁ । କଷ୍ଟ ଦେଖନ୍ତି ନାହିଁ ।

 

ଭୀମବାବୁ କୃତ୍ରିମ ହସ ହସି କହିଲେ—ଚାକିରୀ କଲେ ବଦଳି ହେବା ସୁନିଶ୍ଚିତ ବିନୋଦ ବାବୁ ! ଚାକିରୀ ଜୀବନ ଭିତରେ ସାର ଓଡ଼ିଶା ଘୂରିଲି । ଓଡ଼ିଶାର ବିଭିନ୍ନ ଜିଲ୍ଲାକୁ ବଦଳି ହୋଇଥିଲି । ସେତେବେଳେ ମୋର ଦୁଃଖ ହୋଇ ନ ଥିଲା । କଷ୍ଟ ହୋଇ ନ ଥିଲା । ଅଯଥାରେ ଖର୍ଚ୍ଚାନ୍ତ ହେବାକୁ ମନେ ପଡ଼ି ନ ଥିଲା ।

 

କିନ୍ତୁ ଆଜି ମୋତେ ଭାରି କଷ୍ଟ ହେଉଛି ବିନୋଦ ବାବୁ ! ଅବସର ଗ୍ରହଣ କରିବାକୁ ଆଉ ମାତ୍ର ବର୍ଷଟିଏ ବାକି ରହିଲା । ଭାବିଥିଲା, ବ୍ରହ୍ମପୁରରେ ରହି ଅବସର ଗ୍ରହଣ କରିବି । ପିଲାପିଲିଙ୍କର ଖବର ଅନ୍ତର ବୁଝିବି ।

 

ସେଥିପାଇଁ କର୍ତ୍ତୃପକ୍ଷଙ୍କୁ ବହୁ ଆବେଦନ ନିବେଦନ କରିଲି । ସେମାନଙ୍କ ପାଖେ ଦିନ ରାତି ଧାରଣା ପଡ଼ିଲା । ତଥାପି ସେମାନେ ଶୁଣିଲେନି । ତଥାପି ସେମାନଙ୍କ ମନରେ ଦୟା ହେଲା ନାହିଁ ଅନୁକମ୍ପା ଜାଗ୍ରତ ହେଲା ନାହିଁ । ନିଷ୍ଠୁର ଭାବରେ ମୋର ଆକୁଳ ଆବେଦନକୁ ଅଗ୍ରାହ୍ୟ କରିଦେଇ ଅବଶେଷରେ, ତାଙ୍କ ଜିଦ୍‍ଟାକୁ ସେମାନେ କାୟମ ରଖିଲେ । ବାଲେଶ୍ଵର ଆସିବାକୁ ମୁଁ ବାଧ୍ୟ ହେଲି । ମୋର ଉପାୟ ନଥିଲା

 

ସେ ଆଉ କିଛି ପାରିଲେନି । ଥକ୍କାମାରି ଚେୟାର ଉପରେ ବସି ପଡ଼ିଲେ ।

 

ବିନୋଦ ଆଉ କଣ କହିବ ? କି ଭାବରେ ବୄଦ୍ଧ ଭୀମବାବୁଙ୍କୁ ସାନ୍ତ୍ୱନା ଜଣାଇବ ? କି ଭାବରେ ତାଙ୍କର ଦୁଃଖ ଉପଶମିତ କରିବ ?

 

ଚାକିରୀ କରିବାର ଏଇମାତ୍ର ବର୍ଷଟିଏ ଭିତରେ, ଡିପାର୍ଟମେଣ୍ଟର ହାଇ ହେଣ୍ଡେଣ୍ଡନେସ୍ କଥା ସେ ବୁଝିଛି । ଉଣା ଅଧିକେ ଜାଣିଛି ।

 

ବିନୋଦ ସହାନୁଭୂତି ଜଣାଇ କହିଲା—ଆଉ କ’ଣ କରିବେ ଭୀମବାବୁ ? ବିଭାଗୀୟ କର୍ତ୍ତୃପକ୍ଷୀଙ୍କର ଏଇ ନିଷ୍ଠୁର ବିଚାରକୁ, ମୁଣ୍ଡପାତି ଗ୍ରହଣ କରିନେବା ବ୍ୟତୀତ ଆପଣଙ୍କର ଉପାୟ ନାହିଁ । ଆପଣଙ୍କର ଯେତେ ଯାହା କ୍ଷତି ହେଉପଛେ, ସରକାରୀ ଅଫିସରମାନଙ୍କୁ ଚିଡ଼ାଇଦେବା ଉଚିତ ହେବନାହିଁ । ସେମାନଙ୍କୁ ଖୋସାମତ କରିବା ଆପଣଙ୍କ ଚାକିରୀର କର୍ମ ଖୋସାମତ କରି କରି ମଧ୍ୟ ଆପଣଙ୍କ ବଦଳି ଆଦେଶ କିପରି ଯେ ସ୍ଥଗିତ ନ ରହିଲା, ତାହା ହିଁ ଆଶ୍ଚର୍ଯ୍ୟ !

 

ଭୀମବାବୁ ନୀରବ । ନିରୁତ୍ତର ।

 

ବିନୋଦ ସେଇ ନୀରବତାକୁ ଭଙ୍ଗ କହିଲା—ତା’ହେଲେ ମୋ ଜଏନିଂ ରିପୋର୍ଟ ରଖନ୍ତୁ ଭଗବାବୁ ! ମୋର ସୌଭାଗ୍ୟ ଆପଣ ପୁଣି ଆସିଛନ୍ତି ଏଠାକୁ ହେଡ଼କ୍ଳର୍କ ହୋଇ ।

 

ଭୀମବାବୁ ଆତ୍ମ ସଚେତନ ହେଲେ । କହିଲେ—ଆପଣଙ୍କ ଭଲି ଜଣେ ତରୁଣ ଇନିସପେକ୍ଟରଙ୍କୁ ସର୍କଲ ପାଇଁ ମଧ୍ୟ ଅନ୍ୟ ହୋଇଛି । କିନ୍ତୁ ଏଠାକାର ଅଫିସର ବ୍ରହ୍ମପୁର ଅଫିସରଙ୍କ ଠାରୁ ଆହୁରି ବଳନ୍ତୁ ବିନୋଦ ବାବୁ । ତେଣୁ ଜଗିରଖି ସବୁବେଳେ କାର୍ଯ୍ୟ ନ କଲେ ବିପଦ ମାଡ଼ ଆସିବା ଅବଶ୍ୟମ୍ଭାଵୀ ।

 

ବିନୋଦ ଚମକି ପଡ଼ିଲା !

 

ଏଁ ! ବ୍ରହ୍ମପୁର ଅଫିସରଙ୍କ ଠାରୁ ଏଇ ବି ଆହୁରି ଖରାପ !

 

ତା’ର ହଠାତ ମନେ ପଡ଼ିଗଲା, ଆର୍ ଉଦୟଗିରି କଥା । ସେଠାକାର ୟୁ .ଡ଼ି କ୍ଳର୍କ ଙ୍କ ପ୍ରରୋଚନାରେ, ନିର୍ଵିଚାରରେ ସେଇ ଅଫିସର ଆର୍. ଉଦୟଗିରିକୁ ଯିବାପାଇଁ ନିର୍ଦ୍ଦେଶ ଦେଇଥିଲେ । ସାତଦିନ ଭିତରେ ରିପୋର୍ଟ ଦାଖଲ କରିବା ପାଁଇ ମଧ୍ୟ ଚେତାବନୀ ଶୁଣାଇଥିଲେ ।

 

ଯଦି ସେଭଳି ଅଫିସରଙ୍କୁଠାରୁ ଇଏ ହେବେ ଆହୁରି ମାରାତ୍ମକ, ବିପଦଜଣକ ତା’ହେଲେ ଅବସ୍ଥାହୋଇ ଉଠିବ ଅସମ୍ଭାଳ । ହଇରାଣ ହରକତର ସୀମା ଆଉ ରହିବ ନାହିଁ ।

 

ବିନୋଦ ଚାହିଁଲା ନିର୍ବୋଧଙ୍କ ଭଳି ଭୀମବାବୁଙ୍କୁ । ଭୀମବାବୁ ଏକ ଉଦାସ ଦୃଷ୍ଟିରେ ବିନୋଦକୁ ଚାହିଁ ରହିଲେ ।

 

ଭୀମବାବୁ କିଛି ସମୟ ବିନୋଦର ମୁହଁକୁ ଚାହିଁ, ତା’ର ମନୋଭାବକୁ ଧରିପାରିଲେ ।

 

କହିଲେ—ଚିନ୍ତା କରିବାର କୌଣସି କାରଣ ନାହିଁ ବାବୁ ! ଆପଣାର କର୍ତ୍ତବ୍ୟ ସଂପାଦନ କରିବାରେ ତ୍ରୃଟି ନ କଲେ, କେହି ଆପଣଙ୍କର କିଛି କରି ପାରିବେ ନାହିଁ ।

 

ବିନୋଦ ହସି ହସି କହିଲା—ଏଇ ଆମର ଚାକିରୀ ଜୀବନ ଭୀମବାବୁ । ଆମେ ହସି ହସି ସରକାରୀ କାର୍ଯ୍ୟରେ ଆମ୍ମନିୟୋଗ କରିବାକୁ ପ୍ରସ୍ତୁତ ହେଉଛେଁ । କିନ୍ତୁ ଆମ୍ଭମାନଙ୍କୁ ଯେଉଁ ଅଫିସରମାନେ ପରିଚାଳିତ ଓ ନିୟନ୍ତ୍ରିତ କରୁଛନ୍ତି, ସେମାନେ ଯଦି ନିର୍ବୋଧ ହେବେ, ପରଦ୍ୱାରା ଚାଳିତ ହୋଇ ଆମର ସାମୁଦ୍ରିକ ଉନ୍ନତିରେ ବାଧା ସୃଷ୍ଟି କରିବେ, ଆମର ଚରମ ଦୁଃଖ ସେଇଠି ଭୀମବାବୁ !

 

ଭୀମବାବୁ କହିଲେ—ଛାଡ଼ନ୍ତୁ ସେମାନଙ୍କ କଥା । ଆପଣଙ୍କ ଜଏନଂ ରିପୋର୍ଟ ଦିଅନ୍ତୁ । ଏଠାରେ ବେଶି ସମୟ ଗଳ୍ପ କଲେ, ଅଫିସରଙ୍କ କାନରେ ଯାଇ ବାଜୁଛି । ଆମ୍ଭେମାନେ ପରେ ଅନେକ କଥାବାର୍ତ୍ତା ହେବା ବିନୋଦ ବାବୁ । ମିଃ ସେନାପତିଙ୍କ ପରି ଏଠି ବି ଗୁପ୍ତଚର ରହିଛନ୍ତି ।

 

ବିନୋଦ ହସିଲା–ହସି ହସି କହିଲା, ସତେ !

 

ଭୀମବାବୁ, ଫାଇଲ୍ ଭିତରେ ଆଖି ହଜାଇ ଦେବାକୁ ଚେଷ୍ଟା କରୁଥିଲେ । ମାତ୍ର ହଠାତ ସେନାପତିଙ୍କର କଥା ମନେ ପଡ଼ିବାରୁ, ଫାଇଲ୍ ଭିତରୁ ଆଖି ବାହାର କରି ଚାହିଁଲେ ବିନୋଦକୁ ।

 

କହିଲେ—ଶୁଣିଛନ୍ତି ବିନୋଦ ବାବୁ, ଏଠାକୁ ମିଃ ସେନାପତି ଇନିସପେକ୍ଟର ପଦକୁ ଉନ୍ନୀତ ହୋଇ ଆସୁଛନ୍ତି । ଆମ ଅଫିସକୁ ଅର୍ଡ଼ର ଆସିଗଲାଣି । ଖୁବ୍ ନିକଟରେ ସେ ବୋଧେ ଜଏନ୍ କରିବେ ।

 

ବିନୋଦ କହିଲା—ଇଜ୍ ଇଟ୍ ?

 

ଭୀମବାବୁ କହିଲେ—ଏଠାକାର ପରିସ୍ଥିତି ଯେମିତି, ସେ ପରିସ୍ଥିତିର ଯଥାର୍ଥ ଉପଯୋଗ କରିବେ ମିଃ ସେନାପତି । କେଜାଣି ଇନିସପେକ୍ଟର ହୋଇ, ସେ କାନକୁହା ନୀତି ଛାଡ଼ିଲେଣି କି ନାହିଁ ?

 

ବିନୋଦ ହସି ହସି କହିଲା—ମଲେ ମଧ୍ୟ ପ୍ରକୃତି ଛାଡ଼େ ନାହିଁ ଭୀମବାବୁ ! ଆଚ୍ଛା, ଅଫିସରଙ୍କୁ ଟିକିଏ ସାକ୍ଷାତ କରିଆସେ । ପରେ କଥାବାର୍ତ୍ତା ହେବା ।

 

ବିନୋଦ ଚାଲିଗଲା ଅଫିସରଙ୍କୁ ସାକ୍ଷାତ କରିବା ପାଇଁ ।

 

ସଂଘମିତ୍ରା ଆସିଛି ତା’ ସ୍ୱାମୀ ସହିତ ବାଲେଶ୍ଵର...

 

ବିନୋଦର ଉପଯୁକ୍ତ ସ୍ତ୍ରୀ ସେ...

 

ସେ ଅଫିସରୁ ନ ଫେରିଲା ପର୍ଯ୍ୟନ୍ତ, ସେ ଝରକା ପାଖରେ ଅପେକ୍ଷା କରିଥିବ । ଗବାକ୍ଷ ପୁଡ଼ାକୁ ଧରି ରାଜରାସ୍ତାକୁ ଆକୁଳ ନୟନରେ ଚାହିଁ ରହିଥିବ । ସାଇକେଲରେ ଘଣ୍ଟି ବାଜି ଉଠିଲେ ଆଖି ତା’ର ଉଜ୍ଜ୍ୱଳି ଉଠେ ।

 

ସେ ନ ଫେରିଲେ ସଂଘମିତ୍ରା କିଛି କରେନି । ବସାଘରର ସଂକୀର୍ଣ୍ଣ ପରିବେଷ୍ଟନୀ ମଧ୍ୟରେ ଖାଲି ଏପାଖ ସେପାଖ ହୁଏ । ବହି, ସମ୍ବାଦପତ୍ର ପଢ଼ିବାକୁ ସେ ଯେତେ ଚେଷ୍ଟାକରେ, ପଢ଼ିପାରେନି । ତା’ର ଅଭିନିବେଶ ଭାଜିଯାଏ । ଧୈର୍ଯ୍ୟ ରହେ ନାହିଁ । ବିରକ୍ତରେ ବହିପତ୍ର ବନ୍ଦ କରିଦେଇ, ପୁଣି ଚାଲିଆସେ ଦାଣ୍ଡଘରକୁ ।

 

ଯେଉଁଦିନ ବିନୋଦ ଫେରିବାରେ ଟିକିଏ ବିଳମ୍ବ ହୋଇଯାଏ, ସେଦିନ ସଂଘମିତ୍ରା ଆଖିରୁ ଲୁହ ଢ଼ାଳେ । କାନ୍ଦି କାନ୍ଦି, ବାହୁନି ବାହୁନି, ଆଖିଫୁଲେ । ନାକ ବଡ଼ ହୁଏ । ମୁହଁ ଓଜନିଆ ଧରେ । ସେଦିନ ଥିଲା ମାଘର ଏକ ଶୀତ ରାତି...

 

ସଂଘମିତ୍ରା ଓ ବିନୋଦ ଗୋଟିଏ ବିଛଣାରେ, ମାଘର ଶୀତାର୍ତ୍ତ ପରିବେଶକୁ ପ୍ରତିହତ କରି ଶୋଇଥିଲେ ।

 

ସଂଘମିତ୍ରା କାନ୍ଦି କାନ୍ଦି, ବିନୋଦର ଛାତି ଉପରେ ମୁହଁ ରଖି କହିଲା—ତମେ ଟିକିଏ ଡେରି କରି ଆସିଲେ, ଏଇ ସମସ୍ତ ଖଞାଟା ମୋତେ ହାହାକାର ଲାଗୁଛି । ଅସହ୍ୟ ବୋଧ ହେଉଛି-। କାହା ସହିତ ଗପ କରିବି ? ଦୁଃଖ ସୁଖ ହେବି ? କିଏ ଅଛି ମୋର ସାଙ୍ଗ ? କିଏ ଅଛି ମୋର ସାଥି ? ତମେ ମୋର ଦୁଃଖ ସୁଖର ସାଥି । ହସ ଓ ଅଶ୍ରୁର ସହଚର । ବ୍ୟଥା ଓ ଆନନ୍ଦର ଅଂଶୀଦାର । ତମକୁ ଘଡ଼ିଏ ନ ଦେଖିଲେ, ତମେ ଘଡ଼ିଏ ପାଖରୁ ମୋର ଅନ୍ତର ହୋଇଗଲେ, ମୋର ଦୁଃଖ ହୁଏ । କାନ୍ଦମାଡ଼େ ।

 

ତମେ ଆଜି ମୋ ଛାତିରେ ହାତଦେଇ କହ, ତମେ କେବେ ହେଲେ ଡେରିରେ ଆସିବ ନାହିଁ । ତମ ସ୍ନେହରୁ ମତେ ତିଳେ ହେଲେ ବଞ୍ଚିତ କରିବ ନାହିଁ । ତମକୁ ଯୁଗ ଯୁଗଧରି ମୋର ପାଖରେ ବାନ୍ଧି ରଖିବି । ଯୁଗ ଯୁଗଧରି, ତମରି ଚରଣ ସେବାରେ ମନ ଢାଳିଦେବି ।

 

ତମେ ମୋର ଦେବତା । ସ୍ୱାମୀ । ଇହକାଳ ଓ ପରକାଳର ମୁକ୍ତିଦାତା । ତମ ସେବାରେ ମୋ ଜୀବନ ଯାଉ । ତମର ମଙ୍ଗଳ କାମନାରେ ମୋ ପ୍ରାଣ ଉତ୍ସର୍ଗୀକୃତ ହେଉ । କିନ୍ତୁ ତମେ ଯେପରି, ମତେ ଅନାଦର ନ କର—ଭୁଲି ନ ଯାଅ । ଜୀବନର ଯେଉଁ ଅବସ୍ଥାରେ ତୁମେ ଥାଅନା କାହିଁକି, ମୋ କଥା ଟିକିଏ ସ୍ମରଣ କରିବ । ଅଭାଗିନୀର କଥା ମନ ଭିତରେ ସ୍ଥାନ ଦେଇଥିବ ।

 

ଜୀବନର ପରମ ଗୌରବରେ, ଚରମ ଦୁର୍ଦ୍ଦିନରେ ମୋତେ ନିଶ୍ଚୟ ମନେ ପକାଇବ ତ-?

 

ବିନୋଦ, ଗଭୀର ରାତ୍ରିରେ ସଂଘମିତ୍ରା କୋଳରେ ଶୋଇଛି । ତା’ କଥା ଗଭୀର ଭାବାବେଗରେ ସେ ଶୁଣୁଛି...

 

ଅବିବାହିତା ଅବସ୍ଥାରେ, ଯେଉଁଭଳି ସ୍ତ୍ରୀଟିଏ ପାଇବା ପାଇଁ ସେ ଇଚ୍ଛା କରିଥିଲା, କଳ୍ପନାର ଜାଲ ବୁଣୁଥିଲା, ଠିକ୍ ସେହିଭଳି ସ୍ତ୍ରୀଟିଏ ତାକୁ ମିଳିଛି । ସେ ନ ଖାଇଲେ, ସେ ଖାଇବନି-। ସେ ଆଗ ନ ଶୋଇଲେ, ସେ ଶୋଇବନି । ସେ ଗୋଡ଼ ଚିପିଦେଲେ, ମୁଣ୍ଡରେ ହାତ ବିଲାଇଲେ କାହିଁ କେଉଁ ପୁରରୁ ମାଡ଼ି ମାଡ଼ି ଆସେ ଗଭୀର ତନ୍ଦ୍ରା ......

 

ଅଫିସରୁ ଆସି ପହଞ୍ଚିଯିବା ମାତ୍ରେ ଜୋତା ଖୋଲିଦେବ । ସାର୍ଟ ଓହ୍ଲାଇ ଦେବ । ପ୍ୟାଣ୍ଟ ପାଲଟିବାକୁ ଲୁଙ୍ଗି ବଢ଼ାଇ ଦେବ । ତା’ ପରେ ଜଳଖିଆ...

 

ପ୍ରତିଦିନ, ନୂଆ ନୂଆ ପ୍ରକାରର, ନୂଆ ନୂଆ ସ୍ୱାଦୁଯୁକ୍ତ ଜଳଖିଆ । ହାଲୁଆ, ଇଡ଼ିଲି୍‍ ଓ ଉପମା । ଚୂଡ଼ାଘଷା, କାକରା ଓ ବରା । ଯେଉଁଦିନ ମନ ଯେମିତି ଖୋଜେ, ପାଟି ଯେମିତି ଚାହେଁ, ଠିକ୍ ସେହି ଅନୁଯାୟୀ ସେ କରି ଥୋଇଦିଏ । ଆଉ ଟିକିଏ ଦେବି, ହଁ କେତେ ଗୁଡ଼େ ଯେ, ଆଉ ଗୋଟିଏ ! ଏମିତି ଏମିତି କହି ଖାଇବାକୁ ଦିଏ । ପେଟ ପୂରିଉଠେ ।

 

ମାତ୍ର ସଂଘମିତ୍ରାର ପ୍ରଶଂସା ତା’ ଆଗରେ ସେ କରିବ କିପରି ? ନିଜ ସ୍ତ୍ରୀର ପ୍ରଶଂସା ନିଜ ଆଗରେ କରିବା ଅନୁଚିତ ।

 

ତେଣୁ ସଂଘମିତ୍ରା ତା’ର ଉପଯୁକ୍ତ ସ୍ତ୍ରୀ । ଯୋଗ୍ୟ ସହଧର୍ମିଣୀ । ତାକୁ ପାଇ, ଜୀବନ ତା’ର ହସି ଉଠିଛି । ପଲ୍ଲବିତ ହୋଇଛି । ସେ ଗୃହର କୁଳବଧୁ । ଲକ୍ଷ୍ମୀ । ତା’ ଭଳି ବୋହୂ ପାଇ, ବାପା ବୋଉ ସମସ୍ତେ ସୁଖୀ । ସମସ୍ତେ ଆଶ୍ଵସ୍ତ ।

 

ବିନୋଦ ଏ ପର୍ଯ୍ୟନ୍ତ ନୀରବରେ ସଂଘମିତ୍ରାର କଥା ଶୁଣୁଥିଲା । କିନ୍ତୁ ତା’ର ଶେଷ କେତୋଟି ବାକ୍ୟ ତାକୁ ଉତ୍ତର ଦେବାକୁ ବାଧ୍ୟ କଲା ।

 

ସଂଘମିତ୍ରାର ହାତ ଉପରେ ହାତ ରଖି ବିନୋଦ କହିଲା—ତମକୁ କେବେହେଲେ ଭୁଲିଯିବିନି ମିତ୍ରା । ଯେଉଁଦିନ ଅତ୍ୟଧିକ କାମର ଚାପାପଡ଼େ, ସେଦିନ ଘରକୁ ଫେରିବାରେ ମୋର ବିଳମ୍ବ ଘଟେ । ନ ହେଲେ ବିଳମ୍ବରେ ଫେରିବାର ମୋର କୌଣସି କାରଣ ନାହିଁ । କାମର ପାହାଡ଼ ଭିତରେ ତମେ ମୋର ଆଖି ଆଗରେ ବେଳେ ବେଳେ ନାଚିଉଠ ମିତ୍ରା । ତମକୁ କଣ ମୁଁ ଭୁଲିପାରେ ? ଅବହେଳା କରିପାରେ ? ଅନାଦର କରିପାରେ ?

 

ମୋ ଜୀବନକୁ ତମେ ନୂତନ ମାର୍ଗରେ ଗଢ଼ିଛ । ତମେ ମତେ ଶାନ୍ତି ଦେବାପାଇଁ, ସୁଖୀ କରିବା ପାଇଁ ସବୁପ୍ରକାର ପରିବେଶ ସୃଷ୍ଟି କରିଛ । ତମେ ମୋର ଅତି ଆପଣାର । ନିକଟତମ । ନିବିଡ଼ତମ । ତମକୁ ସୁଖୀ କରିବା ପାଇଁ ତମଭଳି ମୁଁ ମଧ୍ୟ ଚେଷ୍ଟା କରିବି । ତମ ଓଠରେ ଆଜୀବନ ହସର ଲହଡ଼ି ଖେଳିବା ପାଇଁ ଚେଷ୍ଟା କରିବି ବୁଝିଲ ?

 

ଏତିକି କହିସାରିଲା ପରେ ସଂଘମିତ୍ରାର ହାତକୁ ବିନୋଦ ଆଉ ଟିକିଏ ଜୋରରେ ଚାପି ଧରିଲା ।

 

ମୁହୂର୍ତ୍ତକ ପାଇଁ ମାଘ ମାସର ପଞ୍ଜର ଥରା ନିଶୀଥ ହୋଇଉଠିଲା ନୀରବ । ଦୁହିଁଙ୍କର ହାତ ଜଡ଼ାଜଡ଼ି ହୋଇଛି ।

 

କିଛି ସମୟ ନୀରବତାରେ କଟିଲାପରେ ସଂଘମିତ୍ରା କହିଲା—ହସି ହସି ଆନନ୍ଦରେ ଆମର ଜୀବନ କଟିଯାଉ । ଆମର ଧନ ଲୋଡ଼ାନାହିଁ । ଐଶ୍ୱର୍ଯ୍ୟର କାମନା ନାହିଁ । ବଡ଼ ହେବାର ଅଭିଳାଷ ଆମର ନାହିଁ । ଆମେ ସୁଖୀ ହେବା । ପରସ୍ପର, ପରସ୍ପର ନିକଟରେ, ପ୍ରତିଦିନ ନୂତନ ନୂତନ ଆକର୍ଷଣରେ ଆକର୍ଷିତ ହେବା । ସେଇ ହେବ ଆମର ଗୌରବ । ସେଇ ହେବ ଆମର ସମ୍ପଦ । ସୁଖ, ଐଶ୍ୱର୍ଯ୍ୟ । କାମନା ଓ ବାସନାର ଚରମ ପରଣତି । ପରମ ସ୍ଵାଦ ।

 

ବିନୋଦ ନୀରବରେ ସଂଘମିତ୍ରାର କଥାରେ ସମ୍ମତି ଜଣାଉ ଥିଲା ।

 

ବିନୋଦ ଏପର୍ଯ୍ୟନ୍ତ ସଂଘମିତ୍ରାର ହାତକୁ ଛାଡ଼ିନାହିଁ ।

 

ସଂଘମିତ୍ରାର ହାତକୁ, ନିଜ ହାତ ଭିତରେ ଚାପି ଏବଂ ହାତ ଭିତରେ ମୃଦୁ ପୀଡ଼ନ ସୃଷ୍ଟିକରି ବିନୋଦ କହିଲା—ଆଉ ଗୋଟିଏ କଥା ତମେ ଭୁଲରେ ଛାଡ଼ିଗଲ ମିତ୍ରା । ଯେଉଁ ବିଷୟଟି ଉପରେ ତମର ନାରୀ ଜାତି ସଚରାଚର ଗୁରୁତ୍ଵ ଦେଇଥାଏ, ସେହି ବିଷୟଟିକୁ ଜାଣି ଜାଣି ତମେ ବୋଧହୁଏ ଛାଡ଼ିଦେଲ ।

 

ସଂଘମିତ୍ରାର ମନରେ ପ୍ରଶ୍ନବାଚୀ !

 

କ’ଣ ଆଉ ସେ ଛାଡ଼ିଗଲା ? ସ୍ୱାମୀ, ସ୍ତ୍ରୀ ସୁଖୀ ହେବାପାଇଁ, ଆଜୀବନ ନିଜ ନିଜ ନିକଟରେ ବାନ୍ଧି ହେବା ପାଇଁ ସବୁ କଥା ତ କହିଗଲା । ଆଉ ରହିଲା କ’ଣ ବାକୀ ?

 

ସଂଘମିତ୍ରାର ମନରେ ଆନ୍ଦୋଳନ...

 

ବିନୋଦ ହସି ହସି କହିଲା—ତଥାପି ତମେ ଜାଣିପାରିଲନି ମିତ୍ର । ତା’ହେଲେ ମତେ କହିବାକୁ ହେବ ସେହି ବିଷୟଟି ।

 

ସଂଘମିତ୍ରା ଆଶା ଓ ଆଶଙ୍କାର ମଝି-ଦରିଆରେ ଗୋଡ଼ଦେଇ, ରାତ୍ରିର ଅନ୍ଧକାର ଭିତରେ କୃତିମ ହସଫୁଟାଇ କହିଲା—କ’ଣ କହିଲ ?

 

ସଂଘମିତ୍ରାର ପାଟିରୁ କଥା ଶେଷ ନ ହେଉଣୁ ବିନୋଦ କହିଲା—ଆମର ପୁଅ ଝିଅ କ’ଣ ଦରକାର ନାହିଁ ?

 

ରାତ୍ରିର ଅନ୍ଧକାରରେ, ସଂଘମିତ୍ରାର ମୁହଁ ରକ୍ତାରୁଣ ହୋଇ ଉଠିଲା । କିନ୍ତୁ ସେ ମୁହଁ ବିନୋଦ ଦେଖିପାରୁନି । ତା’ର ଲଜ୍ଜ୍ୟାବନତ ମୁଖମଣ୍ଡଳ କାହାରି ଦୃଷ୍ଟିରେ ପଡ଼ୁନାହିଁ ।

 

ପୁଅ ଝିଅ ! ସଂଘମିତ୍ରାର ରକ୍ତରେ ଚମକ ଲାଗିଲା । ସତେ ତ କେଉଁ ବିବାହିତ ବଧୂ, ପୁଅ ଝିଅଟିଏ ଜନ୍ମ କରିବାକୁ ଇଛା ନ କରେ ? ବିବାହ ହୋଇ ଆସିଲା ପରେ ପୁଅଟିଏ ଲୋଡ଼ାହୁଏ । ଝିଅଟିଏ ଦରକାର ହୁଏ । ପୁଅ, ଝିଅ ନ ହେଲେ ମନ ଭିତରେ ରହିଯାଏ ଏକ ବିରାଟ ଅବଶୋଷ । ଏକ ବିରାଟ ଅଥଚ ଅବ୍ୟକ୍ତ ବେଦନା ।

 

ବିବାହ ହୋଇ ଆସିବାର ଏଇ ମାତ୍ର ଦୁଇମାସ ହୋଇଗଲା । ଅବିବାହିତ ଅବସ୍ଥାରେ, ମନ ଭିତରେ ଯେଉଁ ସବୁ ସ୍ଵପ୍ନ, କଳ୍ପନା ମୁଣ୍ଡ ଟୁଙ୍ଗାରି ନ ଥିଲା, ବିବାହିତ ଅବସ୍ଥାରେ, ବଧୂ ଜୀବନରେ ସେହିସବୁ କଳ୍ପନା ମନ ଭିତରେ ବର୍ତ୍ତମାନ ଦେଖାଦେଉଛି ।

 

ପୁଅ ଝିଅ !

 

ସଂଘମିତ୍ରାର ଆଖିରେ ହଠାତ୍ ଭାସି ଉଠିଲେ ଦୁଇଟି ସ୍ଵାସ୍ଥ୍ୟବାନ ଶିଶୁ । ବେଙ୍ଗଲ ଶଟିଫୁଡ୍ କ୍ୟାଲେଣ୍ଡରରେ ଯେଉଁ ଦୁଇଟି ଛୁଆ ପେଣ୍ଡୁ ଧରି ଖେଳୁଛନ୍ତି, ସେଇଭଳି ଦୁଇଟି ଛୁଆ କଣ ତା’ର ଜନ୍ମ ହେବେ ? କୋଳ ତାର ଆଲୋକିତ କରିବେ ? ହଗି, ମୁତି ଲୁଗାକୁ ତାର ଅଳିଆ ଅସନା କରିବେ ? ଲୁଗାପଟାରୁ ତା’ର ଭାସିଆସିବ ଏକ ଉଗ୍ର ଆଇଁସିଣିଆ ଗନ୍ଧ ?

 

ବିନୋଦ ପଚାରିଲା—କ’ଣ ନୀରବ ରହିଲ ମିତ୍ରା ? ପୁଅ ଝିଅ ପାଇଁ ତମର ବୋଧହୁଏ ଲୋଭନାହିଁ ? ନୁହେଁ ?

 

ସଂଘମିତ୍ରା ଲାଜ ଲାଜ ଭାଷାରେ କହିଲା—ପୁଅ ଝିଅ ଯଦି ହଠାତ୍ ହୋଇଯିବେ, ଭାରି ଖରାପ ଲାଗିବ ଆମ ଦୁହିଁଙ୍କୁ । ନୁହେଁ ? ଆମ ବିବାହିତ ଜୀବନର ପାଞ୍ଚଟି ବର୍ଷ ସୁରୁଖୁରୁରେ ବିତିଯାଇ ସାରିଲା ପରେ, ଯଦି ପିଲାଝିଲା ହୁଅନ୍ତି, ତା’ ହେଲେ ମଙ୍ଗଳ । ଯଦି ଏଇବର୍ଷ ଅଥବା ଆସନ୍ତା ବର୍ଷ ଆମର ପିଲାଛୁଆ ହୋଇଯିବ, ତେବେ ଆମର ସ୍ୱପ୍ନ ଓ କଳ୍ପନା ବ୍ୟର୍ଥତାରେ ପର୍ଯ୍ୟବସିତ ହେବ । ଆମେ ଆମ ଦୁହିଁଙ୍କୁ ନିବିଡ଼ ଭାବରେ ଉପଭୋଗ କରିପାରିବା ନାହିଁ । ଆମର କାମନା ଓ ତୃଷ୍ଣା, ସେଇ ଶିଶୁଟି ଉପରେ ପ୍ରତିଫଳିତ ହେବ ।

 

ବିନୋଦ ଶୁଣୁ ଶୁଣୁ ହସି ଉଠିଲା । କହିଲା—ତମେ କିନ୍ତୁ ପିଲା ଚାହଁ । ମାତ୍ର ଟିକିଏ ବିଳମ୍ୱରେ ଏଇ ତ କଥା...

 

ସଂଘମିତ୍ରା କହିଲା—ହେତୁ ତମେ ଭାରି ଦୁଷ୍ଟ ! ମୋରି କଥା ନିଠେଇ ମଠେଇ କହି ତମେ ବ୍ୟଙ୍ଗ କରୁଛ । ନୁହେଁ ।

 

ବିନୋଦ, ସଂଘମିତ୍ରା ନିଜ ଆଡ଼କୁ ଆଉଜେଇ ଆଣିଲା ଗଭୀର ଆଶ୍ଳେଷରେ ।

 

ମାଘମାସର ଶୀତ ହୋଇ ଉଠୁଥିଲା ଖୁବ୍ ପ୍ରବଳ ସେତେବେଳେ ।

 

ବିନୋଦ ଅଫିସ୍ ଭିତରେ ବସିଛି....

 

ଆସନ୍ତା ମାସ ପାଇଁ ଟୁର୍ ପ୍ରୋଗ୍ରାମ ଲେଖୁଛି । ପ୍ରୋଗ୍ରାମ ଲେଖି ସାରିଲାପରେ ଅଫିସରେ ଦାଖଲ କରିବ । ଆସନ୍ତା ମାସର ଗୋଟିଏ ବିରାଟ ଦାୟିତ୍ଵ ମୁଣ୍ଡ ଉପରୁ ତାର ଓହ୍ଳାଇଯିବ ।

 

ଟେବୁଲ୍ ଉପରେ ସରକାରୀ କ୍ୟାଲେଣ୍ଡର....

 

ମିଃ ସେନାପତି ଆସିଲେ । ଏଠାରେ ଆସି ଜଏନ୍ କରିବା ପରେ ବିନୋଦକୁ ସେ ପ୍ରଥମଥର ପାଇଁ ଦେଖୁଛି । ଆରେ ! ସେଇ ବିନୋଦ ରାଉତରାୟ !! ଯାହାର ଉଦାର ଓ ଗମ୍ଭୀର ବ୍ୟକ୍ତିତ୍ଵବୋଧ ନିକଟରେ, ବ୍ରହ୍ମପୁରରେ ସେ ପରାଜିତ ହୋଇଥିଲା । ଯାହାର କର୍ତ୍ତବ୍ୟନିଷ୍ଟା ଓ ମାନବିକତାରେ ଅଫିସର ବି ଦିନେ ମୁଗ୍ଧ ହୋଇଥିଲେ । ସମଗ୍ର ବ୍ରହ୍ମପୁର ଅଫିସରେ ଏକ ନୂତନ ବାୟୁମଣ୍ଡଳ ସୃଷ୍ଟି ହୋଇଥିଲା ।

 

ସେନାପତିଙ୍କ ମନ ଦବିଗଲା । ବିନୋଦକୁ କିପରି ଯାଇ ସାକ୍ଷାତ କରିବ ? ଭଲେଇ ହୋଇ କଥା କହିବି ? ୟା ଭିତରେ ବିଭାଗୀୟ ତାଲିମ ଶେଷ କରି, ସେ ଆସି ବାଲେଶ୍ଵରରେ ଜଏନ୍ କରି ସାରିଲେଣି ।

 

ସେନାପତି ଠିଆ ହୋଇଗଲେ । ବିନୋଦକୁ ସାକ୍ଷାତ କରିବେ କି ନାହିଁ ।

 

ବିନୋଦ ମନଧ୍ୟାନ ଦେଇ ଲେଖିଚାଲିଛି ଆଗାମୀ ମାସ ପାଇଁ ନିଜର କାର୍ଯ୍ୟକ୍ରମ ।

 

ସାକ୍ଷାତ ନ କଲେ ସୁନ୍ଦର ହେବ ନାହିଁ । ବିନୋଦ ଗୋଟାଏ ମଣିଷ ନୁହେଁ ଯେ ନାଗ ସାପ । ତାର ନିର୍ଭିକ କଥାବାର୍ତ୍ତା ମନରେ ଚମକ ସୃଷ୍ଟିକରେ । ତା’ର କଠୋର ବ୍ୟଙ୍ଗ, ବିଦ୍ରୁପ, ବକ୍ରୋକ୍ତି ଓ ସମାଲୋଚନା ଦେହରେ ସତେ ଯେପରି ଖେଳ ବିଦ୍ଧି କରେ ।

 

ବ୍ରହ୍ମପୁରରେ ଏକ ସାମାନ୍ୟ ଘଟଣା ନେଇ, ଅଫିସରଙ୍କୁ ଖେସାମତ କରି ସେ ତାକୁ ଆର୍. ଉଦୟଗିରି ପଠାଇଥିଲା । ଚାକିରୀ ଜୀବନର ପ୍ରଥମ ପ୍ରଭାତକୁ ସେ କରିଥିଲା ମେଘାଚ୍ଛନ୍ନ । ଭୀତତ୍ରସ୍ତ । ମାତ୍ର କର୍ତ୍ତବ୍ୟର ସେଇ କଠୋର ଆହ୍ଵାନରେ ସେ ତିଳେ ହେଲେ ଧୈର୍ଯ୍ୟଚ୍ୟୁତ ହେଲା ନାହିଁ । ଆଶାଶୂନ୍ୟ ହେଲା ନାହିଁ । ଅଭିଜ୍ଞ ବ୍ୟକ୍ତିଠାରୁ ଶତଗୁଣରେ, ଅତି ଦକ୍ଷତାର ସହିତ, କୁଶଳତାର ସହିତ ସେ ତା’ର କର୍ତ୍ତବ୍ୟ ସମ୍ପାଦନ କଲା ।

 

ମିଃ ସେନାପତି ନିଜର ଅପକୃତ କାର୍ଯ୍ୟପାଇଁ ଅନୁତପ୍ତ ହୋଇଉଠିଲେ ।

 

ବିନୋଦକୁ ଆଜି ଦେଖା ନ କରି, ଅନ୍ୟ ଦିନ ସାକ୍ଷାତ କଲେ କ୍ଷତି କଣ ହେବ ? ଅନ୍ୟ ଦିନେ ? କାହିଁକି ? ଏକା ଅଫିସରେ ସେମାନେ ଚାକିରୀ କରୁଛନ୍ତି । ପ୍ରତିଦିନ ପ୍ରତି ମୁହୂର୍ତ୍ତ ତାଙ୍କର ଦେଖା ସାକ୍ଷାତ ଘଟିବ । ଆଳାପ ଆଲୋଚନା ହେବ । ତା’ ଛଡ଼ା ସେ ଆଉ କିରାଣୀ ନୁହେଁ ।

 

ମିଃ ସେନାପତିଙ୍କ ସୀମାବଦ୍ଧ, ସଙ୍କୁଚିତ ମନ ହଠାତ୍ ବ୍ୟାପକ ଓ ପ୍ରସାରିତ ହୋଇଗଲା-। ସେ ଯେ ଆଉ କିରାଣୀ ହୋଇ ରହି ନାହାନ୍ତି, ଏକଥା ଅକସ୍ମାତ୍ ତାଙ୍କର ହୃଦବୋଧ ହେଲା ।

 

ଦୀର୍ଘ ପାଞ୍ଚବର୍ଷ, କିରାଣୀ ଜୀବନ ଅତିବାହିତ କଲାପରେ, ସେ ଏବେ ଇନିସପେକ୍ଟର ପଦବୀକୁ ଉନ୍ନୀତ ହୋଇଛନ୍ତି । ବିଗତ ପାଞ୍ଚବର୍ଷର ଗଧ ଖାଟେଣୀ ପରେ, ତାଙ୍କର ପ୍ରମୋଶନ ହୋଇଛି ।

 

ନିଜର ଖାଟେଣୀ ଓ କର୍ମକୁଶଳତାର ବିନିମୟରେ ସେ କ’ଣ ପ୍ରମୋଶନ ପାଇଛି ।

 

କେତେ ତୋଷାମଦ ! କେତେ ଭେଟି! ! କେତେ ଉପହାର! ଅଫିସରଙ୍କ ମନକୁ ସନ୍ତୁଷ୍ଟ କରିବା ପାଇଁ କେତେ ପ୍ରକାରର ଉପଢ଼ୈକନ । ତାଙ୍କର ବ୍ୟକ୍ତିଗତ କାମ କରିବା ଲାଗି ସେ କେଡ଼େ ତତ୍ପର ନ ହୋଇଛି ! ତାଙ୍କ ଛୋଟ ଛୋଟ ପୁଅ ଝିଅଙ୍କୁ କେତେ କାଖେଇଛି—କେତେ କୋଳେଇଛି-। କେତେ ବିସ୍କୁଟ ଦେଇଛି । ଚକୋଲଟ୍ ଦେଇଛି । ତାଙ୍କ ସ୍ତ୍ରୀକୁ କେତେଥର ନିଜ ହାତରୁ ପଇସା ଦେଇ ସିନେମା ଦେଖେଇ ନେଇଛି । ଏଇସବୁ ଦେଇ, ସେ ତାଙ୍କୁ ଆପଣାର କରିଥିଲା-। ନିଜର କରିଥିଲା ।

 

ଏତେ ଦେବା ପଛରେ କଣ ଥିଲା ସ୍ୱାର୍ଥ ? କ’ଣ ଥିଲା ଉଦ୍ଦେଶ୍ୟ ? କ’ଣ ଥିଲା ଅଭିଳାଷ ? ତା’ ଦରମା ଠାରୁ ଅଫିସରଙ୍କ ଦରମା ଥିଲା ଛ ଗୁଣ କି ସାତ ଗୁଣ ଅଧିକ । ତା’ ସତ୍ତ୍ଵେ ମାସ ଶେଷଆଡ଼କୁ, ଅଫିସର ତା’ଠାରୁ ଧାର କରୁଥିଲେ । ଧାର ବାହାନାରେ ଟଙ୍କା ନେଇ, ଆଉ ପୈଠ ମଧ୍ୟ କରୁ ନ ଥିଲେ । ‘ଧାର୍’ ଅର୍ଥ ଆତ୍ମସାତ୍ ହେଉଥିଲା । ସେ ପଦେହେଲେ ଭରସି କଥାପଦେ କହିପାରୁ ନ ଥିଲା । ନିଜ ପାଖରେ ଟଙ୍କା ନ ଥିଲେ, ଅନ୍ୟ ପାଖରୁ ଧାର ଉଧାର କରି, କେବେ ସୁନାମୁଦି ବନ୍ଧାପକାଇ, ଅଫିସରଙ୍କ ହାତରେ, ବିନା କୁଣ୍ଠାରେ ସେ ବଢ଼ାଇ ଦେଉଥିଲା ।

 

ଏ ପ୍ରଶ୍ନ ଆଜି ନୁହେଁ, ମନତଳେ ବହୁବାର ଉଠିଛି କାହିଁକି ? ଅଫିସର ଯଦି କେରେକ୍ଟର ରୋଲକୁ ଟିକିଏ ବାଗେଇ ଦେବେ, ଦି ଧାଡ଼ି ସାଧୁ, କର୍ମଦକ୍ଷ ଏବଂ ପ୍ରମୋସନ ପାଇବା ପାଇଁ ହକ୍‍ଦାର ବୋଲି ଲେଖିଦେବେ, ତା’ହେଲେ ଭାଗ୍ୟ ବଦଳିଯିବ । ସେ ବଡ଼ ହୋଇଯିବ । ତା’ ଉପରେ କାମ କରୁଥିବା ସିନିୟରମାନଙ୍କୁ ସୁପରସିଡ଼୍ କରି ସେ ଉପରକୁ ଉଠିଯିବ । ଅନ୍ୟମାନେ ଚାହିଁଥିବେ । ଦେଖୁଥିବେ । ସମାଲୋଚନା କରୁଥିବେ ।

 

ଏତେ କରି କରି, ସେ ଇନିସପେକ୍ଟର ହୋଇଛି । ବାଲେଶ୍ଵରକୁ ଆସିଛି । ବିନୋଦ ତା’ର ସହକର୍ମୀ—ସହଧର୍ମୀ । ସେ ମାଟ୍ରିକୁଲେଟ୍ ହେଲେ ମଧ୍ୟ, ନିଜ ତୋଷାମତି ତଥା ଅଭିଜ୍ଞତାର ପରିଚୟ ଦେଇ, ବିନୋଦ ଭଳି ଜଣେ ଗ୍ରାଜୁଏଟ୍ ସହିତ ସେ ସମକକ୍ଷ ହୋଇପାରିଛି । ସମାସ୍କନ୍ଦ ହୋଇପାରିଛି । ଏଇ ହେଉଛି ତାର ଗର୍ବ ! ଏଇ ହେଉଛି ତାର ଗୌରବ । ସ୍ଵଳ୍ପ ଶିକ୍ଷାନେଇ ସେ ଗଡ଼ ଜିତି ପାରିବାର ଦୁରନ୍ତ ଆକାଂକ୍ଷା ବହନ କରିପାରିଛି ।

 

ଡେରି କରି କିଛି ଲାଭ ନାହିଁ । ବିନୋଦକୁ ସେ ସାକ୍ଷାତ କରିବ ।

 

ବ୍ରହ୍ମପୁରରେ କିରାଣୀ ଥିଲାବେଳେ, ନୂଆ ନୂଆ ଇନିସପେକ୍ଟରମାନଙ୍କୁ, ସେ ଆଡ଼ ଦୃଷ୍ଟିରେ ଅନାଁଏ ନାହିଁ । ଚାହେଁ ନାହିଁ । ଲକ୍ଷ୍ୟ କରେ ନାହିଁ । ନିଜ କଲମ ବଳରେ ବରଂ ସେମାନଙ୍କୁ ସେ ନିଜ ପାଖକୁ ଟାଣି ଓଟାରି ଆଣେ । ଟି. ଏ. ବିଲ ପାଶ୍ କରିଦେବା ପାଇଁ ସେମାନେ ତା’ ପାଖରେ ଗୋଡ଼ ଭାଙ୍ଗି ଠିଆ ହୁଅନ୍ତି । ଅନୁରୋଧ, ଆବେଦନ, ନିବେଦନ ଜଣାନ୍ତି । ନମସ୍କାର ହୁଅନ୍ତି । କେହି କେହି ସିନେମା ଦେଖାଇ ନିଅନ୍ତି ଏବଂ ଆଉ କେହି କେହି ଜଳଖିଆ ଖୋଇ, ନିଜର କାର୍ଯ୍ୟ ସମ୍ପାଦନ କରନ୍ତି ।

 

ସେଇ ଥିଲା ତା’ କିରାଣୀ ଜୀବନର ଗର୍ବ । ଗୌରବ । ମାତ୍ର ଆଜି ସେ ଇନିସପେକ୍ଟର-। କିରାଣୀ ଜୀବନର ସେଇ ସୀମିତ, ସଂକୀର୍ଣ୍ଣ ଧାରଣାର ପାଚେରୀକୁ ଭାଙ୍ଗିଦେଇ ସେ ବୃହତ୍ତର ଧାରଣାର ସାମିଆନା ତଳେ ଠିଆ ହୋଇଛି । ତା’ର ଦୃଷ୍ଟି ପ୍ରସାରିତ ହେବ । ତା’ର ରୁଚି ମାର୍ଜ୍ଜିତ ହେବ । ସହକର୍ମୀମାନଙ୍କ ସହିତ ହସି ହସି ସୁଖରେ, ଆନନ୍ଦରେ କାଳ କଟାଇବ-

 

ବିନୋଦ ତାର ସହକର୍ମୀ । ସିନିୟର୍ । ତା’ ଇନିସପେକ୍ଟର ହେବାର ପ୍ରାୟ ଏକ ବର୍ଷ ପରେ ସେ ଆଜି ଯୋଗଦେଇଛି । ତେଣୁ ତାକୁ ସେ ନମସ୍କାର କରିବ । ତା’ର ଉଦାର ଗମ୍ଭୀର ମୁହଁ ଦେଖିଲେ, ହାତ ଉପରକୁ ଉଠିବାକୁ ସତେ ଯେପରି ବାଧ୍ୟ ହେବ ।

 

ବିନୋଦର ପ୍ରୋଗ୍ରାମ ଲେଖା ଏପର୍ଯ୍ୟନ୍ତ ସରିନାହିଁ...

 

ସେନାପତି ଆଗେଇଗଲେ । ବିନୋଦର ସାମନାରେ ଯାଇ, ଅଧା ଆଶା ଓ ଅଧା ଭୟମିଶ୍ରିତ ଚିତ୍ତରେ ଠିଆହେଲେ ।

 

ବିନୋଦର ତଥାପି ନଜର ନାହିଁ ।

 

ମିଃ ସେନାପତି, ଅନିଚ୍ଛାସତ୍ୱେ ଗଳା ଖଙ୍କାର ମାରିଲେ ।

 

ବିନୋଦ ଚାହିଁଲା ସାମନାକୁ । ହଠାତ୍ ମିଃ ସେନାପତିଙ୍କୁ ଆଖି ଆଗରେ ଠିଆ ହୋଇଥିବାର ଦେଖି ସେ ଚମକି ଉଠିଲା । ଜଳ ଜଳ କରି ଚାହିଁଲା ତାଙ୍କୁ !

 

ସେନାପତି ଦୋଷୀ ପରି, ହାତଯୋଡ଼ି ନମସ୍କାର ଜଣାଇଲା ।

 

ବିନୋଦ ପ୍ରତିନମସ୍କାର କରିଛି । ମାତ୍ର ତା’ ପାଖକୁ ଆପେ ଆପେ, ଅତୀତର ସେଇ ଦୁର୍ଦ୍ଦାନ୍ତ ସେନାପତି ଆସି ଯେ ତାକୁ ନମସ୍କାର କରିବ, ସେ କେବେହେଲେ କଳ୍ପନା କରି ନ ଥିଲା ।

 

ବ୍ରହ୍ମପୁର ଅଫିସ୍ ଭିତରେ ସେ ସମସ୍ତଙ୍କ ସହିତ ମିଶିଛି । ସମଗ୍ର ଅଫିସର ସମସ୍ତ ପ୍ରକାର କର୍ମଚାରୀ ତା ସହିତ ମିଳାମିଶା କରିବାର ଅବକାଶ ପାଇଛନ୍ତି । ମାତ୍ର ମିଃ ସେନାପତି ! ଗର୍ବ ଓ ଗାମ୍ଭୀର୍ଯ୍ୟରେ ସେ ଫାଟିପଡ଼ନ୍ତି । କଥା କହନ୍ତି ନାହିଁ । ମୁହଁକୁ ଚାହିଁଦେଲେ, ତାଙ୍କ ମୁହଁ ଅସ୍ଵାଭାବିକ ଭାବରେ ଗମ୍ଭୀର ହୋଇ ଉଠେ । ନାକ ଫୁଲି ଉଠେ । ବଡ଼ପଣିଆଁ ର ଫଲଗୁ ମୁଖମଣ୍ଡଳରେ ଖେଲିଯାଏ ।

 

ତା’ପରେ, ପ୍ରତିଶୋଧ ନେବାପାଇଁ ଯେ ଦିନେ ସେଠାକାର ଅଫିସରଙ୍କୁ ହାତ କରି, ଆର୍ ଉଦୟଗିରି ଭଳି ମାଳଅଞ୍ଚଳକୁ ପଠାଇବାର ବ୍ୟବସ୍ଥା କରିଥିଲେ ଏଇ ହେଉଛନ୍ତି ମିଃ ସେନାପତି ! କିରାଣୀ ଜୀବନର ପରିସମାପ୍ତି ପରେ ବୋଧହୁଏ ଆଜି, ସେ ନମସ୍କାର କରିବାକୁ ଆଗେଇ ଆସିଛନ୍ତି ।

 

କିଛି ସମୟ ସେନାପତିଙ୍କୁ ବିନୋଦ ଚାହିଁ କହିଲା—ହ୍ୟାଲୋ ମିଃ ସେନାପତି ! ଆପଣ ଇଆଡ଼େ କୁଆଡ଼େ ?

 

ବିନୋଦ ମୁଁହରେ କୃତ୍ରିମ ହାସ୍ୟର ବିଦ୍ୟୁରେଖା....

 

ବିନୋଦର ସେଇ ସ୍ପଷ୍ଟ ଓ ଗାମ୍ଭୀର୍ଯ୍ୟପୂର୍ଣ୍ଣ ସଂଳାପ ଶୁଣି ସେନାପତିଙ୍କ ମନ ଦବି ଦବି ଯାଉଥିଲା । ସେ ଯଦି କଥା କହୁ କହୁ ଅତୀତ କଥାର ନଜର୍ ଦେବେ ?

 

ପରାଜିତ ସୈନିକ ପରି, ଆତ୍ମଗ୍ଲାନି ଓ ଅନୁତାପରେ ଜଳି ଜଳି ମିଃ ସେନାପତି କହିଲେ–ମୁଁ ଏଠାକୁ ଇନିସ୍ପେକ୍ଟର୍ ହୋଇ ଆସିଛି ବିନୋଦ ବାବୁ । ଗତ କାଲିଠାରୁ ମୁଁ ଜଏନ୍ କଲିଣି-। ଗତକାଲି ଆପଣଙ୍କୁ ଖୋଜୁଥିଲି । ମାତ୍ର ପାଇଲି ନାହିଁ । ଅନ୍ୟମାନେ କହିଲେ—ଆପଣ ଟୁରରେ ଯାଇଛନ୍ତି ବୋଲି ।

 

ବିନୋଦ ଶୁଣିଛି ମିଃ ସେନାପତିଙ୍କ କଥା ।

 

ତାକୁ ଖୋଜୁଥିଲେ ସେନାପତି ବାବୁ ? କାହିଁକି ? କ’ଣ ଦିବ୍ୟଜ୍ଞାନ ଉଦୟ ହୋଇଛି ? ଅତୀତର ସେନାପତି ବାବୁଙ୍କର ବୋଧହୁଏ ମୃତ୍ୟୁ ହୋଇଯାଇଛି । ସେ ଆଜି ନୂତନ ରୂପରେ, ନୂତନ ଭାବରେ ତା’ ଆଗରେ ଠିଆ ହୋଇଛନ୍ତି ।

 

ଅତୀତର ଗର୍ବ, ଅହଙ୍କାର ଓ ଦାମ୍ଭିକତା, ତାଙ୍କର ସତେ ଯେପରି ନଷ୍ଟ ହୋଇଯାଇଛି ।

 

ବିନୋଦ ଆଉ ନୀରବ ନ ରହି କହିଲା—ବସନ୍ତୁ, ବସନ୍ତୁ ! ଠିଆ ହୋଇ ରହିଲେ କାହିଁକି ?

 

ମିଃ ସେନାପତି, ବିନୀତ ଭାବରେ ଚେୟାର ଉପରେ ବସି ପଡ଼ିଲେ ।

 

ବିନୋଦ ପଚାରିଲା—ତା’ହେଲେ ଆପଣ ପ୍ରମୋସନ ପାଇ ଚାଲିଆସିଲେ ସେନାପତି ବାବୁ ! ଆମମାନଙ୍କ ଦୀକ୍ଷା ଆପଣଙ୍କୁ ଶେଷକୁ ହିଁ ନେବାକୁ ପଡ଼ିଲା ।

 

ମିଃ ସେନାପତି କହିଲେ—କେତେକାଳ କିରାଣୀ ହୋଇ ପଡ଼ି ରହିଥାନ୍ତି ବିନୋଦ ବାବୁ-? ବର୍ଷ ବର୍ଷ ଧରି ଏକ ନିର୍ଦ୍ଦିଷ୍ଟ ଚାକିରୀରେ ଏବଂ ପୁଣି ନିର୍ଦ୍ଦିଷ୍ଟ ପରିମାଣରେ ଦରମା ପାଇଲେ, ମନ ଅସନ୍ତୁଷ୍ଟ ହେବନାହିଁ ?

 

ବିନୋଦ ହସିଲା ।

 

ତଥାପି କିନ୍ତୁ ସେନାପତିଙ୍କର ଭୟ କଟିନାହିଁ । କଥା ପ୍ରସଙ୍ଗରେ ବିନୋଦ ଯଦି ଆଘାତ ଦିଏ, ସମାଲୋଚନା କରିବ ସେ, ତା’ହେଲେ ତାକୁ ନିବୃତ୍ତ କରାଇ ହେବନାହିଁ । ତା’ର ଭାଷା ଆହୁରି କଠୋର ହେବ। ଶାଣିତ ହୋଇ ଉଠିବ ।

 

ସେନାପତି ତଳକୁ ମୁହଁ ପୋତି ଲଜ୍ଜ୍ୟାରେ କହିଲେ—ମୋ ଉପରେ ଆପଣ ଚିଡ଼ିଥିବେ ନିଶ୍ଚୟ ବିନୋଦ ବାବୁ ! ଅତୀତର ମୋର ସେଇ ଭୁଲ ପାଇଁ, ମୁଁ ବିଶେଷ ଅନୁତପ୍ତ । ଆଗକଥା ଭୁଲିଯିବେ । ପଛକଥା ମନରୁ ପାଶୋରି ଦେବେ । ଆପଣଙ୍କର ଜଣେ ବନ୍ଧୁ ହିସାବରେ ମତେ ଗ୍ରହଣ କରିନେବେ ।

 

ବିନୋଦ ହସିଲା । ସେନାପତିଙ୍କ ମନୋଭାବ ତା’ହେଲେ ପରିମାର୍ଜ୍ଜିତ ହୋଇଛି । ସଂଶୋଧିତ ହୋଇ ପାରିଛି । ସମସ୍ତଙ୍କ ସହିତ, ସମାନ ଭାବରେ ଚଳିବା ପାଇଁ ତାଙ୍କ ମନ ଭିତରେ ବୋଧହୁଏ ନୂତନ ଭାବନାର ସୂର୍ଯ୍ୟୋଦୟ ହୋଇଛି ।

 

ବିନୋଦ ହସି ହସି କହିଲା—ସେଥିପାଇଁ ମୁଁ ଆଦୌ ଦୁଃଖିତ ନୁହେଁ ସେନାପତି ବାବୁ । ଅତୀତର ସେଇ ଗୋଟାଏ ଦୁର୍ବଳ ମୁହୂର୍ତ୍ତକୁ, ମୁଁ ବି ଅନେକ ଦିନରୁ ବିସ୍ତୃତ ହେଲିଣି । ସେତେବେଳେ ଆପଣ କେଉଁ ଅବସ୍ଥାରେ କଣ କରିଥିଲେ ବା କ’ଣ କହି ପକାଇଥିଲେ, ସେଇ କଥାଟାକୁ ସାଇତି ରଖିବାର କ’ଣ ବା ଆବଶ୍ୟକତା ଅଛି ?

 

ମିଃ ସେନାପତି, ଧିରେ ଧିରେ ସ୍ଵାଭାବିକ ଅବସ୍ଥାକୁ ଫେରି ଆସୁଛନ୍ତି । ତାଙ୍କ କଳାକୃଷ୍ଣ ମୁଖ ଭିତରୁ ପାନଖିଆ ଦାନ୍ତଧାଡ଼ିକ ସ୍ପଷ୍ଟ ହୋଇ ଦେଖାଯାଉଛି ।

 

ମିଃ ସେନାପତି କହିଲେ—ପ୍ରକୃତରେ ବିନୋଦ ବାବୁ, ଆପଣଙ୍କ ଭଳି ଜଣେ ବିଶିଷ୍ଟ ଯୁବକଙ୍କ ସହିତ ସେଦିନ ଅସଦ୍ ବ୍ୟବହାର କରି, ମୁଁ ଏପର୍ଯ୍ୟନ୍ତ ଅନୁତାପ ଅଗ୍ନିରେ ପଳେ ପଳେ ଦଗ୍‍ଧିଭୂତ ହେଉଛି । ସେତେବେଳେ ମୋର ମନର ଅବସ୍ଥା ଭଲ ନ ଥିଲା । ସେହି ଅବସ୍ଥାରେ ଆପଣଙ୍କୁ ଆଘାତ ଦେଇଥିବାରୁ ମୁଁ କ୍ଷମା ଭିକ୍ଷା କରୁଛି ।

 

ବିନୋଦ କହିଲା—ଠିକ୍ ଅଛି ସେନାପତି ବାବୁ ! ଆଇ ଫର୍ଗେଟ୍ ଏଭ୍ରିଥିଙ୍ଗ୍ ।

 

ବିନୋଦ ହସି ହସି ତା’ ହାତ ବଢ଼ାଇଦେଲା ସେନାପତିଙ୍କ ଆଡ଼କୁ ।

 

ମିଃ ସେନାପତି ନିବିଡ଼ ଭାବରେ ବିନୋଦି ସହିତ କରମର୍ଦ୍ଦନ କରୁଥିଲେ ।

 

ଦୁହେଁ ହସୁଥିଲେ ।

 

ଜୀବନାନନ୍ଦ ବାବୁ ସେଇ ଅଫିସର ଜଣେ ମଧ୍ୟବର୍ତ୍ତୀ ଅଫିସର । ଅର୍ଥାତ୍ ବାଲେଶ୍ଵର ସର୍କଲର ସର୍ବୋଚ୍ଚ କର୍ମକର୍ତ୍ତାଙ୍କଠାରୁ ସେ ତଳ ଶ୍ରେଣୀର । ସେ ଗେଜେଟେଡ଼୍ ନୁହଁନ୍ତି । ମାତ୍ର ଅଫିସରଙ୍କ ଅନୁପସ୍ଥିତି ବେଳେ ଏଇ ମଧ୍ୟବର୍ତ୍ତୀ ଅଫିସର ଜୀବନାନନ୍ଦ ବାବୁ, ଶାସନ କଳକୁ ନିୟନ୍ତ୍ରିତ କରନ୍ତି । କାଗଜ ପତ୍ରରେ ଅଫିସରଙ୍କ ସ୍ଥାନରେ ସେ ‘ଫର’ କରି ଦସ୍ତଖତ୍ କରନ୍ତି ।

 

ଜୀବନାନନ୍ଦ ବାବୁ ତେଣୁ ନିଜକୁ ଭାରି ବଡ଼ ବ୍ୟକ୍ତି ବୋଲି ମନେ କରନ୍ତି । ଅଫିସର ଯେଉଁଦିନ ଅନୁପସ୍ଥିତ ଥିବେ ଅଥବା ଛୁଟିରେ ଯାଇଥିବେ କିମ୍ଵା ଗସ୍ତରେ ବାହାରି ଯାଇଥିବେ ଠିକ୍ ସେଇଦିନ, ସେ ଶାସନ ଦାୟିତ୍ଵରେ ରହନ୍ତି । ହୁକୁମ ଜାରି କରନ୍ତି । କଲିଂ ବେଲ୍‍କୁ ଜୋରରେ ଚିପନ୍ତି । ଅଧଃସ୍ତନ କର୍ମଚାରୀମାନଙ୍କୁ କୈଫିୟତ୍ ମାଗନ୍ତି । କେହି ଯଦି ବାହାରକୁ ଟିକିଏ ଚା’ ଜଳଖିଆ ଖାଇବାକୁ ବାହାରନ୍ତି, ଜୀବନାନନ୍ଦ ବାବୁ ତାଙ୍କୁ ଧମକ ଦିଅନ୍ତି ।

 

ଜୀବନାନନ୍ଦ ବାବୁ ଆଜିକି ଏଇ ବିଭାଗରେ ଚଉଦ ବର୍ଷ ହେଲା ଚାକିରୀ କଲେଣି । ମାଟ୍ରିକ୍ ଖଣ୍ଡିଏ ତୃତୀୟ ଶ୍ରେଣୀରେ ପାଶକରି, ଏଇ ବିଭାଗରେ ଯେତେବେଳେ ସେ ମଧ୍ୟବର୍ତ୍ତୀ ଅଫିସର ପଦବୀକୁ ଉଠି ପାରିଛନ୍ତି ସେତେବେଳେ ତାଙ୍କ ମନରେ ଭାରି ଗୌରବ । ଦେଶ ଜୟ କରିବାର ଅପୂର୍ବ ଉଲ୍ଲାସ ।

 

ତେଣୁ ସେ ଭାରି ବଡ଼ ବଡ଼ କଥା କହନ୍ତି । ଅଧଃସ୍ତନ କର୍ମଚାରୀମାନଙ୍କୁ ନିଜ ଅଭିଜ୍ଞତାର ମୁଣି ଭିତରୁ ଗୋଟିଏ ଗୋଟିଏ କାହାଣୀ ମଧ୍ୟ କହନ୍ତି । ସେ କାହାଣୀରେ କଳ୍ପନା ଓ ମିଥ୍ୟା ନବେ ଭାଗ ଥାଏ । ଆଉ ଦଶ ଭାଗ ଗଳ୍ପରେ ସତ୍ୟତାର ଚାରି ପାଞ୍ଚ ଭାଗର ସ୍ପର୍ଶ ରହିଥାଏ-। ଆଉ ଚାରି ପାଞ୍ଚ ଭାଗ ନିହାତି କପୋଳକଳ୍ପିତା ଖାଲି ଗଳ୍ପ ।

 

ଜୀବନାନନ୍ଦ ବାବୁ ମାଟ୍ରିକ ପଢ଼ିଥିଲେ ମଧ୍ୟ ଅନ୍ୟାନ୍ୟ କର୍ମଚାରୀଙ୍କ ପାଖରେ ନିଜର ଯୋଗ୍ୟତା ସମ୍ପର୍କରେ ମିଛ କଥା କହନ୍ତି । କାହାକୁ କହନ୍ତି ବି. ଏ. ତ ଆଉ କାହାକୁ ଏମ୍. ଏ. । କେତେବେଳେ କେମିତି ଓକିଲାତି ସମ୍ପୂର୍ଣ୍ଣ କରି ପରୀକ୍ଷା ଦେଇପାରି ନାହାନ୍ତି ବୋଲି କହନ୍ତି ।

 

ଇଏ ତାଙ୍କର ଆତ୍ମତୃପ୍ତି । ବଡ଼ ହେବାର ଅଭିଳାଷକୁ ଏଇ ସବୁ ମିଥ୍ୟା କଥା ଯେମିତି ଦୃଢ଼ ଭାବରେ ଜାହିର୍ କରେ । ଏଇସବୁ କଥା କହିଲେ ଅନ୍ୟମାନେ ତାଙ୍କୁ ଜ୍ଞାନୀ ମାନୀ ବିଚାର କରିବେ ବୋଲି ତାଙ୍କର ଅଦ୍ଭୁତ ଧାରଣା ସୃଷ୍ଟି ହୁଏ ।

 

ଏହାଛଡ଼ା ଜୀବନାନନ୍ଦ ବାବୁ ଆହୁରି ଅନେକ କଥା କହନ୍ତି । ମନ୍ତ୍ରୀମଣ୍ଡଳରେ ଯେତେଜଣ ସଭ୍ୟ ଅଛନ୍ତି, ସେମାନଙ୍କ ମଧ୍ୟରୁ ଅର୍ଦ୍ଧାଧିକ ତାଙ୍କର ସହପାଠୀ, ଦୋସ୍ତ, ବନ୍ଧୁ, ସଖା ଓ ସାଙ୍ଗ । ବିଭାଗୀୟ ସେକ୍ରେଟେରୀ ତାଙ୍କର କୁଆଡ଼େ ଦୂର ସମ୍ପକୀୟ ବନ୍ଧୁ । ସେ ଇଚ୍ଛାକଲେ, ଏଇଠି, ଏଇ ବାଲେଶ୍ଵରରେ ଯେତେବର୍ଷ ଚାହିଁବେ ସେତେବର୍ଷ ରହିପାରିବେ । କେହି ତାଙ୍କର ବଦଳି କରି ପାରିବେ ନାହିଁ । ବିଭାଗୀୟ କର୍ମକର୍ତ୍ତା ବଦଳି ଆଦେଶ ଦେଲେ ସେ ସାଙ୍ଗେ ସାଙ୍ଗେ ତାଙ୍କର ବ୍ୟକ୍ତିଗତ ପ୍ରଭାବ ପକାଇ ସେହି ଆଦେଶକୁ ବାତିଲ କରିଦେବେ । ସ୍ଥଗିତ ରଖିଦେବେ ।

 

ଏସବୁ କଥାର ସତ୍ୟତା ନ ଥିଲେ ମଧ୍ୟ ଅନ୍ୟ କର୍ମଚାରୀମାନଙ୍କ ଆଗରେ ଏପରିକି ଖୋଦ ଅଫିସରଙ୍କ ଆଗରେ ମଧ୍ୟ କହନ୍ତି । ଅନ୍ୟମାନେ ତାଙ୍କୁ ଭୟ କରନ୍ତି । ସମ୍ମାନ ଜଣାନ୍ତି । ତାଙ୍କ କଥାରେ ପ୍ରତିବାଦ କରନ୍ତି ନାହିଁ । କାରଣ ସେ ଯଦି ରାଗରଖି ଉପର ମହଲରେ ପ୍ରଭାବ ପକାଇ ବସିବେ, ତା’ହେଲେ ତାଙ୍କର ବଦଳି ହେବା ସଙ୍ଗେ ସଙ୍ଗେ ଚାକିରୀରେ ମଧ୍ୟ ଆଞ୍ଚ ଆସିବ ।

 

ଜୀବନାନନ୍ଦ ବାବୁ, ବିଭାଗୀୟ କାର୍ଯ୍ୟରେ ବିଶେଷ ପାରଦର୍ଶିତା ହାସଲ କରି ନ ଥିଲେ-। ତାଙ୍କର ଇନିସପେକ୍‍ସନରେ ବହୁ ଦୋଷତୃଟି ରହିଥାଏ । ଏପରିକି ଇଂରେଜ ବାକ୍ୟ ସବୁ ଲେଖିଲାବେଳେ, ପ୍ରତିବାକ୍ୟରେ ଦୁଇ ତିନିଟା ବ୍ୟାକରଣଗତ ତୃଟି ରହିଯାଏ । ତା’ ସତ୍ତ୍ଵେ ଇଂରେଜୀ ଭାଷାରେ ତାଙ୍କର ଅଗାଧ ପାଣ୍ଡିତ୍ୟ ଅଛି ବୋଲି କହିବାକୁ କୁଣ୍ଠାବୋଧ କରନ୍ତି ନାହିଁ-

 

ଜୀବନାନନ୍ଦ ବାବୁଙ୍କର ଯାହା କରିବାର କଥା, ସେସବୁ କରିବା ସଙ୍ଗେ ସଙ୍ଗେ ଅନେକ କ୍ଷେତ୍ରରେ ସେ ନିଜର ପ୍ରଭୃତ୍ଵ ବିସ୍ତାର କରନ୍ତି । ତାଙ୍କ ଦ୍ଵାରା ଅଫିସ ଇନିସପେକ୍‍ସନ୍ ହେବାପାଇଁ ନୀତି ଓ ପରମ୍ପରା ନ ଥିଲେ ମଧ୍ୟ ସେ ଜୋର ଜବରଦସ୍ତ ଇନିସପେକ୍‍ସନ୍‍ କରି ବସନ୍ତି । ଅଧଃସ୍ତନ କର୍ମଚାରୀମାନେ କ୍ଷୁବ୍ଧ ହୁଅନ୍ତି । ଅସନ୍ତୁଷ୍ଟ ହୁଅନ୍ତି । କିନ୍ତୁ ଭୟରେ, ପ୍ରତିବାଦ କରିପାରନ୍ତି ନାହିଁ ।

 

ଅଧଃସ୍ତନ କର୍ମଚାରୀମାନଙ୍କର ଭୟ କରିବା ପାଇଁ ଆଉ ଗୋଟିଏ ବିଶେଷ କାରଣ ଥିଲା । ସେ କାରଣଟି ହେଉଛି ଏହି ଯେ ଜୀବନାନନ୍ଦ ବାବୁ ଅଫିସରଙ୍କ ପାଖରେ, ଅଧଃସ୍ତନ କର୍ମଚାରୀମାନଙ୍କ ବିରୁଦ୍ଧରେ ମିଛ ସତ ଯୋଡ଼ି ଅନେକ କଥା କହନ୍ତି । ଅଫିସରଙ୍କ ଧାରଣାକୁ ଖରାପ କରନ୍ତି ।

 

ନିଜେ ମଫସଲ ଗସ୍ତରେ ନ ଯାଇ, ଘରେ ବସନ୍ତି । ମଫସଲ ଲୋକଙ୍କୁ ବ୍ୟକ୍ତିଗତ ଭାବରେ ଚିଠିଲେଖି ନିଜ ଘରକୁ ଡକାଇବା ସଙ୍ଗେ ସଙ୍ଗେ ସେମାନଙ୍କୁ ଆବଶ୍ୟକୀୟ କାଗଜପତ୍ର ଆଣିବାକୁ ମଧ୍ୟ ନିର୍ଦ୍ଦେଶ ଦିଅନ୍ତି । ସରଳ ମଫସଲ ଲୋକେ ବିନା ପ୍ରତିବାଦରେ ତାଙ୍କ ପାଖକୁ କାଗଜପତ୍ର ଧରି ଆସନ୍ତି ।

ମଫସଲକୁ ନ ଯାଇ, ଜୀବନାନନ୍ଦ ବାବୁ ଘରେ ବସି ଟି. ଏ. ବାବଦରେ ଏକଶହ ଟଙ୍କାରୁ ଉଣା ପାଆନ୍ତି ନାହିଁ । ଅଫିସର, ଅନ୍ୟାନ୍ୟ କର୍ମଚାରୀମାନଙ୍କର ଟି. ଏ. ବିଲ୍ କାଟନ୍ତି । ମାତ୍ର ଜୀବନାନନ୍ଦ ବାବୁ ଟି.ଏ. ବିଲରେ ଯାହା ଦାବି କରିଥିବେ ସେହି ପରିମାଣ ଅର୍ଥ ବିନାଦ୍ଵନ୍ଦରେ ପାଶ୍ ହୋଇଯାଏ ।

ଜୀବନାନନ୍ଦ ବାବୁ ପ୍ରତିଦିନ, ରାତି ପାହିଲେ, ଅଫିସରଙ୍କ ଦୁଆର ମୁହଁରେ ହାଜର ହୁଅନ୍ତି । କେଉଁଦିନ ସିଗାରେଟ ପ୍ୟାକେଟ, କେଉଁଦିନ ଫ୍ଳାସ୍କ ଭିତରେ ଚା’ ଅଥବା ଆଉ କେଉଁ ଦିନ ନୂଆ ଟାଉଏଲ୍, ରୁମାଲ କିମ୍ବା ଯେ କୌଣସି ପ୍ରକାର ନୂଆ ନୂଆ ଜିନିଷ ନେଇ ଠିଆ ହୁଅନ୍ତି । ବିଚରା ଲାଞ୍ଚଖୋର ଅଫିସର, ନାନା ଘାତ ପ୍ରତିଘାତ ଭିତରେ, ଉତ୍ଥାନ ପତନ ମଧ୍ୟରେ ଗତିକରି, ତଳ ସ୍ତରରୁ ଅଫିସର ପାହ୍ୟାକୁ ଉଠିଥିବାରୁ, ଏଇସବୁ ଛୋଟ ଛୋଟ ଭେଟି ଓ ଉପଢ଼ୌକନ ଗ୍ରହଣ କରିବାରେ ଟିକିଏ ହେଲେ କାର୍ପଣ୍ୟ ଦେଖାନ୍ତି ନାହିଁ । ହସି ହସି ଜୀବନାନନ୍ଦଙ୍କ ଠାରୁ ସେ ଏଇ ସବୁତକ ଗ୍ରହଣ କରନ୍ତି । ସେ କିଛି କାମଦାମ ନ କଲେ ମଧ୍ୟ ତାଙ୍କୁ ଘଣ୍ଟ ଘୋଡ଼ାଇ ରଖିବାର ସାହାଯ୍ୟ କରନ୍ତି ।

ମୋଟ ଉପରେ ଜୀବନାନନ୍ଦ ବାବୁ ନିଜର ବୁଦ୍ଧି ବଳରେ, ଅଫିସରଙ୍କୁ ସନ୍ତୁଷ୍ଟ କରିପାରିଥିଲେ । ଅଫିସର ମଧ୍ୟ ନିଜର ପାଟମନ୍ତ୍ରୀରୂପେ, ଜୀବନାନନ୍ଦଙ୍କୁ ବରଣ କରି ନେଇଥିଲେ-। କାରଣ ତାଙ୍କର ନୈତିକ ବଳ, ଭେଟି ପାଇବା ଦ୍ଵାରା ଭାଜି ପଡ଼ିଥିଲା । ଅଧଃସ୍ତନ କର୍ମଚାରୀ ରୂପେ ଜୀବନାନନ୍ଦଙ୍କୁ ଆଦେଶ ଦେବାରେ ତାଙ୍କର ମାନସିକ ସ୍ଥୈର୍ଯ୍ୟତା ଓ ଶକ୍ତି ଲୋପପାଇ ଯାଇଥିଲା ।

ସୁତରାଂ ଏଇସବୁ ପଟ୍ଟଭୂମିରେ ଜୀବନାନନ୍ଦ ବାବୁ ଠିଆ ହୋଇ, କାହାରିକୁ ଭୟ କରନ୍ତି ନାହିଁ—ଖାତିର କରନ୍ତି ନାହିଁ । ନିଜକୁ ଅଫିସରଙ୍କର ଏକ ଅଂଶବିଶେଷ ବୋଲି ଭାବି ନିଜର କର୍ତ୍ତୃତ୍ୱ ଜାହିର କରନ୍ତି ।

ଦିନ ଗଡ଼ିଚାଲେ....

ପ୍ରତିଦିନ ପୂର୍ବ ଆକାଶରେ ସେଇ ପୁରାତନ ସୂର୍ଯ୍ୟ ଉଦୟ ହୁଏ ।

ପ୍ରତିଦିନ ପଶ୍ଚିମ ଆକାଶକୁ ରକ୍ତିମ ଆଭାରେ ବୋଳିଦେଇ ତାରି ତଳେ ସୂର୍ଯ୍ୟ ଅସ୍ତ ଯାଏ ।

ଏପ୍ରିଲ ମାସ । ସକାଳୁଆ ଅଫିସ....

ଅଫିସର ନାହାନ୍ତି । ଟୁରରେ ଯାଇଛନ୍ତି ଦୁଇଦିନ ହେଲା । ବର୍ତ୍ତମାନ ଜୀବନାନନ୍ଦ ବାବୁ ସର୍ବେସର୍ବା । ତାଙ୍କ ଇଙ୍ଗିତରେ ଅଫିସ ଚାଲେ । ତାଙ୍କ ନିର୍ଦ୍ଦେଶରେ ସମଗ୍ର ଅଫିସର କର୍ମଚାରୀମାନେ ପରିଚାଳିତ ହୁଅନ୍ତି । ଫାଇଲ ଚାଷ ହୁଏ । କର୍ମବ୍ୟସ୍ତତାର ତୋଫାନ ଉଠେ ।

 

ସେତେବେଳକୁ ନଅଟା ବାଜି ଯାଇଥିଲା...

 

ଏପ୍ରିଲ ମାସର ଖରା, ବାଘପରି ମାଡ଼ି ମାଡ଼ି ଆସୁଥିଲା । ବାଲେଶ୍ଵରର ପିଚୁରାସ୍ତା ଧୀରେ ଧୀରେ ତାତି ଉଠୁଛି । ଆଉ କେତେଘଣ୍ଟା ପରେ ସମଗ୍ର ରାସ୍ତା ତରଳିଯିବ । ଆକାଶରୁ ଅଗ୍ନି ବୃଷ୍ଟି ହେବ । ବାହାରକୁ ବାହାରିବା କଷ୍ଟସାଧ୍ୟ ହୋଇ ଉଠିବ ।

 

ବିନୋଦ ଫେରିଲା ଅଫିସକୁ । ଶିଳ୍ପ ଶିକ୍ଷାଶ୍ରମ ଇନିସ୍ପେକ୍ସନ୍ ସାରିଦେଇ, ବିନୋଦ ଆସିଛି ଅଫିସ ଆଡ଼େ ବୁଲିବାକୁ ।

 

ବିନୋଦ ସାଇକେଲ ରଖି ଆସିଲା ଭିତରକୁ ।

 

ଭୀମବାବୁ ବସିଛନ୍ତି । ସବୁଦିନ ପରି ଫାଇଲ ଭିତରେ ତାଙ୍କର ଦୃଷ୍ଟି ଶକ୍ତିହୀନ ଆଖି ଦୁଇଟି ହଜିଯାଇଛି....

 

ବିନୋଦ ବସି ପଡ଼ିଲା । ଫ୍ୟାନ ତଳେ ବସି, ଝାଳ ମାରିବାରେ ଲାଗିଲା ।

 

ଭୀମବାବୁ ଥିରି ଥିରି କହିଲେ—ଆଜି ଅଫିସର ନାହାନ୍ତି ବିନୋଦ ବାବୁ ! ଜୀବନା (ରାଗ ଓ ବିରକ୍ତିରେ ହେଡ୍‍କ୍ଳର୍କଙ୍କସମେତ ଅନ୍ୟାନ୍ୟ କର୍ମଚାରୀମାନେ ଏହି ଡାକ ପ୍ରାୟତଃ ଡାକି ଥାଆନ୍ତି) ଆଜି ଅଫିସର ହୋଇଛନ୍ତି ।

 

ବିନୋଦ, ଜୀବନାନନ୍ଦ ବାବୁଙ୍କ କଥାସବୁ ଶୁଣିଛି । ଆଖିରେ ଦେଖିଛି । କିନ୍ତୁ ତା’ ପ୍ରତି ଦିନେହେଲେ ସେ ଖରାପ ବ୍ୟବହାର କରି ନାହାଁନ୍ତି । ଖରାପ ଭାଷା ପ୍ରୟୋଗ କରିନାହାନ୍ତି । ଇନ୍‍ସବ୍ଅଡ଼ିନେସନ୍‍ର ସୂଚନା ଏପର୍ଯ୍ୟନ୍ତ ମିଳିନାହିଁ ।

 

ସାମୂହିକ ଭାବରେ ସେ ଜୀବନାନନ୍ଦ ବାବୁଙ୍କ ପ୍ରତି ଅସନ୍ତୁଷ୍ଟ । ମାତ୍ର ନିଜେ ତାଙ୍କ ଦ୍ୱାରା ଅପମାନିତ ହୋଇ ନ ଥିବାରୁ, ସେ ଅନ୍ୟମାନଙ୍କ କଥା ଶୁଣି ମଧ୍ୟ ଶୁଣନ୍ତି ନାହିଁ ।

 

ବିନୋଦ କେବଳ ହସୁଥିଲା...

 

ଭୀମବାବୁ ପୁଣି କାମରେ ମନଦେଲେ ।

 

ବିନୋଦ ଝାଳ ମାରି ମାରି ଚାହିଁଲା ଅଫିସ ଭିତରକୁ । ଅଫିସ ଭିତରର ସମସ୍ତ କର୍ମଚାରୀ, କାମ କରିବା ପାଇଁ ମନୋନିବେଶ କରିଛନ୍ତି । ଚାରିଆଡେ଼ ଗଭୀର ନୀରବତା ।

 

ସବୁଦିନେ, ଖୋଦ୍ ଅଫିସର ଉପସ୍ଥିତ ଥିଲାବେଳେ, କର୍ମଚାରୀମାନେ କଥାବାର୍ତ୍ତା ହୁଅନ୍ତି । କେହି କେହି ଅନ୍ୟମନସ୍କ ମଧ୍ୟ ରହନ୍ତି । ମାତ୍ର ଆଜି ସେ ସବୁର ସୂଚନା ନାହିଁ ସରକାରଙ୍କ ଅତି ବିଶ୍ୱସ୍ତ, ଆଜ୍ଞାଧୀନ ଓ ବିନୀତ ଭୃତ୍ୟରୂପେ ସମସ୍ତେ କାର୍ଯ୍ୟରେ ଲାଗିଯାଇଛନ୍ତି ।

 

ଓଃ, ଅଫିସରଙ୍କ ଅପେକ୍ଷା, କର୍ମଚାରୀମାନଙ୍କର ବେଶି ଡର ଏଇ ଜୀବନାନନ୍ଦ ବାବୁଙ୍କୁ-। କାହା ବିରୁଦ୍ଧରେ ଯଦି ସେ ଚୁଗୁଲି କରିଦେବେ, ତା’ହେଲେ ଅବସ୍ଥା ସାଙ୍ଘାତିକ ହେବ-। ତେଣୁ ସମସ୍ତେ, ନିଜର କର୍ତ୍ତବ୍ୟ ସମ୍ପର୍କରେ ସଚେତନ ରହିଛନ୍ତି । ସେମାନଙ୍କ ବିରୁଦ୍ଧରେ ଜୀବନାନନ୍ଦ ବାବୁ ଯେପରି କିଛି ଅଫିସରଙ୍କ ପାଖରେ ନ ଫୋଡ଼ିବେ ସେଥିପାଇଁ ସେମାନଙ୍କର ଏଇ ଦୟନୀୟ ପରିସ୍ଥିତି ।

Unknown

 

ହସ ମାଡ଼ିଲା ବିନୋଦକୁ । କାହିଁକି ଏତେ ଭୟ ? କାହିଁକି ଏତେ ଆଶଙ୍କା ? ଆପଣାର କର୍ତ୍ତବ୍ୟ ବିଧିବଦ୍ଧ ଭାବେ ସମ୍ପାଦନ କଲେ, ଭୟ କରିବାର କୌଣସି କାରଣ ନାହିଁ । ନିଜ କାର୍ଯ୍ୟରେ ନିଜେ ସନ୍ତୁଷ୍ଟ ହେଲେ ଅନ୍ୟ କାହାରି ମନ୍ତବ୍ୟରେ ଭୀତତ୍ରସ୍ତ ହେବାର ଅବକାଶ ନାହିଁ ।

ଏମାନେ କାହିଁକି ଡରୁଛନ୍ତି ଜୀବନାନନ୍ଦ ବାବୁଙ୍କୁ ? ସେ ବାଘ ନା ଭାଲୁ ? ସେ ତ ସେମାନଙ୍କ ପରି ମଣିଷ । ମାତ୍ର ଚାକିରୀ ଜୀବନରେ ଏଇ ବିଭାଗର ସେ ଯାହା ମଧ୍ୟବର୍ତ୍ତୀ ସ୍ଥାନକୁ ଉଠି ପାରିଛନ୍ତି । ଯେଉଁମାନେ ଆଜି ଅଧଃସ୍ତନ କର୍ମଚାରୀରୂପେ କାର୍ଯ୍ୟ କରୁଛନ୍ତି ସେମାନେ ଆସନ୍ତା ପାଞ୍ଚ ସାତବର୍ଷ ଭିତରେ ମଧ୍ୟ ସେହି ପାହ୍ୟାକୁ ଉଠିବେ । ସେହି ସ୍ଥାନ ଅଧିକାର କରି ବସିବେ । ସେହି ଆସନ ମଣ୍ଡନ କରିବେ ।

ତେଣୁ ସେମାନଙ୍କ ମନରେ କାହିଁକି ଆଜି କୃତ୍ରିମ ଆନ୍ତରିକତାର ପରିପ୍ରକାଶ ? କାମ କରିବା ବାହାନାରେ, ସତେ ଯେପରି ସେମାନେ କାଗଜ କଲମ ଭିତରେ ନିଜର ସତ୍ତା ହରେଇ ବସିଛନ୍ତି ।

ଆଶ୍ଚର୍ଯ୍ୟ ଏମାନେ ! ମେସିନ୍ ପରି ଖଟିବାରେ ଲାଗିଛନ୍ତି । ଅଭିନୟ କରି ଚାଲିଛନ୍ତି ।

ବିନୋଦ ଭାବି ଚାଲିଛି...

ହଠାତ୍ ଅଫିସରଙ୍କ ରୁମ୍ ଭିତରୁ କଲିଂବେଲର କ୍ରମାଗତ ସ୍ପଷ୍ଟଧ୍ୱନି କ୍ରିଂ କ୍ରିଂ ହୋଇ ବାଜି ଉଠିଲା ।

ବିନୋଦର ଭାବନା ବାଧାପ୍ରାପ୍ତ ହେଲା ।

ପିଅନ ଜଣକ, କାନ୍ଥ ପାଖରେ ଢୁଳାଉ ଢୁଳାଉ ଅସ୍ତବ୍ୟସ୍ତ ହୋଇ ଭିତରକୁ ପଶିଗଲା ।

ବିନୋଦ ଚାହିଁଲା ଭୀମବାବୁଙ୍କୁ ।

ଭୀମବାବୁଙ୍କ ଅନ୍ତର କି ଏକ ଆଶଙ୍କାରେ ଥରି ଉଠିଲା । ବିନୋଦ କିନ୍ତୁ ଅବିଚଳିତ ଭାବରେ ବସିରହିଛି ।

ପିଅନ୍ ଫେରି ଆସିଲା ।

ବିନୋଦ ପାଖକୁ ଫେରିଆସି କହିଲା—ଆପଣଙ୍କୁ ଆଜ୍ଞା ସାନ ସାହେବ ଡାକୁଛନ୍ତି—

ସାନ ସାହେବ ? ସାହେବ ପୁଣି କିଏ ? ସ୍ଵାଧୀନତା ହାସଲର ଅବ୍ୟବହିତ ପରେ ପରେ ଏ ଦେଶରୁ ଗୋରା ସାହେବମାନେ ପେଡ଼ି ପୁଟୁଳା ବାନ୍ଧ, ଫେରି ଯାଇଛନ୍ତି ଆପଣା ରାଇଜକୁ । ଆଉ ସାହେବ ରହିଲା କିଏ ? ଭାରତୀୟମାନେ ପୁଣି ଓଡ଼ିଶାର ଓଡ଼ିଆ ଲୋକେ ସାମାନ୍ୟ ମାତ୍ର ଉଚ୍ଚସ୍ତରକୁ ଉଠିଲେ ତାକୁ କ’ଣ ସାହେବ କୁହାଯାଏ ? ସାହେବ ବୋଲି ସମ୍ବୋଧନ କରାଯାଏ ?

ଜୀବନାନନ୍ଦ ବାବୁ ବି ସାହେବ ହୋଇଗଲେ ? ଇଂରେଜୀ ଲେଖିଲେ ଯାହାଙ୍କର ପ୍ରତିଟି ଧାଡ଼ିରେ ଦୁଇ ତିନୋଟି ବ୍ୟାକରଣଗତ ତ୍ରୁଟି ରହେ ସେ ବି ହେଲେ ଶେଷକୁ ସାହେବ ? ପଖାଳଖାଇ, ପାଠପଢ଼ି ଯଥେ କଥେ ବୋଧହୁଏ ଜୀବନାନନ୍ଦ ବାବୁ ମାଟ୍ରିକ୍ ଖଣ୍ଡକ ଡେଇଁଥିବେ । ଏଭଳି ବ୍ୟକ୍ତିଙ୍କୁ ଯଦି ସାହେବ ଡକାଯାଏ, ତା’ହେଲେ ଭାରତବର୍ଷର ହୁଏତ ପଚାଶଭାଗ ଲୋକେ ସାହେବ ବନିଯିବେ । ବ୍ରିଟିଶ ସାମ୍ରାଜ୍ୟବାଦର ଏକ ନଗ୍ନରୂପରେଖ ପୁଣି ହୁଏତ ଭାରତବର୍ଷରେ ଆତ୍ମ-ପ୍ରକାଶ କରିପାରେ ।

 

ଜୀବନାନନ୍ଦ ବାବୁ ତାକୁ କାହିଁକି ଡାକିଛନ୍ତି ? ତା’ ପାଖରେ ତାଙ୍କର କି କାମ ? ତାଙ୍କର ଯଦି କାମ ଥିଲା, ସେ ତ ଆପେ ଆପେ ଆସିଥାନ୍ତେ । କିନ୍ତୁ ଅଫିସରଙ୍କ ଅନୁପସ୍ଥିତିରେ, ତାଙ୍କ ଚେୟାର ଉପରେ ବସି, ଆଦେଶ ଦେଲାଭଳି ପିଅନ୍ ହାତରେ କାହିଁକି ତାକୁ ଡକାଇ ପଠାଇଛନ୍ତି ?

 

ଅନିଚ୍ଛାସତ୍ତ୍ୱେ ବିନୋଦ ଉଠିଲା । ନ ଗଲେ କଥାଟା ଖରାପ ହେବ । ଯାଇ ଟିକିଏ ଶୁଣି ଆସିଲେ କାମ ସରିଯିବ । କାହିଁକି ଅବା ନ ଯିବ ?

 

ବିନୋଦ ସ୍କ୍ରିନ୍ ଆଡ଼େଇ ପଶିଲା ଜୀବନାନନ୍ଦ ବାବୁଙ୍କୁ ଅସ୍ଥାୟୀ ଦପ୍ତରକୁ...

 

ଜୀବନାନନ୍ଦ ବାବୁ ଅସ୍ୱାଭାବିକ ଭାବେ ଗମ୍ଭୀର ଦେଖାଯାଉଛନ୍ତି । କୋଟିପତି ପାଖରେ, ଭିକାରୀ ନିଜର ଗୁହାରି ଜଣାଇଲେ କିମ୍ବା କିଛି ଅର୍ଥଦାନ କରିବା ପାଇଁ ଆକୁଳ ଆବେଦନ ଜଣାଉଥିଲେ, କୋଟିପତି ଧନର ଅହମିକାରେ ଯେପରି ଏକ ଦୃପ୍ତ ଚାହାଁଣୀରେ ଅନାଇଁ ରହେ, ଠିକ୍ ସେଇଭଲି ବିନୋଦକୁ ଚାହିଁ ରହିଲେ ଜୀବନାନନ୍ଦ ବାବୁ ।

 

ବିନୋଦ ଠିଆ ନ ହୋଇ ହଠାତ୍ ଗୋଟିଏ ଚେୟାର ଉପରେ ବସିପଡ଼ିଲା ।

 

ଜୀବନାନନ୍ଦ ବାବୁଙ୍କ ଅବଚେତନ ମନତଳେ ରାଗ ଓ କ୍ରୋଧର ବହ୍ନି...

 

ଆପେ ଆପେ, ଚେୟାର ଉପରେ ବସିପଡ଼ିଲା ? ଲୋକଟାର ଟିକିଏ ସୌଜନ୍ୟ ନାହିଁ-? ଭଦ୍ରାମି ନାହିଁ ? ଯେତେହେଲେ ବିନୋଦ ଅପେକ୍ଷା ସେ ଆଉ ଗୋଟାଏ ପାହାଚରେ, ସରକାରୀ ଚାକିରୀରେ ରହିଛନ୍ତି । ତାଙ୍କୁ ସେ ନମସ୍କାର କରିବାର କଥା । ବିନମ୍ର ଭାବରେ, ଚେୟାର ଅଫର ନ କଲା ପର୍ଯ୍ୟନ୍ତ ଅପେକ୍ଷା କରି ଠିଆ ହେବାର କଥା ।

 

ଜୀବନାନନ୍ଦ ବାବୁଙ୍କ ରାଗ, ଅବଚେତନ ମନରୁ ଚେତନ ମନକୁ ଉଠି ଆସିଲାଣି । ତାଙ୍କ ମୁଖମଣ୍ଡଳର ଗମ୍ଭୀରତା ଆହୁରି ବୃଦ୍ଧି ପାଇବାରେ ଲାଗିଛି ।

 

ଜୀବନାନନ୍ଦ ବାବୁ କହିଲେ—ଆପଣଙ୍କର କ’ଣ କିଛି କାମ ଦାମ ନାହିଁ ବିନୋଦ ବାବୁ-? ତୁଚ୍ଛାଟାରେ ଫେନ୍‍ ତଳେ ବସି ହାୱା ଖାଉଛନ୍ତି କାହିଁକି ? ଆଜିକାର ପ୍ରୋଗ୍ରାମରେ ଆପଣଙ୍କର କେଉଁଠିକି ଯିବାରଥିଲା ?

 

ବିନୋଦର ମନ ହଠାତ୍ ବିଦ୍ରୋହୀ ହୋଇ ଉଠିଲା । ଜୀବନାନନ୍ଦ ବାବୁ ଯାହା ଦିନେ କହି ନ ଥିଲେ, ତାହା ଆଜି ମୁହେଁ ମୁହେଁ କହିଛନ୍ତି । ଆଶ୍ଚର୍ଯ୍ୟ ? ତା’ର କାର୍ଯ୍ୟ ସମ୍ପର୍କରେ ଜୀବନାନନ୍ଦ ବାବୁ ପଚାରିବାକୁ କିଏ ? ଇଏ କଣ ତାଙ୍କର ପ୍ରତ୍ୟକ୍ଷ ଅଫିସର ? ଇଏ କଣ ତାକୁ ପରାମର୍ଶ ଦେବାର ଯୋଗ୍ୟ ?

 

ବିନୋଦର ମନତଳେ, ପୁଞ୍ଜିଭୂତ ହୋଇଥିବା ଅନେକ ଦିନର ଅସନ୍ତୋଷ କୁହୁଳି କୁହୁଳି ଉଠୁଛି । ଅନ୍ୟମାନଙ୍କର ଶୁଣା କଥାର ଅପ୍ରତ୍ୟକ୍ଷ ବିବରଣୀ ମନତଳେ ଆଜି ତା’ର ସ୍ପଷ୍ଟ ଓ ପ୍ରତ୍ୟକ୍ଷ ହୋଇଉଠୁଛି ।

 

ବିନୋଦର ଆଖି ପକ୍ଷ୍ମରେ ପ୍ରତିବାଦର ସଂକେତ...

 

ବିନୋଦ କହିଲା—ମୋ କାର୍ଯ୍ୟ ସମ୍ପର୍କରେ ଆପଣ କିଏ ପଚାରିବାକୁ ଆଜ୍ଞା ?

 

ଜୀବନାନନ୍ଦ ବାବୁ ଆହତ ହେଲେ । ଆଜିକୁ ତିନିବର୍ଷ ହେଲା ବାଲେଶ୍ଵରକୁ ସେ ବଦଳି ହେଲାଣି । ଦିନେ ହେଲେ କୌଣସି କର୍ମଚାରୀ ତାଙ୍କୁ ଏଭଳି ଉତ୍ତର ଦେଇ ନ ଥିଲେ । ଆଜି କିନ୍ତୁ ଏ କି ବ୍ୟତିକ୍ରମ ?

 

ନାଁ, ସେ ସହି ପାରିବେନି । କଠୋର ଭାବରେ ବିନୋଦ ଭଳି ଗୋଟିଏ ଉଦ୍ଧତ ଯୁବକକୁ ସେ ଦମନ କରିବେ । ଦବାଇ ଦେବେ ।

 

ଜୀବନାନନ୍ଦ ଅପେକ୍ଷାକୃତ ଟିକିଏ ଉଚ୍ଚ କଣ୍ଠରେ କହିଲେ—ମୁଁ କିଏ ? ଆପଣ ଏଭଳି ବାକ୍ୟ ପ୍ରତ୍ୟାହାର କରି ନିଅନ୍ତୁ । ନ ହେଲେ ପରଣତି ଅତି ଭୟାବହ ହୋଇ ଉଠିବ ।

 

ବିନୋଦର ରାଗ ଅତି ଚରମକୁ ଉଠିଲା । ଅନ୍ୟମାନଙ୍କୁ ଧମକ ଦେଇ, ଦାବିରଖିଛି ବୋଲି ତାକୁ କଣ ସେ ଦବାଇ ପାରିବ ? ଅସମ୍ଭବ ।

 

ବିନୋଦ କହିଲା—ନୋ, ନୋ, ଆଇ କେନ୍ ନଟ୍ ଉଇଥ ଡ୍ର । ଆଇ ପ୍ରୋଟେଷ୍ଟ ବେଇମେଣ୍ଟଲି ଟୁ ୟୋର ବିହେଭିୟର ।

 

ଜୀବନାନନ୍ଦ ମଧ୍ୟ ଇଂରେଜୀରେ କଥା କହିବାକୁ ଲାଗିଲେ । ବ୍ୟାକରଣର ସାଧାରଣ ନିୟମ କାନୁନ୍‍କୁ ଭୁଲିଯାଇ ଜୀବନନନ୍ଦ ଏକପ୍ରେସ୍‍ ଗତିରେ ଇଂରେଜୀ ଝାଡ଼ିଲେ ।

 

ବିନୋଦ ମୁହଁରେ ବାଟୁଳି ବାଜୁନି । ସେ ଅନର୍ଗତ କହି ଚାଲିଛି । ଭସ୍ ଭସ୍ ହୋଇ ଉତ୍ତେଜିତ ଇଂରେଜୀ ସଂଳାପ ମୁଖରୁ ତାର ନୀସୃତ ହେଉଛି ।

 

ପରସ୍ପରଙ୍କ ଉତ୍ତର ଓ ପ୍ରତ୍ୟୁତ୍ତରରେ ସମଗ୍ର ଅଫିସ ପ୍ରକମ୍ପିତ ।

 

ଅନ୍ୟାନ୍ୟ କର୍ମଚାରୀମାନେ, ଅଫିସ୍ କ୍ୟାମେରାର ସ୍କ୍ରିନ୍ ପାଖେ ଆସି ଠୁଳ ହୋଇଛନ୍ତି । ଉଭୟଙ୍କ ଯୁକ୍ତି ଶୁଣିବାରେ ସେମାନେ ଲାଗିଯାଇଛନ୍ତି । ଯେଉଁମାନେ ଏ ପର୍ଯ୍ୟନ୍ତ ଜୀବନାନନ୍ଦ ବାବୁଙ୍କ ଅତ୍ୟାଚାରରେ, ଉତ୍ପୀଡ଼ିତ ହୋଇଥିଲେ, ସେମାନେ ଅତି ନୀରବରେ ବିନୋଦକୁ ସମର୍ଥନ ଜଣାଉଛନ୍ତି ।

 

ଜୀବନାନନ୍ଦ ବାବୁ ଇଂରେଜୀ ଆଉ କହିପାରୁ ନାହାନ୍ତି । ଏତେଦିନ ଚାକିରୀ କରି, ଇଂରେଜୀ ଭାଷାରେ ରିପୋର୍ଟ, ଛୁଟି ଦରଖାସ୍ତ ଓ ଫାଇଲ୍ ନୋଟ୍ ଲେଖି ଯାହା ଜ୍ଞାନ ଅର୍ଜ୍ଜନ କରିଥିଲେ, ଯୁକ୍ତି କରି, ଇଂରେଜୀରେ କଥାକହି ସେସବୁ ନିଃଶେଷ କରିଦେଲେ ।

 

ବିନୋଦ ତଥାପି ବନ୍ଦକରି ନାହିଁ । ଆଖି ଭିତରୁ ସତେ ଯେପରି ଅଗ୍ନି ବର୍ଷିପଡ଼ିବ ।

 

ସ୍କ୍ରିନ୍ ସେପଟୁ ଫୁସ୍ ଫାସ୍ ଶବ୍ଦ ଶୁଭୁଛି । ଜୀବନାନନ୍ଦ ଲଜ୍ଜିତ ହେଲେ । ଆଉ ଯୁକ୍ତିତର୍କ କରି କୌଣସି ଫଳ ନାହିଁ । ଲାଭ ନାହିଁ । ନିଜର ଇଜ୍ଜତ ଗଲା । ମାନ ମହତ୍ତ୍ୱ ଗଲା । ଯେଉଁମାନେ ତାଙ୍କୁ ଡରି ମୁହଁରେ ଉତ୍ତର ଦେବାକୁ ସାହାସ କରୁ ନ ଥିଲେ, ସେଇମାନେ ଭବିଷ୍ୟତକୁ ନିଶ୍ଚିତ ଜବାବ୍ ଦେବେ । ଉତ୍ତର ଦେବେ । ବିନୋଦ ଆଜି ସେ ରାସ୍ତା ଖୋଲି ଦେଇଛି । ସେ ପଥର ଶୁଭ ଉଦ୍‍ଘାଟନ କରିଦେଇଛି ।

 

ବିନୋଦର ମୁହଁ କେଡ଼େ ଲାଲ ପଡ଼ିଯାଇଛି ସତେ ! କେତେ ଜୋରରେ ତାତି ଉଠିଛି ସେ ! ଆଉ ବେଶି ସମୟ ଯୁକ୍ତି କଲେ, ଉତ୍ତର ପ୍ରତ୍ୟୁତ୍ତରେ ମାତି ରହିଲେ, ସେ ହୁଏତ ମାରିବ । ଟେବୁଲ ଉପରକୁ ହୁଏତ ଝୁଙ୍କି ପଡ଼ିବ ।

 

ଜୀବନାନନ୍ଦ ହଠାତ୍ ଉଠି ପଡ଼ିଲେ । କହିଲେ—ଆପଣଙ୍କ ସହିତ ମୁଁ ଯୁକ୍ତି କରିବାକୁ ଆଉ ଚାହେଁ ନାହିଁ ବିନୋଦ ବାବୁ । ଅଫିସର ଆସିଲେ, ଏସବୁ କଥା ତାଙ୍କ ଆଗରେ ପଡ଼ିବ । କିନ୍ତୁ ମୁଁ ଏତିକି କହିଦେଉଛି ଯେ ଆପଣଙ୍କୁ ମୁଁ ଦେଖିନେବି ।

 

ବିନୋଦ ରାଗ ଓ ଉତ୍ତେଜନାରେ ହୋ ହୋ ହୋଇ ହସି ଉଠିଲା ଏକ ଅଟ୍ଟହାସ୍ୟ ।

 

ଜୀବନାନନ୍ଦ ଅପମାନ ଓ ଲଜ୍ଜ୍ୱାରେ ତିଳ ତିଳ ହୋଇ ଜଳିପୋଡ଼ି, ବାହାରକୁ ଚାଲିଆସିଲେ । ଅଫିସର ସମସ୍ତ କର୍ମଚାରୀ ତାଙ୍କୁ ଚାହିଁ ରହିଛନ୍ତି । ଆଜି ଯେମିତି ସମସ୍ତେ ତାଙ୍କର ଅପମାନରେ ଆନନ୍ଦିତ ଓ ଉଲ୍ଲସିତ । କାହାରି ତୁଣ୍ଡରେ ଭାଷା ନାହିଁ । ସମବେଦନା ନାହିଁ । ସହାନୁଭୂତି ନାହିଁ । ଆଜି ଯେମିତି ସମସ୍ତେ ବିନୋଦ ସହିତ ତାଳ ମିଳାଇ, ସ୍ଵର ମିଳାଇ ତାକୁ ଗାଳିଦେବାକୁ ବସିଛନ୍ତି । ଅପମାନିତ କରିବାକୁ ଅପେକ୍ଷା କରିଛନ୍ତି ।

 

ନାଁ, ଆଉ ଅଫିସରେ ବସି ଲାଭ ନାହିଁ । କେହିହେଲେ ଏପରିକି ପିଅନ୍‍ଟିଏ ମଧ୍ୟ ପାଖକୁ ଆସୁନାହିଁ । ଘରକୁ ପଳାଇଯିବା ବରଂ ଶ୍ରେୟସ୍କର ।

 

ଜୀବନାନନ୍ଦ ବାବୁ ତଳକୁ ଓହ୍ଲାଇ ଆସି ସାଇକେଲ୍ ଧରିଲେ ।

ସାଇକେଲ ଉପରକୁ ଉଠିବାକୁ ଚେଷ୍ଟା କରୁଛନ୍ତି, ହଠାତ୍ ପଛକୁ ଚାହିଁଦେଲେ । ବିନୋଦ ସମେତ ତିନି ଚାରିଜଣ କର୍ମଚାରୀ ହସି ହସି ବିଜୟ ଗୌରବରେ ଫାଟି ପଡ଼ୁଛନ୍ତି ।

 

ଜୀବନାନନ୍ଦ ବାବୁ ଆଉ ସହିପାରିଲେନି । ସାଇକେଲ ଉପରକୁ ଉଠି ନିଜ ବସାଆଡ଼େ ମୁହେଁଇଲେ....

 

ଅଫିସ କର୍ମଚାରୀମାନଙ୍କ ମଧ୍ୟରେ ଏକ ଅପୂର୍ବ କଳରୋଳ । ସେଇ କଳରୋଳ ମଧ୍ୟରେ ସେମାନେ ଯେପରି ବିନୋଦକୁ ସ୍ଵାଗତ କରୁଛନ୍ତି । ଅଭିନନ୍ଦନ ଜଣାଉଛନ୍ତି ।

 

ଭୀମବାବୁ ହସି ହସି ଆସି କହିଲେ—ଏତେଦିନ ଆପଣ ପରମ୍ପରା ଭଙ୍ଗକଲେ ବିନୋଦବାବୁ । ଆପଣଙ୍କ ପ୍ରତିବାଦ ବାସ୍ତବିକ୍ ପ୍ରଶଂସନୀୟ ।

 

ଟାଇପିଷ୍ଟ, ଏଲ. ଡ଼ି. ଓ. ୟୁ. ଡ଼ି. କ୍ଲର୍କମାନେ ହସି ହସି ଭୀମବାବୁଙ୍କ କଥାରେ ସମର୍ଥନ ଜଣାଉଥିଲେ ।

 

ବିନୋଦର ରାଗ ଏପର୍ଯ୍ୟନ୍ତ ଥମିନାହିଁ ।

 

ଶ୍ରୀନାଥ ରଥ...

 

ବାଲେଶ୍ଵର ସର୍କଲ ଅଫିସର । ବୟସ ପଞ୍ଚଚାଳିଶି ଛୟାଳିଶି ଭିତରେ । ବାହାରକୁ ନିଜେ ଜଣେ ନୀତିବାଦୀ, ସାଧୁ ଓ ସଚ୍ଚୋଟ ବୋଲି ପରିଚୟ ଦିଅନ୍ତି । କିନ୍ତୁ ଭିତରେ ଭିତରେ ଉତ୍କୋଚ ଗ୍ରହଣ କରନ୍ତି । ବିଚାରରେ ପାତର ଅନ୍ତର ରହେ ।

 

ଯେଉଁମାନେ ତୋଷାମଦ କରନ୍ତି, ଭେଟି, ଉପହାର ଓ ଉପଢ଼ୌକନ ଦିଅନ୍ତି, ସେହିମାନଙ୍କ ଉପରେ ଅଫିସର ରଥ, ସନ୍ତୁଷ୍ଟ ଦୁଅନ୍ତି ।

 

ଶ୍ରୀନାଥ ବାବୁ, ନିଜ ସ୍ତ୍ରୀଙ୍କ ଦ୍ୱାରା ପରିଚାଳିତ ହୁଅନ୍ତି । ବିନୋଦିନୀ ଯାହା କହିବେ, ଯାହା କରିବାକୁ ଇଙ୍ଗିତ ଦେବେ, ସେହି ଅନୁସାରେ, ସେ ଚାଲନ୍ତି । ଏପରିକି ବିନୋଦିନୀ ଯଦି ଅଡ଼ି ବସିବେ, ଅଭିମାନ କରିବେ, ଟୁରରେ ଯାଅନାହିଁ ବୋଲି କହିବେ ଶ୍ରୀନାଥ ବାବୁଙ୍କର ଯେତେ ବଡ଼ ଦାୟିତ୍ଵପୂର୍ଣ୍ଣ କାର୍ଯ୍ୟ ଥାଉନା କାହିଁକି, ସେ ଅଟକି ଯାଆନ୍ତି ।

 

ସେ ଭାବନ୍ତି, ସ୍ତ୍ରୀଙ୍କ କଥାକୁ ଅବଜ୍ଞା ବା ଅସ୍ୱୀକାର କଲେ, ତାଙ୍କ ପାରିବାରିକ ଜୀବନ ଅଶାନ୍ତ ହୋଇ ଉଠିବ । ପାରିବାରିକ ଜୀବନର ସ୍ଵାଭାବିକ ସୁଖ ସ୍ୱାଚ୍ଛନ୍ଦ୍ୟ ଅକସ୍ମାତ୍ ଦୂର ହୋଇ ଅଦିନିଆ ଝଡ଼ର ସଞ୍ଚାର ହେବ । ତେଣୁ ସେ ରହନ୍ତି ।

 

ସେଦିନ ଥିଲା ମେ ମାସର ଏକ ସନ୍ଧ୍ୟା...

 

ଶ୍ରୀନାଥ ବାବୁଙ୍କ ପାଖରେ ଜୀବନାନନ୍ଦବାବୁ ବସି ଏକ ନିଃଶ୍ୱାସକେ କହି ଚାଲିଛନ୍ତି—ମତେ ଆଜ୍ଞା ମାରିବାକୁ ଦଉଡ଼ିଆସିଲେ ବିନୋଦ ବାବୁ । ଇଟ୍ ଇଜ୍ ଏ ଇନ୍‍ସଲଟେସନ ଟୁ ମି ଏଜ୍ ଉଏଲ ଏଜ୍ ଇଉ ସାର । ଆପଣ ଯଦି ଏ ବିଷୟରେ ପ୍ରତିକାର ନ କରନ୍ତି, ତା’ହେଲେ ଆଡ଼ମିନିଷ୍ଟ୍ରେସନ୍ କୋହଳ ହୋଇଯିବ । କେହି କାହାରିକୁ ମାନିବେ ନାହିଁ । ସମଗ୍ର ଅଫିସଟା ବିଶୃଙ୍ଖଳା ହୋଇଉଠିବ ।

 

ଆଜି ମତେ ମାରିବାକୁ ଉଦ୍ୟତ ହେଲେ, କାଲି ହୁଏତ ଆପଣଙ୍କୁ ମାରିବାକୁ ଦଉଡ଼ି ଆସିପାରନ୍ତି । ଆମ ଅଫିସରେ ଏପର୍ଯ୍ୟନ୍ତ ଯେଉଁ ଶୃଙ୍ଖଳା ରହିଆସିଥିଲା ସାର୍, ସେ ଶୃଙ୍ଖଳାକୁ ବିନୋଦ ବାବୁ ଆସି ନଷ୍ଟ କରିଦେଇଛନ୍ତି । ଯେଉଁମାନେ ଉଦାର, ବିନୀତ ଓ ନମ୍ର କର୍ମଚାରୀରୂପେ ଏପର୍ଯ୍ୟନ୍ତ କାମ କରିଆସୁଥିଲେ, ସେମାନେ ବିନୋଦ ବାବୁଙ୍କ ପ୍ରରୋଚନାରେ ପଡ଼ି ଉଦ୍ଧତ, ଉଶୃଙ୍ଖଳ ହୋଇଛନ୍ତି ।

 

ଆପଣ ଯଦି ଏ ବିଷୟରେ ହସ୍ତକ୍ଷେପ ନ କରନ୍ତି ତା’ହେଲେ ଅବସ୍ଥା ଅସମ୍ଭାଳ ହୋଇଯିବ ସାର୍ ! ଏ ବିଭାଗରେ ଚାକିରୀ କରିବାର ମୋର ତେର ଚଉଦ ବର୍ଷ ହୋଇଗଲା । ଜୀବନରେ ମୁଁ ବି ଦିନେ ଇନିସପେକ୍‍ଟର ଥିଲି । ଅନେକ ସଦ୍ୟ କଲେଜ ଫେରନ୍ତା ଯୁବକଙ୍କୁ ଇନିସପେକ୍ଟର ଭାବରେ ଜଏନ୍ କରିବାର ଦେଖିଛି । ସେମାନଙ୍କ ସହିତ ମିଶିଛି । କାର୍ଯ୍ୟ କରିଛି । କିନ୍ତୁ ବିନୋଦ ବାବୁ ! ଖଣ୍ଡିଏ ଜଳନ୍ତା ଅଗ୍ନି ପିଣ୍ଡ ! ଉପରିସ୍ଥ କର୍ମକର୍ତ୍ତାଙ୍କୁ ବେଖାତିର୍ କରିବାହିଁ ତାଙ୍କର ଯେପରି ସ୍ୱଭାବ ।

 

ଶ୍ରୀନାଥ ବାବୁ ଶୁଣୁଛନ୍ତି । ଜୀବନାନନ୍ଦ ବାବୁ ବିନୋଦ ବିରୁଦ୍ଧରେ ଏକପାଖିଆ ହୋଇ ସବୁକଥା କହି ଚାଲିଛନ୍ତି । ତାଙ୍କର ସମସ୍ତ ଦୋଷ ତୁଟି ବଖାଣିବାରେ ଲାଗିଛନ୍ତି—ଦର୍ଶାଇବାରେ ଶତମୁଖ ହୋଇଛନ୍ତି । ମାତ୍ର ବିନୋଦ ତାଙ୍କୁ କାହିଁକି ମାରିବାକୁ ଆସିଲା ? କାହିଁକି ତାଙ୍କର ଯୁକ୍ତି ହେଲା ?

 

ଜୀବନାନନ୍ଦ ବାବୁଙ୍କର କ’ଣ ଦୋଷ ନାହିଁ ? ତ୍ରୁଟି ନାହିଁ ? ଗୋଟିଏ ହାତରେ କ’ଣ ତାଳିବାଜେ । ନିଜ କଥା ଏପର୍ଯ୍ୟନ୍ତ ଜୀବନାନନ୍ଦ ବାବୁ କହିଲେ ନାହିଁ । କାରଣ କ’ଣ ?

 

ଶ୍ରୀନାଥ ବାବୁ ଚେୟାର ଉପରୁ ଉଠିପଡ଼ି କହିଲେ—ତମ ସହିତ ବିନୋଦର କଳି ତକରାଳ ହେବାର କାରଣ କ’ଣ ? ତମକୁ ସେ ବିନା କାରଣରେ କ’ଣ ମାରିବାକୁ ଆସିଲା ?

 

ଜୀବନାନନ୍ଦ ବାବୁ କହିଲେ—ଅଫିସରେ ଫୋନ୍ ତଳେ ବସି ଭୀମବାବୁଙ୍କ ସହିତ ଗପ କରୁଥିଲେ । ମୁଁ କହିଲି କାମ ଦାମ କରନ୍ତୁ ବିନୋଦ ବାବୁ । ପ୍ରୋଗ୍ରାମ ଅନୁଯାୟୀ ଆଜି ଆପଣଙ୍କର କେଉଁଠିକି ଯିବାର କଥା ? ଅଯଥାରେ ବସିରହିବାର ତ କୌଣସି କାରଣ ନାହିଁ ।

 

ଏତିକିରେ ତାଙ୍କୁ ସମ୍ଭାଳେ କିଏ ସାର୍ ? ମୋ ଅଥରିଟିକୁ ସେ ଚାଲେଞ୍ଜ କଲେ ଏବଂ କହିଲେ ମୁଁ କାର୍ଯ୍ୟ କଲି ବା ନ କଲି ସେ ସମ୍ପର୍କରେ ତମେ ପଚାରିବାକୁ କିଏ ?

 

ଶ୍ରୀନାଥ ବାବୁ ଏବେ ଘଟଣାଟା ବୁଝିପାରିଲେ । ଜୀବନାନନ୍ଦ ବାବୁ, ତାଙ୍କୁ ତୋଷାମଦ କରି, ଭେଟି ଓ ଉପଢ଼ୌକନ ଦେଇ, ଅନେକ ସମୟରେ, ଅନେକ କ୍ଷେତ୍ରରେ କି ଭଳି ନାନା ଅବାଞ୍ଛିତ କାର୍ଯ୍ୟରେ ସେ ଲିପ୍ତ ରହନ୍ତି, ହଠାତ୍ ତାଙ୍କର ମନେ ପଡ଼ିଗଲା ।

 

ଓଃ, ସାମାନ୍ୟ ଉତ୍କୋଚ ଓ ଲାଞ୍ଚ ଗ୍ରହଣ କରି ଜୀବନାନନ୍ଦଙ୍କୁ ସବୁକ୍ଷେତ୍ରରେ ସେ ଅବାଧ ସୁଯୋଗ ଦେଇଛନ୍ତି । ମାସ ମାସ ଧରି ଟୁରରେ ନ ଯାଇଥିଲେ ମଧ୍ୟ, ଟି. ଏ. ବିଲ୍ ଦାଖଲ କରି ଶହ ଶହ ଟଙ୍କା ସରକାରୀ ରାଜକୋଷରୁ ହସ୍ତଖତ୍ କରିଛି । ସେଇ ମିଥ୍ୟା ଟି. ଏ. ବିଲ୍‍କୁ ସେ ପାଶ୍ କରାଇଦିଅନ୍ତି । ସେ ବି ମଧ୍ୟ ଦୁର୍ନୀତିକୁ ପ୍ରଶ୍ରୟ ଦେଇଛନ୍ତି । ଉତ୍ସାହିତ କରିଛନ୍ତି ।

 

ସାମାନ୍ୟ କେତେଟା ଟଙ୍କା ଲୋଭରେ, ମହଣକର ଚାଉଳରେ, ଘିଅ ତିନି ଛଟାଙ୍କିରେ, ମାଣିଆବନ୍ଦୀ ଶାଢ଼ି ଓ କେତେ ପ୍ୟାକେଟ ସିଗାରେଟ୍ ଲୋଭରେ ଅଫିସ ଭିତରର ଶାସନ ଉପରେ ଜୀବନାନନ୍ଦ ବାବୁଙ୍କୁ ସେ ଅନେକ କ୍ଷମତା ନ୍ୟସ୍ତ କରିଛନ୍ତି । ସେଇ କ୍ଷମତାର ଲୋଭରେ ଅନ୍ଧ ହୋଇ, ପାଗଳ ହୋଇ ଅନେକ ସମୟରେ ଜୀବନାନନ୍ଦ ବାବୁ ବିରାଟ ଭୁଲ୍ କରିବସନ୍ତି । ମାରାତ୍ମକ ତ୍ରୁଟି କରନ୍ତି ।

 

କୌଣସି କର୍ମଚାରୀ ଆଜି ତାଙ୍କ ଉପରେ ସନ୍ତୁଷ୍ଟ ନାହାନ୍ତି କାହିଁକି ? ତାଙ୍କ ବିରୁଦ୍ଧରେ ନାନା ଅଭିଯୋଗ କାହିଁକି ବାଢ଼ୁଛନ୍ତି ?

 

ଶ୍ରୀନାଥ ବାବୁଙ୍କ ମନ ବିଷାକ୍ତ ହୋଇ ଉଠିଲା । ମନେ ମନେ ସେ ଟିକିଏ ଚିଡ଼ିଉଠିଲେ-। ନିଜ ପ୍ରତି ତାଙ୍କର ଘୃଣାଭାବ ଆସିଲା । ସେ ଯଦି ମୂଳରୁ ଟିକିଏ ସଚେତନ ରହିଥାଆନ୍ତେ, ଏଭଳି ଲାଞ୍ଚ ଓ ଉତ୍କୋଚକୁ ପ୍ରଶୟ ଦେବାର ସୁଯୋଗ ଦେଇ ନ ଥାନ୍ତେ, ତାହେଲେ ଅବସ୍ଥା ଆଜି ଏଭଳି ହୋଇ ନ ଥାନ୍ତା ।

 

ବର୍ତ୍ତମାନ ସେ କ’ଣ କରିବେ ? ଅତୀତର ଘଟଣା, ଅତୀତ ନଦୀର ବନ୍ୟାରେ ଭାସିଯାଇଛି । ଅତୀତର ତ୍ରୁଟିକୁ ଆଉ ସଂଶୋଧନ କରି ହେବ ନାହିଁ—ଅତୀରର ଭୁଲ୍‍ଭ୍ରାନ୍ତିକୁ ପରିମାର୍ଜିତ କରି ହେବ ନାହିଁ । ଅତୀତର କାର୍ଯ୍ୟାବଳୀ ଭବିଷ୍ୟତର ବାଟକୁ ସୁଗମ କରେ । ଭବିଷ୍ୟତର ଦୀର୍ଘ ଚଲାବାଟରେ ବାଟ ଚାଲିବାକୁ ଶକ୍ତି ଯୋଗାଏ । ବଳଦିଏ । ପ୍ରେରଣା ସୃଷ୍ଟି କରେ । ଗୋଡ଼ ଶକ୍ତ ହୁଏ । ମଜବୁତ୍ ରହେ ।

 

ଶ୍ରୀନାଥ ବାବୁ କହିଲେ—ତମର କଣ ଦରକାର ଥିଲା ଜୀବନାନନ୍ଦ ବାବୁ ତା’ର କାର୍ଯ୍ୟ ସମ୍ପର୍କରେ ପଚାରିବାକୁ ? ଯଦି ତମେ ଜାଣିଲ ଯେ ସେ କାମଦାମ କରୁନାହିଁ, ଠକୁଛି, ବୁଲିବାରେ ଲାଗିଛି, ତା’ହେଲେ ମତେ ତମେ କହିଥାଆନ୍ତ । ରିପୋର୍ଟ କରିଥାଆନ୍ତ । କିନ୍ତୁ ତା’ ସହିତ ସାମ୍ନାସାମ୍ନି ଯୁକ୍ତି କରିବାରେ କି ଯେ ଆବଶ୍ୟକତାଥିଲା ମୁଁ ବୁଝିପାରୁନି ।

 

ଜୀବନାନନ୍ଦ ବାବୁଙ୍କ ମନ ଗଭୀର ଦୁଃଖରେ ଭାଜିପଡ଼ିଲା ।

 

ସେ ଭାବିଥିଲେ ଶ୍ରୀନାଥ ବାବୁ ତାଙ୍କୁ ସମର୍ଥନ କରିବେ । ସେ ଅନ୍ୟାୟ କଲେ, ଭୁଲ୍ କଲେ ମଧ୍ୟ ଅଫିସର ତାଙ୍କୁ ଅତୀତରେ ସାହାଯ୍ୟ କରି ଆସିଛନ୍ତି । ଆଜି କରିବେ । ମାତ୍ର ଏ କଣ ? ସେ କ’ଣ ବଦଳି ଗଲାଣି ନା କଣ ? ବର୍ଷ ବର୍ଷ ଧରି ଭେଟିଦେଇ, ଉପହାର ଦେଇ କି କାର୍ଯ୍ୟ ସେ ହାସଲ କରିଛନ୍ତି ?

 

ଜୀବନାନନ୍ଦ ବାବୁ କହିଲେ—ଆପଣ ସାର୍ ଟିକିଏ ଘଟଣାଟା ଭଲ କରି ବୁଝନ୍ତୁ । ଘଟଣାଟା ଜାଣିପାରିଲେ, ମୋର ଦୋଷତ୍ରୁଟି କେଉଁଠି ରହିଛି, ଆପଣ ସହଜରେ ଜାଣିପାରିବେ ।

 

ଶ୍ରୀନାଥ ବାବୁ କହିଲେ—ମୁଁ ସବୁ ଜାଣିପାରୁଛି ଜୀବନାନନ୍ଦ ବାବୁ । ଭୁଲ୍ ସବୁ ତମରି–

 

ଜୀବନାନନ୍ଦ ବାବୁ ହତବାକ୍ ହୋଇ ଅନାଇଁ ରହିଛନ୍ତି ଶ୍ରୀନାଥ ବାବୁଙ୍କୁ...

 

ଏ ପର୍ଯ୍ୟନ୍ତ ବିନୋଦିନୀ କାନ୍ଥ ଆରପଟେ ଠିଆ ହୋଇ ଏସବୁ କଥା ଶୁଣୁଥିଲେ । ସେ ଯେତେବେଳେ ଜାଣିଲେ ଯେ ସ୍ୱାମୀ ତାଙ୍କର ଜୀବନାନନ୍ଦ ବାବୁଙ୍କୁ ସମର୍ଥନ କରୁନାହାନ୍ତି, ସେତେବେଳେ ସେଠାରୁ ସେ ବାହାରି ଆସି କହିଲେ—ଘଟଣାଟା ନ ବୁଝି ଜୀବନାନନ୍ଦ ବାବୁଙ୍କ ଉପରେ କାହିଁକି ଦୋଷ ଦେଉଛି କହିଲ ? ମୁଁ ଜାଣେ ଜୀବନାନନ୍ଦ ବାବୁଙ୍କୁ । ସେ କେବେ ଭୁଲ କରିନାହାନ୍ତି । ଯେବେ ଅବା ବିନୋଦ ବାବୁଙ୍କୁ ପଚାରି ସେ ଭୁଲକରିଛନ୍ତି, ତା’ ବୋଲି ସେ ତାଙ୍କୁ ମାରିବାକୁ ଉଦ୍ୟତ ହେବା ନିହାତି ନିନ୍ଦନୀୟ । ତମେ ଏ ବିଷୟରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନ କଲେ କ’ଣ ଚଳିବ ?

 

ଚିରଦିନ, ନିଜ ସ୍ତ୍ରୀଙ୍କ ପରାମର୍ଶରେ ପରିଚାଳିତ ଶ୍ରୀନାଥ ବାବୁ ମହାଅଡ଼ୁଆରେ ପଡ଼ିଲେ-। ସ୍ତ୍ରୀ ଯେତେବେଳେ ତାଙ୍କୁ ସମର୍ଥନ ଜଣାଉଛନ୍ତି, ସେ ଆଉ ବିରୋଧ କରିବେ କିପରି ? ସେ ଯଦି ବିରୋଧ କରନ୍ତି, ତାହେଲେ ଅବସ୍ଥା ସାଂଘାତିକ ହୋଇ ଉଠିବ । ତାଙ୍କର ନିତିଦିନିଆଁ ଜୀବନ ଯାତ୍ରାର ସୁସ୍ଥ ପ୍ରଣାଳୀ ଅନେକାଂଶରେ ତା’ହେଲେ ବ୍ୟାହତ ହେବ ।

 

ପୃଥୁଳ ଦେହା ବିନୋଦିନୀ ଟେବୁଲ ଉପରକୁ ଝୁଙ୍କିପଡ଼ି ଶ୍ରୀନାଥ ବାବୁଙ୍କ ଆଡ଼େ ଚାହିଁ ରହିଲେ ।

 

ସେ ନିରୂପାୟ । କିଂକର୍ତ୍ତବ୍ୟ । ଜୀବନାନନ୍ଦ ବାବୁ ଅନ୍ୟାୟ କରିଥିଲେ ମଧ୍ୟ ସେ ତାଙ୍କୁ ସାହାଯ୍ୟ କରିବେ । ବିନୋଦ ନିର୍ଦ୍ଦୋଷ ହୋଇଥିଲେ ସୁଦ୍ଧା ତା’ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ କରିବା ପାଇଁ ଚେଷ୍ଟା ଚଳାଇବେ ।

 

ବିନୋଦିନୀ କଥା ଆଦାୟ କରିବା ପାଇଁ କହିଲେ—କ’ଣ ତମେ କରିବ ମତେ ଆଗ କହିଲ ? ଜୀବନାନନ୍ଦ ବାବୁଙ୍କ ଭଳି ଜଣେ ସରଳ ଅମାୟିକ ଲୋକ ଉପରେ ଯେତେବେଳେ ମାଡ଼ ଦିଆଯାଇଛି, ମୋ ମାଡ଼ର ପ୍ରତିଶୋଧ ନେବାପାଇଁ ତମେ କିଛି କରିବ କି ନାହିଁ କହିଲ ?

 

ଶ୍ରୀନାଥ ବାବୁ ଗୋଳମାଳରେ ପଡ଼ିଲେ । ବିନୋଦିନୀଙ୍କ କଥା ସେ ଭାଙ୍ଗି ପାରିବେନି । କାରଣ ତାଙ୍କୁ ଲୁଚାଇ, ଜୀବନାନନ୍ଦ ବିନୋଦିନୀଙ୍କୁ ଶାଢ଼ୀଠାରୁ ଆରମ୍ଭ କରି ଚୂଡ଼ି ପର୍ଯ୍ୟନ୍ତ କିଣିଦିଅନ୍ତି । କେତେବେଳେ କେମିତି ରାବିଡ଼ି ଓ ରସଗୋଲା ମଧ୍ୟ ଖାଇବାକୁ ଦେଇଥାଆନ୍ତି । ଏତେ ନେଇ ଏବଂ ଖାଇ, ବିନୋଦିନୀ କୃତଘ୍ନ ହେବ କିପରି ?

 

ଶ୍ରୀନାଥ ବାବୁ ମନେ ମନେ ଆତଙ୍କିତ ହୋଇ ଉଠିଲେ । ନିଜ ସ୍ତ୍ରୀଙ୍କୁ ଯାଚ୍ଛାତା ଗାଳି ଦେବାକୁ ତାଙ୍କର ଇଚ୍ଛା ହେଲା । ମାତ୍ର ବିନୋଦିନୀକୁ କଡ଼ାକରି କଥାପଦେ କହିଲେ, ସେ ଯେପରି ରାଗେ ତାର ପଟାନ୍ତର ନାହିଁ । ଆଜି ଏହି ଘଟଣାରେ କଡ଼ାକରି କଥାପଦେ କହିଲେ, ସମଗ୍ର ପରିବାର ଭିତରେ ପୁଣି ଗୋଟିଏ ତୁମୂଳ ଝଡ଼ ସୃଷ୍ଟି ହେବ ।

 

ଶ୍ରୀନାଥ ବାବୁ ଅନୁତାପରେ ପଳେ ପଳେ ଜଳିବାକୁ ଲାଗିଲେ । ମୂଳରୁ ଜୀବନାନନ୍ଦ ବାବୁଙ୍କୁ ସେ ଯଦି ପ୍ରଶ୍ରୟ ଦେଇ ନ ଥାନ୍ତେ, ତାହେଲେ ଅବସ୍ଥା ଏପରି ଧାରଣ କରି ନ ଥାନ୍ତା । ସେ ନିଜେ ଭୁଲ୍ କରିଛନ୍ତି । ନିଜକୃତ ଅପକର୍ମ ପାଇଁ ତାଙ୍କୁ ଅନୁଶୋଚନା କରିବାକୁ ପଡ଼ିବ ।

 

ଶ୍ରୀନାଥ ବାବୁଙ୍କ ମୁଖମଣ୍ଡଳରେ ଚିନ୍ତାର ଏକ କଳା ପରଦା ସତେ ଯେମିତି ଟାଙ୍ଗି ହୋଇଗଲା । ଏ ସଂକ୍ରାନ୍ତରେ ସେ କି ସିଦ୍ଧାନ୍ତ ଗ୍ରହଣ କରିବେ ? କି ନିଷ୍ପତ୍ତି କରିବେ ?

 

ସେ ବିନୋଦିନୀ ଆଡ଼କୁ ଚାହିଁ କହିଲେ—ଆଚ୍ଛା ହେଉ, ଏ ବିଷୟରେ କିଛି ଗୋଟିଏ କରିବା । ତମେ ଗଲ ଘର ଭିତରକୁ ।

 

ବିନୋଦିନୀ ଆତ୍ମତୃପ୍ତିରେ, ନିଜ ପୃଥୁଳ ଦେହକୁ ହଲାଇ ହଲାଇ ଘର ଭିତରକୁ ଚାଲି ଯାଉ ଯାଉ କହିଲେ–ବିନୋଦ ବାବୁଙ୍କ ବିରୁଦ୍ଧରେ ଯେପରି ଶୀଘ୍ର କାର୍ଯ୍ୟାନୁଷ୍ଠାନ ହୁଏ !

 

ଜୀବନାନନ୍ଦ ବାବୁଙ୍କୁ ଛାତି କୁଣ୍ଢେମୋଟ ହୋଇଗଲା । ଏଇ ମୁହୂର୍ତ୍ତକ ଆଗରୁ ସେ ଅସହାୟ ହୋଇ ପଡ଼ିଥିଲେ । ଶ୍ରୀନାଥ ବାବୁଙ୍କ କଥା ଶୁଣି ସେ ପୁରାପୁରି ନୈରାଶ୍ୟବାଦୀ ହୋଇଥିଲେ । କିନ୍ତୁ ବିନୋଦିନୀଙ୍କ ତରଫରୁ ସାହାଯ୍ୟ ଓ ସହଯୋଗର ବାଣୀ ଶୁଣି, ତାଙ୍କ ନୈରାଶ୍ୟବାଦୀ ମନ ହଠାତ୍ ଆଶାବାଦୀ ହୋଇ ଉଠିଲା । ସେ ଆନନ୍ଦରେ, ମନେ ମନେ ଅଧୀର ହୋଇ ପଡ଼ିଲେ ।

 

ଶ୍ରୀନାଥ ବାବୁ କ୍ଲାନ୍ତ ହୋଇ କହିଲେ–ଆଚ୍ଛା ତୁମେ ଯାଅ ଜୀବନାନନ୍ଦ ବାବୁ । ସେ ବିଷୟ ପରେ ବିଚାର କରିବା ।

 

ଜୀବନାନନ୍ଦ ବାବୁ, ବିଜୟ ଗୌରବରେ, ସନ୍ଧ୍ୟାର ଲଘୁ ଅନ୍ଧକାର ଭିତରେ ସାଇକେଲ୍ ଚଳାଇ ନିଜ ବସାକୁ ବାହୁଡ଼ିଲେ ।

 

ସେଦିନର ଘଟଣା ପାଇଁ ଆଜି ଶ୍ରୀନାଥ ବାବୁ ବିଚାର କରୁଛନ୍ତି ।

 

ଆଗରେ ବସିଛନ୍ତି ଭୀମବାବୁ । ଜୀବନାନନ୍ଦ, ବିନୋଦ, ସେନାପତି ଏବଂ ଆଉ କେତେଜଣ ।

 

ବିନୋଦର ଗର୍ବିତ ମସ୍ତକରେ ଚିନ୍ତାର ରେଖା ନାହିଁ । ମନରେ ଆଶଙ୍କା ନାହିଁ । ଦୁଃଖ ନାହିଁ । ଅନ୍ୟାୟ ଓ ଅନୀତି ବିରୁଦ୍ଧରେ ସେ ଆଜି ଲଢ଼ିବାକୁ ଜାଗ୍ରତ । ସତତ ପ୍ରସ୍ତୁତ । ସେଦିନର ଘଟଣା ପାଇଁ କିଏ ଦାୟୀ ? କିଏ କାହାକୁ ଅପମାନିତ କଲା ? ଲାଞ୍ଛିତ କଲା ? ଆଜି ତାର ବିଚାର ହେଉ !

 

ଜୀବନାନନ୍ଦଙ୍କ ମୁଖମଣ୍ଡଳରେ ଆତଙ୍କର କଳାମେଘ । ଚାକିରୀ କଲାଦିନ ଠାରୁ ଏଭଳି ପରିସ୍ଥିତିରେ ଦିନେହେଲେ ସେ ସମ୍ମୁଖୀନ ହୋଇ ନ ଥିଲେ । କିନ୍ତୁ ଆଜି ଘଟଣାଚକ୍ରରେ, ଅଫିସରଙ୍କ ଆଗରେ ନିଜକୃତ କର୍ମପାଇଁ ବିଚାର ହେଉଛି ।

 

ଶ୍ରୀନାଥ ବାବୁ କଣ କରିବେ କେଜାଣି ? ନିଶ୍ଚୟ ଅନୁକୂଳ ମତ ପ୍ରକାଶ କରିବେ । ବିନୋଦ ବିରୁଦ୍ଧରେ ପ୍ରୋସିଡିଂ ଡ୍ର ଅପ୍ କରିବା ପାଇଁ ବୋଧହୁଏ ସୁପାରିଶ୍ କରିବେ । ବିନୋଦର କିଛି କ୍ଷତି ସାଧିତ ନ ହେଲେ, ତାଙ୍କ ମନରେ ଶାନ୍ତି ଆସିବ ନାହିଁ । ସେ ଆଶ୍ଵସ୍ତ ହେବେ ନାହିଁ ।

 

ସେନାପତିଙ୍କୁ ସେ ହାତ କରିଛନ୍ତି । ମାତ୍ର ଚାରିଥର ଜଳଖିଆ ଖାଇସାରିଲା ପରେ ସେନାପତି ପୁରାପୁରି ବଦଳି ଯାଇଛନ୍ତି । ବିନୋଦ ତାଙ୍କୁ ମାରିବାକୁ ଆସିଥିଲା ବୋଲି ସେ ସାକ୍ଷ୍ୟ ଦେବେ । ମିଛ ଘଟଣା ହୋଇଥିଲେ ମଧ୍ୟ, ଏ ଅଭିଯୋଗରେ କୌଣସି ସତ୍ୟତା ନ ଥିଲେ ମଧ୍ୟ ସେନାପତି ବାବୁ ସାକ୍ଷୀ ଦେବାକୁ ପ୍ରତିଶ୍ରୁତି ହୋଇଛନ୍ତି ।

 

ତାପରେ ସେନାପତି ବାବୁଙ୍କୁ ଦିଆଯାଇଛି କେତେ ଲୋଭ କେତେ ଆକର୍ଷଣ । ସେ ଆଉ ଟୁର୍ରେ ଯିବେନାହିଁ । ତାଙ୍କୁ ଅଫିସକୁ ଅଣାଯିବ । ଉତ୍ତର ବାଲେଶ୍ଵରରେ ଗସ୍ତ କରିବାକୁ ତାଙ୍କୁ ଭଲ ଲାଗୁନାହିଁ । ତାଙ୍କର ସ୍ୱାସ୍ଥ୍ୟ ଭାଜିଯାଇଛି । ଦେହ ଭଲ ରହୁ ନାହିଁ ତାଙ୍କ ଜରିଆରେ ଏତକ ହୋଇପାରିବ ବୋଲି ସେନାପତି ବାବୁ ମିଛ କଥାକୁ ସତରୂପେ ପ୍ରମାଣ କରିବାକୁ ପ୍ରସ୍ତୁତ ।

 

ଜୀବନାନନ୍ଦ ବାବୁ ନିଜର ବୁଦ୍ଧି ବିଚକ୍ଷଣତାରେ ନିଜେ ମୁଗ୍ ଧ ହୋଇଗଲେ । ଟିକିଏ ସ୍ଵାର୍ଥ ପାଇଁ, ମଣିଷ ସବୁ କିଛି କରିପାରେ । ସେନାପତି ପ୍ରଥମେ ପ୍ରଥମେ ସାକ୍ଷୀ ଦେବାକୁ ରାଜି ହେଉ ନ ଥିଲେ । ମାତ୍ର ଯେତେବେଳେ ତାଙ୍କୁ ଜଳଖିଆ ଖାଇବାକୁ ଦିଆଗଲା ଏବଂ ତାପରେ ପରେ ଅଫିସରେ ଆଟାଚ କରିବାର ପ୍ରସ୍ତାବ ପଡ଼ିଲା, ସେତେବେଳେ ମିଃ ସେନାପତି ରାଜି ହୋଇଗଲେ ।

 

ବିଚିତ୍ର ଏ ଦୁନିଆଁ ! ଟିକିଏ ସ୍ୱାର୍ଥର ଲାଳସା ଦେଖାଇ, ସାମାନ୍ୟ ଲାଞ୍ଚ, ରିସ୍‍ପତ ଓ ଉତ୍କୋଚର ସ୍ଵାଦ ପରଶି ଦେଲେ, ମଣିଷ ସବୁ ଭୁଲିଯାଏ । ଯାହା କରିବାର କଥା ନୁହେଁ, ଯାହା କଲେ ଅନ୍ୟାୟ ହେବ, ଅଧର୍ମ ହେବ, ମଣିଷ ଜାଣି ଜାଣି ତାହାହିଁ ଶେଷକୁ କରିବ ସେ ।

 

ଶ୍ରୀନାଥ ବାବୁଙ୍କର ନୈତିକ ଦଳ ଭାଜି ଯାଇଛି । ତାଙ୍କ ବିରୁଦ୍ଧରେ କୌଣସି ନିଷ୍ପତି ସେ ନେଇ ପାରିବେ ନାହିଁ । କାରଣ ତାଙ୍କ ପଖରେ ଶ୍ରୀନାଥ ବାବୁଙ୍କର ଅନେକ ଦୁର୍ବଳତା ରହିଛି । ଅନେକ ଦୋଷ, ତ୍ରୁଟି ତାଙ୍କ ପାଖରେ ସଞ୍ଚିତ ହୋଇ ରହିଛି । ସେ ଯଦି ତାଙ୍କ ସପକ୍ଷରେ, ଅନୁକୂଳ ମତ ପ୍ରକାଶ ନ କରିବେ, ତାହେଲେ ସେ ଖୋଲି ବସିବେ ତାଙ୍କର ପୁରାତନ ଇତିହାସର ଛିନ୍ନ ପୃଷ୍ଠା-। ଯେଉଁ ପୃଷ୍ଠାରେ ତାଙ୍କ ବ୍ୟକ୍ତିଗତ ଜୀବନର ଅସୁମାର କଳଙ୍କିତ କାହାଣୀ ଚିତ୍ରଣ କରାଯାଇଛି । ଲିପିବଦ୍ଧ ହୋଇଛି ।

ଯେଉଁଦିନ ସେଗୁଡ଼ିକ ଉଦ୍‍ଘାଟିତ ହେବ, ଲୋକଲୋଚନକୁ ଆସିବ, ସେଦିନ ଶ୍ରୀନାଥ ବାବୁଙ୍କର ଏ ମାନ ସମ୍ମାନ, ପଦମର୍ଯ୍ୟାଦା, ଉଚ୍ଚପଦସ୍ଥ ସରକାରୀ ଅଫିସରର ଗୌରବ ଭୁଲୁଣ୍ଠିତ ହୋଇଯିବ । ସେଇଦିନ ସେ ସରକାରୀ ଚାକିରୀରୁ ତଡ଼ାଖାଇ ରିକ୍ତ ହସ୍ତରେ, ହତାଶ ମନରେ ଫେରିଯିବେ ତାଙ୍କର ସେଇ ମଫସଲ ଗାଁକୁ । ଗଣ୍ଡା ଗଣ୍ଡା ପିଅନଙ୍କୁ ଗୃହ ଚାକର ରୂପେ ବ୍ୟବହାର କରିବାର ମଦିର ସ୍ୱପ୍ନ ବ୍ୟର୍ଥତାରେ ପର୍ଯ୍ୟବେସିତ ହେବ । ସରକାରୀ ଗାଡ଼ିକୁ ବ୍ୟକ୍ତିଗତ ସମ୍ପତି ରୂପେ ବ୍ୟବହୃତ କରିବାର ଖିଆଲ ତାଙ୍କର ଧୂଳିରେ ମିଶିଯିବ ।

ଜୀବନାନନ୍ଦ ବାବୁ ମନେ ମନେ ହସି ଉଠିଲେ । ତାଙ୍କର ଇଚ୍ଛାହେଲା ହୋ ହୋ ହୋଇ ହସି, ମନ ଭିତରର ସମସ୍ତ ଗର୍ବ, ଗୌରବ ଓ ବିଜୟକୁ ହସ ଆକାରରେ ରୂପାନ୍ତରିତ କରିବାକୁ । ମାତ୍ର ଏତେ ଲୋକଙ୍କ ଗହଣରେ ସେ ଯଦି ହସିଦେବେ, ତାହେଲେ ତାଙ୍କୁ ପାଗଳ କହିବା ବ୍ୟତୀତ ଆଉ କଣ କୁହାଯାଇପାରିବ ?

ମାତ୍ର ବିନୋଦଭଳି ଯୁବକର ବଳିଷ୍ଠ ବ୍ୟକ୍ତିତ୍ଵ ପାଖରେ ସତରେ ମୁଣ୍ଡ ନଇଁଯାଏ ! ଟିକିଏ ହେଲେ ତା’ର ଭୟ ନାହିଁ । ତୋଷାମଦ ନାହିଁ । ଆଶଙ୍କା ନାହିଁ । ନିର୍ଭିକ, ଦୃଢ଼ଭାବରେ, ସମସ୍ତଙ୍କ ଆଗରେ ସେ ଯୁକ୍ତି କରିପାରେ । ନିଜର ମେଧା ବଳରେ, ଅକାଟ୍ୟ ଯୁକ୍ତିକରି ଅନ୍ୟମାନଙ୍କୁ ପରାସ୍ତ କରିପାରେ । ଅନ୍ୟମାନଙ୍କୁ ଘଟଣାର ସତ୍ୟାସତ୍ୟ ପୁରାପୁରି ବୁଝାଇ ଦେଇପାରେ ।

ବର୍ତ୍ତମାନ ବି ବସିଛି ନ୍ୟାୟ ଓ ନିରପେକ୍ଷତାର ଉଜ୍ଜ୍ୱଳ ପ୍ରତିମୂର୍ତ୍ତି ରୂପେ !

ଶ୍ରୀନାଥ ବାବୁ ଅନେକ ସମୟ ଚିନ୍ତା କରି କରି କହିଲେ—ଦେଖ ମିଃ ରାଉତରାୟ, ଜୀବନାନନ୍ଦ ବାବୁ ତମ ଅପେକ୍ଷା ବୟସରେ ଯଥେଷ୍ଟ ବଡ଼ । ତମ ଚାକିରୀର ସ୍ତର ଅପେକ୍ଷା ସେ ଆଉ ଗୋଟିଏ ଉପର ସ୍ତରରେ ରହିଛନ୍ତି । ଅବଶ୍ୟ ତମ ଚାକିରୀର କାର୍ଯ୍ୟାବଳୀ ଉପରେ ତାଙ୍କର ହସ୍ତକ୍ଷେପ କରିବାର କୌଣସି କାରଣ ନାହିଁ । ମାତ୍ର ତଥାପି ତାଙ୍କୁ ତମେ ମାରିବାକୁ ଉଦ୍ୟତ ହୋଇ, ଭୂଲ୍ କରିଛ । ସେ ଦୃଷ୍ଟିରୁ ତାଙ୍କ ପାଖରେ ତମେ ଦୁଃଖ ପ୍ରକାଶ କରିବା ସଙ୍ଗେ ସଙ୍ଗେ କ୍ଷମାଭିକ୍ଷା କରିନେଲେ ତମର ମାନ ସମ୍ମାନରେ ଆଞ୍ଚ ଆସିବ ନାହିଁ ବୋଲି ମୁଁ ଭାବୁଛି ।

ଜୀବନାନନ୍ଦଙ୍କ ମନ ଉଲ୍ଲସିତ ହୋଇ ଉଠିଲା...

ମାତ୍ର ବିନୋଦର ମନ ଦୃଢ଼ ପ୍ରତିବାଦର ସ୍ଵରରେ ଅନୁରଣିତ ହୋଇଉଠିଲା । ଆଖି ଦୁଇଟି ତାର ପୁଣି ଉଜ୍ଜ୍ୱଳ ହେଲା ମୁଖମଣ୍ଡଳରେ ଅଶାନ୍ତିର ସଙ୍କେତ ହେଲା ଆହୁରି ସ୍ପଷ୍ଟ । ନିର୍ଦ୍ଦିଷ୍ଟ ।

ବିନୋଦ କହିଲା—

ମୋ ମାରିବା ଅଭିଯୋଗ ସମ୍ପୂର୍ଣ୍ଣ ଭିତ୍ତିହୀନ ଓ କପୋଳକଳ୍ପିତ ସାର୍ ! ଆପଣଙ୍କ ପ୍ରସ୍ତାବକୁ ମୁଁ ଅଗ୍ରାହ୍ୟ କରୁଛି ।

ଶ୍ରୀନାଥ ବାବୁ ଚାହିଁଲେ ବିନୋଦକୁ । ତା’ର ସମଗ୍ର ଶରୀରରେ ଏକ ବୈପ୍ଳବିକ ଉତ୍ତେଜନା । ତା’ର ସ୍ଵାଭାବିକ ଅବସ୍ଥା କ୍ରମେ କ୍ରମେ ଅସ୍ଵାଭାବିକ ହୋଇଉଠୁଛି ।

 

ଶ୍ରୀନାଥ ବାବୁଙ୍କ ଛାତିରେ ଚମକ ପଶିଲା । ବିନୋଦର ପ୍ରତିବାଦରେ ସେ ଆହତ ହେଲେ । କ୍ଷୁର୍ଣ୍ଣ ହେଲେ । ସବ୍ଅଡ଼ିନେଟ୍ ହୋଇ ତାଙ୍କ ମୁହଁ ସାମନାରେ ଜବାବ ଦେଉଛି । ଅସମ୍ଭବ । ଅସମ୍ଭବ ବ୍ୟାପାର । ସେ ସହି ପାରିବେନି । ବିନୋଦକୁ ଜବତ୍ କରିବାକୁ ହେବ ।

 

କିନ୍ତୁ ବିନୋଦ ଭଳି ବୁଦ୍ଧିବାଦୀ, ଉଚ୍ଚଶିକ୍ଷିତ ଯୁବକ ସହିତ ସେ କଣ ଯୁକ୍ତି କରିପାରିବେ-? ଜ୍ଞାନ ଓ ମେଧାର ଜ୍ୟୋତି ସମଗ୍ର ମସ୍ତିଷ୍କରେ ତାର ଖେଳି ବୁଲୁଛି । ସେ ଯଦି ମୁହଁ ତୁଟି ଦେବେ, ବିନୋଦ ମଧ୍ୟ ତୁଟିଦେବ ।

 

ଶ୍ରୀନାଥ ବାବୁ କହିଲେ–କ’ଣ ତମେ କହିବାକୁ ଚାହୁଁଛ ବିନୋଦ ବାବୁ ?

 

ବିନୋଦ ବଜ୍ର ଗମ୍ଭୀର କଣ୍ଠରେ କହିଲା—ଜୀବନାନନ୍ଦ ବାବୁଙ୍କ ସହିତ ମୋର ସେଦିନ କେବଳ ଯାହା ଯୁକ୍ତିତର୍କ ହୋଇଥିଲା ସାର୍ ! ସେ ମତେ ଯେଭଳି ଭାବରେ ବ୍ୟବହାର କରିଥିଲେ ମୁଁ ଠିକ୍ ସେହିଭଳି ଭାଷା ବ୍ୟବହାର କରିଥିଲି । ତା’ ବ୍ୟତୀତ ଆଉ ସବୁ ଅଭିଯୋଗ ଭିତ୍ତିହୀନ ଓ ଅଭିସନ୍ଧିମୂଳକ ।

 

ଜୀବନାନନ୍ଦ ବାବୁ ହଠାତ୍ ଚେୟାରରୁ ଉଠିପଡ଼ି କହିଲେ ଯେଉଁମାନେ ପ୍ରତ୍ୟକ୍ଷ ଭାବରେ, ସେଦିନର ଘଟଣା ଦେଖିଛନ୍ତି, ସେହିମାନଙ୍କୁ ପଚାରି ବୁଝନ୍ତୁ ସାର୍ ! ସେ ମତେ ମାରିବାକୁ ଆସିଥିଲେ, ମୁଁ ସତକରି କହୁଛି ।

 

ବିନୋଦର କଣ୍ଠ ପ୍ରତିବାଦରେ ମୁଖର ହୋଇଉଠିଲା । ସେ କହିଲା—ୟୁ ଆର୍ ସ୍ପିକିଂ ଲାଏ ଜୀବନାନନ୍ଦ ବାବୁ । ୟୁ ଆର୍ ଏ ଲାୟର ।

 

ଜୀବନାନନ୍ଦ ବାବୁ ସେହିଭଳି ଉତ୍ତେଜିତ କଣ୍ଠରେ ବିନୋଦର ଉତ୍ତର ଦେବାକୁ ଚାହୁଁଥିଲା । ମାତ୍ର ଶ୍ରୀନାଥ ବାବୁଙ୍କ ସାମନାରେ ସେ କ’ଣ ଉତ୍ତର ଦେବେ ? ଧୀର କଣ୍ଠରେ, ଶ୍ରୀନାଥ ବାବୁଙ୍କ ଦୃଷ୍ଟି ଆକର୍ଷଣ କରି କହିଲେ—ଦେଖନ୍ତୁ ସାର୍, ସେ କିଭଳି ଭାବରେ ଉତ୍ତେଜିତ ହୋଇ ଉଠୁଛନ୍ତି । ଅନ୍ୟମାନଙ୍କୁ ପଚାରି ବୁଝନ୍ତୁ, ସେ ମତେ ମାରିବାକୁ ଆସିଥିଲେ କି ନାହିଁ ?

 

ଶ୍ରୀନାଥ ବାବୁ ହଠାତ୍ କହି ଉଠିଲେ—ଆଚ୍ଛା କିଏ କିଏ ଦେଖିଛନ୍ତି ?

 

ଜୀବନାନନ୍ଦ ବାବୁ କହିଲେ—ସେନାପତି ବାବୁଙ୍କୁ ପଚାରନ୍ତୁ । ଭୀମବାବୁ ମଧ୍ୟ ଉପସ୍ଥିତ ଥିଲେ ।

 

ମିଃ ସେନାପତି ପ୍ରମାଦ ଗଣିଲେ । କ’ଣ କରିବେ ? କ’ଣ ସେ କହିବେ ? ଡାହା ମିଥ୍ୟାକଥାକୁ ସତ ବୋଲି ସେ କ’ଣ କହିବେ ? ଜୀବନାନନ୍ଦ ବାବୁ ପ୍ରତିଶ୍ରୁତି ଦେଇଛନ୍ତି ଉତ୍ତର ବାଲେଶ୍ୱରରୁ ଫେରାଇ ଆଣି ଅଫିସ ଭିତରେ ରଖିବାକୁ । ସେ ପ୍ରତିଶ୍ରୁତି ସେ ନିଶ୍ଚୟ ରକ୍ଷା କରିବେ । ତାଙ୍କର ଦରକାର ବେଳେ, ସେ ସାହାଯ୍ୟ କଲେ, ତାର ପ୍ରତିଦାନ ସ୍ୱରୂପ ସେ ମଧ୍ୟ ସାହାଯ୍ୟ କରିବାକୁ କୁଣ୍ଠାବୋଧ କରିବେ ନାହିଁ ।

 

ତାଙ୍କ ପ୍ରତିଶ୍ରୁତି ପାଳନ କରିବାକୁ ତାଙ୍କୁ ବିଶେଷ କଷ୍ଟହେବ ନାହିଁ । କାରଣ ଅଫିସରଙ୍କର ସେ ଦକ୍ଷିଣ ହସ୍ତ । ଅଫିସରଙ୍କୁ ସେ ଗଦ ଶୁଂଘାଇ ମେଣ୍ଢା କଲାପରି ରଖିଛନ୍ତି । ସେ ଯୁଆଡ଼କୁ ମୋଡ଼ିବେ, ସେ ସେଇ ଆଡ଼କୁ ଯିବେ । ସେ ଯାହା କହିବେ ସେ ପାଳନ କରିବେ । ତେଣୁ ନିଜର ସ୍ୱାର୍ଥ ସିଦ୍ଧପାଇଁ ମିଛକଥା କହିଦେଲେ କ୍ଷତି କ’ଣ ?

 

ମାତ୍ର ବିନୋଦ ଭଳି ଏକ ନିର୍ଭିକ, ଦୃଢ଼ ଅଥଚ ଉଦ୍ଧତ ଯୁବକ ବିରୁଦ୍ଧରେ ପୁଣି ତାର ସାମନାରେ ସାକ୍ଷ୍ୟଦେଲେ, ଅବସ୍ଥା ଖରାପ ହେବ ନିଶ୍ଚୟ । କ’ଣ ସେ ଭାବିବ ? ତା’ ଉପରେ ସେ କି ଧାରଣା ନେବ ?

 

ବ୍ରହ୍ମପୁରରେ କିରାଣୀ ଥିଲାବେଳେ, ବିନୋଦକୁ ସେ ହଇରାଣ କରିଥିଲା । ମାତ୍ର ଏଠାକୁ ପ୍ରମୋସନ୍ ପାଇ ଆସିଲା ପରେ, ଏ ଭଳି ସଂକୀର୍ଣ୍ଣ, ନିମ୍ନସ୍ତରର କାର୍ଯ୍ୟରେ ଲିପ୍ତ ହେବନାହିଁ ବୋଲି ପ୍ରତିଜ୍ଞା କରିଥିଲା । ସହକର୍ମୀମାନେ ବିପଦରେ ପଡ଼ିଲେ ସେମାନଙ୍କୁ ଯଥାସାଧ୍ୟ ସାହାଯ୍ୟ କରିବ ବୋଲି ମନେ ମନେ ସ୍ଥିରକରି ନେଇଥିଲା ।

 

କିନ୍ତୁ ଆଜି ସେ କ’ଣ କରିବାକୁ ଯାଉଛି ? ବିନୋଦ ତାର ସହକର୍ମୀ-ସହଧର୍ମୀ-ସମମର୍ମୀ । ତା’ ବିରୁଦ୍ଧରେ କହିବା ଅନ୍ୟାୟ ହେବ । ତା’ ବିରୁଦ୍ଧରେ ପୁଣି ମିଛକଥା କହି ସାକ୍ଷ୍ୟଦେବା ନିତାନ୍ତ ଗର୍ହିତ ହେବ ।

 

ମିଃ ସେନାପତି କ’ଣ କହିବେ ସ୍ଥିର କରୁପାରୁ ନାହାନ୍ତି...

 

ଶ୍ରୀନାଥ ବାବୁ ପଚାରିଲେ—ଆପଣ କଣ ଦେଖିଛନ୍ତି ଭୀମବାବୁ ?

 

ଭୀମବାବୁଙ୍କୁ ଅକସ୍ମାତ୍ ପ୍ରଶ୍ନ ପଚରାଯିବ ବୋଲି ସେ କେବେ ହେଲେ କଳ୍ପନା କରି ନ ଥିଲେ । ସେ ମୁଣ୍ଡରେ ହାତ ଆଉଁସି କହିଲେ—ମୁଁ ଆଜ୍ଞା ମୋ ସିଟ୍ରେ ବସିଥିଲି । ଘଟଣାସ୍ଥଳକୁ ଆଦୌ ଆସିନାହିଁ । ଘଟଣା ସ୍ଥଳରେ ଯେଉଁମାନେ ଠିଆ ହୋଇଥିଲେ, ସେମାନେ ମାଡ଼ ମାରିବାକୁ ଧାଇଁଯିବା କଥା କେହି ତ କହିନାହାନ୍ତି ।

 

ଶ୍ରୀନାଥ ବାବୁ ନୀରବ ରହିଲେ ।

 

ମିଃ ସେନାପତି ତଥାପି ସିଦ୍ଧାନ୍ତ କରିପାରି ନାହାନ୍ତି । ଅଫିସରଙ୍କୁ କି ଉତ୍ତର ଦେବେ ସେ ଜାଣିପାରୁ ନାହାନ୍ତି...

 

ଶ୍ରୀନାଥ ବାବୁ ସେନାପତିଙ୍କ ଆଡ଼କୁ ମୁହଁ ବୁଲାଇ ନେଇ ପ୍ରଶ୍ନ କଲେ—ତମେ କ’ଣ ଦେଖିଛ ମିଃ ସେନାପତି ?

 

ମିଃ ସେନାପତି ହାତ ସାଉଁଳାଇ କହିଲେ—ହଁ ଆଜ୍ଞା ମୁଁ ଘଟଣାସ୍ଥଳରେ ଉପସ୍ଥିତ ଥିଲି-

 

—କ’ଣ ଦେଖିଛ କହ ?

 

ମିଃ ସେନାପତିଙ୍କ ହୃଦୟ କି ଏକ ଅଜଣା ଆଶଙ୍କାରେ ଶିହରି ଉଠିଲା । ସେ ଚାହିଁଲେ ବିନୋଦକୁ । ଜୀବନାନନ୍ଦ ବାବୁଙ୍କୁ । ବିନୋଦ ଉଦାର ଗମ୍ଭୀର ହୋଇ, ନିର୍ବିକାର, ନିର୍ବିକଳ୍ପ ରୂପେ ବସିଯାଇଛି । ଏସବୁ ଘଟଣା ପ୍ରତି ସତେ ଯେମିତି ସେ ବିଶେଷ ଗୁରୁତ୍ଵ ଦେଉନାହିଁ ।

 

ଆଉ ଜୀବନାନନ୍ଦ ବାବୁ ! ଆନନ୍ଦର ଆତିଶଯ୍ୟରେ ତାଙ୍କ ଅନ୍ତର ଭିତରଟା ସତେ ଯେପରି ନାଚି ଉଠୁଛି । ଫାଟି ପଡ଼ୁଛି । ଅନ୍ତରର ଉଲ୍ଲାସ ମୁଖମଣ୍ଡଳରେ ସତେ ଯେପରି ଆତ୍ମପ୍ରକାଶ କରୁଛି ।

 

ମିଃ ସେନାପତି ଅନନ୍ୟୋପାୟ ହୋଇ କହିଲେ—ବିନୋଦ ବାବୁ, ଜୀବନାନନ୍ଦ ବାବୁଙ୍କୁ ମାରିବା ପାଇଁ ଉଠିଥିବାର ମୁଁ ଦେଖିଛି ।

 

ବିନୋଦ ଚମକି ପଡ଼ିଲା ।

 

ଭୀମବାବୁ ଅବାକ୍ ହୋଇ ଚାହିଁଛି ମିଃ ସେନାପତିଙ୍କ ଆଡ଼କୁ ।

 

ଜୀବନାନନ୍ଦ ବାବୁଙ୍କ ମନରେ ଆଦ୍ୟ ଫାଲ୍‍ଗୁନର ଚପଳ ବିଳାସ...

 

ଶ୍ରୀନାଥ ବାବୁ, ବିନୋଦ ଆଡ଼କୁ ଚାହିଁ କହିଲେ—ଦେଖ ବିନୋଦ ବାବୁ, ତମେ ମାରିବାକୁ ଉଦ୍ୟତ ହୋଇଥିଲ ବୋଲି ଏବେ ପ୍ରମାଣ ମିଳିଗଲା । ତେଣୁ ସେ ତମର ବୟୋଜ୍ୟେଷ୍ଠ, ତଥା ସମ୍ମାନାସ୍ପଦ ବ୍ୟକ୍ତି ହୋଇଥିବାରୁ, ତାଙ୍କୁ କ୍ଷମା ମାଗିନେବା ଏକାନ୍ତ ଉଚିତ୍ । ତା’ ନ ହେଲେ ସେ ପୁଣି ରିପ୍ରେଜେଣ୍ଟେସନ୍ କରିବେ । ବିଭାଗୀୟ ଇନ୍‍କ୍ୱାରୀ ପରେ ତମ ବିରୁଦ୍ଧରେ ହୁଏତ ଡିସିପ୍ଲିନାରୀ ଆକ୍ସନ ନିଆଯିବ ।

 

ବିନୋଦର ରକ୍ତ କଣିକାରେ ବିପ୍ଳବର ହୁଙ୍କାର...

 

ସେ ଆଉ ସମ୍ଭାଳି ପାରିଲାନି । ବଜ୍ରଦୃଢ଼ କଣ୍ଠରେ କହିଲା—ନୋ, ନୋ, ଇଟ୍ କେନ୍ ନଟ୍ ବି ସାର୍ ! ମିଃ ସେନାପତି ହୁ ଓ୍ୱାଜ ଟେଲିଂ ଲାଏ । ଆପଣଙ୍କ ପ୍ରସ୍ତାବକୁ ମୁଁ କେବେହେଲେ ଗ୍ରହଣ କରିବାକୁ ପ୍ରସ୍ତୁତ ନୁହେଁ । ମିଥ୍ୟାର ଯଦି ଜୟ ହୁଏ, ମିଥ୍ୟାରେ ଯଦି ଦୁନିଆଁ ଚାଲେ, ସେ ମିଥ୍ୟାକୁ ଗ୍ରହଣ କରିନେବାକୁ ମୁଁ ପ୍ରସ୍ତୁତ ନୁହେଁ । ଏସବୁ ଅଭିସନ୍ଧି ବିରୁଦ୍ଧରେ ମୁଁ ତୀବ୍ର ପ୍ରତିବାଦ ଜଣାଉଛି ।

 

ଶ୍ରୀନାଥ ବାବୁ କହିଲେ—ତମେ ଯଦି କ୍ଷମାଭିକ୍ଷା ବର୍ତ୍ତମାନ ନ କର, ତା’ହେଲେ ପରିଣତି ଭଲ ହେବ ନାହିଁ ବିନୋଦ ବାବୁ । ଶେଷକୁ ହୁଏତ ତମ ଚାକିରୀ ଚାଲିଯିବ ।

 

ବିନୋଦର ଲୋମ ମୂଳରେ ପ୍ରତିବାଦର ପୁଞ୍ଜିଭୂତ ଉତ୍ତେଜନା ଆଖିରୁ ତାର ଅଗ୍ନିକଣା ଖସିପଡ଼ୁଛି । ସମଗ୍ର ଦେହରେ ଏକ ଉଦାତ୍ତ ଉତ୍ତେଜନା ଖେଳି ଖେଳି ଯାଉଛି ।

 

ଦିନେ, ଅତୀତରେ, ସେ ଥିଲା ଛାତ୍ରନେତା । ସୀମା ଆନ୍ଦୋଳନ ବେଳେ, ଠିକ୍ ଏଇମିତି ତାର ଶିରା ପ୍ରଶିରାରେ ଖେଳିଯାଇଥିଲା ବିଦ୍ରୋହର ବହ୍ନି । ସେ ଉତ୍ତେଜିତ ହୋଇଥିଲା । ଉତ୍‍କ୍ଷିପ୍ତ ହୋଇଥିଲା । ପନ୍ଦର ହଜାର ଲୋକଙ୍କର ଏକ ବିରାଟ ଜନସଭାରେ ଭାଷଣ ଦେଇ, ରୁଣ୍ଡୀଭୂତ ଜନତାର ପ୍ରାଣରେ, ହୃଦୟ ତନ୍ତ୍ରୀରେ ବଜାଇ ଦେଇଥିଲା ସେ ବିଦ୍ରୋହର ମହୁରୀ । ଉଡ଼ାଇ ଦେଇଥିଲା ଆନ୍ଦୋଳନର ବିଷାଣ । ଦେଶ ମାତୃକାର ପାଇଁ, ସେଦିନ ସେ ନିଜକୁ ଭୁଲି ଯାଇଥିଲା । ସବୁ କିଛି କରିପାରିଥିଲା ।

 

ମାତ୍ର ଆଜି ! ଯେଉଁମାନେ ଚାକିରୀ ବ୍ୟତୀତ ବିରାଟ, ବିପୁଳ ଧରିତ୍ରୀର କୌଣସି ଅଗ୍ରଗତି ବା ପ୍ରଗତି ସମ୍ପକରେ ଖବର ରଖନ୍ତି ନାହିଁ, ସେମାନଙ୍କ ଅଧିନରେ ଦୁର୍ଭାଗ୍ୟବଶତଃ ଚାକିରୀ କରି ସେ କ’ଣ ନିଜର ବିବେକର ଆହ୍ୱାନକୁ ଏଡ଼ାଇ ଦେଇପାରିବ ? ନିଜର ଇଚ୍ଛା ବିରୁଦ୍ଧରେ କାର୍ଯ୍ୟ କରିପାରିବ ? ଯେଉଁମାନଙ୍କର ରୁଚିବୋଧ ନାହିଁ, ଦୃଷ୍ଟକୋଣ ଅତ୍ୟନ୍ତ ସଙ୍କୁଚିତ ଓ ସୀମାବଦ୍ଧ, ସେହିମାନଙ୍କ ପାଖରେ ପୁଣି ଏକ ମିଥ୍ୟା ଅଭିଯୋଗରେ ସେ ମୁଣ୍ଡ ନୁଆଇଁ ପାରିବ ନାହିଁ ।

 

ବିନୋଦ ଅତି ଦୃପ୍ତ କଣ୍ଠରେ କହିଲା ମୋର ଚାକିରୀ ଦରକାର ନାହିଁ ସାର୍ ! ଆପଣଙ୍କ ବିଚାର ଦେଖି ମୁଁ ମୁଗ୍ଧ ହେଲି । ଏଇ ଅଫିସଟା ଯଦି ମିଥ୍ୟା ଓ ଷଡ଼ଯନ୍ତ୍ରର ଗୋଟିଏ ଗନ୍ତାଘର ହୁଏ, ତା’ହେଲେ ମୋର ଚାକିରୀ କରିବାର ପ୍ରୟୋଜନ ନାହିଁ । ଆସନ୍ତାକାଲି ମୁଁ ମୋର ଇସ୍ତଫାପତ୍ର ଦାଖଲ କରିବି ।

 

ବିନୋଦ ଚାଲିଗଲା ଅଫିସ ଭିତରୁ ଝଡ଼ ବେଗରେ...

 

ଶ୍ରୀନାଥ ବାବୁ ତା’ର ଯିବା ବାଟକୁ ଚାହୁଁଛନ୍ତି ଅବାକ୍ ହୋଇ ।

 

ଜୀବନାନନ୍ଦ ଓ ମିଃ ସେନାପତି ନୈରାଶ୍ୟ ପୀଡ଼ିତ ନୟନରେ ଉଭୟଙ୍କୁ ଚାହିଁ ରହିଛନ୍ତି ଭୀମବାବୁ ନିର୍ବାକ । ନିର୍ବେଦ ।

 

ଅଫିସ ବାତାବରଣ ନୀରବ । ସ୍ତବ୍ଧ । ନିସ୍ପନ୍ଦ ।

 

ଶେଷ ଜ୍ୟେଷ୍ଠର ସନ୍ଧ୍ୟା....

 

ଏ ପର୍ଯ୍ୟନ୍ତ ବିନୋଦ ଘରକୁ ଫେରିନି ।

 

ସଂଘମିତ୍ରା ବାରମ୍ଵାର ଆସୁଛି ଦାଣ୍ଡ ଦୁଆରକୁ । ଝରକା ଦେଇ ଚାହୁଁଛି ରାଜରାସ୍ତାକୁ । ତଥାପି ସେ ଫେରିଲେ ନାହିଁ । କ’ଣ ତାଙ୍କର କାମ ?

 

ଉପମା ଆସି ଥଣ୍ଡା ହେଲା । କେତେବେଳେ ଖାଇବେ ? କେତେବେଳେ ଚା ପିଇବେ-?

 

ସଂଘମିତ୍ରା ଫେରିଗଲା ଘର ଭିତରକୁ । ଅଧା ହୋଇ ପଡ଼ିଥିବା ରୁମାଲ୍‍ଟାରେ ଫୁଲ ପକାଇବାରେ ମନ ଦେଲା । କିନ୍ତୁ କାହିଁ ? କେଉଁଥିରେ ମନ ଲାଗୁନି । ତାଙ୍କ କଥା ବାରମ୍ଵାର ମନେ ପଡ଼ୁଛି ।

 

କିଛି ସମୟ ଗଲା....

 

ଦାଣ୍ଡ ଦୁଆରେ କବାଟ ଫିଟିବାର ଆୱାଜ୍....ସଂଘମିତ୍ରା ଦଉଡ଼ିଯାଇ କବାଟ ଖୋଲିଦେଲା ।

 

ଘର ଭିତରକୁ ପଶିଗଲା ବିନୋଦ । ମୁହଁରେ ସବୁଦିନ ପରି ତାଙ୍କର ହସର ଲହରୀ ଖେଳୁନାହିଁ । ସଂଘମିତ୍ରାର ହାତକୁ ଆସି ଚିପୁ ନାହାନ୍ତି । ଓଠରେ ହାତ ମାରୁନାହାନ୍ତି । ବିଷାଦର ଏକ ଘନ ମସୀରେଖା ତାଙ୍କର ସମଗ୍ର ମୁଖମଣ୍ଡଳକୁ ସତେ ଯେପରି ଆଚ୍ଛନ୍ନ କରିଦେଇଛି ।

 

ସଂଘମିତ୍ରା ଚମକି ପଡ଼ିଲା ।

 

ବିବାହିତ ଜୀବନରେ, ସ୍ଵାମୀଙ୍କୁ ଏଭଳି ଚେହେରାରେ କେବେହେଲେ ସେ ଦେଖିନାହିଁ । ଗଛେ ଗଛେ, ଫୁଲେ ଫୁଲେ ବସନ୍ତର ଲୀଳାୟିତ ବିକାଶ ଭଳି ସେ ଚିରଦିନ ହାସ୍ୟମୟ । ମାତ୍ର ଆଜି କ’ଣ ତାଙ୍କର ହୋଇଛି ? କିଏ ତାଙ୍କୁ କ’ଣ କହିଛି ?

 

ବିନୋଦ ଗମ୍ଭୀର ଭାବରେ ଘର ଭିତରକୁ ପଶିଗଲା । ସଂଘମିତ୍ରା ଦେହରୁ ତାର ଖୋଲିବସିଲା ସାର୍ଟ । ସାର୍ଟ ଖୋଲୁ ଖୋଲୁ ସଂଘମିତ୍ରା ପଚାରିଲା—କ’ଣ ତମର ହୋଇଛି ? ମନ କାହିଁକି ଭଲ ଲାଗୁନାହିଁ ? କିଏ କ’ଣ କହିଲା ?

 

ବିନୋଦ ବାରଣ୍ଡାରେ ବସିଯାଇ କହିଲା—ଆଜି ମୁଁ ମୋ ଇସ୍ତଫାପତ୍ର ଦେଇଦେଲି ମିତ୍ରା । ଚାକିରୀ କରିବାର ନିଶା ଆଜିଠାରୁ ମୋର ଦୂର ହୋଇଗଲା । ଶୂନ୍ୟ ହୋଇଗଲା ।

 

ସଂଘମିତ୍ରାର ଆଖିରୁ ବିସ୍ମୟର ପାଖୁଡ଼ା ଖସିପଡ଼ୁଛି ଝର ଝର ହୋଇ । ଏଡ଼େ ହଠାତ୍ କାହିଁକି ସେ ଇସ୍ତଫା ଦେଲେ ?

 

ସଂଘମିତ୍ରା କହିଲା—

 

କାହିଁକି ? କ’ଣ ହେଲା ? ଏଡ଼େ ବେଗି ଇସ୍ତଫା ପତ୍ର ଦାଖଲ କରିଦେଲ ?

 

ବିନୋଦ ଆରମ୍ଭ କଲା—ଏ ଯୁଗ ଖୋସମତିର ଯୁଗ—ତେଲେଇବାର ଯୁଗ । ସିଏ ଯେତେ ଖୋଷମଦ୍ କରିପାରିଲା, ତେଲେଇ ପାରିଲା, ସମାଜରେ କେବଳ ନୁହେଁ ଜୀବନର ସବୁ କ୍ଷେତ୍ରରେ ସେ ପ୍ରତିଷ୍ଠା ଲାଭ କରିବ ।

 

ଯେଉଁମାନେ ଆମ ବିଭାଗରେ ତୋଷାମଦ୍ କରିପାରିବେ, ଆମ ଅଫିସରମାନଙ୍କୁ ପ୍ରତିଦିନ ସକାଳୁ ନମସ୍କାର ବଜାଇ, ପିଲାଛୁଆଙ୍କୁ ସମେତ ସେମାନଙ୍କୁ ସ୍ତ୍ରୀଙ୍କର ଉଚ୍ଚ ପ୍ରଶଂସା କରିପାରିବେ, ସେହିମାନେ କେବଳ ଚାକିରି କରିବା ଯୋଗ୍ୟ । ଭେଟି ଓ ଲାଞ୍ଚ ଯେ ଯେତେ ଦେଇପାରିବ, ତା’ର ଚାକିରି କରିବାର ଦକ୍ଷତା ସେତିକି ଜଣାପଡ଼ିବ । ପ୍ରମାଣିତ ହେବ ।

 

ମୋ ଦ୍ଵାରା ତାହା ସମ୍ଭବ ହେଲା ନାହିଁ ମୀତ୍ରା । ସେ ଭଳି ଅବାଞ୍ଛିତ ଅଫିସରମାନଙ୍କୁ ତୋଷାମଦ୍ କରିବା ପାଇଁ ମୋର ବିବେକ ବଢ଼ା ହେଲା । ମୋର ନୈତିକତା ବିରୋଧକଲା ।

 

ଆଜି ଏକ ଘଟଣା ଘଟିଗଲା ମିତ୍ରା । ସେ ଘଟଣା ଏଭଳି ପରିସ୍ଥିତି ଧାରଣ କଲା, ଯାହା ଫଳରେ ମୁଁ ଇସ୍ତଫା ଦେବାକୁ ବାଧ୍ୟ ହେଲା । ମୁଁ ଯଦି ଇସ୍ତଫା ସ୍ଵେଚ୍ଛାକୃତ ଭାବରେ ଦେଇ ନଥାନ୍ତି, ସେମାନେ ମୋ ବିରୁଦ୍ଧରେ ନାନା ଷଡ଼ଯନ୍ତ୍ର ସୃଷ୍ଟିକାରୀ, ମୋ ଚାକିରି କ୍ଷେତ୍ରରେ ନାନା ଅଶୋଭନୀୟ ପରିସ୍ଥିତି ସୃଷ୍ଟି କରିଥାନ୍ତେ । ତେଣୁ ଘରେ ବେକାର ହୋଇ ବସିବି ପଛକେ ଏଭଳି ଅସାମାଜିକ, ଅବାଞ୍ଛିତ ବ୍ୟକ୍ତିମାନଙ୍କ ପାଖରେ ମୁଁ ମୁଣ୍ଡ ନୁଆଇଁ ପାରିବି ନାହିଁ ।

 

ସଂଘମିତ୍ରା ବିଞ୍ଚିଣିରେ ବିଞ୍ଚବାରେ ଲାଗିଛି । ତା’ ମନତଳେ ଖେଳିଯାଉଛି ଭବିଷ୍ୟତର ଅନିଶ୍ଚିତ, ଅବ୍ୟବସ୍ତିତ ଓ ଅଧ୍ରୁବ ପରିସ୍ଥିତିର ଚକା ଚକା ଭଉଁରୀ ।

 

ବିନୋଦ ଚାହିଁଲା ସଂଘମିତ୍ରାକୁ । ତା’ ମନରେ ବି ଶାନ୍ତି ନାହିଁ । ସୁଖ ନାହିଁ । ଅଫିସରୁ ଫେରିଲା ପରେ, ସେ ହସି ହସି, ଏପାଖ ସେପାଖ ଯେମିତି ହୁଏ, ଆଜି ଏ ଘଟଣା ଶୁଣିଲା ପରଠାରୁ ସେ ଏପାଖ ସେପାଖ ଘୁରୁନାହିଁ । ଧକ୍କା ମାରିଲା ପରି ବସିଯାଇଛି । ଝରା ଫାଲ୍ଗୁନର ଓଠରୁ ଝର ଝର ପଡ଼ୁନାହିଁ ହସ୍ୟର ଫଗୁଳ ଫଲ୍ଗୁ ।

 

ବିନୋଦ ସଂଘମିତ୍ରାର ମନକଥା ଜାଣିପାରି କହିଲା—ତମେ କାହିଁକି ବିଷର୍ଣ୍ଣ ହୋଇ ଉଠିଲ ମିତ୍ରା ! ତମର ଦୁଃଖ କରିବାର କୌଣସି କାରଣ ନାହିଁ । ଅନୁତାପ କରିବାର କୌଣସି ଅର୍ଥ ନାହିଁ । ତମ ସ୍ଵାମୀ ବଡ଼ହେଲେ, ଐଶ୍ୱର୍ଯ୍ୟ ଓ ବିଳାସ ଭିତରେ କାଳକାଟିଲେ ତମେ ହେବ ଐଶ୍ୱର୍ଯ୍ୟଶାଳିନୀ । ତମ ସ୍ଵାମୀ ଯଦି ଦରିଦ୍ର ହୁଏ, କଙ୍ଗାଳ ହୁଏ, ପଥାଧାରରେ ଭିକାରୀ ସାଜି ବୁଲେ, ତମେ ମଧ୍ୟ ତମ ସ୍ଵାମୀ ସହିତ ସେଇ ବେଶ ସାଜି ବୁଲିବ ।

 

କିନ୍ତୁ ମିତ୍ରା ମୋର ଦୃଢ଼ ଆତ୍ମପ୍ରତ୍ୟୟ ଅଛି । ଆତ୍ମ ବିଶ୍ଵାସ ଅଛି । ମୋର ଶିକ୍ଷାଗତ ଯୋଗ୍ୟତା ଅଛି । ଗାଁରେ ପ୍ରଚୁର ସମ୍ପତ୍ତି ବାଡ଼ି ରହିଛି । ସମ୍ପତ୍ତି ବାଡ଼ିର ରକ୍ଷଣାବେକ୍ଷଣ କଲେ, ଆମ ଘରେ ଚାରି ଚାରିଟା ଲୋକ ଚାକର ରହିବେ । ତମେ ସୁଗୃହିଣୀ ହେବ ।

 

ତାହା ହିଁ ହେବ ମୋ ପକ୍ଷେ ଆଦରଣୀୟ । ଗ୍ରାହ୍ୟ । ଶ୍ଲାଘ୍ୟ । ମାତ୍ର ଗୋଲାମିଗିରି ମୁଁ କରିପାରିବ ନାହିଁ । ଯେଉଁମାନଙ୍କର ବ୍ୟକ୍ତିତ୍ଵ ନାହିଁ, ମେରୁଦଣ୍ଡ ନାହିଁ, ସାମାଜିକ ଜଗତରେ ଯେଉଁମାନଙ୍କ ସ୍ଥାନ ଅତ୍ୟନ୍ତ ହେୟ, ନଗଣ୍ୟ, ସେମାନଙ୍କ ପାଖେ ମୁଁ ଚକିରୀ କରିପାରିବି ନାହିଁ । ଗାଁରେ ରହିଲେ, ମୋ ଅଞ୍ଚଳର ସେବା କରିବାର ସୌଭାଗ୍ୟ ପାଇବି । ବନ୍ୟା ପ୍ରପୀଡ଼ିତ ଜନସାଧାରଣଙ୍କ ନିକଟରେ ପହଞ୍ଚି, ସେମାନଙ୍କ ଦୁଃଖ ଦୂର କରିବାକୁ ଚେଷ୍ଟା କରିବି ।

 

ସଂଘମିତ୍ରାର ମନ ହଠାତ୍ ଉଲ୍ଲସିତ, ପୁଲକିତ ହୋଇଉଠିଲା । ସ୍ୱାମୀ ତାର ଠିକ୍ କହୁଛନ୍ତି । ଗାଆଁକୁ ଫେରିଗଲେ ଖୁବ୍ ଭଲ ହେବ । ତାଙ୍କର ତ ପ୍ରଚୁର ଅଛି ଭୂସମ୍ପତ୍ତି । ସେ ସବୁର ରକ୍ଷଣାବେକ୍ଷଣା କଲେ, ସେ ଚଳିଯିବେ ଖୁବ୍ ଆନନ୍ଦରେ । ଖୁବ୍ ବିଳାସରେ । ପର ଘରର ଗୋଲାମି ଅପେକ୍ଷା ନିଜ ଘରେ, ନିଜର ବ୍ୟବସାୟରେ ମାତି ରହିବା ସବୁଠାରୁ ବିଜ୍ଞତାର ପରିଚାୟକ ।

 

ସଂଘମିତ୍ରା କହିଲା—ଆରେ କେତେବେଳୁ ତମେ ଆସି ବସିଲଣି । ତମକୁ ଜଳଖିଆ ଏପର୍ଯ୍ୟନ୍ତ ଖାଇବାକୁ ଦେଇନାହିଁ । କଥା ନହସରେ ମୁଁ ରହିଗଲି । ଅଚ୍ଛା ତମେ ଥାଅ—ମୁଁ ଆଣେ ଯାଇ ଜଳଖିଆ ।

 

ସଂଘମିତ୍ରା ଚାଲିଗଲା ରୋଷଘରକୁ ଜଳଖିଆ ଆଣିବାପାଇଁ ।

 

ସନ୍ଧ୍ୟା, ଧୀରେ ଧୀରେ ରାତ୍ରିରେ ପରିଣତ ହେଉଛି ।

 

ବିନୋଦ ମାସେ ହେଲା ଆସିଲାଣି ଘରକୁ…

 

ସଂଘମିତ୍ରା ମଧ୍ୟ ଫେରିଆସିଛି ତା’ ସହିତ ।

 

ସେଦିନ ଥିଲା ଶ୍ରାବଣର ଏକ ବର୍ଷଣମୁଖର ସନ୍ଧ୍ୟା...

 

ବିନୋଦ ଦାଣ୍ଡ ଘରର ଖଟ ଉପରେ ବସିଛି । ଝରକା ଦେଇ ଚାହିଁଛି ବାହାରକୁ । ଶ୍ରାବଣ ଆକାଶରୁ ଝରି ଝରି ପଡ଼ୁଛି ବର୍ଷାଧାର । ଏ ବର୍ଷାର ଯେପରି କ୍ଳାନ୍ତି ନାହିଁ—ବିରକ୍ତି ନାହିଁ ।

 

କେତେ ଦିନ ଗାଆଁରେ କର୍ମକୁଣ୍ଠ ହୋଇ ବସିରହିବ ? ବାପା ତ ଚାଷବାସର ପ୍ରତ୍ୟକ୍ଷ ତତ୍ତ୍ଵ ବୁଝିଲେ । ସେ ନିଜେ ବୁଝିବା ପାଇଁ ଯେତେଥର ଆଗ୍ରହ ପ୍ରକାଶ କରିଛି, ସେତେଥର ବାପା ମନା କରିଛନ୍ତି । ବାଧା ସୃଷ୍ଟି କରିଛନ୍ତି । ମୋ ଅନ୍ତେ ତୁ ଯଦି ଦାୟିତ୍ୱ ନେବୁ, ତତ୍ତ୍ଵନେବୁ ତା’ହେଲେ ମଙ୍ଗଳ ହେବ । ବଞ୍ଚି ଥାଉଁ ଥାଉଁ ଚାଷବାସର ପ୍ରତ୍ୟକ୍ଷ ଦାୟିତ୍ୱ ତୁ କାହିଁକି ବୁଝିବୁ ?

 

ବୋଉର ମଧ୍ୟ ଅଦ୍ଭୁତ ଝୁଙ୍କ୍ ! ସେ କହୁଛି ତୁ କିଛି କର ନାହିଁ । କୁଆଡ଼କୁ ଯାଆ ନାହିଁ । ବିଦେଶରେ ଚାକିରୀ ବାକିରୀ କରିବାର କୌଣସି ଅର୍ଥ ନାହିଁ । ତୁ ମୋର ଏକମାତ୍ର ପୁଅ ! ଏକୋଇର ବଳା ବିଶିକେଶନ । ତତେ ଛାଡ଼ି ମୁଁ ଚଳିପାରିବି ନାହିଁ । ବୋହୂଟାକୁ ପାଖରୁ ଛାଡ଼ି କେତେଦିନ ମୁଁ ଆଉ ହଇରାଣରେ ଚଳିବି ? ମୋ ଅଗଣାରେ ସଞ୍ଜ ଦୀପାଳୀ କିଏ ଜାଳିବ ? ମୋ ଦେଇ ପିଣ୍ଡିରେ କିଏ ମୁଠିଏ ମୋର ପୂର୍ବପୁରୁଷମାନଙ୍କୁ ଭାତ ଟେକି ଦେବ ?

 

ସଂଘମିତ୍ରା ଗ୍ରାମ୍ୟ ପରିବେଶ ସହିତ ନିଜକୁ ବେଶ୍ ଚଳାଇ ନେଇପାରୁଛି । ସେ କହୁଛି–ଗାଆଁଠାରୁ ବଳୀ ସୁନ୍ଦର ସ୍ଥାନ କେଉଁଠି ନାହିଁ ବୁଝିଲ ? ଦେଖ ମୋର ସ୍ଵାସ୍ଥ୍ୟକୁ ?

 

ଗାଆଁକୁ ଆସିଲା ଦିନଠାରୁ ମୋର ସ୍ଵାସ୍ଥ୍ୟର ପରିବର୍ତ୍ତନ ହୋଇଛି କିପରି ? ବାଲେଶ୍ଵରରେ ଥିଲାବେଳେ ସେଠାକାର ମ୍ୟାଲେରିଆ ଜଳବାୟୁରେ ସତରେ ମୋର ଦେହ ଭଲ ରହୁ ନ ଥିଲା । ଚାରି ଚାରିଟା ଦୁହାଁଳ ଗାଈ । କେତେ ଦୁଧ ପିଉଛ ପିଅ ! ବାଲେଶ୍ଵରରେ ଅଧସେରେ ଦୁଧ ରଖୁଥିଲି ଯେ ସେଥିରେ ପୁଣି ଆଠଅଣା ଭାଗ ପାଣି !

 

ବାଡ଼ି ଘରେ କେତେ ପନିପରିବା ! ଭେଣ୍ଡି, ଜହ୍ନି, ଶାଗ, କଦଳୀ, ବାଇଗଣ ଆଉ ଅମୃତଭଣ୍ଡା । ଘରେ ଥୁଆ ହୋଇଛି ବିରି,ମୁଗ, ହରଡ଼ । କେଉଁ ଡାଲି ଖାଇବ କହ ? କେଉଁ ତରକାରୀ ଖାଇବାକୁ ଇଚ୍ଛା ହେଉଛି, ମୋ ପାଖରେ କହିଦିଅ ! ଚୁଡ଼ା ଥୁଆ ହୋଇଛି ହାଣ୍ଡିରେ ହାଣ୍ଡିଏ । ପ୍ରତି ସାତଦିନରେ ଥରେ ରାଢ଼ିଆଣୀ ଆସେ । ଦୁଇ ଗୌଣୀ, ତିନି ଗୌଣୀ ଚୁଡ଼ା ଦେଇ, ତା’ ବଦଳରେ ଧାନ ନେଇଯାଏ । ପାଖରେ ପୁଣି ଗୁଡ଼ିଆ ଘର । କଣ ଅଭାବ ?

 

ପୋଖରୀରେ ମାଛ ଅଛି । ଯେତେବେଳେ ଚାହିଁବ, ଜାଲିଆଙ୍କୁ ଡାକିଆଣି ଜାଲ ପକାଇଲେ ଚଳିଲା ! ପୋଖରୀ କୂଳେ ଧାଡ଼ି ଧାଡ଼ି ନଡ଼ିଆ ଗଛ । ପଇଡ଼ ଖାଇବା ପାଇଁ ଯେତେବେଳେ ଇଚ୍ଛା ଅଛି ଖାଇପାରିବ । ଆମେ ଆଉ ସହରକୁ ଯିବା ନାହିଁ ବୁଝିଲ ?

 

ଘରେ ରହିଲେ ଶାଶୁ, ଶଶୁରଙ୍କର ମୁଁ ସେବା କରିପାରିବି । ତାଙ୍କୁ ମନ ଭରି ଗଣ୍ଡେ ଖାଇବାକୁ ଦେବି । ଆଉ କ’ଣ ଚିନ୍ତା ? ଆଉ କ’ଣ ଅଭାବ ?

 

ତମର ତ ଖବର କାଗଜ ଆସୁଛି । ପତ୍ରପତ୍ରିକା ଆସୁଛି । ତମର ଦୁଃଖ କରିବାର କ’ଣ ଅଛି ?

 

ସଂଘମିତ୍ରା ଭୁଲ କହିନି । ବାପା, ବୋଉ ମଧ୍ୟ ଭୁଲ କହୁ ନାହାନ୍ତି । ଗାଆଁରେ ରହିଲେ କେଉଁ କଥାରେ ତା’ର ଅଭାବ ହେବ ନାହିଁ । ଅନାଟନ ପଡ଼ିବ ନାହିଁ । ସୁସ୍ଥ ମନରେ, ନିରାପଦ ଓ ନିର୍ବିଘ୍ନରେ ସେ ଚଳିପାରିବ ।

 

ସତରେ କଣ ସେ ଚଳିପାରିବ ? ଦୀର୍ଘ ତେର, ଚଉଦ ବର୍ଷ ଯେ ସହରରେ ରହିଆସିଛି, ସହରର ବାତାବରଣ ସହିତ ନିଜକୁ ଦୀର୍ଘଦିନ ଧରି ସଂଶ୍ଳିଷ୍ଟ କରିଆସିଛି ସେ କେମିତି ଗାଁରେ ଚଳିପାରିବ ? ସନ୍ଧ୍ୟାବେଳେ କ୍ଳବ୍ ରେ, ଆଲୋଚନାଚକ୍ରରେ ସେ ଅଂଶ ଗ୍ରହଣ କରେ । ବନ୍ଧୁ ମହଲରେ ନିଜର ଚିନ୍ତା, କଳ୍ପନା ସହିତ ଅନ୍ୟମାନଙ୍କର ଭାବ ଓ ଚିନ୍ତାର ଆଦାନ ପ୍ରଦାନ ଘଟେ । ଦେଶ ବିଦେଶର ଅସଂଖ୍ୟ ଉଲ୍ଲେଖଯୋଗ୍ୟ ସମ୍ବାଦଠାରୁ ଓଡ଼ିଶା ରାଜନୀତିର ଅନ୍ଦର ମହଲର ଯେତେକ ଭିତିରି କଥା, ତାହା ଆଲୋଚନାଚକ୍ରରେ ଆଲୋଚିତ ହୋଇଥାଏ ।

 

ତାର ବୁଦ୍ଧିବାଦୀ ମନ, ସେଇ ଆଲୋଚନାରେ ରସାଣିତ ହୁଏ । ପରିପୂର୍ଣ୍ଣତା ଲାଭ କରେ । ସଭା ସମିତିରେ ଯୋଗଦାନ କରି, ରିଡ଼ିଂ ରୁମରେ ଘଣ୍ଟା ଘଣ୍ଟା ବସି ନୂଆ ନୂଆ ସମ୍ବାଦ ଶୁଣେ । ନୂଆ ନୂଆ ବହି ପଢ଼େ । ଜ୍ଞାନର ଅଭିବୃଦ୍ଧି ଘଟେ। ମାନସିକ ବ୍ୟାୟାମ ସାଧନ କରିହୁଏ ।

 

ମାତ୍ର ଗାଆଁରେ, କଣ ସେ କରିବ ? କାହା ପାଖକୁ ଯିବ ? ଯେଉଁମାନେ ପାଠପଢ଼ି ଶିକ୍ଷିତ ହୋଇଛନ୍ତି, ସେମାନେ ବିଦେଶ କରିଛନ୍ତି । ଘରକୁ ଅକାଳେ ସକାଳେ, ପାର୍ବଣ ଅଥବା ରଜ ଛୁଟିରେ ଘରକୁ ଆସନ୍ତି । ଆଉ କେଉଁମାନଙ୍କ ସହିତ ମିଶିବ ।

 

ଗାଆଁ ହାଇସ୍କୁଲକୁ ପ୍ରତି ନିୟତ ସେ ଯାଉଛି । କିନ୍ତୁ ସବୁବେଳେ ସ୍କୁଲର ସେଇ ସୀମାବଦ୍ଧ ଓ ସଂକୀର୍ଣ୍ଣ ପରିସର ଭିତରେ କ’ଣ ତାର ଚିନ୍ତାଧାରା ସୀମିତ ହୋଇ ରହିପାରିବ ?

 

ହେଇ ଏବେ ବର୍ଷା ଢାଳୁଛି ଅବିଶ୍ରାନ୍ତ ଗତିରେ । ମେଘର ଛନ୍ଦେ ଛନ୍ଦେ ଇଚ୍ଛା ହେଉଛି ଗଳ୍ପ କରିବାକୁ । ଚା ପାନ କରିବାକୁ। ସାଙ୍ଗମାନଙ୍କ ସହିତ ଗରମାଗରମ ପକୁଡ଼ି ଖାଇ ମଜା ମାରିବାକୁ। କିନ୍ତୁ କିଏ କାହିଁ ? ସାଙ୍ଗ ନାହିଁ—ସାଥି ନାହିଁ—ସହର, ଗାଆଁଠାରୁ ଅନେକ ଦୂରରେ ରହିଛି । ସେ ଆଉ କେଉଁଠିକି ଯିବ ?

 

ଗାଆଁ ରାସ୍ତାରେ ବର୍ଷାର ସୁଅ ଛୁଟିକି । ବର୍ଷା ଯଦି ହେଉ ନ ଥାନ୍ତା, ତା’ହେଲେ ସେ ହୁଏ ତ ହାଇସ୍କୁଲ ପର୍ଯ୍ୟନ୍ତ ଚାଲି ଚାଲି, ଗାଆଁ ରାସ୍ତାର ଅନ୍ଧକାର ମଧ୍ୟରେ ଯାଇପାରିଥାନ୍ତା, କିନ୍ତୁ ଏବର୍ଷାରେ କ’ଣ ବାହାରକୁ ବାହାରିହୁଏ ? ଯାଇହୁଏ ?

 

ଗାଆଁରେ ଶୁକଦେବ ଥିଲା । ହାଇସ୍କୁଲରେ ଶିକ୍ଷକତା କରି ବେଶ୍ ଏକ ସୁସ୍ଥ ଜୀବନଯାତ୍ରା ନିର୍ବାହ କରୁଥିଲା । ଛୁଟିରେ ଗାଁକୁ ଆସୁଥିଲେ, ତା’ ସହିତ ଦିନରାତି ଗପ ଟପ । ଆଲୋଚନା । ଥିଏଟର କରିବାକୁ ସେ ସଜ ହୁଏ । ସେ ମଧ୍ୟ ସାହାଯ୍ୟ କରେ ।

 

ସେ ଶୁକଦେବ ଆଜି ନାହିଁ । ହାଇସ୍କୁଲର ପବିତ୍ର ଶିକ୍ଷକତା ଛାଡ଼ି ଆଜି ଗ୍ରାମ ପଞ୍ଚାୟତର ପରପଞ୍ଚ ସରପଞ୍ଚ ହୋଇଛି । ଦିନରାତି କାର୍ଯ୍ୟ ବ୍ୟସ୍ତ । ପ୍ରତିଦିନ ଚଉଦ ମାଇଲ ବାଟ ସେ ସାଇକେଲରେ ଘୂରୁଛି । ପଞ୍ଚାୟତ ସମିତିଠାରୁ ଜିଲ୍ଲା ପରିଷଦ ପର୍ଯ୍ୟନ୍ତ ଯେତେ ସଭ୍ୟ ସମିତି ଅନୁଷ୍ଠିତ, ଆୟୋଜିତ ହେଉଛି, ସବୁଥିରେ ଅଂଶ ଗ୍ରହଣ କରୁଛି । ତା’ ଛଡ଼ା ତା’ ନାଆଁରେ ଚାରି ଛଟା ମୋକଦ୍ଦମା ଏବେ ବି ବିଚାରାଧୀନ ରହିଛି ।

 

ଗାଆଁକୁ ଆସିବାର ଏତେଦିନ ହୋଇଗଲା । ମାତ୍ର ପିଲାଦିନର ସାଥି ଶୁକଦେବର ଦେଖାଦର୍ଶନ ମିଳିଲା ନାହିଁ । ତାଙ୍କ ଘରକୁ ଗଲେ ସେ ନାହିଁ ବୋଲି ଖବର ମିଳେ । କଚେରୀକୁ ଯାଇଛି ବୋଲି ସାମ୍ବାଦ ଆସେ । ଆଉ କେତେବେଳେ ଟେଷ୍ଟ ରିଲିଫ କାର୍ଯ୍ୟରେ, ଆଉ କେତେବେଳେ ପୋଖରୀ ଖୋଳା ଦାୟିତ୍ଵରେ ଅଥବା ପଞ୍ଚାୟତ ଅଫିସରେ ବସି କାଗଜ ପତ୍ର ତନଖି କରୁଥିବାର ସାମ୍ବାଦ ଶୁଣିବାକୁ ମିଳିଥାଏ । ଏସବୁ କାର୍ଯ୍ୟ କ୍ଷେତ୍ରକୁ ତାକୁ ଖୋଜିବା ପାଇଁ ଗଲେ, ସେ ମିଳେନି । ଅନ୍ୟତ୍ର ଚାଲିଯାଇଛି ବୋଲି ପୁଣି ଖବର ମିଳେ ।

 

ଗାଁରେ ଆଉ କିଏ ଅଛି ? କାହା ସହିତ ଭାବର ଆଦାନ ପ୍ରଦାନ ହେବ ?

 

ବର୍ଷା ଅବିରାମ ଗତିରେ ବର୍ଷୁଛି...

 

ବିନୋଦର ମନ ଅସହ୍ୟ ମାନସିକ ପୀଡ଼ନରେ ପୀଡ଼ିତ ହୋଇଉଠିଲା । ଗାଁ ଛାଡ଼ି ସହରକୁ ନଗଲେ ଉପାୟ ନାହିଁ । ତା’ର ବୌଦ୍ଧିକତା ଏଇ ଗାଁ ମାଟିରେ ମରିଯିବ । ଶୂନ୍ୟ ହୋଇଯିବ । ନିଃଶେଷ ହୋଇଯିବ ।

 

ସଂଘମିତ୍ରା ଭିଜି ଭିଜି ତଳ ଖଞ୍ଜାରୁ ଆସି ଦାଣ୍ଡଘରେ ପହଞ୍ଚିଲା । ବିନୋଦକୁ ଦେଖି କହିଲା—କ’ଣ ବସି ଭାବୁଛ ଏକାକୀ ତମେ ?

 

ବିନୋଦ କହିଲା—ଆଉ ଗାଁ ଭଲ ଲାଗୁନି ମିତ୍ରା ! ଇଚ୍ଛା ହେଉଛି ଗାଁ ଛାଡ଼ି ସେଇ ସହରକୁ ପଳାଇଯିବାକୁ । ଗାଁକୁ ପ୍ରଥମେ ଆସିଥିଲାବେଳେ ଭାବିଥିଲି, ଜନତାର ସେବା କରିବା ପାଇଁ । ପ୍ରତ୍ୟକ୍ଷ ରାଜନୀତିରେ ଅଂଶଗ୍ରହଣ କରିବା ପାଇଁ । କିନ୍ତୁ ଗାଁର ଅବସ୍ଥା ସାଙ୍ଘାତିକ । ରାଜନୀତି ନାଆଁରେ ଟାଉଟରୀ ଚାଲିଛି । ଗୋଟିଏ ଦଳକୁ ସନ୍ତୁଷ୍ଟ କରିବାକୁ ହେଲେ ଆଉ ଗୋଟିଏ ଦଳର ପ୍ରବଳ ଆକ୍ରମଣର ସମ୍ମୁଖୀନ ହେବାକୁ ପଡ଼ିବ । ବିରୋଧି ପକ୍ଷର ଲୋକେ, ହୀନ ପ୍ରଚାର କରିବେ । ବ୍ୟକ୍ତିଗତ କୁତ୍ସାରଟନା କରିବେ ।

 

ତେଣୁ କେତେକାଳ ଅଳସୁଆ ହୋଇ ବସି ରହିବି ? ମତେ ଆଉ କିଛି ଭଲ ଲାଗୁନାହିଁ-

 

ମିତ୍ରା ହସି ହସି ବିନୋଦ ପାଖକୁ ଆସିଲା । ବାହାରେ ଶ୍ରାବଣ ବର୍ଷା ମୁଣ୍ଡ କଚାଡ଼ୁଛି । ଆକାଶରେ ଗୁରୁ ଗୁରୁ ଗର୍ଜ୍ଜନ ଏବେ ବି ବନ୍ଦ ହୋଇନାହିଁ ।

 

ବିନୋଦ ପାଖରୁ ଲାଗିଯାଇ ସଂଘମିତ୍ରା କହିଲା—ପିଲାଟିଏ ଜନ୍ମ ହେଲେ ତମର ଅଳସୁଆମି ସଂପୂର୍ଣ୍ଣ ଭାବରେ କଟିଯିବ । ତା’ ସହିତ ଦିନ ରାତି ଖେଳିଲେ, ତମେ ସବୁ ଭୁଲିଯିବ। ବିସ୍ମୃତ ହେବ । ତମର ମାନସିକ ଅବସ୍ଥା ସ୍ଵାଭାବିକ ଅବସ୍ଥାକୁ ଫେରି ଆସିବ । ଆଉ କେତେ ମାସ ଯେ....

 

ବିନୋଦ ହସିଲା । ମୁହୂର୍ତ୍ତକ ପୂର୍ବରୁ ଯେଉଁ ଭାବନାଗୁଡ଼ିକ ତା’ ମୁଣ୍ଡକୁ ଭାରାକ୍ରାନ୍ତ କରି ଦେଇଥିଲା ସଂଘମିତ୍ରାର ଏଇ କେତେ ପଦ କଥାରେ, ସେସବୁ ହାଲକା ହୋଇଗଲା ।

 

ବିନୋଦ ସଂଘମିତ୍ରା ହାତକୁ ଚିପି ଧରିଲା । ସଂଘମିତ୍ରା ଆଉଜି ଆସିଲା ତା’ ଆଡ଼କୁ.....

 

ବାହାରେ ବୃଷ୍ଟି ମୁଖର ରଜନୀ, ସୁଉଁ ସୁଉଁ ହୋଇ କାନ୍ଦିବାରେ ଲାଗିଛି ।

 

ସଂଘମିତ୍ରାର ପ୍ରସବ ବେଦନା ଅସହ୍ୟ ହୋଇଉଠିଛି....

 

ବିନୋଦର ବାପା, ବୋଉ ବ୍ୟସ୍ତ—ବିବ୍ରତ । ନର୍ସ ଆସିଛି । ପ୍ରାଥମିକ ସ୍ଵାସ୍ଥ୍ୟ କେନ୍ଦ୍ରର ଡାକ୍ତର ଆସି ବସିଛନ୍ତି ।

 

ସଂଘମିତ୍ରାର ପ୍ରସବ ଯନ୍ତ୍ରଣା ବେଳୁଁବେଳ ଦୁର୍ବହ ହୋଇଉଠୁଛି । ସେ ଯନ୍ତ୍ରଣାର ସ୍ପର୍ଶ ବିନୋଦକୁ ବ୍ୟଥିତ କରୁଛି । ବିବ୍ରତ କରୁଛି । ହେ ଭଗବାନ ! ନିରାପଦରେ ମିତ୍ରାର ପ୍ରସବ ହୋଇଯାଉ । ତାର ଗର୍ଭଯନ୍ତ୍ରଣା ଅତ୍ୟଧିକ ନ ହେଉ....

 

ହଠାତ୍ କୁଆଁ କୁଆଁ ରାବ ଶୁଭିଲା । ଗୋଟିଏ ସଦ୍ୟଜାତ ଶିଶୁର ପ୍ରଥମ ସ୍ୱର ଲହରୀ ବିନୋଦର ଚିତ୍ତକୁ ଗଭୀର ଭାବରେ ସ୍ପର୍ଶ କଲା...

 

ସଂଘମିତ୍ରାର ଚେତା ନାହିଁ । ଡାକି ଡାକି ଶୁଣୁନାହିଁ । ପଥର ପରି ଭୂଇଁରେ ସେ ଶୋଇଯାଇଛି ।

 

ବିନୋଦର ବୋଉ ଚିତ୍କାର କରିଉଠିଲେ । ଦେଖ ଡାକ୍ତର, ମୋ ବୋହୂ କାହିଁକି ଶୁଣୁନାହିଁ ? ମୋ ବୋହୂ କାହିଁକି କଥା କହୁ ନାହିଁ ? ତାକୁ ଔଷଦ ଦିଅ । ଇଂଜେକ୍‌ସନ୍ ଦିଅ । ତାର ଚେତା ଫେରାଇ ଆଣ । ତାକୁ କଥା କୁହାଅ !!!

 

ବିନୋଦର ବୋଉ ମୁଣ୍ଡ କୋଡ଼ି ହେଲେ ।

 

ବିନୋଦ ବିକଳ ହୋଇ ଦୌଡ଼ିଗଲା ଏନ୍ତୁଡ଼ିଶାଳକୁ । ସଂଘମିତ୍ରାର ହୋସ ନାହିଁ । ସେ କଥା କହୁନାହିଁ ।

 

—ଡାକ୍ତର ବାବୁ, ମିତ୍ରା କାହିଁକି ଏମିତି ହେଉଛି । ଆପଣ ଟିକିଏ ଦେଖନ୍ତୁ !

 

ଡାକ୍ତର ବାବୁଙ୍କୁ ଧରି ପକାଇଲା ବିନୋଦ । ନର୍ସ ଅନାଇଁ ରହିଛି ଗୋଟିଏ ଦୃଷ୍ଟିରେ ସଂଘମିତ୍ରାକୁ ।

 

ଡାକ୍ତର ସଂଘମିତ୍ରାର ନାଡ଼ି ଦେଖିଲେ । ଡାକ୍ତରଙ୍କ ମୁହଁରେ ନୈରାଶ୍ୟର ଛାଇ । କାହିଁକି-? କ’ଣ ସେ ଦେଖୁଛନ୍ତି ?

 

—କ’ଣ ଦେଖୁଛନ୍ତି ଡାକ୍ତର ! ସଂଘମିତ୍ରା କାହିଁକି ଏମିତି ହେଉଛି ।

 

ଡାକ୍ତର ଫେରି ଆସିଲେ ସଂଘମିତ୍ରା ନିକଟରୁ । ବିନୋଦର କାନ୍ଧରେ ହାତପକାଇ ଦେଇ କହିଲେ—ନାଡ଼ି ଆଉ ଚାଲୁନାହିଁ ।

 

ନାଡ଼ି ଆଉ ଚାଲୁ ନାହିଁ ! ମିତ୍ରା କ’ଣ ବଞ୍ଚିବନି ? ମିତ୍ରା କ’ଣ କଥା କହିବନି ? ଆଉ ଟିକିଏ ଦେଖ ଭଲ କରି ଡାକ୍ତର ! ତାକୁ ଔଷଧ ଖୁଆଅ । ଇଞ୍ଜେକ୍‌ସନ୍ ଦିଅ ।

 

ଡାକ୍ତର ହାତ ଧରିଲା ବିନୋଦ ।

 

ଡାକ୍ତର, ବିନୋଦ ବିକଳ ଦେଖି ଆଉ ସମ୍ଭାଳି ପାରିଲେ ନାହିଁ । ଧୀର କଣ୍ଠରେ କହିଲେ–ଆଉ ମିତ୍ରା ନାହିଁ ବିନୋଦ ବାବୁ । ତାର ଜୀବନ-ଦୀପ ନିଭି ଯାଇଛି ।

 

—ନିଭିଯାଇଛି !

 

ବିନୋଦର ବାପା, ବୋଉ, ବିକଳ ହୋଇ, ମୁଣ୍ଡ ପିଟି କାନ୍ଦିବାରେ ଲାଗିଲେ ।

 

ବିନୋଦ ପାଗଳ ହୋଇ ଉଠିଲା । ପୁଣି ଦଉଡ଼ିଗଲା ଏନ୍ତୁଡ଼ିଶାଳକୁ । ସଂଘମିତ୍ରାର ପାଖରେ ବସିପଡ଼ିଲା ।

 

ମିତ୍ରାର ମୁହଁ କଳାପଡ଼ି ଯାଇଛି । ତାର ନିସ୍ତେଜ ଶରୀରରେ ଛାଇ ହୋଇଯାଇଛି କୁଢ଼ କୁଢ଼ ଗଭୀର ଶୀତଳତା । ସ୍ଥାଣୁତ୍ଵ ଓ ଜଡ଼ତା ।

 

ବିନୋଦ ହଲାଇଲା । ଡାକିଲା—ମିତ୍ରା ! ମିତ୍ରା !! ମିତ୍ରା !!!

 

ସଂଘମିତ୍ରା ଚାଲିଯାଇଛି । ଆଉ ସେ ଶୁଣିବନି । ଆଉ ସେ ଫେରିବନି । ସ୍ୱାମୀର କଅଁଳ ଡାକ, ତା’ କାନରେ ଆଉ ବାଜୁନାହିଁ । ସେ ଶୋଇଯାଇଛି । ଚିର ନିଦ୍ରା ଯାଇଛି ।

 

ସଦ୍ୟଜାତ କନ୍ୟାଟି କାନ୍ଦୁଛି କୁଆଁ କୁଆଁ ହୋଇ....

 

କିଏ ତାକୁ ମଣିଷ କରିବ ? କିଏ ତାକୁ ସ୍ତନ ଦେଇ ବଞ୍ଚାଇ ରଖିବ ?

 

ବିନୋଦ ପରିବାର ଭିତରେ ଏକ ଅଭାବନୀୟ କାରୁଣ୍ୟର ମର୍ମଭେଦୀ ବାତାବରଣ....

 

ସଂଘମିତ୍ରାର ମୃତ୍ୟୁ ହେବାର ଛ’ ଦିନ ହୋଇଗଲାଣି । ବିନୋଦ ଆଖିରେ ଛ’ ରାତି ନିଦ ନାହିଁ ।

 

ଗଭୀର ରାତ୍ରିରେ, ସମସ୍ତେ ଶୋଇପଡ଼ନ୍ତି । କିନ୍ତୁ ବିନୋଦ ରାତିର ଅନ୍ଧକାରରେ ତାଙ୍କ ପୋଖରୀ କୂଳରେ ନଡ଼ିଆ ବଗିଚାରେ, କଦଳୀ ବାଡ଼ିରେ ଆଉ ବହଳ ଆମ୍ବଗଛର ଛାଇ ଛାଇଆ ପରିବେଶ ଭିତରେ ଖୋଜେ ମିତ୍ରାକୁ ।

 

ମିତ୍ରା ଛୁଆ ଛାଡ଼ି ଚାଲିଯାଇଛି । ସେ ହୁଏତ ଆସିଥିବ ତାକୁ ଦେଖିବାକୁ । ପ୍ରେତରୂପେ ସେ ଯଦି ଠିଆ ହୋଇଥିବ ଆମ୍ବ ବଗିଚାରେ, କଦଳୀ ବାଡ଼ିରେ, ଗଭୀର ନିଶାଥରେ ଏକାକୀ ତା’ ସହିତ କଥା କହିବ । ମୃତ୍ୟୁବେଳେ, ଅକସ୍ମାତ୍ କିଛି ନ କହି ସେ ଅଭିମାନ କରି ଚାଲିଯାଇଛି । ସେ ଅନେକ କଥା କହିବ । ତା’ ମନ ତଳର ଅନେକ ବାସନା, ଅନେକ କାମନା ତା’ ଆଗରେ ଖୋଲିଦେବ ।

 

ବିନୋଦ ଘୂରୁଛି ପାଗଳଙ୍କ ପରି ।

 

କାହିଁ ମିତ୍ରା କେଉଁଠି ଦେଖାଯାଉନି ! କଦଳୀ ବଗିଚାର ପ୍ରତ୍ୟେକ ଗଛର ଚାରିପଟେ ବୁଲି ବୁଲି ସେ ଥକିଗଲାଣି । କିନ୍ତୁ ମିତ୍ରା କାହିଁ ? ମିତ୍ରାର ଛାଇ ମଧ୍ୟ ନାହିଁ ।

 

ସାରା ରାତି ଉନିଦ୍ର ହେଲା ସେ । କିନ୍ତୁ ମିତ୍ରାର ଦେଖା ସାକ୍ଷାତ ମିଳିଲା ନାହିଁ । ମିତ୍ରାର ଆତ୍ମା ହଜିଯାଇଛି ସୀମାହୀନ ସମୀରଣରେ । ତାର ଅତୃପ୍ତ ମନ ଏବେ ବି ମୃଦୁ ପବନର ଛନ୍ଦେ ଛନ୍ଦେ କରୁଣ ଭାବରେ କାନ୍ଦି ଉଠୁଛି । ଏବେ ବି ସେ ତା ସ୍ଵାମୀ ସହିତ କଥାବାର୍ତ୍ତା କରିବାକୁ ଅଶ୍ରୁପୂର୍ଣ୍ଣ ନୟନରେ ଚାହିଁ ରହିଛି ।

 

ସତରେ କ’ଣ ସେ ଅପେକ୍ଷା କରିଛି ? ମୃଦୁ ପବନରେ କଇଁ କଇଁ ହୋଇ କାନ୍ଦିଉଠୁଛି-? ସବୁ ମିଛ । ସବୁ ଅସାର । ସବୁ ଅସାଢ଼ । ସେ କେବଳ ଏଇମିତି ଅନୁଭବ କରୁଛି-! ଅନୁଭୂତିର ପରିଧି ଭିତରେ, ଅତୀତର ସମସ୍ତ ଘଟଣା ବନ୍ଦୀ ହୋଇ, ଆଜି ତାକୁ ନିଛକ ସତ, ବାସ୍ତବ ବୋଲି ମନେ ହେଉଛି ।

 

ମିତ୍ରା ଆଉ ଫେରିବନି !

 

ବିନୋଦ ଆଖିରୁ ଅଶ୍ରୁ ପୋଛିଲା ।

 

ରାତି ପାହି ପାହି ଆସୁଥିଲା ।

 

ସଂଘମିତ୍ରାର ଶୁଦ୍ଧିକ୍ରିୟା ସରିଯାଇଛି...

 

ଲୌକିକ ଚଳଣୀରେ, ସଂଘମିତ୍ରାର ସ୍ମୃତି ଧୋଇ ହୋଇଯାଇଛି । ବିସ୍ମୃତିର ଅତଳ ଗର୍ଭରେ ଲୀନ ହୋଇ ଯାଇଛି ସେ ।

 

ବିନୋଦକୁ କିଏ ଶାନ୍ତ ଦେବ ? ଆନନ୍ଦ ଦେବ ? ପୁଲକ ଭରିଦେବ ? ତାର ଦୀର୍ଘ ଯାତ୍ରାପଥରେ, ସଖାରୂପେ, ବନ୍ଧୁ ରୂପେ, ଦୋସର ରୂପେ କିଏ ଚାଲିବ ? ତା’ ପୁରୁଷ ମନର ତାତି, ଉତ୍ତାପ ଓ ଉଷ୍ମ ତାକୁ କିଏ ଶୀତଳ କରିବି ? ଚନ୍ଦନ ଲେପିବ ? ଆର୍ଦ୍ର କରିବି ? ତା’ ମନର ଅଶାନ୍ତ ଢେଉ, ବିକ୍ଷୁବ୍ଧ, ଉତ୍ସୃଙ୍ଖଳ ଓ ଦୂରନ୍ତ କାମନା ଗୁଡ଼ିକୁ କିଏ ପ୍ରଶମିତ କରିବ ?

 

ସଂଘମିତ୍ରାକୁ ଭାବିବନି ବୋଲି ସେ ବହୁତ ଚେଷ୍ଟା କରୁଛି, ତଥାପି ବାରମ୍ବାର ମନର ଆକାଶକୁ ତାର ସ୍ମୃତିର ମେଘ ଆଚ୍ଛାଦନ କରୁଛି ।

 

ହେ ନିଷ୍ଠୁର ଭଗବାନ ! ତମ ପାଖରେ ବିନୋଦ କେବେ ହେଲେ ତ ଅନ୍ୟାୟ କରିନାହିଁ-। ଅଧର୍ମ କରିନାହିଁ । ଜଗତରେ କାହାର କ୍ଷତି ଓ ଅନିଷ୍ଟ ଘଟାଇ ନାହିଁ । କାହାରି ଉପରେ ଅତ୍ୟାଚାର କରିନାହିଁ । କିନ୍ତୁ ତା’ ଉପରେ ସୃଷ୍ଟିଯାକର ସବୁ ଅବିଚାର ଢାଳିଦେଲ କାହିଁକି ପ୍ରଭୁ-?

 

କିଛିଦିନ ତଳେ ଚାକିରୀ ଛାଡ଼ିଥିଲି । ଚାକିରୀ ଛାଡ଼ି, ଗାଁ ଭୂଇଁରେ ବାତାବରଣ ଭିତରେ ଏକପ୍ରକାର ରୁଦ୍ଧଶ୍ୱାସ ହୋଇ ପଡ଼ିଥିଲି । ଗାଁ ଭୂଇଁର ସେଇ ଧୂସର ବାଲୁକା ଭୂଇଁରେ ମିତ୍ରା ଥିଲା ଏକମାତ୍ର ମୋର ଉଷର କବିତା । ତାର ପ୍ରେମ, ସ୍ନେହ ଓ ପୀଡ଼ନର ପ୍ରେରଣାରେ ମୁଁ ସବୁ ଭୁଲି ଯାଇଥିଲି । ଗାଁ ଭୂଇଁର ଅସହ୍ୟ ବାତାବରଣକୁ ଅନେକାଂଶରେ ଭୁଲି ଯାଇଥିଲି ।

 

ମାତ୍ର ଅବଶେଷରେ ଅତି ପ୍ରିୟତମା ମିତ୍ରାକୁ ମୋ ଠାରୁ ନେଇ ଚାଲିଗଲ !

 

ମୋତେ କିଏ ସେବା କରିବ ? ଚର୍ଯ୍ୟା କରିବ ? ଛୋଟ ଝିଅଟିର ଶୁଶ୍ରୂଷା ନେଇ କିଏ ତାକୁ ମଣିଷ ରୂପେ ବଞ୍ଚାଇ ରଖିବାକୁ ଉଦ୍ୟମ କରିବ ? ମିତ୍ରା ସ୍ମୃତିର ସ୍ୱାକ୍ଷର, ସେଇ କନ୍ୟାଟିର ତନୁରେ ବର୍ଣ୍ଣୋଜ୍ଜ୍ୱଳ ବିଭାରେ ଉଦ୍ଭାସିତ ହେବ ?

 

ବିନୋଦର ଆଖି ଲୋତକାପ୍ଲୁତ...

 

ଯେତେ ଯିଏ ସାନ୍ତ୍ଵନା ଦେଉନ୍ତୁ ପଛକେ ମିତ୍ରାର ସ୍ଥାନ କେହି ପୂରଣ କରିପାରିବେ ନାହିଁ-। ତାର ପ୍ରୀତି-ପୂତ, ପ୍ରଣୟ-ସ୍ନିଗ୍ଧ ମନ ବଦଳରେ ଆଉ ଗୋଟିଏ ମନ ସେ ପାଇପାରିବନି-

 

ବିନୋଦ ଚାହିଁଛି ଆକାଶକୁ । ଚୈତ୍ର ରାତ୍ରିର ଆକାଶରେ, ହଠାତ୍ ପହଁରି ପହଁରି ବୁଲୁଛି କଳାଘୁମର ମେଘ ।

 

ସଦ୍ୟଜାତ କନ୍ୟାଟି କାନ୍ଦୁଛି ବିକଳ ହୋଇ ।

 

ମିତ୍ରାର ଅବଶେଷ ସ୍ମୃତିରୂପେ ଯେଉଁ ଝିଅଟି ଜନ୍ମ ହୋଇ ବାରଦିନକାଳ ବଞ୍ଚିଥିଲା ସେ ମଧ୍ୟ ଆଦରି ନେଲା ତା ମାଆର ପଥ । ସେଇ ଟିକି ଝିଅଟି ବଞ୍ଚିଥିଲା ବେଳେ ମିତ୍ରାର ସ୍ମୃତି, ଦେଖାଯାଉଥିଲା ସନ୍ଧ୍ୟାର ନୀଳ ନିଃସଙ୍ଗ ଆକାଶ ପିଠିରେ ଗୋଟିଏ ମିଞ୍ଜି ମିଞ୍ଜି ।

 

ତାରକା ଜଳିଲାପରି । ମାତ୍ର ତା’ର ମୃତ୍ୟୁପରେ, ସନ୍ଧ୍ୟା ଆକାଶର ସେଇ ତାରକାକୁ ଘୋଡ଼ାଇ ପକାଇଛି ଅରାଏ ଭସା ବାଦଲର ଭେଳା, ମିତ୍ରାର ସ୍ମୃତି ସତେ ଯେମିତି ତାରି ଭିତରେ ହଜିଯାଇଛି । ମିତ୍ରା ଆଉ ଦିଶୁନାହିଁ । ସେ ଅଦୃଶ୍ୟ ।

 

ବିନୋଦ, ପ୍ରାୟ ମାସେ କାଳ ଘରେ ଚୁପଚାପ୍ ହୋଇ ବସିଲା ପରେ ଆଉ ତାକୁ କିଛି ଭଲ ଲାଗିଲା ନାହିଁ । ବରଂ ସେ ଅନୁଭବ କଲା ତା’ର ଏଇ ତୁନୀତାନୀ ବସି ରହିବାର ଦୁର୍ବିସହ ଯନ୍ତ୍ରଣାରେ ସେ କେବଳ ଏକାନୁହେଁ, ତାର ବାପା ଓ ବୋଉ ଦିନକୁ ଦିନ ବେଶି ବେଶି ପରିମାଣରେ ଆକ୍ରାନ୍ତ ହେଉଛନ୍ତି ଏବଂ ସେମାନଙ୍କ ମୁହଁରେ ଛାଇ ହୋଇ ରହିଛି ଗୁମ୍ ମାରିଲା ପରି ଯେ ଅପ୍ରକାଶ୍ୟ ବେଦନାର ଛାଇ । ସେମାନଙ୍କ ମୁହଁର ସେଇ ଆକୃତିଗତ ଅସ୍ଵାଭାବିକତା ସୂଚାଇ ଦେଉଛି ଦୁଇଟି ମନର ଆକୁଳ ହାହାକାରମୟ ଜ୍ଵଳନ ।

 

ବାପା ଓ ବୋଉଙ୍କର ଏଇ ମାନସିକ ଅବସ୍ଥା ଦେଖି ବିନୋଦ ଧୀରେ ଧୀର ଆତ୍ମ ସଚେତନ ହୋଇ ଉଠୁଥିଲା ଏବଂ ଯେଉଁ ଉଦ୍ଦେଶ୍ୟରେ ନୌକର ସାହୀ ଚାକିରୀ ଉପରେ ଛେପ ପକାଇ, ଗୋଇଠାମାରି ଚାଲି ଆସିଥିଲା ଏଇ ଗଣ୍ଡ ମଫସଲକୁ, ସେଇ ଉଦ୍ଦେଶ୍ୟର ଅନ୍ତନିର୍ହିତ ସ୍ଵର ତା ମନ ଭିତରେ ରହି ରହି ବାଜି ଉଠିଲା ଘନ ଘନ ।

 

ମିତ୍ରାର ଶୋକଚ୍ଛ୍ଵାସ ତା’ର ଚେତନାର ଯେଉଁ ଅଂଶକୁ ପାଉଁଶିଆ ଓ ଧୂଆଁଳିଆ ଅନ୍ଧକାରରେ ଘୋଡ଼ାଇ ରଖିଥିଲା ସେଇ ଚେତନାରେ ପ୍ରତିଫଳିତ ହେଲା ଏକ ନୂତନ ଆଲୋକର କମଳା ରଙ୍ଗର ଦୀପ୍ତି । ଚେତନାର ସେଇ ଅନ୍ଧାର କ୍ରମେ କ୍ରମେ କଟିକଟି ଆଲୋକିତ ହୋଇ ଆସୁଥିଲା ।

 

ବିନୋଦ ଦେଖିପାରୁଛି ଏକ ବିରାଟ ଫାଙ୍କା ଭବିଷ୍ୟତ, ଯାହାକୁ ଅନାଇଁଲେ ଆଖି ପାଉନାହିଁ, ଖୁବ୍ ଦୂରରେ ଦିଗବଳୟର ଧାରେ ଧାରେ କଳି ହେଉଛି ସେଇ ଭବିଷ୍ୟତର ବିରାଟ ବିସ୍ତୃତିକୁ, ଯାହାକୁ ତାର ଚଲାବାଟରେ ଦିନେ ଦେଖିପାରିବ ଓ ଧରିପାରିବ । ଭବିଷ୍ୟତର ସେଇ ଅସରନ୍ତି ଚଲାବାଟରେ ପଡ଼ି ରହିଛି ବହୁ କର୍ତ୍ତବ୍ୟ । ଗଣ୍ଡ ମଫସଲର ଶହ ଶହ ଦୁଃଖୀ, ରଙ୍କୀ, ରୋଗୀ, ଚାଷୀ, ମୂଲିଆ ଅଭାବ ଅନାଟନ ରୋଗ ବୈରାଗ୍ୟରେ ସଢ଼ି ସଢ଼ି ବିକଳ ଚିତ୍କାରରେ ଭବିଷ୍ୟତର ସେଇବାଟକୁ ସତେ ଅବା ରୁନ୍ଧି ଦେଇଛନ୍ତି । ସେମାନଙ୍କ ଦୁଃଖ, ଶୋକ ଦୂର ନ କଲେ, ଭବିଷ୍ୟତର ସେ ଫାଙ୍କା ବିସ୍ତୃତିର ଆକର୍ଷଣ, ବାଟ ଚାଲିବାର ମୋହାଚ୍ଛନ୍ନ ଉତ୍ସାହ ସବୁ ଯେମିତି ପଣ୍ଡ ହୋଇଯିବ ।

 

ବିନୋଦର ଆଖିରେ ଫୁଟି ଉଠିଲା ଏକ ନୂତନ ଆଲୋକର ଝଲକ ଏବଂ ସେ ଝଲକର ଆଭା ତାର ସମଗ୍ର ବ୍ୟକ୍ତିତ୍ଵକୁ ଯେମିତି ତେଜେଇ ଦେଲା, ଆଲୋକିତ କରି ବସିଲା । ସେ ମୁଦା ମୁଦା ଆଖିରେ ଅନ୍ତର୍ଦୃଷ୍ଟି ଭିତରେ ଦେଖିପାରୁଛି ଏକ ବିରାଟ ତେଜସ୍କ୍ରିୟ ଆଲୋକର ଦ୍ୟୁତି ଯାହା ଭିତରେ ତା’ ବ୍ୟକ୍ତିତ୍ଵର ଅନ୍ଧାକାର ପଡ଼ି ରହିଛି ଏକ ଉପଦ୍ୱୀପ ପରି ।

 

ସେ ବି ମିଶିଯିବ ସେଇ ବେଗବାନ୍, କାର୍ଯ୍ୟବାନ୍ ଆଲୋକ ବନ୍ୟା ସହିତ ତା’ ବ୍ୟକ୍ତିତ୍ଵର ଅନ୍ଧକାରକୁ ହଟାଇ ଦେଇ । ମିତ୍ରାର ସ୍ମୃତି ଭବିଷ୍ୟତର ସେଇ ବିରାଟ ବିସ୍ତୃତି ଓ ଫାଙ୍କା ସଳଖ ଚଲାବାଟର ବିଶାଳ ଦିଗ୍‍ବଳୟରେ ଏବଂ ପୁଣି ଏକ ନୂତନ ଆଲୋକ ସ୍ପର୍ଶରେ ଦେଖାଯାଉଛି ଏକ ସ୍ଥିର କଳାବିନ୍ଦୁ ପରି । ଯାହାର ବିଦାୟୀ ଆକର୍ଷଣ, ଏଇ ବିଶାଳ ରାଜପଥର ଆଲୋକ ନିକଟରେ ନିହାତି ନଗଣ୍ୟ, ତୁଚ୍ଛ ।

 

ବିନୋଦ ଉଠି ପଡ଼ିଲା ତା’ ବସିବା ଯାଗାରୁ ଏବଂ ସର୍ବପ୍ରଥମେ ଘରୁ ବାହାରି ଆସି ସେ ଚାଲି ଆସିଲା ଦାଣ୍ଡକୁ ।

 

ଦାଣ୍ଡ ମଝିରେ ଠିଆ ହୋଇ ବିନୋଦ ଚାହିଁଲା ଚାରିଆଡ଼କୁ । ତାଙ୍କ ଘର ଠିକ୍ ଚୌମୁହାଣୀ ରାସ୍ତାରେ । ଚାରିଦିଗକୁ ଚାରି ରାସ୍ତା । ଗୋଟିଏ ଯାଇଛି ସୁଜନପୁର, ଖୋସାଲପୁର, ବାଳଦା, ଛଛିଣା, ଆଉ ଗୋଟିଏ ଯାଇଛି ରାମଚନ୍ଦ୍ରପୁର, ତରପଦା, ଡୋଭାବିଲ, ଜୟନ୍ତରା, ତୃତୀୟଟି ଯାଇଛି କସପା, କମାଳପୁର, ନୂଆଶାସନ, ବ୍ରହ୍ମଚାରୀପାଟଣା ଏବଂ ଚତୁର୍ଥଟି ଯାଇଛି ଈଶ୍ୱରପୁର, ନିଜାମପୁର, ମହାନ୍ତିପାଟଣା, ରଡ଼ଗାଁ, ସୋଲପାଟ ଓ କୋତପୁର । ଏବଂ ଆହୁରି ଅସଂଖ୍ୟ ଅସଂଖ୍ୟ ଗାଁ, ଯେଉଁମାନଙ୍କର ନାଁ ତାର ମନେ ପଡ଼ୁନି ଓ ଯେଉଁ ସବୁ ଗାଁମାନେ ବୈତରଣୀ, କାଣୀ, ଭାଟିଆ ଓ ମଲାଗୁଣୀ ନଈ କୂଳେ କୂଳେ କଣ୍ଡିଆ ଉପରେ ସତେ ଯେମିତି ଓଢ଼ଣା ଟାଣି ବହୂ ପରି ନଇଁ ନଇଁ ଚାଲୁଛନ୍ତି । ସେ ଘରୁ ବାହାରି ଏଇ ଚୌମୁହାଁଣୀ ରାସ୍ତାଦେଇ ପ୍ରତି ଗାଁକୁ ଯିବ ଓ ପ୍ରତ୍ୟେକ ଲୋକଙ୍କ ସହିତ ମିଶିବାକୁ ଚେଷ୍ଟା କରିବ । ସେମାନଙ୍କ ଦୁଃଖ ସୁଖରେ, ଆନନ୍ଦ ଉଲ୍ଲାସରେ, ମେଳା ଉତ୍ସବରେ, ବିବାହ ବ୍ରତରେ, ପଖାଳ ତୋରାଣୀରେ, ପତରପୋଡ଼ା ଓ ଚଟଣୀରେ, ଧାନ କିଆରୀରେ ଶ୍ରାବଣ ଓ ପୌଷରେ ସେ ଠିଆ ହେବ । ସେମାନଙ୍କୁ ସଙ୍ଗଠିତ କରି ପର ଆପଣା ଭେଦାଭେଦ ଭୁଲାଇବାକୁ ଚେଷ୍ଟା କରିବ । ସେମାନଙ୍କ ମନାନ୍ତର ଓ ମତାନ୍ତରକୁ ମିଶାଇଦେବ ହୃଦୟ ହୃଦୟରେ । ସମସ୍ତେ ଏକ, ସମସ୍ତେ ସମାନ ।

 

ବର୍ଷା ସଞ୍ଜ ନଇଁ ଆସୁଛି ଗାଁକୁ । କଖାରୁ ଲାଉ ପତ୍ର ଗହଳିର ନଡ଼ା ଢ଼ଙ୍କା ଚାଳମାନଙ୍କରୁ ଉଠି ଉଠି ଆସୁଛି ପାତଳ ତରଳ ଧୂଆଁ ମୋଡ଼ି ମୋଡ଼ି ହୋଇ ଉପରକୁ । ସତେ ଯେମିତି ପଲ୍ଲୀ ଅଞ୍ଚଳର ଅସଂଖ୍ୟ ଦୁସ୍ଥ ମଣିଷ ପୂଜାର ନୈବେଦ୍ୟ ବାଢ଼ିଦେଉଛି କେଉଁ ଅଜଣା ଦେବତାର ଉଦ୍ଦେଶ୍ୟରେ ଗଭୀର ଭକ୍ତିରେ ।

 

ବିନୋଦର ଚେତନା, ବହୁଦିନ ପରେ ଆଜି ଯେମିତି ପ୍ରସାରିତ ହେଉଛି ଏବଂ ବର୍ଷା ସନ୍ଧ୍ୟାର ଗାଁକୁ ଆଜି ଯେମିତି ଅନେକ ବର୍ଷ ପରେ ସେ ଦେଖୁଛି ଏକାକୀ ନିହାତି ଅନ୍ତରଙ୍ଗ ଭାବରେ ।

 

ଗାଁକୁ ଫେରି ଆସି ଏବଂ ଗାଁର ହାଲ ହରକତ୍ ଶୁଣି ପ୍ରଥମେ ପ୍ରଥମେ ତା’ ମନ ଭିତରେ ସୃଷ୍ଟି ହୋଇଥିଲା ହତାଶାର ଏକ ତତଲା ବାଲିଝଡ଼ । ଗାଁ ଲୋକମାନଙ୍କ ଭିତରେ ମେଳ ନାହିଁ, ଏକତା ନାହିଁ, ବୁଝାମଣା ନାହିଁ । ପରସ୍ପର ଲାଗିଛନ୍ତି ବାଦ ବିବାଦରେ ପରଶ୍ରୀକାତରତାରେ ବୁଡ଼ି ରହିଛନ୍ତି ସମସ୍ତେ । ଜଣକର ଅନିଷ୍ଟ କରିବା ପାଇଁ ଆଉ ଜଣେ ଜାଗତିଆର, ଜଣକର ସମ୍ପତ୍ତି ଉଜୁଡ଼େଇ ଦେଇ ଆଉ ଜଣକର ଘରକରଣାର ଇମାରତ୍ ଏମିତି ଏମିତି ଲାଗିଛି କେତେ ମାଲି ମୋକଦ୍ଦମା, କଳି ଗୋଳ, ଦଙ୍ଗାହେଙ୍ଗାମ, ମାରପିଟ ଓ ଲହୁଲୁହାଣର ହୋରିଖେଳ ।

 

ସୁକଦେବ ସରପଞ୍ଚ ହୋଇ ମଧ୍ୟ ତା’ ନାଁରେ ଝୁଲୁଛି ଚାରିଟା ମୋକଦ୍ଦମା । ଜନାକାରୀଠାରୁ ଆରମ୍ଭ କରି ଅବକାରୀ ପର୍ଯ୍ୟନ୍ତ ଯେଉଁସବୁ ଭିତରେ ତା’ର ବ୍ୟକ୍ତିଗତ ସମ୍ପର୍କ ମୋଟେ ନାହିଁ ଅଥଚ ତାକୁ ହଇରାଣ କରିବା ପାଇଁ ଏଇସବୁ ମିଛ ମକଦ୍ଦମା ଖଞ୍ଜା ଯାଇଛି ଗୋଟିକ ଗୋଟି ସୁପାରିକଳ୍ପିତ ଭାବରେ କାରଣ ସେ ଜବଦ୍ ହେବ । ଥଣ୍ଡା ହେବ । ସରପଞ୍ଚ ପଦରୁ ବାଧ୍ୟ ହୋଇ ଓହରି ଯିବ ଫଳରେ ବିରୋଧୀ ଗୋଷ୍ଠୀର ନେତା ହେବେ ସରପଞ୍ଚ । କ୍ଷମତା ଲଢ଼େଇର ସିଆଣିଆ ପଣରେ ସେ ବିଜୟ ଲାଭ କରିବେ ।

 

ବିନୋଦର ଆଖି ଆଗରେ ଭାସି ଉଠିଲା ତା’ ଅଞ୍ଚଳର ଏଇ ସମସ୍ତ ବାଦ ବିବାଦର କରୁଣ ଇତିହାସ ଏବଂ ଏ ଇତିହାସକୁ ଆହୁରି ଶୋଚନୀୟ କରିବା ପାଇଁ ଯେଉଁମାନେ ମାତି ଉଠିଛନ୍ତି ଆପଣାର ସ୍ଵାର୍ଥ ହାସଲ କରିବା ଲାଗି ଓ ବଡ଼ ପଣିଆଁର ହୁକୁମାତି ବଜାୟ ରଖିବା ଲାଗି-। ସେଇ ସ୍ୱାର୍ଥପର ମାମଲତ୍‍କାର ସିଆଣିଆ ଓ ଥିଲାବାଲା ଲୋକମାନେ ଗାଁ ଗହଳର ଶହ ଶହ ସରଳ, ନିର୍ବୋଧ ଓ ଅମାୟିକ ଲୋକମାନଙ୍କୁ ଭୁଲ୍ ବାଟରେ ଚଳାଉଛନ୍ତି ଏବଂ ଫଳରେ ସୃଷ୍ଟି ହେଉଛି ଭୁଲ୍ ବୁଝାମଣାରେ ଏକ ପ୍ରକାଣ୍ଡ ପରିଖା ।

 

ଗଣ୍ଡ ମଫସଲର ସେଇ ଶାନ୍ତ ସରଳ ନିରୀହ ଲୋକମାନଙ୍କୁ ନିଃସ୍ୱାର୍ଥପର ଭାବରେ ସେବା କରିବାକୁ ହିଁ ହେବ ଏବଂ ସେମାନଙ୍କ ମନରେ ଏଇସବୁ ସିଆଣିଆ ନେତାମାନେ ଆପଣାର ସ୍ଵାର୍ଥ ହାସଲ କରିବାଲାଗି ଯେଉଁ ଧାରଣାର ମଞ୍ଜି ପୋତିଛନ୍ତି, ସେଇ ମଞ୍ଜିକୁ ଉପାଡ଼ି ମୂଳପୋଛ କରିଦେବାକୁ ହେବ ।

 

ଦଳଗତ ରାଜନୀତିର ତ୍ରିସୀମା ଯେଉଁମାନେ ମାଡ଼ି ନାହାନ୍ତି, ଯାହାର ମୌଳିକ ଲକ୍ଷ୍ୟ ଓ ଇସ୍ତାହାରର ବିନ୍ଦୁ ବିସର୍ଗ ମଫସଲର ଶହ ଶହ ସରଳ ଶାନ୍ତ ଲୋକେ ବୁଝି ନାହାନ୍ତି, ସେମାନଙ୍କ ମଧ୍ୟରେ ଆଜି ଅସଂଖ୍ୟ ଦଳ ଉପଦଳ, ଅଜସ୍ର ଗୋଷ୍ଠୀ ଓ ଉପଗୋଷ୍ଠୀ । ପୁଣି କଂଗ୍ରେସ, ପି. ଏସ୍.ଏସ୍.ପି. ସ୍ୱତନ୍ତ୍ର ଓ କମ୍ୟୁନିଷ୍ଟ । ସେଥିରେ ଆହୁରି ବାମପନ୍ଥୀ, ଦକ୍ଷିଣ ପନ୍ଥୀ, ରକ୍ଷଣଶୀଳ ଓ ପ୍ରଗତିଶୀଳ, ବ୍ରାହ୍ମଣ, କରଣ, କ୍ଷତ୍ରିୟ, ହରିଜନ ଏବଂ ବ୍ୟକ୍ତିଗତ ରାଗ ଓ କ୍ରୋଧ ମିଶା ମିଶା ଗୋଳାଗୋଳି ହୋଇ, ଅସଂଖ୍ୟ ଯୁଦ୍ଧ ଶିବିରରେ ବିଭକ୍ତ ହୋଇଯାଇଛି ।

 

ଶହ ଶହ ବର୍ଷର ଗାଉଁଲୀ ପବିତ୍ରତା, ଋଷି ପ୍ରତିମ ମୌନତା ଆଜି ଭାଙ୍ଗି ଚୁରି ନଷ୍ଟ ଭ୍ରଷ୍ଟ ହେବାକୁ ବସିଛି ଏବଂ ସେଥି ଭିତରେ ଜନ୍ମ ନେବାକୁ ବସିଛି ଏକ ନୂତନ କୃତ୍ରିମ ଗ୍ରାମ ଯେଉଁଠାରେ ଆତ୍ମୀୟତା, ଅନାବିଳ ସମ୍ପର୍କ, କୋଳାକୋଳି ଓ ଲୁହ ଢଳାଢ଼ଳିର ମରମ ଛୁଆଁ ସମ୍ପର୍କ ଛାଗଳ ପରି ବଳୀ ଦିଆଯାଉଛି ଅତି ନିର୍ମମ ଭାବରେ ।

 

ଗାଁ ସଡ଼କ କଡ଼ରେ ଗୋଟି ଗୋଟି ହୋଇ ଚା ଦୋକାନ ବସିଲାଣି । ପଥର କୋଇଲା ଡ଼ିପୋ ଏଇ କେତେ ଦିନ ହେଲା ଖୋଲିଛି । କାଠ ଅଡ଼ା ବର୍ଷେ ହେଲା ଚାଲୁ ହେଲାଣି । ଭାଗବତିଆ ଭଣ୍ଡାରୀ, କାଖତଳେ ମୁଠି ଯାକି ଆଉ ସାହୀକୁ ସାହୀ ବୁଲି, ପିଣ୍ଡା ଉପରେ, ବରଗଛ ଛାଇ ତଲେ ବସି ଖିଅର ନ କରି, ଗାଁ ସଡ଼କ ଧାରରେ ଗୋଟିଏ ଦୋକାନ କରିଛି ଏବଂ ନିଜେ କରଣୀ ଅକ୍ଷରରେ ଗୋଟିଏ ଟିଣ ଉପରେ ଲେଖି ସାଇନ୍ ବୋର୍ଡ଼ ମାରିଛି ‘ଲକ୍ଷ୍ମୀ ସେଲୁନ’ । କାରଣ ଲକ୍ଷ୍ମୀ ଠାକୁରାଣୀ ତା’ ସେଲୁନ୍ ଉପରେ ଆଶୀର୍ବାଦ କରିବେ ଏବଂ ସେ ବେଶି ବେଶି ରୋଜଗାର କରିବା ମାନସରେ ରଖାଇ ଦେଇଛି ଲକ୍ଷ୍ମୀ ସେଲୁନ୍ ।

 

ଗାଁକୁ ଫେରି ଆସିବା ଦିନଠାରୁ, ବିନୋଦ ଲକ୍ଷ୍ୟ କରିଛି ଏଇ ସହର ମୁଖୀ ପରିବର୍ତ୍ତନ-। ଚା ଦୋକାନରେ ସଞ୍ଜେ ସକାଳେ ଭିଡ଼ ଜମେ । ଯେଉଁ ଲୋକେ ପଖାଳ ଖାଇ ବିଲକୁ ଯାଇ ଝାଳ ନିଗିଡ଼ା ପରିଶ୍ରମ କରି କ୍ଷେତରେ ଫଳାଇ ବସନ୍ତି ଫସଲର ନେନ୍ତି ନେନ୍ତି ସୁନା, ଗାଁର ସେଇ ସ୍ଵାସ୍ଥ୍ୟବାନ୍ ମଣିଷ ପଂଝାଏ ପଖାଳ ପରିବର୍ତ୍ତେ ଚା ପିଇଲେଣି । ଗରମ ଗରମ ପକୁଡ଼ିକୁ ଆଦରି ନେଲେଣି । ପଖାଳ ଆଉ ଦେହରେ ଯାଉନାହିଁ ।

 

ହେଇ ସେଦିନ ଦେଖାହେଲା ମାଧିଆ । କାଳିଆ ହୋଇ ପାଞ୍ଚ ହାତିଆ ଭେଣ୍ଡା ଟୋକା-। ହଳକରି ବସିଲେ ଏକା ଏକା ଦି’ ପା ଜମି ଯେ ଏକାକୀ ଅଡ଼େଇ ଦେବ । ସେ କହିଲା ପଖାଳ ଆଉ ଦେହରେ ଯାଉନାହିଁ ବାବୁ । ବଡ଼ ମାନ୍ଦା ମାନ୍ଦା ଲାଗୁଛି । ଫୁର୍ତ୍ତି ଆସୁନାହିଁ । ତେଣୁ ଚା ଖାଇଲେ ଦେହରେ ତାତି ଆସୁଛି । କିନ୍ତୁ ବେଶି କାଳ ଯାଏ ପରିଶ୍ରମ କରି ହେଉନାହିଁ ।

 

ବିନୋଦ ମାଛି ଅନ୍ଧାରରେ ଦାଣ୍ଡ ଚୌମୁହାଁଣୀରେ ଠିଆ ହେଉ ହେଉ ଆଗେଇ ଚାଲିଲା ମହାଦେବ ପଡ଼ିଆ ଆଡ଼କୁ । ସେ ଭାବି ଚାଲିଛି ତାଙ୍କରି ଗାଁର ଅନେକ କଥା....

 

ସକାଳେ ସଞ୍ଜେ ଚା ଦୋକାନରେ କେବଳ ତ ଭିଡ଼ ତ ଜମେ ନାହିଁ । ତା’ ସହିତ ଜମି ଉଠେ କେତେ ଆଲୋଚନା । ରାଜନୀତି, ସମାଜନୀତି ଏବଂ ଢ଼ିଙ୍କିଶାଳ ଠାରୁ ଢେଙ୍କାନାଳ ପର୍ଯ୍ୟନ୍ତ ବହୁତ ଲମ୍ବା ବଢ଼ନ୍ତି କଥା । ଅଛିଣ୍ଡା । ଅସରନ୍ତି କଥା । ସେଠି ସରପଞ୍ଚ ଶୁକଦେବ ଲମ୍ବା ବେଞ୍ଚ ଉପରେ ଗୋଡ଼ ପକାଇ ଚା ପିଏ, କମ୍ୟୁନିଷ୍ଟ ନେତା ହୁଏ ସାଆନ୍ତ ଚା ଗ୍ଲାସରେ ଢ଼ୋକଦେଇ ଖବର କାଗଜ ପଢ଼ି ଶୁଣାଇ ଯାଆନ୍ତି ଇଣ୍ଡୋନେସିଆ, ରୁମାନିଆ ଆଉ ପୋଲାଣ୍ଡ ଦେଶର କଥା, ନବକିଶୋର କଣ୍ଟ୍ରାକ୍ଟରୀ କାମରୁ ସାଇକେଲରେ ଫେରି ହାଲିଆ ହୋଇ ଖଦଡ଼ ସାର୍ଟ ଦେହରୁ ଓହ୍ଲାଇ ଗାଇ ବସେ ମନ୍ତ୍ରୀ ଉପମନ୍ତ୍ରୀଙ୍କ ଗସ୍ତକାଳୀନ ଖର୍ଚ୍ଚ କଥା ଏବଂ କଣ୍ଡୃ, ମଙ୍ଗ, ଭଗିଆନ୍ନା, ଧୁରୁବା, ରାମ, ଅର୍ଜୁନ ଦାସ, ମାଳିଆ କାଳିଆ, ଭଜପତି, ଅକ୍ଷୟ ଜେନା, ନାରଣ ସେଠି ଏବଂ ଆହୁରି ଆହୁରି ବହୁତ ବହୁତ ଲୋକେ ବାବାଜୀ ପତି ଚା ଦୋକାନରେ ଟୁଙ୍ଗି ଆଡ଼୍ଡ଼ାରେ ଜମି ଉଠୁଛନ୍ତି । ଗାଁର ଭଲମନ୍ଦ, କଳିଗୋଳ ଓ ପକ୍ଷପତିତା ନେଇ ଚଳେଇଛନ୍ତି ଆଲୋଚନା । ସେଥିରେ ପୁଣି କଳିଗୋଳ, ଆଖି ତରାଟ, ଭୁରୁଡ଼ିମରା, ଚଦାଚଦି, ଜଂଘରେ ଫୋଟକାମରା ଏବଂ ଆଉ କେତେବେଳେ ହାତାହାତି, ଗଡ଼ାଗଡ଼ି ।

 

ଗାଁ ମାଇପେ ଘଷି, କୁଟା, ନଡ଼ା, ବାଉଁଶ ପତର ଓ କାଠ ଛାଡ଼ି କୋଇଲା ଆଞ୍ଚ କଲେଣି ଏବଂ ଚୁଲି ଧରିଲାବେଳେ ଘୁଙ୍ଗୁଳୋଉଛି ଧୂଆଁ ଭିତରେ ନିଶ୍ୱାସ ରୁଦ୍ଧ ହୋଇ ଯାଉଛି । ଆଖି ପୋଡ଼ି ଉଠୁଛି ।

 

ଗାଁ ଭିତରକୁ ନୂଆ ସଭ୍ୟତା ପଶିଛି, ନୂଆ ସଂସାର ଓ ନୂଆ ରୁଚିବୋଧ ଧାଇଁ ଆସୁଛି ନଈର ସୁଅ ପରି । ଏସବୁକୁ ରୋକିବାକୁ ହବ । ଅଟକାଇବାକୁ ପଡ଼ିବ । ଯୁଗ ଯୁଗର ଶାନ୍ତ, ସରଳ ନିରାଡ଼ମ୍ବର ପଲ୍ଲୀର ସୁକୁମାର ସୌନ୍ଦର୍ଯ୍ୟକୁ ଅକ୍ଷୁର୍ଣ୍ଣ ରଖିବାକୁ ପଡ଼ିବ ।

 

ବିନୋଦ ମହାଦେବ ପଡ଼ିଆରେ ପହଞ୍ଚିଲା ଏବଂ ବଉଳ ଗଛର ଢ଼ିପ ଉପରକୁ ଉଠିଯାଇ ଅନାଇଁଲା ଚାରି ଆଡ଼କୁ ।

 

ଜହ୍ନ ଉଠିଛି ଆକାଶରେ । ସଞ୍ଜପହରର ଶୁକ୍ଳାତିଥିର ଗୋରା ଗୋରା ଜହ୍ନ । ମେଘ ଆକାଶରେ ନାହିଁ । ତାରାସବୁ ବିଞ୍ଚି ହୋଇ ପଡ଼ିଛନ୍ତି ଗଙ୍ଗଶିଉଳୀ ଫୁଲ ତଳେ ପଡ଼ି ଲୋଟିଲା ପରି-

 

ସେଇ ଜହ୍ନ ଆଲୁଅରେ ବିନୋଦ ଚାହିଁଲା ଚାରିଆଡ଼କୁ । ଆଖି ଆଗରେ ଧାନକ୍ଷେତ, ଲମ୍ବି ଯାଇଛି ଦୂରକୁ ଦୂରକୁ ବହୁତ ଦୂରକୁ । ଆଖି ପାଉନାହିଁ । ଚାରିଆଡ଼େ ସବୁଜ ସମ୍ଭାର । ଯୌବନର ପରିପୂର୍ଣ ଆନନ୍ଦ । ସୀମାହୀନ ପୁଣି ବିସ୍ତୃତ । ସେଇ ସବୁଜ ବିଳମ୍ବିତ ଶସ୍ୟକ୍ଷେତ୍ରକୁ ଚାହିଁଲେ ମନ ଭିତରୁ ପାଶୋରି ହୋଇଯାଉଛି ସମସ୍ତ ସଂକୀର୍ଣ୍ଣତା, ଛୋଟ ଛୋଟ ବାଦ ବିସମ୍ବାଦ, ରାଗ ରୋଷ ଓ ଅଭିମାନ ।

 

ବିନୋଦ ସେଇଠି ବସିପଡ଼ିଲା ସ୍ତମ୍ଭୀଭୂତ ହୋଇ, ଅଭିଭୂତ ହୋଇ ।

 

ବିନୋଦର ବାପା ଓ ବୋଉଙ୍କ ମନରେ ଚେଇଁ ଉଠିଲାଣି ନୂଆ ନୂଆ ଆଶାର କେତେ କଅଁଳ ଛନ ଛନ ଅଙ୍କୁର । ସେମାନଙ୍କର ସେଇ ଅଙ୍କୁରକୁ ଉତ୍ତାପ ଓ ଆଲୋକ ଦେଇ ଆହୁରି ସଜ ସତେଜ କରୁଛନ୍ତି ରତ୍ନଗିରିର ବର୍ମା ପରିବାର, ମିତ୍ରାର ବାପଘର । ମିତ୍ରା ଭଉଣୀ ଚିତ୍ରାକୁ ଦେଇ ସେମାନେ ପୁଣି ଯୋଡ଼ି ବସିବେ ବନ୍ଧୁପଣିଆର ସେଇ ଫାଙ୍କକୁ ଯାହା ମିତ୍ରାର ମୃତ୍ୟୁ ପରେ ପରେ ସୃଷ୍ଟି ହୋଇ ଯାଇଥିଲା ଆପେ ଆପେ ।

 

ମିତ୍ରା ପରି ଅବିକଳ ଚିତ୍ରା । ଗୋଟିଏ ଇଟା ଫାର୍ମରେ ତିଆରି ଦୁଇଟି ଇଟାପରି ଚିତ୍ରା ଓ ମିତ୍ରା । ଦୁଇଜଣଙ୍କୁ ଏକ ସାଙ୍ଗରେ ଦେଖିଥିଲେ ଏବଂ ପୁଣି ସେମାନଙ୍କ ଭିତରୁ କାହାରିକୁ ଥରେ ଦେଖିଲେ ଭ୍ରମ ଉପୁଜିବ । ମିତ୍ରା କିଏ ଚିତ୍ରା କିଏ ଧରିହେବ ନାହିଁ । ଗୋଟିଏ ବୃନ୍ତରେ ଦୁଇଟି ଫୁଲ-

 

ଆଜିକୁ ମାସେ ହେଲା ସକାଳ ଓ ସଂଧ୍ୟାକୁ ଛାଡ଼ି, ବିନୋଦ ଆଉ ଘରେ ରହୁନାହିଁ । ପାଖ ଆଖର ପନ୍ଦର କୋଡ଼ିଏଟି ଗାଁରେ ଏବେ ସଂଗଠନ ଆରମ୍ଭ କରିଛି ଏବଂ ଲୋକଙ୍କୁ ଡାକି ହାକି ନୂଆ ମନ୍ତ୍ର ପଢ଼ୁଛି । ସବୁଆଡ଼େ ଓ ସବୁ ଗାଁରେ ଦେଖାଦେଇଛି ଅସମ୍ଭବ ଆଗ୍ରହ ଓ ଉତ୍ତେଜନା, ଏକାଠି ମିଳି ମିଶି ଚଳିବା ପାଇଁ, ଭେଦାଭେଦ ଓ ଫଟାଫଟି ରାଷସୀର ତଣ୍ଟି ଚିପି ମାରିଦେବା ପାଇଁ, ସବୁରି ମନରେ ପ୍ରବଳ ଉତ୍ସାହ ଓ ଉଦ୍ଦୀପନା । ସମସ୍ତେ ଏକ ହେବେ । ଗାଁ ଗାଁରୁ ଟାଉଟରୀ, ମାଲି ମକଦ୍ଦମା ଉଠାଇ ନେବେ । ଗାଁ ସଡ଼କ ଧାରରୁ ଉଠାଇ ଦେବେ ଚା ଖଟି, ସେଲୁନ ଓ କୋଇଲା ଡିପୋ ।

 

କାରଣ ଏଇସବୁ ବସିଲା ଦିନଠାରୁ ଗାଁ ଗାଁ ଭିତରେ ଦେଖାଦେଇଛି ଅନହୁତି କେତେ ରୋଗ ବ୍ୟାଧି ଓ ମଡ଼କ । ପେଟମରା, ପେଟଫମ୍ପା, ଡିସେଣ୍ଟ୍ରି ଓ ଡାଇରିଆ ଏବଂ ଆହୁରି ଆହୁରି ଅବର୍ଣ୍ଣନୀୟ ନାମ ନ ଜଣା ନାମ ନ ଶୁଣା କେତେ ରୋଗ ଯେଉଁ ସବୁ କଥା କହିଲେ ଗାଁ ଲୋକେ ମୁକ୍ତ କଣ୍ଠରେ ସେ ସବୁ ସ୍ୱୀକାର କରି ନେଉଛନ୍ତି ।

 

ବିନୋଦ ସନ୍ଧ୍ୟାବେଳେ ଘରକୁ ଫେରି ଜଳଖିଆ ସାରି ଦାଣ୍ଡଘରେ ବସି ଖବର କାଗଜ ପଢ଼ୁଛି । ମିତ୍ରାର ସ୍ମୃତି ଲୁଚି ଗଲାଣି କର୍ତ୍ତବ୍ୟ ଓ ଦେଶ ସେବାର ପରସ୍ତ ପରସ୍ତ ବାସ୍ତବତାର ବିବର୍ତ୍ତନିକ ଅନ୍ଧାରରେ । ଆଖି ଆଗରେ ଖାଲି କର୍ତ୍ତବ୍ୟ, କର୍ତ୍ତବ୍ୟ କର୍ତ୍ତବ୍ୟ । ତାରି ଭିତରେ ଆପଣାକୁ ହଜାଇ ଦେବାରେ ଅପୂର୍ବ ଆନନ୍ଦ ।

 

ଲଣ୍ଠନ ଆଲୁଅରେ ବିନୋଦ ପଢ଼ୁଛି ଖବର କାଗଜ ।

 

ବିନୋଦର ବୋଉ ଆସିଲେ ଦାଣ୍ଡଘରକୁ ହସି ହସି ଏକ ନୂତନ ଉତ୍ସାହରେ, ନିଜ ସ୍ଵାମୀଙ୍କ ଅନୁମୋଦନ କ୍ରମେ । ବିନୋଦର ମତାମତ ମାମୁଲି ଭାବରେ ଆଦାୟ କରି ସାରିଲା ପରେ ବିବାହର ଆୟୋଜନ ସେମାନେ କରି ବସିବେ । ପୁଣି ଲାଗିବ ଧୂମ୍ ଧଡ଼କ । ଶୂନ୍ୟ ଘର ପୁଣି ପୁରି ଉଠିବ । ମିତ୍ରା ପରି ଚିତ୍ରା ମଧ୍ୟ ପ୍ରଜାପତି ପରି ଘୁରି ବୁଲିବ ଏ ଘରକୁ ସେଘର । ଘରର କଂସା ବାସନ ରଣ ଝଣ କରି ଉଠିବ । ଭାତ ହାଣ୍ଡି ଓ ଡାଲି ହାଣ୍ଡି ଖଡ଼ଖାଡ଼ ହେବ । ଅଳତା, ତେଲ ଓ ସ୍ନୋ ଡବା ଖୋଲିବାର ଟୁଂ ଟାଂ ଧ୍ଵନୀ ପୁଣି ଘର ଭିତରେ ଶୁଭି ଉଠିବ ନୂତନ ଢଙ୍ଗରେ ।

 

ବିନୋଦ ପାଖରେ ବସି ପଡ଼ିଲେ ତାର ବୋଉ । ଲଣ୍ଠନ ଆଲୁଅରେ ହଠାତ୍ ଏକ ଛାଇର ପ୍ରତିଫଳନ ଦେଖି ବିନୋଦ ଚାହିଁଲା ତାର ବୋଉକୁ । ମିତ୍ରାର ମୃତ୍ୟୁପରେ ତା’ ବୋଉକୁ ସେ ଦେଖିନାହିଁ ଖୁବ୍ ନିକଟରେ । ଯେତେବେଳେ ସେ ଦେଖିବାର ସୁଯୋଗ ପାଇଛି, ସେତେବେଳେ ତାକୁ ଦେଖିଛି ଏକ ଜଳନ୍ତା ମହମବତୀ ରୂପରେ । ମାତ୍ର ଆଜି, ଦେଖୁଛି ତାକୁ ଏକ ନୂତନ ରୂପରେ । ଏକ ମାଣିକ ମୁଣ୍ଡା ପରି ଚକ୍ ଚକ୍ ।

 

ବିନୋଦ ଖବର କାଗଜରୁ ଆଖି ମେଲି ଚାହିଁଲା ତା’ ବୋଉକୁ ।

 

ପାଖରେ ବୋଉ ବସି କହିଲେ, କଥାଟିଏ ପଚାରିବି ବାବା, ଖୋଲିକରି ସବୁ କଥା କହିବୁ ତ ? ବିନୋଦର ଚିତ୍ତ ଭିତରେ ଖେଳିଗଲା ଏକ ଆଶା ଓ ଆଶଙ୍କାର ନଈ ବଢ଼ି । ଠିକ୍ ଏଇମିତି ଶୋହାଗ ହୋଇ ବୋଉ ପଚାରିଥିଲା କେତେଥର କେତେ ସ୍ନେହ ସୁନ୍ଦର ମହୁ ମଧୁର ପ୍ରସ୍ତାବ ମିତ୍ରାର ବାହାଘର ପୂର୍ବରୁ ଏବଂ ଆଜି ବୋଧହୁଏ ସେଇ ପ୍ରସ୍ତାବ ପକାଇବ ବୋଲି ସେ ଆସିଛି ହସି ହସି କୁତୁହଳରେ ଘୋଡ଼ି ଘାଡ଼ି ହୋଇ ।

 

ବିନୋଦର ହଠାତ୍ ମନେ ପଡ଼ିଲା । ଏଇ କିଛିଦିନ ହେଲା ବାପା ଓ ବୋଉ ଏକାସାଙ୍ଗରେ ବସି ଚୁପ୍ ଚାପ୍ ହୋଇ କଣ କଥାବାର୍ତ୍ତା କରୁଛନ୍ତି ଓ ତାକୁ ଦେଖିଦେଲେ ରହିଯାଉଛନ୍ତି ତୁନୀତାନୀ, ସେମାନେ ନିରୋଳାରେ ବସି ଯେଉଁସବୁ କଥାବାର୍ତ୍ତା କରନ୍ତି, ତାର ସାରାଂଶ ବୋଧହୁଏ ଆଜି ଆସିଛି ଜଣାଇବାକୁ ।

 

ବିନୋଦ କହିଲା, କଣ କହୁନୁ ! ତୋ କଥା ଶୁଣିଲେ ସିନା ମୋର ଯାହା କହିବାର କଥା କହିବି !

 

ବିନୋଦର ବୋଉ ଆଉ ଟିକିଏ ଉତ୍ସାହିତ ହୋଇ କହିଲେ, ରତ୍ନଗିରିର ବର୍ମା ଘର । ପୁରୁଣା ଖାନଦାନୀ ଓ ବୁନିଆଦୀ, ଆମ ଲାଖି ବନ୍ଧୁ । ସେମାନେ ଲଗାଇଛନ୍ତି ବନ୍ଧୁ ଘରକୁ ଅତୁଟ ରଖିବା ପାଇଁ । ମିତ୍ରା ତଳେ ସେଇ ଯେଉଁ ଝିଅଟି ନାଁଆଟି କ’ଣ ମ—ଓ, ଜିଭ ଅଗରେ ଅଛି, ମନେ ପଡ଼ୁନି, ହଁ, ହଁ, ଚିତ୍ରା, ଚିତ୍ରା । ଖୁଉବ୍ ଭଲ ଝିଅଟିଏ । ଭାରି ଭଲ ହୁଅନ୍ତା । ବାପା ରାଜି ଅଛନ୍ତି । ମୁଁ ବି ଏକମତ । ତୁ ଯଦି ରାଜି ହେବୁ ଏଇ ଅଇଲା ମାଘରେ କାମ ବଢ଼ିଯିବ ।

 

ଆମେ ଆସି ବୁଢ଼ାବୁଢ଼ୀ ହେଲୁ । ତୁଇ ମାତ୍ର ଗୋଟିଏ ବୋଲି ପୁଅ । ଚାକିରୀ ଆମର ଦର୍କାର ନାହିଁ । ତୋର ଟଙ୍କା ଆମର ଲୋଡ଼ା ନାହିଁ । ଏ ବଉଁଶର ନାଁ ରହୁ । ଆମେ ମରିଗଲେ ଆମ ପାଇଁ ପାଣି ଚଳେ ଟେକିବାକୁ କେହି ରହୁ ।

 

ବିନୋଦ ଆଉ ଖବର କାଗଜକୁ ଚାହିଁ ପାରିଲା ନାହିଁ । ବୋଉ କଥାରେ ଅନେକଟା ଅବଶ୍ୟ ସତ୍ୟତା ରହିଛି । ସାଂସାରିକ ମୋହବନ୍ଧନର ଅନେକ କିଛି ବାସ୍ତବତା ଭରି ରହିଛି । ଏ ବଂଶର ବଢ଼ତି ପାଇଁ, ଟେକ ରଖିବାଲାଗି ପୁଅକୁ ବାହାଦେବାକୁ ସେମାନେ ବ୍ୟାକୁଳ । ବଂଶ ବୁଡ଼ିଗଲେ ଚଉଦ ପୁରୁଷର ନାଁ ଲୁଚିଯିବ । ମଲା ଲୋକର ଗଲାକଥା କେହି ଟିକିଏ ଧରିବେ ନାହିଁ, କେହି ଟିକିଏ ଭାବିବେ ନାହିଁ ।

 

ମାତ୍ର ସେ ଯେଉଁ ପ୍ରତିଜ୍ଞାର ଭାର ବହନ କରିଛି, ସେଥିରେ ବଂଶ ବଢ଼ତି ପାଇଁ ଆଉ କୌଣସି ପ୍ରଶ୍ନ ନାହିଁ । ମହାକାଳର ପରିଧି ମଧ୍ୟରେ କେତେ ବଂଶ, କେତେ ସଭ୍ୟତା ଓ କେତେ ଇତିହାସ ଆପଣାର ସୁଖ ସମୃଦ୍ଧ ଓ ହସ ହସ ମୁହଁ ଲୁଚାଇ ଦେଇଛନ୍ତି ନିର୍ବିଚାରରେ । ସେସବୁ ଅବଲୁପ୍ତ ଗୌରବ ଆଜି ହୁଏତ ମୁହୂର୍ତ୍ତକ ପାଇଁ ମନ ଭିତରେ ପାଖୁଡ଼ାଏ ଫୁଟନ୍ତା ଫୁଲର ସୁରଭି ଅବଶ୍ୟ ସୃଷ୍ଟି କରେ । ମାତ୍ର ତା’ ବ୍ୟତୀତ ଆଉ କ’ଣ ଦେଇପାରେ ସେ ଜୀବନ ଉପରେ ପ୍ରଭାବ ପକାଇବା ଲାଗି ? ତାଙ୍କ ବଂଶର ସୀମାବଦ୍ଧ ଐତିହ୍ୟ ମିଶିଯାଉ ସେଇ ମହାକାଳ ଗର୍ଭରେ । ସେଥିପାଇଁ ସେ ଟିକିଏ ହେଲେ ଦୁଃଖ କରିବ ନାହିଁ । ଶୋଚନା କରିବ ନାହିଁ । ଯେଉଁଠାରେ ଗୋଟାଏ ଗୋଟାଏ ସଭ୍ୟତା ଓ ସଂସ୍କୃତି ମହାକାଳର ମହାସିନ୍ଧୁ ଭିତରେ ନିଜର ମୁହଁ ଲୁଚାଇ ଦେଇଛନ୍ତି, ସେଠାରେ ତା’ ବଂଶ ରକ୍ଷାର ପ୍ରଶ୍ନ ନିତାନ୍ତ ହାସ୍ୟାସ୍ପଦ ।

 

ବିନୋଦ ହସି ହସି କହିଲା, ବୋଉ ଲୋ ! ସେସବୁ ଭିତରେ ପଶିବାକୁ ମୋର ଆଗ୍ରହ ଆଉ ନାହିଁ । ମୋ ଜୀବନର ଉଦ୍ଦେଶ୍ୟ ଆଉ ପ୍ରକାରେ ହେବ ବୋଲି ମୁଁ ଠିକ୍ କରି ନେଇଛି । ବର୍ମା ପରିବାରଙ୍କୁ କହିଦେବୁ ସେ ହୁଏତ ଅନ୍ୟ ଯେଉଁଠାରେ ଚିତ୍ରା ପାଇଁ ପ୍ରସ୍ତାବ ପକାଇ ପାରନ୍ତି । ମୁଁ ତ ସବୁଠାରୁ ସୁଖୀ ହେବି ଚିତ୍ରା ଯଦି ତାର ଉପଯୁକ୍ତ ବରପାତ୍ର ପାଇପାରେ ।

 

ଦେଶସେବା କରିବା ପାଇଁ ମୁଁ ମୋ ଚାକିରୀରୁ ଇସ୍ତଫାଦେଇ ଗାଁକୁ ଫେରି ଆସିଥିଲି । ଘରେ ବସି ଲକ୍ଷ୍ୟ କରୁଥିଲି ମୋ ଅଞ୍ଚଳର ଅଭାବ ଅସୁବିଧା ସବୁ । ମିତ୍ରାର ମୃତ୍ୟୁପରେ ପରେ ମୁଁ ମୋ ନିଜକୁ ସଜାଡ଼ି ନେଇଛି ଏବଂ ମୋ ଅଞ୍ଚଳର ଶହ ଶହ ମୂଲିଆ, ଖଟିଖିଆ ଓ ଚାଷୀମାନଙ୍କ ସାଙ୍ଗରେ ଜଣେ ହୋଇ ସେମାନଙ୍କ ସେବା କରିବା ପାଇଁ ମୁଁ ପ୍ରଚୁର ସାହାସ ଓ ବଳ ସଂଚୟ କରିଛି । ବାପାଙ୍କୁ କହିଦେବୁ, ଏ ହତଭାଗା ପୁଅଟା ଥାଇ ଯେତେ ନଥାଇ ସେତେ ।

 

ବିନୋଦ ବୋଉଙ୍କ ଉତ୍ସାହ ହଠାତ୍ ରୂପାନ୍ତରିତ ହେଲା ହତୋତ୍ସାହରେ ଓ ତାଙ୍କର ହସ ହସ ମୁହଁରେ କୁଢ଼େଇ ହୋଇ ପଡ଼ିଲା ବିଷାଦ, ଆଉ ବିଷାଦ ।

 

ମନର ବିଷାଦ ହଠାତ୍ ତାଙ୍କର ଚେତନାକୁ ସ୍ପର୍ଶ କଲା ଏବଂ ଚେତନାର କ୍ରମାଗତ ତାଡ଼ନାରେ ଆଖି ହୋଇ ଉଠିଲା ଲୁହରେ ଟୁଳୁ ଟୁଳୁ । ସେ ଭଙ୍ଗା ଭଙ୍ଗା କଣ୍ଠରେ କହିଲେ, ଆମେ କଣ ପୁଅ ଜନମ କରିଥିଲୁ ଏଇଆ ଶୁଣିବା ପାଇଁରେ ବିନ ? ଆମ ଦୁହିଁଙ୍କୁ ତୋରି ଆଖି ଆଗରୁ ଯଦି ଯମ ଟାଣି ନିଅନ୍ତା, ତେବେ ତୋ କଥା ଆମେ ହୁଏତ ଶୁଣି ପାରିବାକୁ ନଥାନ୍ତୁ ।

 

ବିନୋଦ ବୋଉଙ୍କ କଣ୍ଠ ରୁଦ୍ଧ ହୋଇ ଆସିଲା । ସେ ଆଉ କଥା କହିପାରିଲେ ନାହିଁ । ସେ ବସି ପଡ଼ିଲେ ତୁନୀ ହୋଇ କିନ୍ତୁ ଆଖି ଲୁହର ଆଉ ବିରାମ ନାହିଁ ।

ବିନୋଦ ସତେ ଯେମିତି ଖଣ୍ଡେ ପଥର ମୁଣ୍ଡା । ମିତ୍ରାର ବିବାହ ପୂର୍ବରୁ ବୋଉ ଆଖିର ଲୁହ ତା’ ମନ ତଳେ ସୃଷ୍ଟି କରୁଥିଲା ଅନେକ ଦୟା ଓ ସହାନୁଭୂତି । ମାତ୍ର ଆଜି କିନ୍ତୁ ବୋଉର ଲୁହ ତା’ ଭିତରେ କୌଣସି ପ୍ରତିକ୍ରିୟା ସୃଷ୍ଟି କରୁନାହିଁ । ସେ ଖବର କାଗଜ ଉପରେ ପୁଣି ଆଖି ପକେଇଲା ।

ବିନୋଦର ବୋଉ ନିଜ ପଣତରେ ଲୁହ ପୋଛିଲେ । କିଛି କାଳ ଚୁପ୍‍ଚାପ୍ ବସିଲେ ସେଠି । ଆଉ କଣ ଅବା କହିବେ ? ମିତ୍ରାର ମୃତ୍ୟୁ ପରେ ପରେ ବିନୋଦ ପାଗଳ ହୋଇଯାଇଛି । ଦିନେହେଲେ ସେ ଅବାଧ୍ୟ ହୋଇନାହିଁ । କେବେହେଲେ ବାପା ବୋଉଙ୍କ କଥାକୁ ହେଟି ଦେଇନାହିଁ-। ତାଙ୍କ ଆଖିରେ ଟିକିଏ ଲୁହ ଦେଖିଲେ ସେ ବ୍ୟସ୍ତ ବିକଳ ହୋଇଉଠେ । ସେଇ ପୁଅର ହୋଇଛି ଆଜି ଅସମ୍ଭବ ପରିବର୍ତ୍ତନ । ସତେ ଯେମିତି ସେ ଦାରୁବ୍ରହ୍ମ ।

ବିନୋଦର ବୋଉ ନିଜକୁ ବଡ଼ ଅସହାୟ ମଣିଲେ । ଧିକ୍କାରିଲେ ମନକୁ ମନ ଅନେକ । ବିନୋଦ ସାଙ୍ଗକୁ ଯଦି ଆଉ ଗୋଟିଏ ପୁଅ ଥାଆନ୍ତା, ତା’ହେଲେ ଦୁଃଖର ସୀମା ଆଜି ଏତେ ଭାବରେ ବଢ଼ି ନ ଥାନ୍ତା ।

ସେ ଦୁଃଖିନୀ, ଚିର ଦୁଃଖିନୀ । ଭଗବାନ ତାକୁ ଅଭିଶାପ ଦେଇଛନ୍ତି । ଏକାକୀ କରିଛନ୍ତି । ତାର ସେଇ ଅସହାୟ ଜୀବନ ଅଗଣାରେ ଯେଉଁ ଗୋଟିଏ ବୋହୂ, ତୁଳସୀ ଚଉଁରା ଭଳି ଅତିସୋହାଗରେ ଥାପିତ ହୋଇଥିଲା, ସେଇ ତୁଳସୀ ଚଉଁରାଟି ଆପେ ଆପେ, ଶୂନ୍ୟେ ଶୂନ୍ୟେ କୁଆଡ଼େ ହୋଇଗଲା ଅନ୍ତର୍ଦ୍ଧାନ । ଜୀବନ ଅଗଣାର ସେଇ କେତେକ ପରିମିତ ଭୂଇଁ ଆଜି ଦିଶୁଛି ନିହାତି ନିଛାଟିଆ, ଏକୁଟିଆ ଶ୍ମଶାନ । ତା’ ଭିତରୁ ବେଳେ ବେଳେ ନୀରବରେ ଗୁଞ୍ଜରି ଉଠୁଛି କେତେ ହା ହୁତାଶିଆ ଚିତ୍କାର ।

 

ବିନୋଦର ବୋଉ ପୁଣି ଲୁହ ପୋଛିଲେ ।

 

ଆଗରେ ବସିଛି ବିନୋଦ । ଖବର କାଗଜ ଭିତରେ ହଜି ଯାଇଛି ସେ । ବୋଉ କଥା ସେ ଭୁଲିଗଲାଣି । ତାର ଆଉ କିଛି ମନେ ରହୁନାହିଁ । ସବୁବେଳେ ଗାଁକୁ ଗାଁ ବାୟା ପାଗଳାଙ୍କ ପରି ଘୂରୁଛି ଏବଂ ସଞ୍ଜେ ସକାଳେ କେଉଁ ଅଚିହ୍ନା ଅଜଣା ଗାଁର କଳା ଭୁସୁଣ୍ଡା, ଦାଢ଼ୀଭରା, ଅପରିଛିଆ ଅସନା ଚଷା ମୂଲିଆ ଲୋକେ ତାକୁ ଘେରି ବସିଯାଉଛନ୍ତି । ସତେ ଯେମିତି ବିନୋଦ ରନ୍ତଲେଇ ବାବା । ସେ ଯେମିତି ସେମାନଙ୍କୁ ପ୍ରସାଦ ଦେବ । ସେମାନଙ୍କର ହାରି ଗୁହାରି, ମାଗୁଣି, ଜଣାଣ ସବୁ ଶୁଣିବ ।

 

ବିନୋଦର ବୋଉ ଲୁହ ପୋଛି ପୋଛି ସେଠାରୁ ଉଠିଲେ ।

 

ବିନୋଦ ଏବେ ସୁଦ୍ଧା ହଜି ଯାଇଛି ଖବର କାଗଜ ଭିତରେ । ବୋଉ ତାର କେତେବେଳେ ଏଠାରୁ ଉଠିଗଲା, ସେ କଥା ସେ ଜାଣିନାହିଁ ।

 

ବିନୋଦ ଚାଲିଛି ।

 

ବିଏସ୍‍ପାନ୍ ଠାରୁ ଦୁଦୁରାଅଣ୍ଟା–ମାତ୍ର ଦେଢ଼ ମାଇଲ ବାଟ । ପେଣ୍ଡରାପଦି ପାର ହେଲେ ଦୁଦୁରାଅଣ୍ଟାର ନୀଳକଣ୍ଠେଶ୍ୱର ମହାଦେବ ଚୁଡ଼ା ଦିଶିବ ଏବଂ ତା’ ପରେ ଗାଁ ନି: ପ୍ରା: ସ୍କୁଲ, ପୋଖରୀ ହୁଡ଼ା ଉପରର ଧାଡ଼ି ଧାଡ଼ି ନଡ଼ିଆ ଗଛ ଆଖି ସାମ୍ନାରେ ଉହୁଁକି ଉଠିବ ।

 

ସଞ୍ଜ ହୋଇ ଆସିଲେଣି । ଧାନ କିଆରୀର ହିଡ଼େ ହିଡ଼େ, କେଉଁଠି ମଣିଷ ଚଲା ପାଦ ପଡ଼ି ବେଶ୍ ଏକ ସରଳ ରାସ୍ତାପରି ଦିଶୁଛି ଏବଂ ଆଉ କେଉଁଠି ଘାସର ବହଳିଆ ଢ଼େଉରେ ମଣିଷ ଚଲାରାସ୍ତାର ଦାଗ ନିଭିଯାଇଛି । ବିନୋଦ ଏକାକୀ ଚାଲିଛି ସେଇ ପରିଚିତ, ଅପରିଚିତ ଘାସଭରା ଓ ଘାସହୀନ ହିଡ଼ରେ ଏବଂ ବେଳେ ବେଳେ ପାଶିଯାଉଛି ପା’ବୁଢ଼ା, ଆଣ୍ଠୁଭେଦା ଓ ଜଙ୍ଘ ପର୍ଯ୍ୟନ୍ତ ପାଣିରେ । କେଉଁଠାରେ ବାଲିଆସିଆ, କେଉଁଠାରେ ପଙ୍କ କେଉଁଠାରେ ଚିକିଟା କେଲୁମାଟି ମାତ୍ର ସେ ସବୁକୁ ତାର ପରୁଆ ନାହିଁ ।

 

ଆଜିକୁ ଚାରିଦିନ ହେଲା ଗାଁକୁ ଗାଁ ସେ ବୁଲୁଛି ଏବଂ କାଟିଆ ଛକଠାରୁ ଦୋହରା ପାଟଣା ପର୍ଯ୍ୟନ୍ତ କଚା ରାସ୍ତା ପିଚୁ ରାସ୍ତାରେ ପରିଣତ ହେଉ ବୋଲି ଲୋକମତ ସଂଗ୍ରହ କରୁଛି । ଏଇ ମାତ୍ର ବଏସ୍‍ପାନ ଲୋକମାନଙ୍କର ସମ୍ମତି ନେଇ ଫେରିଲା ସେ ଏବଂ ବର୍ତ୍ତମାନ ଯାଉଛି ଦୁଦୁରାଅଣ୍ଟା । ଅତି ରାତିରେ ନିଳକଣ୍ଠେଶ୍ଵର ମହାଦେବଙ୍କ ପଡ଼ିଆରେ ସଭାହେବ । ତା’ପରେ ଚାଲିବ ସେ ରଡ଼ଗାଁ, ପାରିପଦା, ନିଜାମପୁର, କୋତପୁର ସୋଲପାଟ, ଗରଡ଼ିହ, ଧନୀପୁର, ଦୁବକଣ ଏବଂ ଆହୁରି ଅନେକ ଗାଁ ।

 

ସଞ୍ଜର ଆକାଶରେ ମେଘ ଘୋଟି ଆସୁଛି ଖୁବ୍ ଜୋରରେ । ଅଳ୍ପ ଅଳ୍ପ ଥଣ୍ଡା ପବନ ବହୁଛି ।

 

ବିନୋଦ ଚାହିଁଲା ଆକାଶକୁ । କଜଳା ଆକାଶର ବିରାଟ ବିସ୍ତୃତି ମଝିରେ କିଏ ଯେମିତି ଲେସି ଦେଇଛି, ପୁଳାଏ କଳାରଙ୍ଗ ଠିକ୍ ଯେମିତ ଦିଶେ ମୃଦଙ୍ଗର ବାଁ ପଟ, ଯେଉଁଠି ଚମଡ଼ା ଉପରେ କଳାରଙ୍ଗର କିରଣ ବୋଳାଯାଇ ସୁର ଦିଆଯାଇଥାଏ ।

 

ବର୍ଷାର ଅନୁହୁତି ଆଗମନ ଦେଖି ବିନୋଦର ଗୋଡ଼ି ଖୁବ୍ ଜୋର୍ ଜୋର୍ ପଡ଼ିଲା ଆଗରୁ ଆଗରୁ । ସନ୍ଧ୍ୟା ହେଇ ଆସିଲାଣି । ଭରା ଧାନକ୍ଷେତ ମଝିରେ ଯେଉଁ ହିଡ଼ମାନେ ଅବଲକରା ପିଲାମାନଙ୍କ ପରି ଇଆଡ଼େ ସିଆଡ଼େ ଖେଳେଇ ହୋଇଛନ୍ତି ନିଜ ମନ ମୁତାବକ, ସେହି ସବୁ ହିଡ଼ ଓଟାର ଆଉ ଦେଖି ହେଉନାହିଁ । ଧାନକ୍ଷେତର ପେଣ୍ଡା ଓ ପତରରେ ସେସବୁ ଲୁଚିଯାଇଛନ୍ତି, ଛପି ଯାଇଛନ୍ତି ସତେ ଯେମିତି ଏକ ଦୁରାଗତ ଅଥଚ ସଂଭ୍ରାନ୍ତ କୁଣିଆଁ ର ଉପସ୍ଥିତ ଜାଣି ସେମାନେ ଲାଜ ଲାଜ ହେଉଛନ୍ତି ।

 

ବିନୋଦ ବାଟ ବାରି ବାରି, କେତେବେଳେ ଧାନ କିଆରୀରେ, କେତେବେଳେ ହିଡ଼ ଓଟାରରେ ଅବା ଆଉ କେତେବେଳେ ପଙ୍କ କାଦୁଅରେ ଧଅଁସି ହୋଇଚାଲିଥାଏ ଆଗକୁ । କିନ୍ତୁ ଏଇ ଚାଲିବା ଓ ଦଉଡ଼ିବା ଭିତରେ ସେ ଅନୁଭବ କରୁଥିଲା ଏଣେ ନୂତନ ଆତ୍ମା-ପରିଚିତ ଯାହାର ଉନ୍ମାଦନାରେ ସେ ଭୁଲି ଯାଉଥିଲା ବର୍ଷକ ମେଘର ସମ୍ଭାବନାକୁ । ଆଗରେ ଖାଲି କାମ ଏବଂ କାମ କର୍ତ୍ତବ୍ୟ ଓ କର୍ତ୍ତବ୍ୟ । ଏକ ମିନିଟ୍ ସେଥି ମଧ୍ୟରୁ ଅକାରଣରେ କଟିଯିବା ଉଚିତ୍ ନୁହେଁ ।

 

ତଥାପି ମେଘ ବର୍ଷି ନାହିଁ । ମାତ୍ର ବହୁଛି ଥଣ୍ଡା ଥଣ୍ଡା ହୱା ଆକାଶର ସେଇ ପ୍ରାନ୍ତରେ ଯେଉଁଠାରେ ଲେସା ହୋଇଛି ବହନ କଳା ରଙ୍ଗପରି ପୁଳାଏ ବହଳ ମେଘର ଆଲକାତରା, ସେ ରହି ଏବେ ମଧ୍ୟ ନିଥର ଓ ନିଦା ।

 

ବିନୋଦ ଆଣ୍ଠୁ ଏ ପାଣିରେ ପଶିଗଲା । ସେ ଗୋଟା ଚତିରି । ଲମ୍ବିଛି ପେଣ୍ଡରାପଦି ପର୍ଯ୍ୟନ୍ତ । ଚତିରି ପାର ହେଲେ ଦୁଦୁରାଅଣ୍ଟା ଗାଁର ପୋଖରୀ ହୁଡ଼ା ।

 

ଚତିରିଟା ଲମ୍ବିଛି ଅନେକ ବାଟ । ସେଥିରେ ବିନୋଦ ଚାଲିଛି । ଆଗକୁ ବେଶି ପାଣି ହେବ କି ନାହିଁ, ତା’ର ଖିଆଲ ନାହିଁ । ପାଣିର ଗଭୀରତା ଓ ସ୍ୱଳ୍ପତା ପାଇଁ ତାର ଆଜି ଆଶଙ୍କା ନାହିଁ, ଦ୍ଵନ୍ଦ ନାହିଁ । ସାରା ଅଞ୍ଚଳକୁ ସେ ସଙ୍ଗଠିତ କରୁଛି । ନାନା ମନାନ୍ତର ଓ ମତାନ୍ତରର ପାଚେରୀକୁ ଭାଙ୍ଗିରୁଜି ସେ ଆଜି ସମତୁଲ କରୁଛି । ଗରିବ ଖଟିଖିଆ, ଦିନମଜୁରିଆ, କୃଷକ, ମଧ୍ୟବିତ୍ତ ଓ ରଇତମାନଙ୍କୁ ସେ ଏକାଠି କରିଛି । ପ୍ରତି ସମାଜରେ, ପ୍ରତି ଶ୍ରେଣୀରେ ଅଲଗା ଅଲଗା ସମସ୍ୟା, ଅଲଗା ଅଲଗା ସମାଧାନ । ମାଲି ମକଦ୍ଦମା, ଦଙ୍ଗାହେଙ୍ଗାମା, ଟାଉଟରିଆ, ସତ୍ୟାନାଶିଆ ପଣ ବହୁ ଭାବରେ ଜଣା ପଡ଼ିଛି ।

 

ଚତିରି ଭିତରେ ଚାଲୁ ଚାଲୁ, ବିନୋଦର ଏଇ ସବୁ କଥା ମନେ ପଡ଼ିଲା ଏବଂ ତା’ର ଚେତନାରେ ସୃଷ୍ଟି ହେଲା ଏକ ହରଣ୍ମୟ ଯାହାର ଝଲକରେ, ଅନ୍ଧାରରେ ବିଲମାଳ ଭିତରେ ସେ ଆଉ କିଏ ଦ୍ରୁତଗତିରେ ପାଦ ବଢ଼ାଇଲା ଆଗକୁ ।

 

ଅନ୍ଧାର ମଝିରେ ଆଖି ତରାଟି ଚାହିଁଲା ଦୂରକୁ । ଦୂରରେ ସ୍ପଷ୍ଟଭାବରେ ଦୋହଲୁଛନ୍ତି ଦୁଦୁରାଅଣ୍ଟାର ଡ଼େଙ୍ଗା ଡ଼େଙ୍ଗା ଫଳନ୍ତି ନଡ଼ିଆ ଗଛ । ତା’ହେଲେ ଆଉ ଭୟ ନାହିଁ । ଚତିରିଟାକୁ ସେ ପାର କରିବାକୁ ବସିଲାଣି । ଆଉ ପଚିଶ ହାତ ପାରିହେଲେ, ସରିଗଲା ରାସ୍ତା । ତାପରେ ପଡ଼ିବ ଦୁଦୁରାଅଣ୍ଟା । ଆରମ୍ଭ ହେବ କାମ ।

 

ବିନୋଦ ଚତିରି ପାରହୋଇ, ପେଣ୍ଡରାପଦି ଆଡ଼ି ଉପରେ ହେଲା । ସେଇଠାରୁ ଦିଶିଯାଉଛି ଦୁଦୁରା ଅଣ୍ଟାର ଦୁଦୁ ଦୁକୁଆ, ନିଭିକା କେତେ କିରୋସିନ୍ ବତୀର ଆଲୁଅ । କିଏ ନିଭୁଛି, କିଏ ପୁଣି ଜଳୁଛି । କାରଣ ଏବେ ବି ମେଘ ଆକାଶରୁ କଟିନାହିଁ । ମଝିରେ ମଝିରେ ପବନ ହକାରୁଛି । ହେମାଳ ବୋବାଳୁଛି ।

 

ବିନୋଦ ସେଇ ଅନ୍ଧାରରେ ଚାଲିଲା ଦୁଦୁରାଅଣ୍ଟା ଆଡ଼େ ।

 

ଆକାଶ ପିଠିରେ ଏବେ ମଧ୍ୟ ଲେସି ହୋଇ ରହିଛି ସେଇ ମେଘର ବହଳ କଳା ।

 

ମଲ୍ଲିକା ପୁର

୧୫–୬–୬୨

Image